ପୁସ୍ତକ ଚର୍ଚ୍ଚା: ‘ନର କିନ୍ନର’ ଏକ ଶତାବ୍ଦୀର ଦର୍ଶନ

ଭୁବନେଶ୍ବର: ଦିନେ ମୁଁ ଗାଁ’କୁ ଯାଇଥାଏ। ବାପା ଆମ୍ବ ଗଛ ମୂଳେ ବସିଥାନ୍ତି। ମତେ ପଚାରିଲେ ତୁ ବିଜ୍ଞାନ କାହିଁକି ନେଲୁ। କହିଲି, ନେବୋଲ୍‌ ପ୍ରାଇଜ୍‌ ପାଇବି ବୋଲି। ବାପା କହିଲେ, ଗାନ୍ଧୀ ଓକିଲାତି ପଢ଼ିଥିଲେ, ତୁ କାଇଁ ଓକିଲାତି ନପଢ଼ି ବିଜ୍ଞାନ ପଢ଼ିଲୁ। ଉତ୍ତର ଦେଲି, ‘ଈଶ୍ବରଙ୍କ ବିରୁଦ୍ଧରେ ପ୍ରମାଣ ଦେଖାଇବା ପାଇଁ’ ମୁଁ ବିଜ୍ଞାନକୁ ବିଷୟ ଭାବେ ନେଇଛି। ବାପା କହିଲେ, ତୁ ବିଧର୍ମୀଟେ କିରେ? ସେଇଠୁ ୬ ମାସ ଈଶ୍ବର ଅନୁସନ୍ଧାନରେ ଲାଗିଲି। ୧୯ବର୍ଷ ବୟସ ହୋଇଥାଏ। ସ୍ବାମୀ ଶିବାନନ୍ଦଙ୍କୁ ପଚାରିଲି ତୁମର ଭଗବାନଙ୍କ ସହ କିଛି ଅଭିଜ୍ଞତା ଅଛି କି? ତେବେ ସେଦିନର ସ୍ବାମୀଜୀଙ୍କ ଉତ୍ତର ତାଙ୍କୁ ସନ୍ତୁଷ୍ଟ କରିପାରିନଥିଲା। ଏହାର ଉତ୍ତର ଖୋଜିବାକୁ ୧୯୫୨ ମସିହାରେ ନଭେମ୍ବର ୨୬ତାରିଖ ରାତି ୯ଟାରେ ମନେମନେ ସଂକଳ୍ପ ନେଲି। ଯଦି ୨୪ଘଣ୍ଟା ଭିତରେ ଈଶ୍ବର ଦେଖା ନ ଦିଅନ୍ତି, ତେବେ ମୁଁ ଦେହତ୍ୟାଗ କରିବି। ତା’ ପରେ ଯାହା ହେଲା, ତାହା ମତେ ଈଶ୍ବରଙ୍କ ଉପସ୍ଥିତିକୁ ଉପଲବ୍ଧି କରାଇଦେଲା। କାଳଜୟୀ ଉପନ୍ୟାସ ‘ନର କିନ୍ନର’ ପଛରେ ଲୁଚି ରହିଥିବା ଏହି ଅନାଲୋଚ୍ୟ ଦାର୍ଶନିକ ଅନୁଭବକୁ ବ୍ୟକ୍ତ କରିଥିଲେ ଉପନ୍ୟାସର ସ୍ରଷ୍ଟା ଶାନ୍ତନୁ କୁମାର ଆଚାର୍ଯ୍ୟ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ‘ପୁସ୍ତକ ଚର୍ଚା’ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାରପ୍ରାପ୍ତ ପୁସ୍ତକ ‘ନର କିନ୍ନର’ ଏବଂ ଈଶ୍ବର ଅନୁସନ୍ଧାନ ସମ୍ପର୍କିତ ଅଭିଜ୍ଞତାକୁ ବର୍ଣ୍ଣନା କରିଥିଲେ।

ଖାଲି ସେତିକି ନୁହେଁ, ଯେବେ ସେ ଏକ ଜଙ୍ଗଲରେ ଯାତ୍ରା କରୁଥିଲେ, ଜଣେ ଶବର ମହିଳା ମୁଣ୍ଡରେ ଜାଳ ଗୋଛାକୁ ମୁଣ୍ଡେଇ ଆସୁଥାଏ। କିନ୍ତୁ ଦେଖୁଦେଖୁ ହଠାତ୍ ସେ ଉଭେଇଗଲା। କୌତୂହଳବଶତଃ ତାକୁ ଅନ୍ବେଷଣ କରିବା ପରେ ସେ ଦେଖିଲେ, ସମ୍ପୃକ୍ତ ମହିଳାଜଣକ ଘଣ୍ଟାଏ ସମୟ ଭିତରେ ଏକ ଛୁଆକୁ ଜନ୍ମ ଦେଲା ଏବଂ କିଛି ସମୟ ପରେ ତାକୁ କାଖରେ କାଖେଇ ପୁଣି ସେ ଜାଳ ଗୋଛାକୁ ମୁଣ୍ଡେଇ ଚାଲିଲା। ସେତେବେଳର ସେଇ ମାନବତ୍ବ ତାଙ୍କୁ ଆନ୍ଦୋଳିତ କରିଥିଲା ବୋଲି ସେ କହିଥିଲେ। ପୁସ୍ତକ ସମ୍ପର୍କରେ ମତ ରଖି ସେ କହିଲେ, ଏକ ଜାରଜ ପିଲାର ଭୋକରୁ ଗତିଶୀଳ ହୋଇଛି ଉପନ୍ୟାସର କାହାଣୀ। ଭୋକ ମେଣ୍ଟାଇବା ପାଇଁ ପିଲାଟି କିଭଳି ବସ୍ତି ତଳ ଅଞ୍ଚଳରେ ପହଞ୍ଚିଛି ଏବଂ ଜୀବନରେ ବିଭିନ୍ନ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ଭିନ୍ନଭିନ୍ନ ଅଭିଜ୍ଞତା ସାଉଁଟି ଶେଷରେ ମୃତ୍ୟୁବରଣ କରିଛି, ତାହା ‘ନର କିନ୍ନର’ର କାହାଣୀ। ତେବେ ଏହି ନାମକରଣରେ ଥିବା କିନ୍ନର ଶବ୍ଦଟି ହିଞ୍ଜିଡ଼ାଙ୍କୁ ବୁଝାଉନି ବରଂ କିନ୍ନରର ଅର୍ଥ ହେଉଛି ‘କିଏ ଏ ନର’। ଏ ପୁସ୍ତକର ନାମକରଣ ସେ ୧୯୩୩‌ରେ ପ୍ରକାଶିତ ‘ମଡର୍ଣ୍ଣ ମ୍ୟାନ୍‌ ଇନ୍‌ ସର୍ଚ ଅଫ୍ ଏ ସୋଲ୍‌’ରୁ ଆଣିଛନ୍ତି ବୋଲି କହିଥିଲେ। ୨୬ବର୍ଷ ବୟସରେ ସେ ଏହି ପୁସ୍ତକର ରଚନା କରିଥିବା ବେଳେ ୨୯ ବର୍ଷ ବୟସରେ ଶେଷ କରଥିଲେ। ମହେନ୍ଦ୍ର ତନୟା କୂ‌ଳରେ ସେ କିଛି କାଗଜ ଧରି ଲେଖା ଆରମ୍ଭ କରିବା ବେଳେ ତାଙ୍କ ବନ୍ଧୁ ବିଶିଷ୍ଟ ସାହିତ୍ୟିକ ମହାପାତ୍ର ନୀଳମଣି ସାହୁ ସେ ଲେଖା ଦେଖି ଆଶ୍ଚର୍ଯ୍ୟ ହେବା ସହ ତାଙ୍କୁ ଡୋଷ୍ଟୋଏଭିସ୍କଙ୍କ ସହ ତୁଳନା କରିଥିଲେ। ୫୫ବର୍ଷ ତଳେ ଏହି ପୁସ୍ତକ ରଚିତ ହୋଇଥିବା ବେଳେ ଏହାର ସୁବର୍ଣ୍ଣ ଜୟନ୍ତୀ ପାଳନ ହୋଇସାରିଛି। ‘ପୁସ୍ତକ ଚର୍ଚ୍ଚା’ କାର୍ଯ୍ୟକ୍ରମ ଅବସରରେ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀ, ନିର୍ଦେଶକ ବିଜୟ ନାୟକ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦେଶିକା ତମସାରାଣୀ ଦାସମହାପାତ୍ର ଲେଖକଙ୍କ ସମ୍ପର୍କରେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର