ଅଧିକାରୀଙ୍କ ଚଢ଼ଉ ନାମକୁ ମାତ୍ର : ରାତିରେ ଚାଲୁଛି ଇଟାଭାଟି

ବାଲିଅନ୍ତା: ପ୍ରଶାସନ ଡାଳେ ଡାଳେ ଗଲେ କରୋନା କଟକଣା ଉଲ୍ଲଂଘନକାରୀମାନେ ପତ୍ରେ ପତ୍ରେ ଯାଉଛନ୍ତି। ନିଜର କର୍ମ ସଂସ୍ଥାନ ଚଳାଇବା ପାଇଁ ବିକଳ୍ପ ପନ୍ଥା ଆପଣାଇଛନ୍ତି। ବ୍ୟକ୍ତିଗତ ସ୍ବ‌ାର୍ଥ ସାଧନ ପାଇଁ ଶ୍ରମିକମାନଙ୍କ ଜୀବନକୁ ବାଜି ଲଗାଇ ବିପଦ ଆଡ଼କୁ ଠେଲି ଦେବାକୁ ମଧ୍ୟ ପଛାଉ ନାହାନ୍ତି। ଶ୍ରମିକମାନଙ୍କୁ ସଚେତନ କରାଇ ସେମାନଙ୍କ ଖାଇବା ପିଇବା ତଥା ପରିଷ୍କାର ପରିଚ୍ଛନ୍ନତା ପ୍ରତି ଯତ୍ନ ନେବାକୁ ନିର୍ମାଣକାରୀ ସଂସ୍ଥାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ହୋଇଛି। ହେଲେ ବାଲିଅନ୍ତା ବ୍ଲକ ଅଞ୍ଚଳରେ ଏଥିରେ ବ୍ୟତିକ୍ରମ ‌ପରିଲକ୍ଷିତ ହୋଇଛି। ଗତ ୩ଦିନ ତଳେ ଜିଲ୍ଲା ଶ୍ରମ ଅଧିକାରୀ ଅମ୍ବିକା ପ୍ରସାଦ ମିଶ୍ରଙ୍କ ସମେତ ବାଲିଅନ୍ତା ତହସିଲ ଥାନା ଓ ବ୍ଲକ ପ୍ରଶାସନ ଅଧିକାଂଶ ଇଟାଭାଟିରେ ଚଢ଼ଉ କରି କାମ ବନ୍ଦ କରି ଦେଇଥିଲେ। ମାତ୍ର ସଂପୃକ୍ତ ଅଧିକାରୀଙ୍କ ଚଢ଼ଉ ନାମକୁ ମାତ୍ର ବୋଲି ଚର୍ଚ୍ଚା ହେଉଛି। ଏବେ କିନ୍ତୁ ଇଟାଭାଟିରେ ନିର୍ମାଣ କାର୍ଯ୍ୟଶୈଳୀ ବଦଳି ଯାଇଛି। ଦିନ ବେଳା ପ୍ରଶାସନିକ କଟକଣା ଜୋରଦାର ଥିବାରୁ କାମ ବନ୍ଦ ରଖି ରାତିରେ କାମ ଚାଲିଥିବା ଅଭିଯୋଗ ହୋଇଛି। ପ୍ରଶାସନର ଜାଣତରେ ସଂଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଇଟାତିଆରି ସହ ଚିମିନିରେ ପୋଡ଼ା ଚାଲିଛି। ପରିବେଶ ପ୍ରଦୂଷିତ ହେଉଛି। ତାତି ବି ବଢ଼ୁଛି। କିଛି ଅସାଧୁ ଅଧିକାରୀ ଭାଟିମାଲିକଙ୍କୁ ସହାନୁଭୂତି ଦେଖାଇ ଏଭଳି ବେଆଇନ କାର୍ଯ୍ୟ ପାଇଁ ପ୍ରୋତ୍ସାହିତ କରୁଥିବା ଗ୍ରାମବାସୀ କହିଛନ୍ତି।

ବାଲିଅନ୍ତା ବ୍ଲକ ଅଧୀନ ବିଶରପୁର ଗ୍ରାମବାସୀ କଣ୍ଟାପଡ଼ା ମୌଜାରେ ଚଳାଇଥିବା ଜଣେ ଇଟାଭାଟି ମାଲିକଙ୍କ ବିରୋଧରେ ଏଭଳି ସୂଚନା ଦେଇଛନ୍ତି। ରାତିରେ କାମ ବନ୍ଦ ନକଲେ ସଂପୃକ୍ତ ଇଟାଭାଟି ମାଲିକଙ୍କୁ ଗିରଫ କରିବା ପାଇଁ ତହସିଲଦାରଙ୍କ ନିକଟରେ ଦାବି କରିବେ ବୋଲି ଜଣାଇଛନ୍ତି। କଣ୍ଟାପଡ଼ା ଥାନା ପଛପଟେ ଏହି ଭାଟି ଚାଲିଛି। କିନ୍ତୁ ବାଲିଅନ୍ତା ଥାନା ଅଞ୍ଚଳର ଲୋକ ପ୍ରଭାବିତ ହେଉଛନ୍ତି। କେବଳ କଣ୍ଟାପଡ଼ା ଭାଟି ନୁହେଁ, ଅନ୍ୟ କେତେକ ଭାଟି ମାଲିକ ରାତିରେ ହାଲୋଜିନ ଲାଇଟ୍‌ ଲଗାଇ କାମ କରୁଛନ୍ତି। ଶ୍ରମିକମାନଙ୍କ ସବୁ ଦାୟିତ୍ବ ବହନ କରିବା ପାଇଁ ଭାଟି ମାଲିକଙ୍କୁ ନିର୍ଦ୍ଦେଶ ଥିବା ବେଳେ କିଛି ମାଲିକ ସେମାନଙ୍କୁ ରାତିରେ ଗାଡ଼ିରେ ବସାଇ ଜିଲ୍ଲା ପାର କରାଇ ଦେଇଛନ୍ତି। ଆଉ କିଛି ନ୍ୟସ୍ତସ୍ବାର୍ଥ ଭାଟି ମାଲିକ ଶ୍ରମିକମାନଙ୍କ ଉପରେ ଜୁଲମ କରୁଥିବା ମଧ୍ୟ ଅଭିଯୋଗ ହେଉଛି। ଏ ଦିଗରେ ସରକାର ଓ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି। ଏ ସଂପର୍କରେ ଅଧିକାରୀମାନଙ୍କୁ ପଚାରିବାରେ ଭାଟିରେ କ’ଣ ଠେଙ୍ଗା ପକାଇ ବସିବୁ ବୋଲି ଖାମଖିଆଲି ଭାବେ ଉତ୍ତର ଦେଉଛନ୍ତି।

ସମ୍ବନ୍ଧିତ ଖବର