ଭୁବନେଶ୍ବର : ରାଜ୍ୟରେ ସମକାଳୀନ ଇତିହାସର ଅଭାବ ରହିଛି। ସମକାଳୀନ ଇତିହାସ ଅବହେଳିତ ହେଲେ ସେ ଜାତିର ଭବିଷ୍ୟତ ଉଜ୍ଜ୍ବଳ ହୋଇପାରେ ନାହିଁ। ବ୍ୟବସ୍ଥାରେ ବିଲକ୍ଷଣ ଯୋଗୁଁ ଦର୍ଶନଶାସ୍ତ୍ରୀ ଆଜି ଅବହେଳିତ। ରାଜ୍ୟର ସମକାଳୀନ ଇତିହାସକୁ ଜଣାଇବା ପାଇଁ ଉଦ୍ୟମ ହେବା ଜରୁରୀ ବୋଲି କହିଛନ୍ତି ସାଂସଦ ତଥା ‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ।
Sambad is now on WhatsApp
Join and get latest news updates delivered to you via WhatsApp
ବଶିଷ୍ଠ ବିଚାର ମଞ୍ଚ ପକ୍ଷରୁ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପରିସରରେ ପ୍ରାଧ୍ୟାପକ ନାରାୟଣ ମହାନ୍ତିଙ୍କ ଦ୍ବାରା ରଚିତ ପୁସ୍ତକ ‘ଓଡ଼ିଶାରେ ଦର୍ଶନ ଶିକ୍ଷାର ଇତିହାସ’ ଉନ୍ମୋଚିତ ହୋଇଯାଇଛି। ମଞ୍ଚର ସଂଯୋଜକ ଦୀପକ କୁମାର ମହାନ୍ତଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଲେ, କେବଳ ବିଶ୍ବବିଦ୍ୟାଳୟ ପାଠ୍ୟକ୍ରମରେ ଦର୍ଶନଶାସ୍ତ୍ରକୁ ସୀମିତ ରଖିଲେ ହେବ ନାହିଁ। ଏବେ ଦାର୍ଶନିକ ଓ ଦର୍ଶନଶାସ୍ତ୍ର ଚାହିଦା କମି କମି ଯାଉଛି। ତେବେ ଏହା ଏକ ସ୍ବାଭାବିକ ପ୍ରକ୍ରିୟା। ବସ୍ତୁବାଦୀ ଦୁନିଆରେ ଦର୍ଶନଶାସ୍ତ୍ରର କୌଣସି ସ୍ଥାନ ନାହିଁ। ଏକଦା ପୁସ୍ତକ ମଣିଷର ପରମ ବନ୍ଧୁ ଭାବେ ଗଣା ଯାଉଥିଲା। ମାତ୍ର ଏବେ ତାହା ଆଉ ନାହିଁ। ନୂଆ ବିଜ୍ଞାନ ଓ କାରିଗରୀ କୌଶଳ ହେଉଛି ପୁସ୍ତକର ପରମ ଶତ୍ରୁ। ସମୟର ଅଭାବ ଓ ଧନଗାମୀ ଲୋକଙ୍କ ପାଖରେ ପୁସ୍ତକ ପଢ଼ିବା ପାଇଁ ଆଗ୍ରହ ନାହିଁ। କାଗଜ କାଳିର ପୁସ୍ତକ ହୁଏତ ଆଗାମୀ ଦିନରେ ଦେଖିବାକୁ ନ ମିଳିପାରେ। ପାଠକ ପୁସ୍ତକକୁ ନ ପଢ଼ିଲେ ଲେଖକ ପାଇଁ ତାହା କଷ୍ଟଦାୟକ ହୋଇଥାଏ। ଏଥିପାଇଁ ଆମେ କେବଳ କ୍ଷୋଭ ପ୍ରକାଶ କରି ରହିଯାଉଛୁ। ତେଣୁ ଦର୍ଶନଶାସ୍ତ୍ର ଉପରେ ଲେଖା ଯାଇଥିବା ପୁସ୍ତକ କାହିଁକି ବେଷ୍ଟ ସେଲର ହୋଇପାରିବନି ଦାର୍ଶନିକ ବନ୍ଧୁମାନେ ଏହା ଚିନ୍ତା କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ।
ପୁସ୍ତକର ସମୀକ୍ଷକ ବିଶିଷ୍ଟ ଦର୍ଶନଶାସ୍ତ୍ରବିତ୍ ପ୍ରାଧ୍ୟାପକ ଧନେଶ୍ବର ସାହୁ କହିଲେ, ଗୋଟିଏ ବଡ଼ କାମ ସବୁବେଳେ ଛୋଟ ଉପଲବ୍ଧିରୁ ହିଁ ଆରମ୍ଭ ହୋଇଥାଏ। ଶ୍ରୀ ମହାନ୍ତିଙ୍କ ପୁସ୍ତକରେ ସମୁଦାୟ ୧୦ଟି ଅଧ୍ୟାୟ ରହିଛି। ଓଡ଼ିଶାରେ ଉଚ୍ଚଶିକ୍ଷାର ଆରମ୍ଭ, ରେଭେନ୍ସା କଲେଜର ଇତିହାସ, ୧୯୦୮ ମସିହାରେ ରେଭେନ୍ସା କଲେଜରେ ଦର୍ଶନଶାସ୍ତ୍ର ସମ୍ମାନ ପାଠ୍ୟକ୍ରମ ଆରମ୍ଭ ହେବାଠାରୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ କଲେଜରେ ଅଧ୍ୟାପକ ଥିବା ଦର୍ଶନଶାସ୍ତ୍ରୀଙ୍କ ସଂପର୍କରେ ପୁସ୍ତକରେ ଉଲ୍ଲେଖ ରହିଛି। ପୁସ୍ତକ ବେଶ ଉପାଦେୟ ହୋଇଥିବା ବେଳେ ଏଥିରେ ସାମାନ୍ୟ ଦୁର୍ବଳତା ରହିଛି। ଏକାଧିକ ବ୍ୟକ୍ତିଙ୍କ ସଂପର୍କରେ ବାରମ୍ବାର ଉଲ୍ଲେଖ କରାଯାଇଛି ବୋଲି ଶ୍ରୀ ସାହୁ କହିଥିଲେ। ଅନ୍ୟତମ ସମୀକ୍ଷକ ପୂର୍ବତନ ଉଚ୍ଚଶିକ୍ଷା ନିର୍ଦେଶକ ପ୍ରଫୁଲ୍ଲ କୁମାର ରଥ କହିଲେ, ଦର୍ଶନର ଜନ୍ମଭୂମି ହେଉଛି ଭାରତ। ସଂସ୍କୃତ ନ ପଢ଼ିଲେ ଭାରତୀୟ ଦର୍ଶନ ଶାସ୍ତ୍ରକୁ ବୁଝି ହେବ ନାହିଁ। ବ୍ରିଟିସ୍ମାନେ ଭାରତୀୟ ଦର୍ଶନକୁ ଅନୁକରଣ କଲେ ମାତ୍ର ପରବର୍ତୀ ସମୟରେ ଭାରତୀୟ ପାରମ୍ପରିକ ଦର୍ଶନକୁ ନିନ୍ଦା କରିବାକୁ ପଛାଇ ନ ଥିଲେ। ଆଜିର ସମୟରେ ସବୁ ରାଜନୈତିକ ଦଳ ଦର୍ଶନଠାରୁ ଦୂରେଇ ଯାଇଛନ୍ତି। ପାଠକକୁ ପ୍ରେରଣା ଦେଇପାରୁ ନ ଥିବା ପୁସ୍ତକ ପୁସ୍ତକରେ ଗଣା ହୋଇ ନଥାଏ। ତେବେ ଶ୍ରୀ ମହାନ୍ତିଙ୍କ ରଚିତ ପୁସ୍ତକରେ ଭାରତୀୟ ଦର୍ଶନଶାସ୍ତ୍ର ସଂପର୍କରେ ଅଭାବ ରହିଛି। ତେଣୁ ଆଉ ଏକ ପୁସ୍ତକ ଜରିଆରେ ଲେଖକ ଏହି ଅଭାବ ଦୂର କରନ୍ତୁ ବୋଲି ଶ୍ରୀ ରଥ ମତବ୍ୟକ୍ତ କରିଥିଲେ।
ଲେଖକ ଶ୍ରୀ ମହାନ୍ତି କହିଲେ, ୧୮୬୮ ମସିହାରୁ ୧୯୮୨ ମସିହା ପର୍ଯ୍ୟନ୍ତ ଦର୍ଶନଶାସ୍ତ୍ର ଅଧ୍ୟୟନ ଓ ଅଧ୍ୟାପନା କରିଥିବା ଦର୍ଶନଶାସ୍ତ୍ରୀ ସଂପର୍କରେ ପୁସ୍ତକରେ ଉଲ୍ଲେଖ ରହିଛି। ପୁସ୍ତକରେ ମୌଳିକତା ବଦଳରେ ତଥ୍ୟ ଉପରେ ଗୁରୁତ୍ବ ଦିଆଯାଇଛି ବୋଲି ସେ କହିଥିଲେ। ପ୍ରାରମ୍ଭରେ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଭାରପ୍ରାପ୍ତ ଅଧିକାରୀ ବି.ଏନ୍ ପଣ୍ଡା ସ୍ବାଗତ ଭାଷଣରେ କହିଥିଲେ, ପୁସ୍ତକ ଲେଖୁଥିବା ବ୍ୟକ୍ତିଙ୍କୁ ଉତ୍ସାହିତ କରିବା ସହ ପାଠକ ପୁସ୍ତକର ସଦୁପଯୋଗ କରିବାର ଆବଶ୍ୟକତା ରହିଛି। ମନୋଜ କୁମାର ବିଶ୍ବାଳ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଚିନ୍ଦ୍ର ରାଉଳ କାର୍ଯ୍ୟକ୍ରମ ସଂପର୍କରେ ଉଲ୍ଲେଖ କରିଥିଲେ। ମଞ୍ଚର ଆବାହକ ଗୌରୀଶଙ୍କର ସାହୁ ଓ ଅନ୍ୟମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।