ବିଶ୍ୱସ୍ତରୀୟ ସ୍ୱପ୍ନକୁ ଝଟ୍‌କା : ଏମିତି ସୁରକ୍ଷିତ ବିମାନବନନ୍ଦର! ଛାତ ତଳେ ଚାଲିଗଲା ଜୀବନ

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ବିଶ୍ବସ୍ତରୀୟ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଯେଉଁ ସ୍ବପ୍ନ ଦେଖୁଛନ୍ତି, ତାହାକୁ ଆଜି ଏକ ବଡ଼ ଝଟ୍‌କା ଲାଗିଛି। ୮୭‌ କୋଟି ଟଙ୍କା ବିନମୟରେ ବିମାନବନ୍ଦରର ଟର୍ମିନାଲ୍‌ ୧ ଓ ୨କୁ ସଂଯୋଗ କରିବା ପାଇଁ ନିର୍ମାଣ ହେଉଥିବା ସେତୁ ଆଜି ଭୁଶୁଡ଼ି ପଡ଼ିଛି। ଫଳରେ ବିଶ୍ବସ୍ତରୀୟ ସ୍ବପ୍ନ ଆଶା ଆଶଙ୍କାକୁ ଠେଲି ହୋଇଯାଇଛି। ବିମାନବନ୍ଦରର ଟର୍ମିନାଲ୍‌ ୧ରେ ଅନ୍ତର୍ଜାତୀୟସ୍ତରର ସୁବିଧା ସୁଯୋଗ ରହିଛି, ସେଭଳି ସୁବିଧା ଟର୍ମିନାଲ୍‌ ୨ରେ କରିବା ଲାଗି ୨ବର୍ଷ ତଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ଟର୍ମିନାଲ୍‌ ୧ରେ ଭଳି ଟର୍ମିନାଲ୍‌ ୨ରେ ସୁବିଧା ଯୋଗାଇ ଦେବା ଲାଗି ୨୦୧୯ ମସିହା ଫେବ୍ରୁଆରି ୨୪ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଶିଳାନ୍ୟାସ କରିଥିଲେ। ବର୍ଷକ ମଧ୍ୟରେ ଏହି କାମ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା। ସେଇ ଅନୁଯାୟୀ ଟର୍ମିନାଲ୍‌ ୧ ଓ ୨କୁ ସଂଯୋଗ ବାଟ ନିର୍ମାଣ ଚାଲିଥିଲା। ତାହାର ପ୍ରାୟ ୩୦ରୁ ୪୦ ପ୍ରତିଶତ କାମ ଶେଷ ହୋଇଥିଲା। ମାତ୍ର ଦ୍ବିତୀୟ ମହଲାର ଛାତ ପଡ଼ୁଥିବା ବେଳେ ଏହା ଆଜି ଭୁଶୁଡ଼ି ପଡ଼ିଛି। ଛାତ ତଳେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆହୁରି କିଛି ଶ୍ରମିକ ମଧ୍ୟ ଛାତ ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି।

ରାତି ୧ଟା୫୦ ଯାଏ ଛାତର ଧ୍ବଂସା‌ବଶେଷ ତଳେ ଫସି ରହିଥିଲେ ଶ୍ରମିକ
କହିଲେ ଶ୍ରମିକଙ୍କ ଭୁଲ୍‌ ପାଇଁ ଏମିତି ହେଇଛି
ରାତି ୧ଟା ୫୦ ପର୍ଯ୍ୟନ୍ତ ଜଣେ ଶ୍ରମିକ ସେଇ ଛାତର ଧ୍ବଂସାବଶେଷ ତଳେ ଫସି ହୋଇ ରହିଥିଲେ। ଅଗ୍ନିଶମ ବିଭାଗର କର୍ମଚାରୀମାନେ ଅକ୍ଲାନ୍ତ ପରିଶ୍ରମ କରି ତାଙ୍କୁ ଉଦ୍ଧାର କରିଥିଲେ। ଅପରପକ୍ଷେ ଦିଲୀପ କନ୍‌ଷ୍ଟ୍ରକ୍ସନର ପରିଚାଳନା ନିର୍ଦେଶକ ଦିଲୀପ ଖଟେଇ କହିଥିଲେ, ଶ୍ରମିକଙ୍କ ଭୁଲ୍‌ ପାଇଁ ଏହି ଅଘଟଣ ଘଟିଛି। ଦିନ ୧୧ଟାରୁ କାମ ଆରମ୍ଭ ହୋଇଥିବା ବେଳେ ରାତି ୧୧ଟାରେ କାମ ସରିବା ପରେ ଏଇ ଅଘଟଣ ଘଟିଛି। ତେବେ ଏଥିପାଇଁ ଶ୍ରମିକମାନେ ଦାୟୀ ବୋଲି ସେ କହିଥିଲେ।

