ବାଲିଅନ୍ତାରେ କଟକଣା ମାନୁ ନାହାନ୍ତି ଇଟାଭାଟି ମାଲିକ

ବାଲିଅନ୍ତା : କରୋନା ମୁକାବିଲ ପାଇଁ କଟକଣା ଜାରି ହୋଇଛି। ବିଭିନ୍ନ ପଞ୍ଚାୟତରେ ଥିବା କର୍ମ ସଂସ୍ଥାନରେ ତାଲା ଝୁଲୁଛି। ଏସବୁ ସତ୍ବେ କିଛି ସଂସ୍ଥା କରୋନା କଟକଣା ମାନୁ ନାହାନ୍ତି । ବିଶେଷ କରି ବାଲିଅନ୍ତା ଅଞ୍ଚଳରେ ଇଟାଭାଟି ମାଲିକମାନେ ସରକାରୀ ନିର୍ଦ୍ଦେଶକୁ ବେଖାତିର କରି ଇଟା ତିଆରିରେ ଲାଗିଛନ୍ତି। ବିଭିନ୍ନ ପଞ୍ଚାୟତରେ ସିମେଣ୍ଟ ଓ ଚିମିନି ଇଟାଭାଟିରେ ସକାଳ ଓ ସଂଧ୍ୟ‌ାରେ ଶତାଧିକ ଶ୍ରମିକ କାମ କରୁଥିବା ଦେଖିବାକୁ ମିଳୁଛି। ଏନେଇ ଜନ ଅସନ୍ତୋଷ ପ୍ରକାଶ ପାଇଛି। ଉଭୟ ବାଲିଅନ୍ତା ଓ କଣ୍ଟାପଡ଼ା ବ୍ଲକ ସୀମାନ୍ତରେ ଥିବା ଗୋଟିଏ ଚିମିନି ଇଟାଭାଟିରେ ୪୦୦ରୁ ଅଧିକ ଶ୍ରମିକ କାମ କରୁଥିବା ନେଇ ଅଭିଯୋଗ ହୋଇଛି। ଉକ୍ତ ଇଟାଭାଟି ନିକଟକୁ ଲାଗି ବାଲିଅନ୍ତା ଥାନା ଅଞ୍ଚଳର ଜନବସତି ରହିଛି। ହେଲେ ଏଯାଏ ଖୋର୍ଧା ତଥା କଟକ ଜିଲ୍ଲା ପ୍ରଶାସନ ଏହି ବେଆଇନ ଭାଟି ବନ୍ଦ କରିବା ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ। ଦୁଇ ଜିଲ୍ଲାର ଶ୍ରମ ବିଭାଗ ମଧ୍ୟ ଚୂପ ବସିଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଭାଟିକୁ ଘେରି ରହିଥିବା ବାଲିଅନ୍ତା ବ୍ଲକ ଅଧୀନ ବିଶରପୁର ଗ୍ରାମବାସୀ ଇଟାଭାଟି ସବୁଦିନ ପାଇଁ ବନ୍ଦ କରିବା ନେଇ ସ୍ବର ଉଠାଇଛନ୍ତି। ଏନେଇ ଆଜି ଗ୍ରାମରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଖାଲି କଣ୍ଟାପଡ଼ା ମୌଜାରେ ଥିବା ସଂପୃକ୍ତ ଭାଟି ନୁହେଁ ବାଲିଅନ୍ତା ବ୍ଲକ ଅଞ୍ଚଳରେ ଶତାଧିକ ଇଟାଭାଟିରେ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଶହ ଶହ ଶ୍ରମିକ ଝୁମ୍ପୁଡ଼ିରେ ରହି ସେମାନଙ୍କ ପିଲାଛୁଆଙ୍କ ସହ ଭାଟିରେ କାମ କରୁଥିବା ଦେଖିବାକୁ ମିଳିଛି। ଏଦିଗରେ ସରକାରୀ କଳ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି।

ବାଲିଅନ୍ତା ତହସିଲଦାର ରଶ୍ମିରେଖା ପ୍ରଧାନଙ୍କ ସମେତ ବିଡିଓ ଆଦିକନ୍ଦ ବେହେରା ଓ ଥାନା ଅଧିକାରୀ ପ୍ରଦୀପ କୁମାର ରାଉତ ବିଭିନ୍ନ ସ୍ଥାନରେ ପହଞ୍ଚି କାର୍ଯ୍ୟ ତଦାରଖ କରୁଛନ୍ତି। ନିର୍ଦିଷ୍ଟ ବ୍ୟବଧାନରେ ବସି ହାଟ ବ୍ୟବସାୟ କରିବାକୁ ଲୋକଙ୍କୁ ସଚେତନ କରାଯାଉଛି। ଦୁଇ ପ୍ରବେଶ ପଥ ବାଳକାଟି ଓ ବାଲିଅନ୍ତା ବଜାରରେ ଆଇନ ଭଙ୍ଗକାରୀ ବ୍ୟକ୍ତିଙ୍କ ଗାଡ଼ିକୁ ବାଡ଼େଇ ପୁଲିସ ତାଗିଦ କରୁଛି। ‌ହେଲେ ଇଟାଭାଟି ମାଲିକଙ୍କ ଚେତା ପଶୁନାହିଁ।

ସମ୍ବନ୍ଧିତ ଖବର