ବ୍ରାଉନ୍‌ସୁଗାର ଓ ଗଞ୍ଜେଇ ଜବତ, ୨ ଗିରଫ

ମଦ ପାଇଁ ସାଙ୍ଗ ମୁଣ୍ଡରେ ଇଟା ଛେଚିଦେଲା

ଭୁବନେଶ୍ୱର : ନିଶା ବେପାରୀଙ୍କୁ ତଡ଼ିପାର୍‌ କରିବା ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ଚାଲିଥିବା ସ୍ବତନ୍ତ୍ର ଅଭିଯାନରେ ଆଜି ନୂଆପଲ୍ଲୀ ଓ ଏୟାରଫିଲ୍ଡ ଥାନା ଅଧୀନରେ ୨ ଜଣ ନିଶା ବେପାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୧୧.୩୦ଗ୍ରାମ୍‌ ବ୍ରାଉନସୁଗାର, ୧.୪୦୦ ଗ୍ରାମ୍‌ ଗଞ୍ଜେଇ, ମୋବାଇଲ୍‌, ବାଇକ୍‌ ସହ ୭୮୫୦ ଟଙ୍କା ଜବତ ହୋଇଛି। ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଛି। ନୂଆପଲ୍ଲୀ ଥାନା ପୁଲିସ ପ୍ରଶାନ୍ତ ରାଉତକୁ ଗିରଫ କରିଥିବା ବେଳେ ତା’ଠାରୁ ୧୧.୩୦ ଗ୍ରାମ୍‌ ଓଜନର ବ୍ରାଉନ ସୁଗାର, ଗୋଟିଏ ହୋଣ୍ଡା ଆକ୍ଟିଭା ଓ ଗୋଟିଏ ମୋବାଇଲ୍‌ ଜବତ ହୋଇଛି। ସେହିଭଳି ଏୟାରଫିଲ୍ଡ ଥାନା ପୁଲିସ ଗିରଫ କରିଥିବା ସୂର୍ଯ୍ୟକାନ୍ତ ପରିଡ଼ାଠାରୁ ୧ କେଜି ୪୦୦ ଗ୍ରାମ୍‌ ଗଞ୍ଜେଇ ଓ ୭୮୫୦ ଟଙ୍କା ଜବତ ହୋଇଛି।

ମଦ ପାଇଁ ସାଙ୍ଗ ମୁଣ୍ଡରେ ଇଟା ଛେଚିଦେଲା

ଭୁବନେଶ୍ୱର : ମଦ ପାଇଁ ସାଙ୍ଗ ମୁଣ୍ଡ‌କୁ ଇଟାରେ ଆକ୍ରମଣ କରିବା ଅଭିଯୋଗରେ ଖାରବଳେନଗର ଥାନା ପୁଲିସ ୟୁନିଟ୍‌-୩ ମଙ୍ଗଳାବସ୍ତିର ସଞ୍ଜୟ ରାଉତକୁ ଗିରଫ କରିଛି। ଅଭିଯୋଗକାରୀ ହେଉଛନ୍ତି ୟୁନିଟ୍‌ ୧ର ଜ୍ଞାନରଞ୍ଜନ ସାହୁ। ସେ ଅଟୋ ଚଳାନ୍ତି। ଗତରାତିରେ ଉଭୟ ବନ୍ଧୁ ଦେଖା ହେବା ପରେ ମଦ ପିଇବା ପାଇଁ ଯୋଜନା କରିଥିଲେ। ପ୍ରଥମେ ଜ୍ଞାନ ଶହେ ଟଙ୍କା ଦେଇ ମଦ ଆଣିଥିଲେ। ହେଲେ ସଞ୍ଜୟକୁ ନିଶା ନହେବାରୁ ଆହୁରି ମଦ ଆଣିବା ପାଇଁ କହିଥିଲା। ଏଥିରେ ଜ୍ଞାନ ରାଜି ନହେବାରୁ ସଞ୍ଜୟ ଏକ ଇଟାରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା। ମୁଣ୍ଡ ଫାଟିଯିବାରୁ ତାଙ୍କୁ କ୍ୟାପିଟାଲ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର