ବିଏମ୍‌ସିର ରାଜସ୍ବ ଆଦାୟ ୫୦ କୋଟି କମିବ!

ଫନିକୁ ଆଳ କଲା

ଭୁବନେଶ୍ବର : ଚଳିତ ଆର୍ଥିକ ବର୍ଷରେ ବିଏମ୍‌ସି ୧୫୦ କୋଟି ରାଜସ୍ବ ଆଦାୟ କରିବାକୁ ଟାର୍ଗେଟ୍ ରଖିଛି। ହେଲେ ବର୍ଷ ସରିବାକୁ ବସିଲାଣି ରାଜସ୍ବ ଆଦାୟ ମାତ୍ର ୬୦ କୋଟି ଛୁଇଁଛି। ଆଉ ପ୍ରାୟ ଦେଢ଼ ମାସ ଥିବାରୁ ବିଏମ୍‌ସି ପାଖରେ ବଡ଼ ଲକ୍ଷ୍ୟ ରହିଛି। ଏହି ସ୍ବଳ୍ପ ସମୟ ମଧ୍ୟରେ ୯୦ କୋଟି ଆଦାୟ କରିପାରିଲେ ଟାର୍ଗେଟ୍‌ ଛୁଇଁବ। ହେଲେ ବର୍ତ୍ତମାନର ସ୍ଥିତି ଯାହା ଏବଂ ଯେଉଁଭଳି ରାଜସ୍ବ ଆଦାୟ ହେଉଛି, ସେଥିରେ ମୋଟ୍‌ ରାଜସ୍ବ ଆଦାୟ ୧୦୦ କୋଟି ଛୁଇଁବା ବି କଷ୍ଟକର ହୋଇପଡ଼ିବ। ଯଦିବା ୧୦୦ କୋଟି ଛୁଇଁବ, ତେବେ ତାହା ଗତ ଆର୍ଥିକ ବର୍ଷ ଭଳି ୧୦୦ କୋଟିରୁ ଗୋଟେ ଦୁଇ କୋଟି ଅଧିକ ରହିବ।

୨୦୧୭-୧୮‌ ବର୍ଷ‌ରେ ବିଏମ୍‌ସି ୧୩୫ କୋଟି ୩ ଲକ୍ଷ ୮ ହଜାର ୨ଶହ ଟଙ୍କା ରାଜସ୍ବ ଆଦାୟ କରିଥିଲା। ଯାହା ଏକ ରେକର୍ଡ। ସେହିବର୍ଷ ୧୨୦ କୋଟି ରାଜସ୍ବ ଆଦାୟ ଟାର୍ଗେଟ୍ ଥିବା ବେଳେ ୧୫ କୋଟି ଅଧିକ ଆଦାୟ ହୋଇଥିଲା। ତେଣୁ ୨୦୧୮-୧୯ରେ ରାଜସ୍ବ ଆଦାୟ ୧୫୦ କୋଟି ହେବ ବୋଲି ଟାର୍ଗେଟ୍‌ ରଖିଥିଲେ। ହେଲେ ୧୦୧.୨୫ କୋଟି ରାଜସ୍ବ ଆଦାୟ ହୋଇଥିଲା। ପୂର୍ବ ବର୍ଷ ତୁଳନାରେ ୩୪ କୋଟି ରାଜସ୍ବ କମିଗଲା। ଏଥିପାଇଁ ବି ବାହନା ସଜାଡ଼ି ରଖିଥିଲେ କର୍ତ୍ତୃପକ୍ଷ। କହିଲେ, ବର୍ଷା ବିତ୍ପାତ ଓ ହକି ବିଶ୍ବକପ୍‌ ଆୟୋଜନ ପାଇଁ ରାଜସ୍ବ ଆଦାୟ କମିଗଲା। ଏପଟେ ଚଳିତ ବର୍ଷ ବି ରାଜସ୍ବ ଆଦାୟ କମିବାର ସଂକେତ ମିଳିଥିବାରୁ ବାତ୍ୟା ଫନିକୁ ଆଳ କରିବାକୁ କର୍ତ୍ତୃପକ୍ଷ ଯୋଜନା କରିଛନ୍ତି। ମେ’ ମାସରେ ହୋଇଥିବା ବାତ୍ୟା ଯୋଗୁଁ ବିଏମ୍‌ସିର ଅଧିକାରୀ ଓ ୱାର୍ଡ ଅଫିସର୍‌ମାନେ ରାଜଧାନୀର ପୁନରୁଦ୍ଧାର କାର୍ଯ୍ୟ ଓ ରିଲିଫ ବିତର‌ଣରେ ସାମିଲ୍‌ ହେବାରୁ ରାଜସ୍ବ ଆଦାୟ ହୋଇପାରିଲାନି। ତେଣୁ ଏଥର ଟିକସ ଆଦାୟ ମୁଖ୍ୟତଃ ଏଥିପାଇଁ କମିଗଲ‌ା ବୋଲି କହିବେ।

କିନ୍ତୁ ଅସଲରେ, ଏଥର ବିଏମ୍‌ସି ବର୍ଷ ଶେଷକୁ ହୋଲଡିଂ ଟିକସ ନେଇ ନୂଆ ନିୟମ ଆଣିବାରୁ ୱାର୍ଡ ଅଫିସର ତଥା ଟ୍ୟାକ୍ସ କଲେକ୍ଟରମାନେ ନୂଆ ନିୟମ ଅନୁଯାୟୀ, ଟିକସ ଆଦାୟ କରିବେ କି ପୂରୁଣା ନିୟମ ଅନୁଯାୟୀ ଆଦାୟ କରି‌ବେ, ସେନେଇ ଦ୍ବନ୍ଦ୍ବରେ ପଡ଼ିଲେ। ବିଏମ୍‌ସି କର୍ତ୍ତୃପକ୍ଷ ଏନେଇ ନିଷ୍ପତ୍ତି ନେବାରେ ବିଳମ୍ବ କରିବାରୁ ଟିକସ ଆଦାୟ ପ୍ରଭାବିତ ହେଲା। କେବଳ ଏତିକି ନୁହେଁ, ଅନଲାଇନ୍ ହୋଲଡିଂ ଟିକସ ଆଦାୟ ବ୍ୟବସ୍ଥା ଆରମ୍ଭ ହେବାରୁ ତଥ୍ୟ ଅପଲୋଡ୍‌ କରିବା ଏବଂ ସର୍ଭେ କରିବାରେ ମାସାଧିକ ସମୟ ଯିବାରୁ ଟିକସ ଆଦାୟ ପୂର୍ବଥରଗୁଡ଼ିକ ଭଳି ହେବନି ବୋଲି ଟ୍ୟାକ୍ସ କଲେକ୍ଟରମାନେ ଶୁଣାଇ ସାରିଲେଣି।

ଏପଟେ ଟାର୍ଗେଟ୍ ରାଜସ୍ବ ଆଦାୟ ପାଇଁ ବିଏମ୍‌ସି ପକ୍ଷରୁ ବହୁ ନୂଆ ଯୋଜନା ଆରମ୍ଭ ହୋଇଛି। ହୋଲଡିଂ ଟିକସ ଆଦାୟରେ କିନ୍ନର ଓ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀକୁ ସାମିଲ୍‌ କରାଯାଇଛି। କଲ୍ୟାଣ ମଣ୍ଡପ ସିଲ୍‌, ବିଭିନ୍ନ ପ୍ରକାରର ଜରିମାନା ଆଦାୟକୁ ଗୁରୁତ୍ବ ଦିଆଯାଇଛି। ଏହାସହ ଟ୍ୟାକ୍ସ କଲେକ୍ଟର ଓ ୱାର୍ଡ ଅଫିସର୍‌ ସେମାନଙ୍କୁ ଦିଆଯାଇଥିବା ଟାର୍ଗେଟ୍‌ ଟିକସ ଆଦାୟ ନ କଲେ ଜିଲ୍ଲା ପାର୍ ବଦଳି କରିବାକୁ ଚେତାବନୀ ବି ଦିଆଯାଇଛି।

ଚଳିତବର୍ଷ ବିଏମ୍‌ସି ଜାନୁଆରି ଶେଷ ସୁଦ୍ଧା ପ୍ରାୟ ୬୦ କୋଟି ରାଜସ୍ବ ଆଦାୟ କରିଥିବା ବେଳେ ଏଥିରୁ ୧୮ କୋଟି ହୋଲଡିଂ ଟିକସ ବାବଦକୁ, ବିଜ୍ଞାପନ ବାବଦକୁ ୮କୋଟି, ଟ୍ରେଡ୍ ଲାଇସେନ୍‌ସ ବାବଦକୁ ୩ କୋଟି, ପାର୍କିଂ ବାବଦକୁ ୧.୨୫ କୋଟି, ମାର୍କେଟ୍‌ରୁ ୪ କୋଟି, ଅନ୍ୟାନ୍ୟ ଆୟ ବାବଦକୁ ପ୍ରାୟ ୨୬‌ କୋଟି ଟଙ୍କା ଆଦାୟ ହୋଇଛି।

ଏନେଇ ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି ଯେ ଏଥର ରାଜସ୍ବ କମିବାର କାରଣ ହେଲା ବହୁ ପାର୍କିଂ ସ୍ଥାନର ଟେଣ୍ଡର୍‌ ହେଲାନି। ଯେଉଁଠୁ ବିଏମ୍‌ସି ବର୍ଷକୁ ୭ରୁ ୮ କୋଟି ପାଏ, ସେ ବାବଦକୁ ମ‌ାତ୍ର ୧.୨୫ କୋଟି ପାଇଲା। ବିଜ୍ଞାପନ ବାବଦକୁ ପ୍ରାୟ ୧୫ କୋଟି ପାଉଥିବା ବେଳେ ଏଥର ଅଧା ମିଳିଛି। ଏହା ସତ୍ତ୍ବେ ଆମେ ଏଥର ରେକର୍ଡ ରାଜସ୍ବ ଆଦାୟ କରିବୁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ବିଏମ୍‌ସି କର୍ତ୍ତୃପକ୍ଷ ଏଥର ଗୃହ ଟିକସ ବାବଦକୁ ୬୦ କୋଟି, ଟ୍ରେଡ୍ ଲାଇସସେନ୍ସ ବାବଦକୁ ୭ କୋଟି, ବିଜ୍ଞାପନ ବାବଦକୁ ୧୫ କୋଟି, ନିଜସ୍ବ ସମ୍ପତ୍ତି ଭଡ଼ା ବାବଦକୁ ୬ କୋଟି, ଅନ୍ୟାନ୍ୟ ରାଜସ୍ବ ବାବଦକୁ ୬୨ କୋଟି ରାଜସ୍ବ ଆଦାୟ କରିବାକୁ ଟାର୍ଗେଟ୍‌ ରଖିଛନ୍ତି।

ସମ୍ବନ୍ଧିତ ଖବର