ଶ୍ରମିକଙ୍କୁ ମାଡ଼ ମାରି ପିଲାଙ୍କୁ ଫିଙ୍ଗିଦେଲେ ଇଟାଭାଟି ମାଲିକ

ବାଲିଅନ୍ତା : ବାଲିଅନ୍ତା ଥାନା ବାଳକାଟି ଫାଣ୍ଡି ଅନ୍ତର୍ଗତ ଉତ୍ତରା ଛକ ନିକଟରେ ଥିବା ଗୋଟିଏ ଇଟାଭାଟିରେ ଦୀର୍ଘଦିନ ଧରି କାମ କରୁଥିବା ୯ ଜଣ ଶ୍ରମିକ ମଜୁରି ମାଗିବାରୁ ଉକ୍ତ ଭାଟିମାଲିକ ତାଙ୍କୁ ନିର୍ଧୁମ ମାଡ଼ ମାରିବା ସହ ଅଟକ ରଖିଥିବା ନେଇ ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ, ତାଙ୍କ ସହିତ ରହୁଥିବା ଛୋଟ ପିଲାକୁ ମଧ୍ୟ ଛଡ଼ାଇ ଫିଙ୍ଗି ଦେଇଥିବା ଭଳି ଗୁରୁତର ଅଭିଯୋଗ ହୋଇଛି । ଏହି ଘଟଣା ଏଠାରେ ଏବେ ମୁଖ୍ୟ ଆଲୋଚନାର ବିଷୟ ହୋଇଛି। ଏ ସଂପର୍କରେ କେନ୍ଦୁଝର ଜିଲ୍ଲା କରଞ୍ଜିଆ ଗ୍ରାମର ସୂର୍ଯ୍ୟ ନାୟକ ନାମ୍ନୀ ଜଣେ ମହିଳା ବାଳକାଟି ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି । ଭାଟି ଭିତରୁ ଲୁଚିି ଖସିପଳାଇ ଆସି ଜଣେ ନାରୀନେତ୍ରୀଙ୍କ ନେତୃତ୍ୱରେ ସେମାନେ ବାଳକାଟି ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ଭାଟିମାଲିକଙ୍କ ବିରୋଧରେ ଅଭିଯୋଗ ହେବାର ଇତିମଧ୍ୟରେ ୩ ଦିନ ବିତିଯାଇଥିଲେ ମଧ୍ୟ ଭାରପ୍ରାପ୍ତ ଫାଣ୍ଡି ଅଧିକାରୀ ରିପୋର୍ଟ ଲେଖା ହେବାଯାଏ କୌଣସି ଆଇନଗତ ପଦକ୍ଷେପ ନେଇନଥିବା ସଂକ୍ରାନ୍ତରେ ଅଭିଯୋଗରେ ଦର୍ଶାଇଛନ୍ତି । ଅଟକ ଥିବା ସବୁ ଶ୍ରମିକଙ୍କ ନିଜ ଘର ମୟୁରଭଞ୍ଜ ଜିଲ୍ଲା ଅଧୀନ କରଞ୍ଜିଆ ଅଞ୍ଚଳରେ। ଏ ଦିଗରେ ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ କର୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି ।

ସମ୍ବନ୍ଧିତ ଖବର