ସରକାରୀ କ୍ବାର୍ଟର୍ସ ପଛପଟୁ ମିଳିଲା ୨ ଅଫୁଟା ବୋମା

ରାଜଧାନୀକୁ କେଉଁଠୁ ଆସୁଛି?

ଭୁବନେଶ୍ବର : ରାଜଧାନୀରେ ଚାଞ୍ଚଲ୍ୟ। ସରକାରୀ କ୍ବାର୍ଟର୍ସ ପରିସରରୁ ମିଳିଲା ଅଫୁଟା ବୋମା। ଅଳ୍ପକେ ବର୍ତି ଗଲା ସରକାରୀ କ୍ବାର୍ଟର୍ସ, ନିକଟରେ ଥିବା ଚିକିତ୍ସାଳୟ ଓ ସଂପୃକ୍ତ କ୍ବାର୍ଟର୍ସରେ ରହୁଥିବା ବାସିନ୍ଦା। ଖବର ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ମଧ୍ୟ ସୃଷ୍ଟି କରିଥିଲା। ପୁଲିସ ବୋମା ନିଷ୍କ୍ରୟକାରୀଙ୍କ ସହିତ ଘଟଣାସ୍ଥଲରେ ପହଞ୍ଚି ବୋମାକୁ ଜବତ କରି ନିଷ୍କ୍ରିୟ କରିଥିଲା। ଏଭଳି ଏକ ଘଟଣା ଆଜି ଦେଖିବାକୁ ମିଳିଥିଲା ଖାରବଳେନଗର ଥାନା ଅଧୀନ ୟୁନିଟ୍‌-୯ କ୍ବାର୍ଟର୍ସ ନମ୍ବର ଟୁଆରଏ/୨୫ରେ। ଖାରବେଳନଗର ଥାନା ପୁଲିସ ଏ ନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ପୁଲିସ ସୂଚନା ମୁତାବକ, ଫନି ଯୋଗୁଁ ୟୁନିଟ୍-୯ ସ୍ଥିତି କ୍ବାର୍ଟର୍ସ ନଂ-୨ଆର୍‌ଏ/୨୫ର ପଛପଟେ କେତେକ ଗଛ ଭାଙ୍ଗି ପଡ଼ିରହିଥିଲା। ସୋମବାର ସକାଳ ପ୍ରାୟ ୯ଟା ସମୟରେ ଘର ମାଲିକ ଶ୍ୟାମସୁନ୍ଦର ରାଉତ ଏହାକୁ ସଫା କରିବା ପାଇଁ ଯାଇଥିଲେ। ସଫା କରୁଥିବା ସମୟରେ ହଠାତ ଏକ ବ୍ୟାଗ୍‌ ତାଙ୍କ ଗୋଡ଼ରେ ଲାଗିଥିଲା। ବ୍ୟାଗ୍‌ ଖୋଲି ଦେଖିବା ବେଳକୁ ସେଥିରେ ବୋମା ଥିଲା। ସେ ଭୟଭୀତ ହୋଇ ପାଟିକରି ଲୋକମାନଙ୍କୁ ଡାକିଥିଲେ। ଏହାପରେ ତୁରନ୍ତ ପୁଲିସକୁ ଫୋନ୍ କରି ଘଟଣା ବିଷୟରେ ଜଣାଇଥିଲେ। ଖାରବେଳନଗର ଥାନା ପୁଲିସ ଓ ବୋମା ନିଷ୍କ୍ରିୟକାରୀ ଟିମ୍‌ ସେଠାରେ ପହଞ୍ଚି ବୋମା ନିଷ୍କ୍ରିୟ କରିଥିଲେ। ଅନ୍ୟପଟେ କାଳେ ବୋମା ଫୁଟିଯିବ ଭାବି ସ୍ଥାନୀୟ ଲୋକ ଅସୁରକ୍ଷିତ ମନେକରିଥିଲେ। ନିଷ୍କ୍ରିୟ ନ ହେବା ଯାଏ ଦ୍ବନ୍ଦ୍ବରେ ରହିଥିଲେ। ତେବେ କିଏ ଏବଂ କାହିଁକି ସେଠାରେ ବୋମା ରଖିଥିଲା? ବୋମା ରଖିବା ପଛରେ କ’ଣ ଉଦ୍ଦେଶ୍ୟ ରହିଛି? ଏନେଇ ପୁଲିସ ବିଭିନ୍ନ ଦିଗ ଉପରେ ତଦନ୍ତ ଜାରି ରଖିଛି।

ରାଜଧାନୀକୁ କେଉଁଠୁ ଆସୁଛି?

ଭୁବନେଶ୍ବର : ରାଜଧାନୀରେ ଅପରାଧୀଙ୍କ ନୂଆ ଟ୍ରେଣ୍ଡ। ଏବେ ବନ୍ଧୁକ ବଦଳରେ ବୋମା ଫୁଟୁଛି। ଧମକ ଚମକ ଦେବା ଓ ଦାଦାବଟି ଆଦାୟ କରିବାକୁ ଯାଇ ଅପରାଧୀମାନେ ବୋମାମାଡ଼ କରିବାକୁ ଅଧିକ ପସନ୍ଦ କରୁଛନ୍ତି। ଏଭଳି ପରିସଂଖ୍ୟାନ ଖୋଦ କମିସନରେଟ ପୁଲିସର। କାରଣ ଗତ ଦେଢ଼ ବର୍ଷ ମଧ୍ୟରେ ରାଜଧାନୀରେ ୪ଟି ଗୁଳିକାଣ୍ଡ ଘଟଣା ଘଟିଥିବାବେଳେ ୧୨ରୁ ଅଧିକ ବୋମାମାଡ଼ ହୋଇଛି। କେଉଁଠି ଛାତ୍ର ସଂସଦ ନିର୍ବାଚନବେଳେ ହଷ୍ଟେଲ ଉପରେ ବୋମାମାଡ଼ ହେଉଛି ତ ଆଉ କେଉଁଠି ଧମକ ଚମକ ଦେବା ପାଇଁ ଓ ଦାଦାବଟି ଆଦାୟ କରିବା ପାଇଁ ସୋରୁମ୍ ଓ ଠିକାଦାରଙ୍କ ଘର ଉପରେ ହୋଇଛି ବୋମାମାଡ଼। ବଡ଼ କଥା ହେଉଛି ପୁଲିସ ଏହି ସବୁ ବୋମାମାଡ଼ ଘଟଣାକୁ ଯେତିକି ଗୁରୁତ୍ବର ସହିତ ନେବା କଥା ନିଏ ନାହିଁ। ଏପରିକି ଏକାଧିକ ବୋମାମାଡ଼ ଘଟଣାରେ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ବିଳମ୍ବ ମଧ୍ୟ କରିଥାଏ। କେବଳ ବୋମାମାଡ଼ କାହିଁକି ବିଭିନ୍ନ ସମୟରେ ରାଜଧାନୀରୁ ପୁଳାପୁଳା ବୋମା ମଧ୍ୟ ଜବତ ହୋଇଛି। କେଉଁଠି ସରକାରୀ କ୍ବାର୍ଟର୍ସ ଭିତରୁ ବୋମା ଠାବ କରାଗଲାଣି ତ ଆଉ କେଉଁଠି ଫେବ୍ରିକସେନ‌୍ ଫ୍ୟାକ୍ଟ୍ରି ଭିତରୁ। ଆଜି ଖାରବେଳନଗର ଥାନା ଅଧୀନ ୟୁନିଟ-୯ ଟୁଆରଏ/୨୫ ପରିସରରୁ ଦୁଇଟି ଅଫୁଟା ବୋମା ଜବତ ହୋଇଛି। କିଏ ସେହି ସରକାରୀ କ୍ବାର୍ଟର୍ସ ଭିତରେ ବୋମା ରଖିଲା ତାକୁ ନେଇ ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ତେବେ ଏଠି ପ୍ରଶ୍ନ ଉଠୁଛି ଏତେ ପରିମାଣର ବୋମା ରାଜଧାନୀକୁ ଆସୁଛି କେଉଁଠୁ ? କେଉଁମାନେ ବୋମା ନେଉଛନ୍ତି ଓ କାହିଁକି ନେଉଛନ୍ତ ? ତାର ତଦନ୍ତ କରୁନାହିଁ କମିସନରେଟ ପୁଲିସ।

ସମ୍ବନ୍ଧିତ ଖବର