୭ଟି ନୂଆ ଡ୍ରେନ୍‌ ନିର୍ମାଣ ହେବ

ବିଏମ୍‌ସିକୁ ପାଣି ନିଷ୍କାସନ ଚିନ୍ତା

ଭୁବନେଶ୍ୱର: ଅସରାଏ ବଡ଼ ବର୍ଷାରେ ରାଜଧାନୀ ଜଳବନ୍ଦୀ ହୋଇଯିବା ବିଏମ୍‌ସିର ନିଦ ହଜାଇ ଦେଲାଣି। ସବୁଆଡ଼ୁ ସମାଲୋଚନାର ଶିକାର ହେବା ପରେ ରାଜଧାନୀର କେତୋଟି ପ୍ରମୁଖ ଅଞ୍ଚଳରେ ପାଣି ନିଷ୍କାସନ ପାଇଁ ବିଏମ୍‌ସି ପକ୍ଷରୁ ୭ଟି ନୂଆ ଡ୍ରେନ୍‌ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ୯.୪୫କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ପ୍ରାରମ୍ଭିକ ଆକଳନ ହୋଇଛି। ବିଏମ୍‌ସି କମିସନର୍‌ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି ଯେ, ଓ୍ଵାର୍ଡ ୬୨ ଅନ୍ତର୍ଗତ ଅନନ୍ତ ବିହାର ଫେଜ୍‌-୨ରେ ଡ୍ରେନ୍‌ ପାଇଁ ୮୬.୩୦ଲକ୍ଷ, ଓ୍ଵାର୍ଡ ୬୫ରେ ଡୁମୁଡୁମା ହାଉସିଂବୋର୍ଡ କଲୋନି ଫେଜ୍‌-୪ରେ ଡ୍ରେନ୍‌ ପାଇଁ ୧.୫୧କୋଟି, ଓ୍ଵାର୍ଡ ୨୪ରେ ଜଗନ୍ନାଥ ବିହାର ଲେନ୍‌ ୩ରେ ପ୍ଲଟ୍‌ ନଂ ୩୮୭ରୁ ୫୯/୫୩୩ ଯାଏଁ ଡ୍ରେନ୍‌ ପାଇଁ ୪୯.୯୮ଲକ୍ଷ, ଓ୍ଵାର୍ଡ ୨୯ଅନ୍ତର୍ଗତ ଭାଗବତ ସନ୍ଧାନ ଅଞ୍ଚଳରେ ଡ୍ରେନ୍‌ ନିର୍ମାଣ ପାଇଁ ୨.୩୦କୋଟି, ଓ୍ଵାର୍ଡ ୪୨ ଅନ୍ତର୍ଗତ ଶ୍ରୀୟା ଟକିଜ୍‌ ପଛ ଡ୍ରେନେଜ୍‌ ଚ୍ୟାନେଲ୍‌ର ନବୀକରଣ ଓ ପୁନରୁଦ୍ଧାର ପାଇଁ ୧୨.୪୮ଲକ୍ଷ, ଓମଫେଡ୍‌ ପଛ ପାଖରୁ ଗୁରୁ କେଳୁଚରଣ ମହାପାତ୍ର ପାର୍କ ରାସ୍ତା ଦେଇ ଡ୍ରେନେଜ୍‌ ଚ୍ୟାନେଲ୍‌ ୧ ପର୍ଯ୍ୟନ୍ତ ଡ୍ରେନ୍‌ ନିର୍ମାଣ ପାଇଁ ୩.୫କୋଟି, ଓ୍ଵାର୍ଡ ୩ ଅନ୍ତର୍ଗତ ଅହଲ୍ୟା ନଗରର ଡ୍ରେନ୍‌ ବ୍ୟବସ୍ଥାର ଉନ୍ନତିକରଣ ପାଇଁ ୬୫ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏହି ନୂଆ ଡ୍ରେନ୍‌ ନିର୍ମାଣ ଦ୍ୱାରା ଉକ୍ତ ଅଞ୍ଚଳରେ ପାଣି ନିଷ୍କାସନ ବ୍ୟବସ୍ଥିତ ଉପାୟରେ ହୋଇପାରିବ ବୋଲି କୁହାଯାଇଛି। ସେହିପରି ଜରୁରୀକାଳୀନ ପରିସ୍ଥିତି ମୁକାବିଲା ପାଇଁ ବିଏମ୍‌ସିକୁ ୧୨ଟି ସବ୍‌ଜୋନ୍‌ରେ ବିଭକ୍ତ କରାଯାଇଛି। ଏଥିରେ ୧୨ଜଣ ବରିଷ୍ଠ ଅଧିକାରୀଙ୍କୁ ଟିମ୍‌ ଲିଡର୍‌ ଦାୟିତ୍ୱ ଦିଆଯାଇଛି। ସେମାନଙ୍କ ଅଧୀନରେ ଓ୍ଵାର୍ଡ ଅଧିକାରୀ, ସାନିଟାରି ଇନ୍ସପେକ୍ଟର, ଇଞ୍ଜିନିୟର, ବିଶେଷଜ୍ଞ ରହିବେ। ରାଜଧାନୀର ସମସ୍ତ ତଳିଆ ଅଞ୍ଚଳ ଉପରେ ସ୍ୱତନ୍ତ୍ର ନଜର ରଖିବାକୁ କୁହାଯାଇଛି। ପ୍ରତି ସବ୍‌ଜୋନ୍‌ର ନୋଡାଲ ଅଧିକାରୀ ବା ଟିମ୍‌ ଲିଡର୍‌ ସେମାନଙ୍କ ଅଞ୍ଚଳରେ ପରିଦର୍ଶନ କରି ପ୍ରତିଦିନ ପୂର୍ବାହ୍ନରେ ସମୀକ୍ଷା କରିବାକୁ କୁହାଯାଇଛି। ପ୍ରତିଦିନ ସଂଧ୍ୟାରେ ସମସ୍ତ ସବ୍‌ଜୋନ୍‌ର ସ୍ଥିତିର ଆକଳନ କରାଯିବ ଏବଂ ନିଆଯାଇଥିବା ପଦକ୍ଷେପର ସମୀକ୍ଷା କରାଯିବ। ପରିମଳ କାର୍ଯ୍ୟରେ ନିୟୋଜିତ ସଂସ୍ଥାଗୁଡ଼ିକୁ ଆବଶ୍ୟକ ସଂଖ୍ୟକ କର୍ମଚାରୀ, ଉପକରଣ ଓ ଗାଡ଼ି ସହିତ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଏମ୍‌ସିର ମେକାନିକାଲ୍‌ ଇଂଜିନିୟରିଂ ବିଭାଗକୁ ସହରର ତଳିଆ ଅଞ୍ଚଳରେ ଜଳନିଷ୍କାସନ ପାଇଁ ଆବଶ୍ୟକ ସଂଖ୍ୟାରେ ପମ୍ପ୍‌ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ସୂଚନାଯୋଗ୍ୟଯେ ଆଜି ସକାଳ ୬ ଟାରୁ ସନ୍ଧ୍ୟା ୭ ଟା ମଧ୍ୟରେ ବିଏମ୍‌ସି ପକ୍ଷରୁ ଜାରି କରାଯାଇଥିବା ହେଲ୍ପ ଲାଇନ୍‌ ନମ୍ବରରେ ଆସିଥିବା ୧୬ ଟି ଅଭିଯୋଗର ସମାଧାନ କରାଯାଇଛି।

ସମ୍ବନ୍ଧିତ ଖବର