ଶେଷ ପର୍ଯ୍ୟାୟରେ ବମିଖାଲ ଫ୍ଲାଏଓଭର୍, ୧୫ ସୁଦ୍ଧା ଖୋଲିବ

ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ବମିଖାଲ ଫ୍ଲାଏଓଭର୍ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଉ ୧୦ ଦିନ ପରେ ଏହା ଯାତାୟାତ ଉପଯୋଗୀ ହୋଇଯିବ। ଆସନ୍ତା ୧୫ ତାରିଖ ସୁଦ୍ଧା ଏହାକୁ ସର୍ବସାଧାରଣଙ୍କ ପାଇଁ ଖୋଲାଯିବାକୁ ଆପାତତଃ ସ୍ଥିର ହୋଇଛି। ଫଳରେ ଫ୍ଲାଏ ଓଭର୍ ନିର୍ମାଣ ପାଇଁ କଟକ ରୋଡ୍‌ରେ ଦୀର୍ଘ ୭ ବର୍ଷ ହେଲା ରାଜଧାନୀବାସୀ ଭୋଗୁଥିବା ଯନ୍ତ୍ରଣାର ଅନ୍ତ ଘଟିବ। ସହିଦନଗର ଲେଭେଲ୍ କ୍ରସିଂ ହଟାଇବା, କଟକ-ପୁରୀ ଜାତୀୟ ରାଜପଥର ଭିଡ଼ କମାଇବା, ରସୁଲଗଡ଼-ସହିଦନଗରକୁ ସଂଯୋଗ କରିବା ପାଇଁ ୨୦୧୨-୧୩ରେ ବମିଖାଲ ଫ୍ଲାଏ ଓଭର୍ କାମ ଆରମ୍ଭ ହୋଇଥିଲା। ୨୦୧୫ ବେଳକୁ ଏହା ଶେଷ ପର୍ଯ୍ୟାୟରେ ପହଞ୍ଚିବାବେଳେ ଓଭରବ୍ରିଜ୍ ଡିଜାଇନ୍ ପରିବର୍ତ୍ତନ ହେଲା। ଓଭରବ୍ରିଜ୍‌ ବମିଖାଲ ପାର୍ଶ୍ବକୁ ବଢ଼ିଲା। ଏହାର କାମ ୨୦୧୬ରେ ଆରମ୍ଭ ହେଲା। ପଣ୍ଡା ଇନ୍‌ଫ୍ରା ଏହାର ନିର୍ମାଣ କାମ ନେଇଥିଲା। ତେବେ ଦୁଇଟି ଦୁର୍ଘଟଣା ପରେ ଗତ ମେ’ ମାସରେ ସଂପୃକ୍ତ ସଂସ୍ଥାକୁ ପ୍ରକଳ୍ପରୁ ହଟାଇ ଦିଆଗଲା। ପରେ ଜୁଲାଇରେ ପୂର୍ତ୍ତ ବିଭାଗ ସିଧାସଳଖ କାମ ଆରମ୍ଭ କଲା। ପ୍ରଥମେ ଡିସେମ୍ବର ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ ରଖାଯାଇଥିଲା। ତେବେ ସନ୍ତୋଷୀ ମା’ ମନ୍ଦିର ନିକଟରେ ଯାଇଥିବା ମୁଖ୍ୟ ଡ୍ରେନ୍‌ର କଲଭର୍ଟ ଯୋଗୁଁ କାମ ‌ବିଳମ୍ବ ହେବାରେ ଲାଗିଲା। ଏହି କଲଭର୍ଟର ପାଚେରି ଦୁର୍ବଳ ଥିବାରୁ ନୂଆ କରି ନିର୍ମାଣ ହେଲା। ୨୨ ମିଟର୍‌ର ଏହି କଲଭର୍ଟ ନିର୍ମାଣରେ ପ୍ରାୟ ଅଢ଼େଇ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ବମିଖାଲ ଫ୍ଲାଏ ଓଭର୍‌ର ମୋଟ୍ ବ୍ୟୟ ଅଟକଳ ଥିଲା ୪୪ କୋଟି ଟଙ୍କା। ତାହା ମଧ୍ୟରୁ କେବଳ ଫ୍ଲାଏ ଓଭର୍ ପାଇଁ ୨୮.୨୭ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ପୂର୍ତ୍ତ ବିଭାଗର ଡିଭିଜନ୍-୪ର ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ନାୟକଙ୍କ ସୂଚନା ଅନୁଯାୟୀ ଜାନୁଆରି ‌େଶଷ ସୁଦ୍ଧା ଫ୍ଲାଏ ଓଭର୍ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ସେହି ଅନୁଯାୟୀ ଆଜି କାମ ଆପାତତଃ ‌େଶଷ ହୋଇଛି। କିନ୍ତୁ ଯାତାୟାତ ପାଇଁ ଆଉ ୧୦ ଦିନ ସମୟ ଲାଗିବ। ତାହା ପରେ ଯେ କୌଣସି ଦିନ ଏହାର ଉଦ୍‌ଘାଟନ ହେବ।

ଫ୍ଲା‌ଏ ଓଭର୍ କାମ ବିଳମ୍ବ ହେଉଥିବାରୁ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। କଟକ ରୋଡ୍‌ରେ ସବୁବେଳେ ଗହଳି ହେଉଥିବା ବେଳେ ଅନ୍ୟ ପଟେ ଏସ୍‌ପ୍ଲାନେଡ୍‌ ମଲ୍ ଖୋଲିଯାଇଥିବାରୁ ଲୋକମାନେ ଟ୍ରାଫିକ୍ ଜାମ୍‌ରେ ନାକେଦମ୍ ହେଉଛନ୍ତି। ଟ୍ରାଫିକ୍ ପୁଲିସ୍ ପକ୍ଷରୁ ମଧ୍ୟ ଭିଡ଼ ନିୟନ୍ତ୍ରଣ କରିବା ପାଇଁ କୌଣସି ପ‌ଦକ୍ଷେପ ନିଆଯାଉ ନାହିଁ। ଫ୍ଲାଏ ଓଭର୍ ଖୋଲିଗଲା ପରେ ଏହି ସମସ୍ୟା ବହୁ ମାତ୍ରାରେ ସମାଧାନ ହୋଇଯିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର