ବିପଦକୁ ଆମନ୍ତ୍ରଣ : ଭଙ୍ଗା ଖୁଣ୍ଟରେ ବିଦ୍ୟୁତ ଯୋଗାଣ

ଧଉଳି : ବିପଦକୁ ହେଉଛି ଆମନ୍ତ୍ରଣ। ଭଙ୍ଗା ଖୁଣ୍ଟରେ ଢିରା ଦିଆଯାଇ ଗୋଛା ଗୋଛା ତାର ଟଣାଯାଇଛି। ସେଥିରେ ବିଦ୍ୟୁତ ଯୋଗାଣ ହେଉଛି। ଅତି ବିପଜ୍ଜନକ ଭାବେ ବର୍ଷବର୍ଷ ଧରି ଏପରି ବିଦ୍ୟୁତ ଯୋଗାଣ ହେଉଥିଲେ ହେଁ ଏଥିପ୍ରତି କେହି ଦୃଷ୍ଟି ଦେଉ ନଥିବା ଅଭିଯୋଗ ହେଉଛି। ରାଜଧାନୀ ଉପକଣ୍ଠ ପୁରୁଣାଭୁବନେଶ୍ବର ବିଦ୍ୟୁତ ସେକ୍‌ସନ୍‌ ସୀମା ଧଉଳି ଥାନା ଅଧୀନ ଗଙ୍ଗୁଆ ବ୍ରିଜ୍‌ ସଂଲଗ୍ନ ଓ ମହାବୀର ନଗର ଅଞ୍ଚଳରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ। ବର୍ତ୍ତମାନ ବିଭିନ୍ନ ସମୟରେ କଳାବୈଶାଖୀ ପ୍ରଭାବରେ ଘୂର୍ଣ୍ଣିଝଡ଼ ହେଉଥିବା ବେଳେ ଏହି ବିଦ୍ୟୁତ ଖୁଣ୍ଟ ଯୋଗୁ ଯେକୌଣସି ମୁହୂର୍ତ୍ତରେ ବଡ଼ଧରଣର ଅଘଟଣ ଘଟିପାରେ ବୋଲି ସ୍ଥାନୀୟ ଲୋକ ଆଶଙ୍କା କରିଛନ୍ତି। ଏ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଏ ସଂପର୍କରେ ଜାଣି ସୁଦ୍ଧା ବିଦ୍ୟୁତ ବିଭାଗ କାହିଁକି ବିପଦକୁ ଆମନ୍ତ୍ରଣ କରୁଛି ବୋଲି ସାଧାରଣରେ ଘୋର ଉଦ୍‌ବେଗ ପ୍ରକାଶ ପାଇଛି।

ରାସ୍ତାଆଡ଼କୁ ନଇଁ ରହିଥିବା ଖୁଣ୍ଟକୁ ବଦଳାଇ ସେଠାରେ ନୂତନ ବିଦ୍ୟୁତ ଖୁଣ୍ଟ ପୋତିବା ନେଇ ସ୍ଥାନୀୟ ଉପଭୋକ୍ତାମାନେ ବିଧାୟକଙ୍କଠାରୁ ଆରମ୍ଭ କରି ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀଙ୍କ ପର୍ଯ୍ୟନ୍ତ ବାରମ୍ବାର ଲିଖିତ ଭାବେ ଅବଗତ କରାଇ ସାରିଛନ୍ତି। ତଥାପି ସମସ୍ୟାର ସମାଧାନ ହୋଇପାରିନି। ମହାବୀର ନଗରର ଜଣେ ବୁଦ୍ଧିଜୀବୀ ନିରଞ୍ଜନ ଶତପଥୀଙ୍କ ଅଭିଯୋଗ ଅନୁଯାୟୀ ଖୁଣ୍ଟ (ନମ୍ବର ୦୨ –ପିଏଲ ୫୭୪୫୭) ଅଧିକ ବିପଜ୍ଜନକ ଅବସ୍ଥାରେ ରହିଛି। ଏତଦବ୍ୟତୀତ ବିଭିନ୍ନ ସ୍ଥାନରେ ଏଭଳି ଅବସ୍ଥାରେ ଆହୁରି କେତେକ ବିଦ୍ୟୁତ ଖୁଣ୍ଟ ନଇଁ ରହିଛି। ପୁରୁଣା ଖୁଣ୍ଟରେ ଅତିମାତ୍ରାରେ ଭାର ପଡ଼ିବା ହେତୁ ଖୁଣ୍ଟଟି ଭାଙ୍ଗି ଯାଇଛି। ଗତ ୧୫ଦିନ ତଳେ ଖୁଣ୍ଟଟି ଟ୍ରକ୍‌ ଧକ୍କାରେ ଭାଙ୍ଗିଯାଇଥିଲା। ଏପରି ଅବସ୍ଥାରେ ଖୁଣ୍ଟ‌େର ତାର ଝୁଲୁଛି। ସେହିପରି ଏପରି ଦୁର୍ବଳ ଖୁଣ୍ଟରେ ମାଳମାଳ କେବୁଲ ଲାଇନ ବି ଝୁଲୁଛି। ଉକ୍ତ ଖୁଣ୍ଟକୁ ସ୍ଥାନାନ୍ତର କରି ନୂଆ ବିଦ୍ୟୁତ ତାର ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଣ କରିବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର