ଆହାର ଦେଉଥିବା ବୁଡ଼ୁ ନଈ ଏବେ ରୋଗ ଦେଉଛି

ଚନ୍ଦ୍ରଶେଖରପୁର: ଚନ୍ଦକା ଅଭୟାରଣ୍ୟର ଡେରାସ୍‌ରୁ ବାହାରି କୁଆଖାଇ ନଦୀରେ ମିଶିଥିବା ବୁଡ଼ୁ ନଈର ପାଣି ଏବେ ଦିନକୁ ଦିନ ଦୂଷିତ ହେବାରେ ଲାଗିଛି। ଉତ୍ତର ଭୁବନେଶ୍ୱର ଅଞ୍ଚଳର ପ୍ରାୟ ୨୦ଟି ଗ୍ରାମର ଲୋକ ଏହି ନଦୀ ଉପରେ ନିର୍ଭର କରୁଥିବା ବେଳେ ଏବେ ଏହି ପାଣି ଶୌଚ ହେବା ପାଇଁ ଯୋଗ୍ୟ ହୋଇ ରହିନାହିଁ। ପାଣି ଅପରିଷ୍କାର ହେବା ଫଳରେ ଗ୍ରାମବାସୀମାନଙ୍କୁ ବିଭିନ୍ନ ପ୍ରକାରର ଚର୍ମରୋଗ ହେବା ଆରମ୍ଭ କଲାଣି। ଏନେଇ ଗ୍ରାମବାସୀମାନେ ପ୍ରଥମେ ଜଳସେଚନ ଓ ଜଳ ପରିଚାଳନା ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ସେଠାରୁ ନିରାଶ ହେବା ପରେ ସ୍ଥାନୀୟ ଉତ୍ତର ଭୁବନେଶ୍ୱର ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ନିକଟରେ ସମସ୍ୟାର ସମାଧାନ ନେଇ ଗୁହାରି କରିଥିଲେ। ହେଲେ କୌଣସି ପ୍ରକାର ପଦକ୍ଷେପ ନିଆ ନଯିବା ଦେଖି ଗ୍ରାମବାସୀମାନେ ନଈକୁ ପରିଷ୍କାର କରିବା ନେଇ ନିଜଆଡ଼ୁ ଅଣ୍ଟା ଭିଡ଼ିଛନ୍ତିି। ହେଲେ ଦଳ ସଫା କରିବା ଓ ନଈ ତୁଠକୁ ପରିଷ୍କାର କରିବା ପରେ ବି ପାଣି ପରିଷ୍କାର ହେଉନାହିଁ, ଯାହା ଏବେ ସ୍ଥାନୀୟ ଲୋକମାନଙ୍କର ମୁଣ୍ଡବିନ୍ଧାର କାରଣ ପାଲଟିଛି।

ଚନ୍ଦକା ପଞ୍ଚାୟତ, ପଥରଗାଡ଼ିଆ, ଦାରୁଠେଙ୍ଗ, ଅଳସୁଆ, ରଘୁନାଥପୁର, କଳାଝରୀ, ଓସ୍ତପଡ଼ା, କଲ୍ୟାଣପୁର, ବରିମୁଣ୍ଡ, ଇଞ୍ଜଣା ଓ ମଞ୍ଚେଶ୍ୱର ଇଟାଭାଟି ବସ୍ତିଲୋକ ଏହି ନଦୀ ଉପରେ ନିର୍ଭରଶୀଳ। ହେଲେ ଏଥିରେ ସ୍ୱେରେଜ୍‌ ପାଣି, ସହରର ପାଇଖାନା ପାଣି ଓ ବିଭିନ୍ନ କଠିନ ବର୍ଜ୍ୟବସ୍ତୁ ମିଶି ଲୋକଙ୍କ ପାଇଁ ରୋଗର ଗନ୍ତାଘର ପାଲଟିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ କଲ୍ୟାଣପୁର, ବରିମୁଣ୍ଡ, ଚନ୍ଦକା ଓ କଳାରାହାଙ୍ଗ ପଞ୍ଚାୟତର କିଛି ଲୋକଙ୍କୁ କାଛୁ କୁଣ୍ଡିଆ, ପେଟ ରୋଗ ହେବା ଆରମ୍ଭ ହୋଇଛି। ଭୂତଳ ଜଳ ମଧ୍ୟ ଦୂଷିତ ହେବାକୁ ଲାଗିଲାଣି। ଏପଟେ ଓ୍ଵାଟର୍‌ ମ୍ୟାନେଜମେଣ୍ଟ୍‌, ଧର୍ମକୁ ଆଖିଠାର ମାରିଲା ଭଳି ଅଭିଯୋଗ ମିଳିନଥିବା ଦର୍ଶାଇ ଚୁପ୍‌ ବସିଛି। ଫଳରେ କେବଳ ଭାଗ୍ୟକୁ ଆଦରି ରୋଗବୈରାଗକୁ ଆପଣାଉଛନ୍ତି ରାଜଧାନୀ ଉପକଣ୍ଠ ଗ୍ରାମବାସୀ। ସ୍ଥାନୀୟ ଯୁବନେତା ଦେବରାଜ ଭୋଇ ଓ ସୁବାସ ପାତ୍ରଙ୍କ କହିବା ଅନୁଯାୟୀ, ଦିନେ ଚାଷ ପାଇଁ ବ୍ୟବହୃତ ଏହି ନଈର ପାଣି ପାଞ୍ଚଟି ପଞ୍ଚାୟତକୁ ଆହାର ଯୋଗାଉଥିଲା। ହେଲେ ଏବେ ସେଇ ପାଣି ବିଷ ପାଲଟିଛି। ସେହିଭଳି କଳାଝରୀର ମାନସ ପାଣି ଓ ସୁନିଲ୍‌ ଭୋଇଙ୍କ କହିବା ଅନୁଯାୟୀ, ସହରର ଅଳିଆକୁ ଗଙ୍ଗୁଆ ଡ୍ରେନ୍‌ରେ ଢାଳିବା ପରିବର୍ତ୍ତେ କିଛି ଅସାଧୁ ଲୋକ ଟାଙ୍କିରେ ଆଣି ରଘୁନାଥପୁର ବ୍ରିଜ୍‌ ନିକଟରେ ଯାଇଥିବା ବୁଡ଼ୁ ନଈରେ ପକାଉଉନ୍ତି। ଯାହା ଜଣ୍ଡିସ୍‌ ଭଳି ମାରାତ୍ମକ ବ୍ୟାଧିର କାରଣ ପାଲଟିଛି। ତେବେ ଏହି ସମସ୍ୟାର ଯଥାଶୀଘ୍ର ସମାଧାନ କରାନଗଲେ ଗ୍ରାମବାସୀମାନେ ଏକତ୍ରିତ ହୋଇ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର