‘ଆମେ କେଉଁ ତାଲାଟି ଖୋଲିବା’ ଉନ୍ମୋଚିତ : ଗଦ୍ୟ ବିନା ଭାଷା ବଞ୍ଚିବ ନାହିଁ

ଭୁବନେଶ୍ୱର : ସାହିତ୍ୟିକ ତଥା ଶିକ୍ଷାବିତ୍‌ ଅମୂଲ୍ୟ କୁମାର ପଣ୍ଡାଙ୍କ ପୁସ୍ତକ ‘ଆମେ କେଉଁ ତାଲାଟି ଖୋଲିବା’ ଉନ୍ମୋଚିତ ହୋଇଯାଇଛି। ଆଜି ସମ୍ବାଦ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ପୁସ୍ତକଟିକୁ ଉନ୍ମୋଚନ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ ଗୋଟାଏ ଭାଷା ବଞ୍ଚିବାକୁ ହେଲେ ଗଳ୍ପ ଓ କବିତା ଅପେକ୍ଷା ଗଦ୍ୟ ଅତ୍ୟନ୍ତ ଉପାଦେୟ ମାଧ୍ୟମ। ଗଦ୍ୟ ବିନା ଭାଷା ବଞ୍ଚିବ ନାହିଁ। ଭାଷାକୁ ବଞ୍ଚାଇବାକୁ ହେଲେ ସମୃଦ୍ଧ ଗଦ୍ୟ ନିହାତି ଦରକାର।

ପୁସ୍ତକଟିର ସମୀକ୍ଷା କରି ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର କହିଥିଲେ ଯେ ବିଜ୍ଞାନକୁ ସରଳ ଭାବେ ପରିବେଷଣ କରିବାକୁ ହେଲେ ସାହିତ୍ୟର ଛିଟା ଦେବାକୁ ପଡ଼ିବ। ପ୍ରାମାଣିକ ଜ୍ଞାନକୁ ପ୍ରାଧାନ୍ୟ ଦେବା ସହ ବିଜ୍ଞାନର କିଭଳି ପ୍ରଚାର ପ୍ରସାର ହୋଇପାରିବ, ତାହା ଏହି ପୁସ୍ତକରେ ଉଲ୍ଲେଖ କରାଯାଇଛି। ପୁସ୍ତକର ଲେଖକ ପ୍ରଫେସର ଅମୂଲ୍ୟ କୁମାର ପଣ୍ଡା କହିଲେ ଯେ ଜନ୍ମ ହେଲା ବେଳେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଗୋଟାଏ ଚାବି ଦିଆଯାଇଥାଏ। ସେହି ଗୋଟାଏ ଚାବିରେ ସ୍ୱର୍ଗ ଓ ନର୍କର ଦ୍ୱାର ଖୋଲି ହେବ। ସେଥିପାଇଁ ଆମେ କେଉଁ ଦ୍ୱାର ଖୋଲିବା, ତାହା ଆମ ଉପରେ ହିଁ ନିର୍ଭର କରିଥାଏ।

କାର୍ଯ୍ୟକ୍ରମରେ ବାଉରୀବନ୍ଧୁ କର, ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ମାଧବ ଚନ୍ଦ୍ର ଦାସ, ପ୍ରଫେସର ଚନ୍ଦ୍ରକିଶୋର ମହାପାତ୍ର, ବିଜେବି ଜୁନିୟର କଲେଜ ଅଧ୍ୟକ୍ଷ ଡ. ବିଜୟ ଚନ୍ଦ୍ର ରଥ, ମାଧ୍ୟମିକ ଶିକ୍ଷା ପରିଷଦର ପୂର୍ବତନ ସଭାପତି ଡ. ନରେନ୍ଦ୍ର ପ୍ରସାଦ ଦାସ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ରାମଚନ୍ଦ୍ର ମିଶ୍ର ଓ ଡ. ଉଦୟନାଥ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର