ବ୍ରାଉନସୁଗାର ବେପାରରେ ଇଂଜିନୟରିଂ ଛାତ୍ର : ୪ ମାସରେ ଦେଢ଼ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ୫୬ ମାମଲାରେ ୧୦୫ ଜଣ ଗିରଫ

ଇଂଜିନିୟରି ଛାତ୍ରଙ୍କଠାରୁ ଆରମ୍ଭ କରି ଯୁବତୀ କାରବାରରେ ସଂପୃକ୍ତ, ଆଉ ଦୁଇ ବେପାରୀ ଗିରଫ, ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ବର : ରାଜଧାନୀରେ ଛାଇ ଗଲେଣି ବ୍ରାଉନସୁଗାର ବେପାରୀ। ଗଳି କନ୍ଦି ଯେଉଁଠି ଚାହିଁବ ସେଠାରେ ମିଳୁଛି ଏହି ଧଳା ଜହର। ବସ୍ତିଠାରୁ ଆରମ୍ଭ କରି କଲୋନି, ଆପାର୍ଟମେଣ୍ଟ ସବୁଠି ବସିଛନ୍ତି ଏହି ବେପାରୀମାନେ। ଇଂଜିନିୟରିଂ ଛାତ୍ରଙ୍କଠାରୁ ଆରମ୍ଭ କରି ବଙ୍ଗୀୟ ଯୁବତୀ ଏହି ମାରାତ୍ମକ କାରବାରରେ ସଂପୃକ୍ତ ଅଛନ୍ତି। ବେପାର ଏତେ ଆଗକୁ ଆଗେଇ ଗଲାଣି ଯେ, ଗ୍ରାହକମାନଙ୍କୁ ଆଉ ବ୍ରାଉନସୁଗାର ବେପାରୀମାନଙ୍କ ପାଖକୁ ଆଉ ଯିବାକୁ ପଡ଼ୁନାହିଁ। ଗୋଟିଏ ଫୋନ୍ କଲ ପାଇବା ପରେ ହୋମ ଡେଲିଭରି କରି ଦେଉଛନ୍ତି ଏହି ନିଶା ବେପାରୀମାନେ। ବ୍ରାଉନସୁଗାର କାରବାର ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଗତକାଲି ଦୁଇ ଜଣ ଇଂଜିନିୟର ଛାତ୍ରଙ୍କୁ ଗିରଫ କରିଛି। ସେମାନେ ହେଲେ ବିଡିଏ କଲୋନିର ଅମିତ୍ ସ୍ବାଇଁ ଓ ସୁଭାଶିଷ ଜେନା ପୁଲିସ ଦୁହିଁଙ୍କ ନିକଟରୁ ୨୫ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି। ଦୁହେଁ ବ୍ୟବହାର କରୁଥିବା ଏକ ବାଇକ୍‌କୁ ମଧ୍ୟ ପୁଲିସ ଜବତ କରିଛି। ଦୁହେଁ ଜଣେ ନିଶା ବେପାରୀଙ୍କଠାରୁ ବ୍ରାଉନସୁଗାର ଆଣି ଇଂଜିନିୟରିଂ ଛାତ୍ରଙ୍କୁ ଦେଉଥିଲେ। ଏନେଇ ଖବର ପାଇବା ପରେ ପୁଲିସ ଇଂଜିନିୟରିଂ କଲେଜ ନିକଟରେ ଚଢ଼ଉ କରି ଦୁଇ ଜଣଙ୍କୁ ଗିରଫ କରିଥିଲା। ଗତ ଏକ ସପ୍ତାହ ମଧ୍ୟରେ ଚନ୍ଦ୍ରଶେଖରପୁର ଓ ଇନ୍‌ଫୋସିଟି ଥାନା ପୁଲିସ ୪ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଥିବା ବେଳେ ରବିବାର ପୁଣି ୨ଜଣ ଛାତ୍ର ଗିରଫ ହୋଇଛନ୍ତି।

ଦିନ ଥିଲା ବାଲେଶ୍ବର ଥିଲା ଏହି ଧଳା ଜହରର କେନ୍ଦ୍ରସ୍ଥଳ। କିନ୍ତୁ ଏବେ ଭୁବନେଶ୍ବର ପାଲଟି ଯାଇଛି ବ୍ରାଉନସୁଗାରର ହବ୍। ରାଜଧାନୀରେ ବ୍ରାଉନସୁଗାର କାରବାରକୁ ରୋକିବା ଲାଗି କମିସନେରଟ ପୁଲିସର କ୍ୟୁଏଟି, ଡିଟିଏଫ୍( ଡ୍ରଗ୍ସ ଟାକ୍ସ ଫୋର୍ସ), କ୍ରାଇମ ବ୍ରାଞ୍ଚର ଏସଟିଏଫ୍, ଅବକାରୀ ବିଭାଗ ଜୋରଦାର ଭାବେ ଲାଗି ପଡ଼ିଛନ୍ତି। ଜଣକ ପରେ ଜରେ ବେପାରୀଙ୍କୁ ଗିରଫ କରାଯାଉଛି। କିନ୍ତୁ ଏହି କାରବାର କମିବାର ନାଁ ଗନ୍ଧ ଧରୁନାହିଁ। ପ୍ରତ୍ୟେକ ଦିନ ରାଜଧାନୀରୁ ବ୍ରାଉନସୁଗାର ସହିତ ବେପାରୀ ଗିରଫ ହେଉଛନ୍ତି। ସେ ଲକ୍ଷ୍ମୀସାଗର ଥାନା ହେଉ କିମ୍ବା, ଖଣ୍ଡଗିରି, ଜଟଣୀ, ଚନ୍ଦ୍ରଶେଖରପୁର, ଇନ୍‌ଫୋସିଟି, ଖାରବେଳନଗର ଥାନା ସବୁ ଥାନାରୁ ଧରା ହେଲେଣି ଗଣ୍ଡାଗଣ୍ଡା ବ୍ରାଉନସୁଗାର ବେପାରୀ। ଏପରିକି ରାଜଧାନୀ ଉପକଣ୍ଠ ବାଲିପାଟଣା, ବାଲିଅନ୍ତା, ନନ୍ଦନକାନନ ଓ ଚନ୍ଦକା ଥାନା ପୁଲିସ ମଧ୍ୟ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି ଏହି ଅଭିଯାନରେ।

ଅନ୍ୟପକ୍ଷରେ ପୁଲିସ କିମ୍ବା ଅବକାରୀ ବିଭାଗ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରୁଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ଅଧିକାଂଶ ସପ୍ତାହକ ମଧ୍ୟରେ ଜାମିନର ଚାଲି ଆସୁଛନ୍ତି। ଜାମିନରେ ଆସିବା ପରେ ପୁଣି ଥରେ ଏହି ବିଷ କାରବାରେ ସଂପୃକ୍ତ ହେଉଛନ୍ତି। ଯାହାର ଏକାଧିକ ଉଦାହରଣ ରହିଛି। ଏ ସମ୍ପର୍କରେ ବରିଷ୍ଠ ଆଇନଜୀବୀ ବନ ମହାନ୍ତି କହିଛନ୍ତି, ଏବେ ରାଜଧାନୀରେ ପେଶାଦାର ଅପରାଧୀମାନଙ୍କଠାରୁ ବ୍ରାଉନସୁଗାର ବେପାରୀଙ୍କ ସଂଖ୍ୟା ବଢ଼ି ଗଲାଣି। ପ୍ରତ୍ୟେକ ଦିନ ପୁଲିସ ବ୍ରାଉନସୁଗାର ବେପାରୀଙ୍କୁ କୋର୍ଟ ଚାଲାଣ କରୁଛି। କିନ୍ତୁ ଏହାର କୌଣସି ବି ପ୍ରଭାବ ସେମାନଙ୍କ କାରବାର ଉପରେ ପଡ଼ୁନାହିଁ। ତା’ର କାରଣ ହେଉଛି, ଅନେକ ସମୟରେ ପୁଲିସ ୫ ଗ୍ରାମରୁ ୨୫ ଗ୍ରାମ ମଧ୍ୟରେ ବ୍ରାଉନସୁଗାର ଜବତ କରି ବେପାରୀମାନଙ୍କୁ କୋର୍ଟ ଚାଲାଣ କରୁଛି। ଏତେ କମ୍ ପରିମାଣରେ ବ୍ରାଉନସୁଗାର ଜବତ ହେଉଥିବା କାରଣରୁ ବେପାରୀମାନେ ବେଶ ସହଜରେ କୋର୍ଟରୁ ଜାମିନ୍ ପାଇ ଯାଉଛନ୍ତି। ସେହିପରି ପୁଲିସ ତଦନ୍ତରେ ମଧ୍ୟ ଅନେକ ସମସ୍ୟା ରହିଛି, ପୁଲିସ ବେଳେ‌ବେଳେ ଯେଉଁମାନେ ବ୍ରାଉନସୁଗାର ଖାଉଛନ୍ତି ସେମାନଙ୍କୁ ମଧ୍ୟ କୋର୍ଟ ଚାଲାଣ କରୁଛି। ଫଳରେ କୋର୍ଟରୁ ସେମାନେ ଜାମିନ ପାଇ ଯାଉଛନ୍ତି। ଯେଉଁମାନଙ୍କ ନିକଟରୁ ୨୫ ଗ୍ରାମରୁ ଅଧିକ ବ୍ରାଉନସୁଗାର ଜବତ ହେଉଛି, ସେମାନେ ୩ ମାସ ପରେ ହାଇକୋର୍ଟରୁ ଜାମିନରେ ଚାଲି ଆସୁଛନ୍ତି।

କମିସନେରଟ ପୁଲିସର ନିଜସ୍ବ ହିସାବରେ ମଧ୍ୟ ରାଜଧାନୀରେ ବ୍ରାଉନସୁଗାର ବେପାର ବଢ଼ିଥିବା ଜଣାପଡ଼ିଛି। ୨୦୧୭ ମସିହାରେ କମିସନରେଟ ପୁଲିସ ୪୩ଟି ମାମଲା ରୁଜୁ କରିଥିବାବେଳେ ୨୦୧୮ରେ ଏହି ମାମଲା ପହଞ୍ଚିଥିଲା ୪୧ରେ। କିନ୍ତୁ ୨୦୧୯ରେ ଏହି ସଂଖ୍ୟା ୧୨୯ରେ ପହଞ୍ଚିଥିଲା। ଏଥିରୁ ଜଣାପଡ଼ୁଛି, ବେଳକୁ ବେଳ ରାଜଧାନୀରେ ବ୍ରାଉନସୁଗାର କାରବାର କିଭଳି ଭାବେ ବଢ଼ି ଚାଲିଛି। ଦେଶର ପଞ୍ଜାବ ପରେ ଏବେ ଓଡ଼ିଶା ଏବେ ବ୍ରାଉନସୁଗାର କାରବାର ଏକ ପ୍ରମୁଖ ରାଜ୍ୟ ଭାବେ ଗଣନା ଆରମ୍ଭ ହୋଇ ଗଲାଣି।

ଆଜି ଏ ସମ୍ପର୍କରେ ଏକ ସମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସୁଧାଂଶ ଷଡ଼ଙ୍ଗୀ ଯେଉଁ ତଥ୍ୟ ରଖିଛନ୍ତି, ତାହା ରାଜଧାନୀବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି। ମାତ୍ର ୪ ମାସ ମଧ୍ୟରେ ରାଜଧାନୀ ଭୁବନେଶ୍ବରରୁ ଦେଢ଼ କୋଟି ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ ହୋଇଛି। ଏ ସଂକ୍ରାନ୍ତରେ ୫୬ଟି ମାମଲା ରୁଜୁ ହୋଇଥିବାବେଳେ ୧୦୫ ଜଣଙ୍କୁ ଗିରଫ କରାଯାଇ ସେମାନଙ୍କ ନିକଟରୁ ୧୩୦୨ ଗ୍ରାମ( ଏକ କେଜି, ୩ଶହ ୨ ଗ୍ରାମ) ଜବତ ହୋଇଛି। ବ୍ରାଉନସୁଗାର କାରବାରରେ ବ୍ୟବହୃତ ହେଉଥିବା ୬ଟି କାର, ୪୦ଟି ବାଇକ୍, ୧୦୩ଟି ମୋବାଇଲ୍‌ ଫୋନ୍ ଓ ୬ ଲକ୍ଷ ଟଙ୍କା ଜବତ କରିଛି। ଆଗାମୀ ଦିନରେ ଏଭଳି ଚଢ଼ଉ ଆହୁରି ଜୋରଦାର ହେବ ବୋଲି ପୁଲିସ କମିସନର ଶ୍ରୀ ଷଡ଼ଙ୍ଗୀ କହିଛନ୍ତି। ଗିରଫ ହୋଇଥିବା ବ୍ରାଉନସୁଗାର ବେପାରୀମାନଙ୍କ ମଧ୍ୟରୁ ୪୦ରୁ ଅଧିକ ବେପାରୀ ଭୁବନେଶ୍ବର ବାହାରର। ଏମାନଙ୍କ ମଧ୍ୟରେ ବାଲେଶ୍ବର, ଜଳେଶ୍ବର, ପିପିଲି, ବାରିପଦା ଓ ଖୋର୍ଧା ଆଦି ସ୍ଥାନରୁ ଏହି ସବୁ ବେପାରୀ ଗିରଫ ହୋଇଛନ୍ତି। ଆମ‌େ ଏହି କାରବାରର ମୂଳକୁ ଯିବା ଉଦ୍ୟମ କରୁଛୁ ବୋଲି ପୁଲିସ କମିସନର ଶ୍ରୀ ଷଡ଼ଙ୍ଗୀ କହିଛନ୍ତି।

ଆଉ ଦୁଇ ବେପାରୀ ଗିରଫ, ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ
ଆଜି କମିସନରେଟ ପୁଲିସର ଡିଟିଏଫ୍ ଭୁବନେଶ୍ବରରୁ ଦୁଇ ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି। ସେମାନେ ହେଲେ ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅଧୀନ ରାଜପୁର ଗାଁର ବୁଦ୍ଧିଆ ଖାନ୍ ଓ ସହିଦନଗର ଥାନା ଅଧୀନ ଶାନ୍ତିପଲ୍ଲୀ ବସ୍ତିର କାହ୍ନୁ ଦାସ।

ବୁଦ୍ଧିଆ ଏଠାକୁ ବ୍ରାଉନସୁଗାର ନେଇ ଆସିଥିଲା। ସହିଦନଗର ଥାନା ଅଧୀନ ସୈନିକ ସ୍କୁଲ ନିକଟରେ ବ୍ରାଉନସୁଗାର କାରବାର କରୁଥିବାବେଳେ ଡିଟିଏଫ୍ ତାକୁ କାବୁ କରି ନେଇଥିଲା। ତା’ ନିକଟରୁ ୧୦୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି। ଯାହାର ବଜାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ପୁଲିସ କମିସନର ଶ୍ରୀ ଷଡ଼ଙ୍ଗୀ କହିଛନ୍ତି। ଜେରାବେଳେ ବୁଦ୍ଧିଆ ସ୍ବୀକାର କରିଛି କି, ସେ ବ୍ରାଉନସୁଗାର ନେଇ ମୁର୍ଶିଦାବାଦରୁ ଭୁବନେଶ୍ବର ଆସୁଥିଲା। ଏତିକିବେଳେ ପୁଲିସ ତାକୁ ଗିରଫ କରି ନେଇଥିଲା। ସେହିପରି କାହ୍ନୁ ନିକଟରୁ ୧୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ଆଜି ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର