ଟ୍ରାଫିକ୍‌ ପୁଲିସକୁ ମିଳିଲା ବଡି କ୍ୟାମେରା

ଭୁବନେଶ୍ୱର : ଏଣିକି ଟ୍ରାଫିକ ପୁଲିସଙ୍କ ଛାତିରେ ଲାଗିବ ବଡି କ୍ୟାମେରା। ୪ରୁ ୫ଘଣ୍ଟା ସମୟ ଧରି ଏହି କ୍ୟାମେରା ଉଭୟ ଭିଡିଓ ଓ ଅଡିଓ ରେକର୍ଡିଂ କରି ପାରିବ। ଆଜି କମିସନରେଟ୍‌ ପୁଲିସ ପକ୍ଷରୁ ଆୟୋଜିତ ଏକ କାର୍ଯର୍୍ୟକ୍ରମରେ ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ କଟକ ଓ ଭୁବନେଶ୍ୱର ଟ୍ରାଫିକ୍‌ କର୍ମଚାରୀଙ୍କୁ ଏହି କ୍ୟାମେରା ପ୍ରଦାନ କରିଛନ୍ତି। ପ୍ରଥମ ପଦକ୍ଷେପ ସ୍ୱରୂପ ୨୪୦ଟି କ୍ୟାମେରା ଟ୍ରାଫିକ ପୁଲିସକୁ ପ୍ରଦାନ କରାଯାଇଛି।

ପୁଲିସ କମିସନର ଶ୍ରୀ ଖୁରାନିଆଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଡ୍ୟୁଟିବେଳେ ସ୍ୱଚ୍ଛତା ଅବଲମ୍ବନ କରିବା ସହିତ ଟ୍ରାଫିକ୍‌ ନିୟମର ଉଲଂଘନ କରୁଥିବା ବାଇକ୍‌ ଓ କାର ଚାଳକ ଉପରେ ଏହି କ୍ୟାମେରା ମାଧ୍ୟମରେ ନଜର ରଖାଯାଇ ପାରିବ। ଟ୍ରାଫିକ୍‌ ପୁଲିସର ଏସିପି ଓ ଦୁଇ ଇନ୍ସପେକ୍ଟରଙ୍କ ଗାଡ଼ିରେ ମଧ୍ୟ କ୍ୟାମେରା ଖଞ୍ଜାଯିବ। ପରବର୍ତୀ ସମୟରେ ଏହି କ୍ୟାମେରାସବୁକୁ ପୁଲିସ କଣ୍ଟ୍ରୋଲ ରୁମ୍‌ ସହିତ ସଂଯୋଗ କରାଯିବ ବୋଲି ପୁଲିସ କମିସନର ଶ୍ରୀ ଖୁରାନିଆ ସୂଚନା ଦେଇଛନ୍ତି। ସେହିପରି କଟକ ଓ ଭୁବନେଶ୍ୱରରେ ଥିବା ପ୍ରତ୍ୟେକ ଥାନାକୁ ଦୁଇଟି ଲେଖାଁଏ କ୍ୟାମେରା ପ୍ରଦାନ କରାଯିବ। ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟିବେଳେ ପୁଲିସ ଅଫିସରମାନେ କ୍ୟାମେରା ପିନ୍ଧି କାର୍ଯ୍ୟ ନିର୍ବାହ କରିବେ। ଏହି କ୍ୟାମେରା ଓ୍ଵାଟରପ୍ରୁଫ୍‌ ହେବା ସହିତ ଅନ୍ଧାରରେ ମଧ୍ୟ ସ୍ପଷ୍ଟ ଭିଡିଓ ଉତ୍ତୋଳନ କରି ପାରିବ। କାର୍ଯକ୍ରମରେ ଅତିରିକ୍ତ ପୁଲିସ କମିସନର ପିଏସ୍‌ ରଣପିସେ, ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ, କଟକ ଡିସିପି ଅଖିଳେଶ ସିଂହ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର