କୁଶଭଦ୍ରା, କୁଆଖାଇରେ ବ୍ୟା‌ରେଜ୍‌ ନିର୍ମାଣ ଭେଳିକି

ବାଲିଅନ୍ତାରୁ ଦିଲ୍ଲୀ ବୁଲୁଛି ଫାଇଲ୍, ୯ବର୍ଷ ତଳୁ ପ୍ରସ୍ତୁତ ହେଲାଣି ନୀଳ ନକ୍ସା

ବାଲିଅନ୍ତା (ନିରଞ୍ଜନ ସେନାପତି): ରାଜଧାନୀ ତଥା ରାଜଧାନୀ ଉପକଣ୍ଠ ବାଲିଅନ୍ତା-ବାଲିପାଟଣା ବ୍ଲକ ଅଞ୍ଚଳ ମଧ୍ୟ ଦେଇ ପ୍ରବାହିତ କୁଆଖାଇ ଓ କୁଶଭଦ୍ରା ନଦୀ କିଭଳି ଚିରସ୍ରୋତା ହେବ, ସେ ନେଇ ସରକାରଙ୍କ ପକ୍ଷରୁ ୯ବର୍ଷ ତଳୁ ପ୍ରସ୍ତୁତ ହେଲାଣି ନୀଳନକ୍ସା। ବାରମ୍ବାର ପରୀକ୍ଷଣ ଓ ନିରୀକ୍ଷଣ କରାଯାଇ ବର୍ଷ ତମାମ ଜଳ ସଂରକ୍ଷଣ ବ୍ୟବସ୍ଥା ନେଇ ଦୁଇ ନଦୀରେ ବ୍ୟାରେଜ୍‌ ନିର୍ମାଣ କରାଯିବା ନେଇ ଯୋଜନା ହୋଇଛି। ଏହି ଦୀର୍ଘମିଆଦି ଯୋଜନାକୁ ସାକାର ରୂପ ଦେବା ପାଇଁ ବାଲିଅନ୍ତା କେନାଲ ସବ୍‌-ଡିଭିଜନରୁ ଦିଲ୍ଲୀ ସିଡବ୍ଲୁସି (କେନ୍ଦ୍ରୀୟ ଜଳଆୟୋଗ) ଯାଏଁ ଲମ୍ବା ଚଉଡ଼ା ଯୋଜନା ହୋଇଛି। ଏପରିକି ସିଡବ୍ଲ୍ୟୁସି ଅଧିକାରୀମାନେ ଦୁଇ ନଦୀକୁ ବୁଲି ଦେଖିବା ସହ ବ୍ୟାରେଜ୍‌ ହେବାକୁ ଥିବା ସ୍ଥାନକୁ ବୁଲି ଦେଖିଛନ୍ତି। କିନ୍ତୁ ଏନେଇ ଆଜି ପର୍ଯ୍ୟନ୍ତ କିଛି ନିଷ୍ପତ୍ତି ହେଉନି। ଯାହାର ଫଳ ହେଉଛି କୁଶଭଦ୍ରା ଓ କୁଆଖାଇ ବର୍ଷକ ୧୨ମାସରୁ ୮ମାସ ଶୁଖିଲା ପଡ଼ୁଛି।

ବାଲିଅନ୍ତା କେନାଲ ସବ୍‌ ଡିଭିଜନ୍‌ର ଜଣେ ବରିଷ୍ଠ ଯନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ୨୦୧୧-୧୨ ଆର୍ଥିକ ବର୍ଷରେ ବ୍ୟାରେଜ୍‌ ନିର୍ମାଣ ବ୍ୟବସ୍ଥା ନେଇ ପ୍ରଥମେ ନୀଳନକ୍ସା ପ୍ରସ୍ତୁତ ହୋଇଥିଲା। ଏହାର ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବା ଲାଗି ଗତ ମାର୍ଚ୍ଚ ମାସରେ ସିଡବ୍ଲୁସିର ଦୁଇ ଜଣିଆ ଏକ ପ୍ରତିନିଧି ଦଳ ଆସି ସର୍ଭେ କରିଥିଲେ। ଉଭୟ କୁଆଖାଇ ଓ କୁଶଭଦ୍ରାର ସ୍ଥିତି ନିରୀକ୍ଷଣ କରି ରିପୋର୍ଟ ପ୍ରସ୍ତୁତ କରିଥିଲେ। ତାଙ୍କ ସହ ସ୍ଥାନୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ସାହୁ ଓ ସହକାରୀ ଯନ୍ତ୍ରୀ ଭୀମସେନ ବେହେରା, ତତ୍କାଳୀନ ପ୍ରାଚୀ ଡିଭିଜନ ମୁଖ୍ୟ ଯନ୍ତ୍ରୀ ଓ ଯୋଜନା ଡିଭିଜନର ମୁଖ୍ୟ ଯନ୍ତ୍ରୀ ଓ ଲୋୟର ମହାନଦୀ ବେସିନ ମୁଖ୍ୟ ଯନ୍ତ୍ରୀ ମଧ୍ୟ କ୍ଷେତ୍ର ପରିଦର୍ଶନ କରିଥିଲେ। ହେଲେ ଏହା ମଧ୍ୟରେ ୬ ମାସ ବିତିଯାଇଥିଲେ ବି ଏହି ବ୍ୟାରେଜ୍ ନିର୍ମାଣ ନେଇ କିଛି ବି ନିଷ୍ପତ୍ତି ନିଆଯାଇପାରିନି। ଫଳରେ କୁଆଖାଇ ଓ କୁଶଭଦ୍ରାରେ ପ୍ରସ୍ତାବିତ ବ୍ୟାରେଜ ନିର୍ମାଣ କାର୍ଯ୍ୟ ଏବେ ଅନିଶ୍ଚିତତା ମଧ୍ୟକୁ ‌େଠଲି ହୋଇଯାଇଛି।

ବାଲିଅନ୍ତାସ୍ଥିତ ଜଳସମ୍ପଦ ବିଭାଗ କାର୍ଯ୍ୟାଳୟର ଜଣେ ଅଧିକାରୀଙ୍କ ସୂଚନାନୁସାରେ କୁଶଭଦ୍ରା ନଦୀର ବାଲିଅନ୍ତା ସାଇଫନ ଓ କୁଆଖାଇ ନଦୀ‌େର ହାଇଟେକ ପାର୍ଶ୍ବରେ ବ୍ୟାରେଜ ହେବା ନେଇ ସ୍ଥାନ ଚିହ୍ନଟ ହୋଇଛି। ତେବେ କେନ୍ଦ୍ରୀୟ ଜଳ ଆୟୋଗ ସୁପାରିସକ୍ରମେ ଜଳସମ୍ପଦ ବିଭାଗ ବ୍ୟାରେଜର ଡିଜାଇନ ପ୍ରସ୍ତୁତ କରିବ। ଡିଜାଇନରେ ବ୍ୟାରେଜ କେତେ ବାଟ ପର୍ଯ୍ୟନ୍ତ ହେବ, କେଉଁ ଡିଜାଇନ୍‌ର ହେବ, କେତେ ଉଚ୍ଚତା ହେବ, ବନ୍ୟା ବେଳେ ରାଜଧାନୀ ଭିତରକୁ ପାଣି କିଭଳି ନପଶିବ ଏବଂ ଉପକଣ୍ଠବାସୀ ସୁରକ୍ଷିତ ରହିପାରିବେ, ସେଥିପ୍ରତି ଦୃଷ୍ଟି ଦିଆଯିବା ସଂପର୍କରେ ସଂପୃକ୍ତ ଅଧିକାରୀ ତଥ୍ୟ ପ୍ରଦାନ କରିଛନ୍ତି। ଏହାଦ୍ବାରା କୁଶଭଦ୍ରା, ଦୟା, ଭାର୍ଗବୀ ଓ କୁଆଖାଇ ଚିରସ୍ରୋତା ହେବା ସହ ରାଜଧାନୀରେ ଆଉ ଜଳ ସଂକଟ ଦେଖାଯିବନି।

ଏପଟେ ଗତ ୧୪ତାରିଖରେ ମୁଣ୍ଡଳୀରୁ ଦୁଇଟି ପର୍ଟ୍ୟାୟରେ କୁଶଭଦ୍ରା ଓ କୁଆଖାଇରେ ୧୩ ଲକ୍ଷ ୪୫ କ୍ୟୁସେକ ପାଣି ଆସିବା ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଏପରିକି କୁଶଭଦ୍ରାରେ ୧୨/ ୧୩ଫୁଟ ଉଚ୍ଚରେ ବନ୍ୟା ପାଣି କୂଳ ଲଙ୍ଘିବା ସ୍ଥିତିକୁ ଆସି ଯାଇଥିଲା। କିନ୍ତୁ ଦୁଇ ଦିନରେ ପାଣି କମିଯିବାରୁ ନଦୀ ଏବେ ଶୁଖିଲା। ଯଦି ଏହି ଦୁଇ ନଦୀରେ ବ୍ୟାରେଜ୍ ନିର୍ମାଣ ହୋଇଥାନ୍ତା, ହୁଏତ ବନ୍ୟା ପାଣିକୁ କିଛି ଦିନ ପାଇଁ ଏଠାରେ ସଂରକ୍ଷିତ ରଖାଯାଇ ପାରିଥାନ୍ତା। ପଳାସୁଣି ଜଳ ବିଶୋଧନାଗାରକୁ ଆଉ ଅକ୍ଟୋବର ମାସରୁ ପୁଣି ଜଳ ନିଅଣ୍ଟ ପରିସ୍ଥିତି ସାମ୍ନା କରିବାକୁ ପଡ଼ିନଥାନ୍ତା। ହେଲେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା କାର୍ଯ୍ୟକାରୀ କରିବାରେ ଟାଳଟୁଳ ନୀତି ଯୋଗୁଁ ବନ୍ୟାର ଦୁଇ ଦିନ ପରେ ପୁଣି ନଦୀ ଶୁଖିଲା ପଡ଼ିଛି।

ଶୁଖିଲା ନଦୀରେ ବାଲି ମାଫିଆ ଛାଇ ଗଲେଣି

ଏବେ ଶୁଖିଲା ପଡ଼ିଥିବା ସମଗ୍ର କୁଶଭଦ୍ରା ନଦୀରେ ବାଲି ମାଫିଆ ଛାଇ ଯାଇଛନ୍ତି। ଦିନ କେଇଟା ପାଣି ମାଡ଼ିବା ପରେ ଛାଡ଼ିଯିବା ବାଲି ମାଫିଆଙ୍କ ପାଇଁ ଯେମିତି ପୁଷମାସ ପାଲଟିଛି। ବାଲିଅନ୍ତା କୁଶଭଦ୍ରା ବ୍ରିଜ ନିକଟରୁ ଦୈନିକ ଶହ ଶହ ଟ୍ରିପ ବାଲି ବେଆଇନ ଭାବେ ଉଠାଣ ହେଉଛି। ବନ୍ୟା ପୂର୍ବରୁ ନଦୀ ପଠାରେ ବାଲି ତାଡ଼ିବା ଯୋଗୁଁ ଯେଉଁ ଖାଲ ହୋଇଥିଲା, ସେଥିରେ ଏବେ ବାଲି ଚରି ଯାଇଛି। ପୁଣି ନଦୀରେ ବାଲି ମାଡ଼ି ଯାଇଥିବାରୁ ବାଲି ମାଫିଆ ଏବେ ବାଲି ଲୁଟିବାରେ ଲାଗିଛନ୍ତି। ସ୍ଥାନୀୟ ଲୋକମାନେ ଏ ସଂପର୍କରେ ସ୍ଥାନୀୟ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ବାରମ୍ବାର ଫୋନ୍‌ କରି ଜଣାଉଥିଲେ ହେଁ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟର କେହି ବି ଏହି ବାଲି ଚୋରା ଚାଲାଣ ରୋକିବାକୁ ପଦକ୍ଷେପ ନେଉ ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିଲାଣି।

ପୋତି ହୋଇଗଲା କୁଶଭଦ୍ରା ରିଭର ଚ୍ୟାନେଲ୍‌

କୁଆଖାଇ ପାଣି କୁଶଭଦ୍ରାକୁ ଆସୁନଥିବାରୁ ବର୍ଷତମାମ୍ କୁଶଭଦ୍ରା ଶୁଖିଲା ପଡ଼ୁଛି। ତେଣୁ କୁଶଭଦ୍ରାକୁ ଚିରସ୍ରୋତା କରିବା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ କିଛି ଦିନ ତଳେ କୁଆଖାଇ ମୁହାଣରୁ କୁଶଭଦ୍ରା ନଦୀରେ କିଛି ବାଟ ପର୍ଯ୍ୟନ୍ତ ଏକ ରିଭର୍ ‌ଚ୍ୟାନେଲ୍‌ ବା କେନାଲ ଖୋଳା ଯାଇଥିଲା। ନିକୁଞ୍ଜବିହାରୀ ମନ୍ଦିରଠାରୁ ବାଲିଅନ୍ତା ସାଇଫନ ପର୍ଯ୍ୟନ୍ତ ନଦୀଶଯ୍ୟାକୁ କେନାଲ ସଦୃଶ ଖୋଳା ହୋଇଥିଲା। ଏଥିପାଇଁ ୭ଲକ୍ଷ ଟଙ୍କା ଖର୍ଚ୍ଚ ବି ହୋଇଥିଲା। କୁଆଖାଇ ପାଣି ବି କୁଶଭଦ୍ରାରେ ବହୁଥିଲା। କିନ୍ତୁ ବନ୍ୟାରେ ଏହି ରିଭର୍ ଚ୍ୟାନେଲ୍‌ ପୋତି ହୋଇଯାଇଥିବା ବେଳେ ବାଲି ବନ୍ଧ ଭାସିଯାଇଛି। ଆଉ କୁଆଖାଇ ପାଣି କୁଶଭଦ୍ରାକୁ ଆସୁନି। ଜଳସମ୍ପଦ ବିଭାଗ ପୁଣି କିଛି ଲକ୍ଷ ଟଙ୍କା ଖର୍ଚ୍ଚ କଲେ ହୁଏତ କୁଶଭଦ୍ରାକୁ ପୁଣି କୁଆଖାଇ ପାଣି ଆସିପାରେ।

ସମ୍ବନ୍ଧିତ ଖବର

Comments are closed.