ଭୁବନେଶ୍ୱର : ମାଷ୍ଟର୍ କ୍ୟାଣ୍ଟିନ୍ ଛକ ନିକଟରେ ଏକ ଅଟୋରୁ ୪ ବୋମା ଜବତ ହେବା ଘଟଣା ଏବେ ନୂଆ ମୋଡ଼ ନେଇଛି। ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଗିରଫ ଅଟୋ ଚାଳକ ଜଗା ରେଡ୍ଡୀ ଜଣେ ପେସାଗତ ଅପରାଧୀ ବୋଲି କ୍ୟାପିଟାଲ ଥାନା ପୁଲିସ ଜାଣିବାକୁ ପାଇଛି। ଦେହବେପାର, ଛିନ୍ତାଇ, ଲୁଟ୍, ଡକାୟତି, ହତ୍ୟା ଉଦ୍ୟମ ଭଳି ଏକାଧିକ ସଂଗିନ୍ ମାମଲା ତା’ ନାମରେ ବିଭିନ୍ନ ଥାନାରେ ରହିଛି। ଦେହ ବେପାରରେ ପ୍ରତିବନ୍ଧକ ସାଜିଥିବା ପ୍ରତିପକ୍ଷ ଗୋଷ୍ଠୀଙ୍କୁ ଭୟଭୀତ କରାଇବା ପାଇଁ ଗତକାଲି ସେ ବୋମାମାଡ଼ ପାଇଁ ଯୋଜନା କରିଥିଲା ବୋଲି କହିଛି। ତେବେ ତା’ଠାରୁ ଜବତ ହୋଇଥିବା ମୋବାଇଲ ଫୋନ୍ ଅନେକ ଗୁମର ଖୋଲିଛି। ଆଉଟ୍-ଗୋଇଙ୍ଗ୍ କଲ୍ରୁ ବହୁ ବଡ଼ବଡ଼ିଆଙ୍କ ସହ ତା’ର ସମ୍ପର୍କ ଥିବା ଜଣାପଡ଼ିଛି। ଅଧିକ ତଥ୍ୟ ସଂଗ୍ରହ ପାଇଁ କ୍ୟାପିଟାଲ ଥାନା ପୁଲିସ ତାକୁ ୨ ଦିନିଆ ରିମାଣ୍ଡରେ ଆଣିବାକୁ ଆବେଦନ କରିଛି। ରିମାଣ୍ଡରେ ତାକୁ ପଚରାଉଚରା ବେଳେ ଅନେକ ବଡ଼ବଡ଼ିଆଙ୍କ ମୁଖା ଖୋଲିବ ବୋଲି ଜଣାପଡ଼ିଛି। ବୋମା ଜବତ ହେବା ପରେ ଦେହବେପାର କେମିତି ଚାଲିଥିଲା? ଏଥିରେ ଆଉ କିଏ ସମ୍ପୃକ୍ତ ଅଛନ୍ତି? ବୋମା କେଉଁଠୁ ଆସିଲା? ଝିଅ କେଉଁଠୁ ଆସୁଥିଲେ? କେଉଁମାନେ ଗ୍ରାହକ ଥିଲେ? ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ପୁଲିସ କହିଛି।
ଅପରପକ୍ଷେ ବିଧାନସଭା ଅଧିବେଶନ ଚାଲିଥିବାରୁ ଆଖପାଖ ଅଞ୍ଚଳ କମିସନରେଟ୍ ପୁଲିସର କଡ଼ା ପହରା ଭିତରେ ରହିଛି। ଯେଉଁଠୁ ବୋମା ଜବତ ହେଲା, ସେଠାରୁ ପୁଲିସର ଅସ୍ଥାୟୀ ଶିବିର ମାତ୍ର ୫୦ମିଟର ଦୂରରେ ରହିଛି। ଏହା ସତ୍ତ୍ବେ ଅପରାଧୀ ଅଟୋରେ ବୋମା ରଖି ନିର୍ଦ୍ବନ୍ଦ୍ବରେ ଚଳପ୍ରଚଳ କରିବା ସୁରକ୍ଷା ବ୍ୟବସ୍ଥା ପ୍ରତି ଆଙ୍ଗୁଠି ଉଠାଇଛି।
ଉଲ୍ଲେଖଯୋଗ୍ୟ, ଗତକାଲି ମାଷ୍ଟର୍କ୍ୟାଣ୍ଟିନ୍ ଛକରେ ଛିଡ଼ା ହୋଇଥିବା ଏକ ଅଟୋରୁ କ୍ୟାପିଟାଲ ଥାନା ପୁଲିସ ୪ଟି ଜୀବନ୍ତ ବୋମା ଜବତ କରିବା ସହ ଚାଳକ ଜଗା ରେଡ୍ଡୀକୁ ଥାନାରେ ଅଟକ ରଖିଥିଲା। ଅପରାଧ ଘଟାଇବା ଯୋଜନା ଓ ବିସ୍ଫୋରକ ରଖିବା ମାମଲାରେ ତାକୁ କୋର୍ଟ ଚାଲାଣ ପାଇଁ ଯୋଜନା ହୋଇଥିଲା। ପଚରାଉଚରାରେ ସେ କିଛି କହିନଥିଲା। ତେବେ ସେ ବ୍ୟବହାର କରୁଥିବା ମୋବାଇଲକୁ ତଦନ୍ତକାରୀ ଅଧିକାରୀ ଯାଞ୍ଚ କରିବା ପରେ ତାଙ୍କ ମୁଣ୍ଡ ଘୂରି ଯାଇଥିଲା। ଅନେକ ବଡ଼ବଡ଼ିଆଙ୍କ ଫୋନ୍ ନମ୍ବର ରହିବା ସହ ନିୟମିତ ତାଙ୍କ ସହ ଯୋଗାଯୋଗରେ ଥିବା ଜଣାପଡ଼ିଥିଲା। ଜଣେ ଅଟୋ ଚାଳକ ବଡ଼ବଡ଼ିଆଙ୍କ ସହ ସମ୍ପର୍କରେ ରହିବାକୁ ନେଇ ତନାଘନା ଆରମ୍ଭ ହୋଇଥିଲା। ଆଉ କିଏ କିଏ ଯୋଗାଯୋଗରେ ଅଛନ୍ତି, ସେ ନେଇ ମୋବାଇଲ ଫୋନ୍ର କଲ୍ ଡିଟେଲ୍ସ ସମ୍ପୃକ୍ତ ସେବା ପ୍ରଦାନକାରୀ ସଂସ୍ଥାକୁ ମଗାଯାଇଛି। ଅନ୍ୟପଟେ କେବଳ ବଡ଼ବଡ଼ିଆଙ୍କୁ ଝିଅ ଯୋଗାଇବା ନୁହେଁ, ବରଂ ରାଜ୍ୟ ବାହାରର ଅପରାଧୀଙ୍କ ସହ ସମ୍ପର୍କ ଥିବା ନେଇ ଚର୍ଚ୍ଚା ହେଉଛି। କଲ୍ ଡିଟେଲସ୍ ଆସିଲେ ଏହି ସମ୍ପର୍କରେ ମଧ୍ୟ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।