ସାହାରା ଜନମଞ୍ଚର କୁଆଖାଇ ବୋଇତ ବନ୍ଦାଣ ମହୋତ୍ସବ

ଭୁବନେଶ୍ୱର : ସାମାଜିକ ଅନୁଷ୍ଠାନ ‘ସାହାରା ଜନମଞ୍ଚ’ ପକ୍ଷରୁ ଆଜି ୧୩ତମ ‘କୁଆଖାଇ ବୋଇତ ବନ୍ଦାଣ ମହୋତ୍ସବ’ କାଳୀଘାଟସ୍ଥିତ କୁଆଖାଇ ସେତୁ କୂଳରେ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଥମେ ବାଲୁକା ଶିଳ୍ପୀ ସୁବଳ ମହାରଣାଙ୍କ ଦ୍ୱାରା ନିର୍ମିତ ବୋଇତ ବନ୍ଦାଣ ବାଲୁକା କଳା ଉନ୍ମୋଚିତ ହୋଇଥିଲା। ବିଭିନ୍ନ କ୍ଷେତ୍ରରେ ସ୍ୱତନ୍ତ୍ରତା ଅର୍ଜନ କରିଥିବା ୧୦ ଜଣ ବ୍ୟକ୍ତିତ୍ୱଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଛି। ଶେଷରେ ଭଜନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ସୁକୁମାର ସାହୁ ମଞ୍ଚ ସଂଯୋଜନା କରିଥିଲେ। ତ୍ରିଲୋଚନ ବେହେରା ବିବରଣୀ ପାଠ କରିଥିଲେ ଓ ସଭାପତି ସହଦେବ ତରାଇ ଧନ୍ୟବାଦ ଅର୍ପଣ କରିଥିଲେ।

ଚନ୍ଦ୍ରଶେଖରପୁରରେ ବୋଇତ ବନ୍ଦାଣ ଉତ୍ସବ

ଚନ୍ଦ୍ରଶେଖରପୁର : ଚନ୍ଦ୍ରଶେଖରପୁର ବୋଇତବନ୍ଦାଣ କମିଟି ପକ୍ଷରୁ ବୋଇତବନ୍ଦାଣ ଉତ୍ସବ ଆୟୋଜିତ ହୋଇଯାଇଛି। ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇ, ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, କମିଟିର ସଭାପତି ଲାୟନ ବିଶ୍ୱନାଥ ମହାନ୍ତି, ପରାମର୍ଶଦାତା ସୁଧାଂଶୁ ମହାପାତ୍ର, ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି କର, କଳିଙ୍ଗସେନାର ସୁପ୍ରିମୋ ହେମନ୍ତ ରଥ, କର୍ପେର୍ାରେଟର ପ୍ରୀତିନନ୍ଦା ରାଉତରାୟ, ଦେବ ମଲ୍ଲିକ୍‌, କମିଟିର ଉପସଭାପତି ବନ୍ଦନା ପଣ୍ଡା, ସମାଜସେବୀ ନିବେଦିତା ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ସାମ୍ବାଦିକ ବିଶ୍ୱଜିତ୍‌ ଦାଶଙ୍କ ସମେତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ୧୮ଜଣଙ୍କୁ ସମ୍ମାନିତ କରାଯାଇଥିଲା।

କୁଆଖାଇ ନଦୀରେ କୋରଡ଼କଣ୍ଟା ଗ୍ରାମବାସୀଙ୍କ ବୋଇତବନ୍ଦାଣ

ଭୁବନେଶ୍ୱର : ପବିତ୍ର କାର୍ତ୍ତିକ ମାସ ଅବସରରେ ରାଜଧାନୀ ଉପକଣ୍ଠ କୁଆଖାଇ ନଦୀ ପଠାରେ କୋରଡ଼କଣ୍ଟା ଗ୍ରାମବାସୀଙ୍କ ଦ୍ୱାରା ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବାସୁଆ ଘାଇର ସରପଞ୍ଚ ବିନୋଦିନୀ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅମିୟ ଦାଶ, ମଧ୍ୟ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଓ କର୍ପୋରେଟର୍‌ ସୁରେଶ ଜେନା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଳୟ ଜେନା, ସନ୍ତୋଷ ଜେନା, ପପୁଶ୍ରୀ ଜେନା ଓ ଶତାଧିକ ସଭ୍ୟ ପ୍ରମୁଖ ଏହି ବୋଇତ ବନ୍ଦାଣରେ ସାମିଲ ହୋଇଥିଲେ।

କୁମ୍ଭୀର ଭୟ: ହ୍ରଦ ପୋଖରୀରେ ଭାସିଲାନି ଡଙ୍ଗା

ମେଣ୍ଢାଶାଳ : କୁମ୍ଭୀର ଆତଙ୍କ ଯୋଗୁଁ ହୋଇ ପାରିଲାନି ଡଙ୍ଗାଭସା। ଏପରି ଘଟଣା ଘଟିଛି ଚନ୍ଦକା ରେଞ୍ଜ ଅନ୍ତର୍ଗତ ମେଣ୍ଢାଶାଳରେ। ଏଠାରେ ଥିବା ହ୍ରଦ ପୋଖରୀରେ କୁମ୍ଭୀର ରହିଥିବା ଜଣାପଡ଼ିବା ପରେ ଗ୍ରାମବାସୀ ପୋଖରୀକୁ ଯିବାକୁ ଭୟ କରୁଛନ୍ତି। ପୂର୍ବରୁ ଲୋକେ କାର୍ତ୍ତିକ ପୂର୍ଣ୍ଣିମା ଭୋରରୁ ଏଠାରେ ବୁଡ଼ ପକାଇବା ସହିତ ଡଙ୍ଗା ଭସାଉଥିଲେ। ଏପରିକି ଆଖପାଖ ଅଞ୍ଚଳର ଲୋକମାନେ ଏଠାକୁ ଡଙ୍ଗା ଭସାଇବାକୁ ଆସିଥାନ୍ତି। ମାତ୍ର ଏଥର ପୋଖରୀରେ ପଶିବାକୁ କେହି ସାହସ କରି ନାହାନ୍ତି। ପୋଖରୀରେ କୁମ୍ଭୀର ଥିବା ନେେଇ ଗ୍ରାମବାସୀ ପୂର୍ବରୁ ସୂଚନା ଦେଇଥିଲେ ମଧ୍ୟ କୌଣସି ପ୍ରତିକାର ବ୍ୟବସ୍ଥା କରାଯାଇ ନାହିଁ। ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ ହ୍ରଦ ପୋଖରୀରେ କୁମ୍ଭୀର ଥିବା ଖବର ପ୍ରଚାରିତ ହୋଇଯିବା ପରେ ଏଠାରେ ବହୁ ଲୋକଙ୍କ ଭିଡ଼ ଜମୁଛି। ଏପରିକି କୁମ୍ଭୀର ଦେଖିବାକୁ ଲୋକ ଭୁବନେଶ୍ୱରରୁ ଆସୁଛନ୍ତି। ତୁରନ୍ତ ପୋଖରୀରୁ କୁମ୍ଭୀରଟିକୁ ଉଦ୍ଧାର କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର