‘ଓଡ଼ିଶା ଇତିହାସର ଅକୁହା କଥା’ ଲୋକାର୍ପିତ

ଭୁବନେଶ୍ବର : ବିଶିଷ୍ଟ ଗବେଷକ ତଥା ଐତିହାସିକ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀଙ୍କ ୭୮ତମ ଜନ୍ମଦିନ ଅବସରରେ ତାଙ୍କ ରଚିତ ‘ଓଡ଼ିଶା ଇତିହାସର ଅକୁହା କଥା’ ଲୋକାର୍ପିତ ହୋଇଛି। ‘ସୁବାର୍ତା’ ପକ୍ଷରୁ ଆଜି ରାଜ୍ୟ ଅଭିଲେଖାଗାରରେ ଆୟୋଜିତ ବିଶେଷ ଉତ୍ସବରେ ବହୁ ଶୁଭେଚ୍ଛୁ ଉପସ୍ଥିତ ରହି ଅଭିନନ୍ଦନ ଜଣାଇବା ସହ ଗବେଷଣା କ୍ଷେତ୍ରରେ ସମର୍ପିତ ଶ୍ରୀ ତ୍ରିପାଠୀଙ୍କ ଦୀର୍ଘ ଜୀବନ କାମନା କରିଥିଲେ।

ରାଜ୍ୟ ମୁଖ୍ୟ ସୂଚନା କମିସନର ସୁନିଲ୍‌ କୁମାର ମିଶ୍ର ଅତିଥି ଭାବେ ଯୋଗଦେଇ କହିଲେ, ପ୍ରଫୁଲ୍ଲ ତ୍ରିପାଠୀ ନିଜେ ଜଣେ ଅନୁଷ୍ଠାନ। ତୀବ୍ର ଓଡ଼ିଆ ପଣ ଓ ଅସ୍ମିତା ତାଙ୍କର ଶକ୍ତି। ମୂଲ୍ୟବୋଧକୁ ଗୁରୁତ୍ବ ଦେଇ ଆସିଥିବା ବେଳେ ‘ଓଡ଼ିଶାର ନୂଆ ଇତିହାସ’ ଲେଖିବାକୁ ଭଗବାନ ତାଙ୍କୁ ଶକ୍ତି ଦିଅନ୍ତୁ ବୋଲି କହିଥିଲେ। ପୂର୍ବତନ ମୁଖ୍ୟ ଶାସନ ସଚିବ ଡ.ଅଜିତ ତ୍ରିପାଠୀ, କହିଥିଲେ ଗୋଟେ ଧାଡ଼ିରେ ତାଙ୍କୁ ବର୍ଣ୍ଣନା କରି ହେବନାହିଁ। ଅନେକ କ୍ଷେତ୍ରରେ ସେ ନିଜକୁ ସାମିଲ୍‌ ‌କରି କର୍ମତତ୍ପର ରହି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ବିହାରର ରାଜେନ୍ଦ୍ର ପ୍ରସାଦ କୃଷି ବିଶ୍ବବିଦ୍ୟାଳୟର କୁଳାଧିପତି ପ୍ରିଫୁଲ୍ଲ ମିଶ୍ର କହିଲେ, ଗବେଷଣାରେ ଶ୍ରୀ ତ୍ରିପାଠୀ ଅତି ସୂକ୍ଷ୍ମ ଧାରାକୁ ଖୋଜି ବାହାର କରୁଥିବା ବେଳେ ଏହି ଧାରା ଅବ୍ୟାହତ ରହୁ। ପୂର୍ବତନ ପ୍ରଶାସକ ସୁରେଶ ମନ୍ତ୍ରୀ ତାଙ୍କର ଗବେଷଣାଲବ୍ଧ ରଚନା ଉପରେ ଆଲୋକପାତ କରିଥିଲେ। ‘ସୁବାର୍ତା’ର ସମ୍ପାଦକ ପ୍ରଦ୍ୟୁମ୍ନ ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ‘ପୌରୁଷ’ର ସମ୍ପାଦକ ଅସିତ ମହାନ୍ତି, ସାମ୍ବାଦିକ ସମରେନ୍ଦ୍ର ଦାସ ଶୁଭେଚ୍ଛା ଜଣାଇ ବକ୍ତବ୍ୟ ରଖିଥିଲେ। ସାହିତ୍ୟିକ ଅମରେଶ ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର