ଭିଏସ୍‌ଏସ୍‌ ନଗରରୁ ସ୍ଥାନାନ୍ତର ହେବ କେନ୍ଦ୍ରୀୟ କୁକୁଡ଼ା ପାଳନ କେନ୍ଦ୍ର

ବାରଙ୍ଗ: ଭୁବନେଶ୍ୱର ଭିଏସ୍‌ଏସ୍‌ ନଗରସ୍ଥିତ କେନ୍ଦ୍ରୀୟ କୁକୁଡ଼ା ପାଳନ କେନ୍ଦ୍ର ସ୍ଥାନାନ୍ତର ହେବ। ଭୁବନେଶ୍ୱର ସହର ମଧ୍ୟରେ ଥିବାରୁ ଏହାକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି। ଜାତୀୟ ରାଜପଥ ପାର୍ଶ୍ୱର କଟକ କିମ୍ବା ଖୋର୍ଧା ଜିଲ୍ଲାର ପ୍ରାୟ ୫୦ଏକର ପରିମିତ ଜାଗା ଥିବା କୌଣସି ଏକ ଅଞ୍ଚଳକୁ ଏହି କେନ୍ଦ୍ର ସ୍ଥାନାନ୍ତର କରିବାକୁ ସ୍ଥିର ହୋଇଛି। ଏଥିପାଇଁ କଟକ ଜିଲ୍ଲା ବାରଙ୍ଗ ତହସିଲ ଅଧୀନ ମୁଣ୍ଡଳୀ ସିଆଇଏସ୍‌ଏଫ୍‌ ଫାଇରିଂ ରେଞ୍ଜ ନିକଟ ତଳଗଡ଼ ଗ୍ରାମ ପାଖ, ଚୌଦ୍ୱାର ଓ ଖୋର୍ଧା ଜିଲ୍ଲାର ୪ଟି ଜାଗାକୁ ଚିହ୍ନଟ କରାଯାଇଛି। ଯେଉଁ ଜାଗାକୁ ଏହି କେନ୍ଦ୍ର ସ୍ଥାନାନ୍ତର କରାଯିବ, ତାହା ଜନବସତିଠାରୁ କେତେ ଦୂର, ଆଖପାଖରେ କେଉଁଠି ଜନବସତି ରହିଛି, ସ୍କୁଲ, ମନ୍ଦିର, ରେଳଷ୍ଟେସନ ଓ ରାଜପଥ କେତେ ଦୂରରେ ଅଛି, ଜାଗାର ଆଖପାଖରେ ଭବିଷ୍ୟତ ଯୋଜନାରେ କ’ଣ ହେବାକୁ ରହିଛି, ସେ ସମ୍ପର୍କରେ ତହସିଲଗୁଡ଼ିକୁ ସବିଶେଷ ବିବରଣୀ ମାଗାଯାଇଛି। ଦୁଇ ଦିନ ତଳେ କଟକ ଜିଲ୍ଲାପାଳ ସୁଶାନ୍ତ କୁମାର ପ୍ରଧାନ, ବାରଙ୍ଗ ତହସିଲଦାର ବିଜୟାନନ୍ଦ ନାୟକ, କେନ୍ଦ୍ରୀୟ କୁକୁଡ଼ା ପାଳନ କେନ୍ଦ୍ରର ପ୍ରତିନିଧିଙ୍କ ସହ ବାରଙ୍ଗ ତହସିଲର ମୁଣ୍ଡଳୀ ନିକଟ ତଳଗଡ଼ ଜାଗାଟି ପରିଦର୍ଶନ କରି ଫେରିଛନ୍ତି। ଜାଗାଟି ଜାତୀୟ ରାଜପଥଠାରୁ ଦୂରରେ ଥିବାରୁ ଓ ଅଖପାଖ ପରିବେଶ ଉପଯୁକ୍ତ ହୋଇ ନଥିବାରୁ ଏଠାକୁ ସ୍ଥାନାନ୍ତର କରାଯିବ ସମ୍ଭବ ହେବନାହିଁ ବୋଲି ପ୍ରତିନିଧି ଦଳ ଉପଲବ୍ଧି କରିଛନ୍ତି।

ସମ୍ବନ୍ଧିତ ଖବର