ଓଭର୍‌ଟାଇମ୍‌ରେ କାମ କରାଉଥିଲେ, ଶ୍ରମିକଙ୍କୁ ବିଦା କରିଦେଲେ
ଘଟଣା ଘଟିବା ପରେ ଶ୍ରମିକମାନଙ୍କୁ ତୁରନ୍ତ ସେଠାରୁ ସ୍ଥାନାନ୍ତର କରି ଦିଆଯାଇଥିଲା। ଶ୍ରମିକମାନେ ଗଣମାଧ୍ୟମ ଆଗରେ ବୟାନ ରଖିବା ଆଶଙ୍କା ନେଇ ଏପରି ହୋଇଥିଲା। ଦିଲୀପ କନ୍‌ଷ୍ଟ୍ରକ୍ସନର ଶ୍ରୀ ଖଟେଇ କହିଛନ୍ତି ଯେ ଶ୍ରମିକମାନେ ଓଭର୍‌ଟାଇମରେ କାମ କରୁଥିଲେ। ଘଟଣାସ୍ଥଳରେ ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପହଞ୍ଚି ଉଦ୍ଧାର ଅଭିଯାନ ଜାରି ରଖିବା ପାଇଁ ସାହାଯ୍ୟ କରିବାକୁ ନିବେଦନ କରିଥିଲେ। ନିମ୍ନମାନର କାମ ହେଇଛି ନା ନାହିଁ, ତାହା ପରେ ତଦନ୍ତ କରାଗଲେ ଜଣାପଡ଼ିବ ବୋଲି ସେ କହିଛନ୍ତି। ବିଧାୟକ ଅନନ୍ତ ନାରାୟଣ ଜେନା ଓ ରିଲିଫ କମିସନର ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଓଡ୍ରାଫ ଓ ସିଆଇଏସ୍‌ଏଫ୍‌ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ପରେ ଏନ୍‌ଡିଆର୍‌ଏଫ ଟିମ୍‌ ପହଞ୍ଚିଥିଲା।

ଅଢ଼େଇ ଘଣ୍ଟାର କସରତ ପରେ ମୃତ ଶ୍ରମିକ ଉଦ୍ଧାର
ଅଢ଼େଇ ଘଣ୍ଟା କସରତ କରି ଅଗ୍ନିଶମ ବିଭାଗ ଜଣେ ମୃତ ଶ୍ରମିକଙ୍କୁ ଉଦ୍ଧାର କରିଥିଲା। କଳ୍ପନା, ସେକ୍ରେଟାରିଏଟ୍‌ ଅଗ୍ନିଶମ ବାହିନୀ ଓ ବରମୁଣ୍ଡା ଅଗ୍ନିଶମ ତାଲିମ୍‌ କେନ୍ଦ୍ରର ସହାୟତାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଥିଲା। ମୃତ ବ୍ୟକ୍ତି ବଡ଼ମ୍ବାର ଅନ୍ତର୍ଯ୍ୟାମୀ ଗୁରୁ ଛାତ ତଳେ ମୁହଁ ମାଡ଼ି ପଡ଼ି ରହିଥିଲେ। ତାଙ୍କ ଗୋଡ଼ ଓ ହାତ ରଡ୍‌ରେ ଛନ୍ଦି ହୋଇ ରହିଥିଲା। ତେଣୁ ବେଲ୍‌ଚାରେ ସିମେଣ୍ଟ କାଢ଼ିବା ପରେ ତାଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇଥିଲା ବୋଲି ଅଗ୍ନିଶମ ଅଧିକାରୀ କହିଥିଲେ।

ମନରୁ ଲିଭିନି ବମିଖାଲ୍‌ ଓଭରବ୍ରିଜ୍‌ ଦୁର୍ଘଟଣା
୨୦୧୭ ମସିହା ସେପ୍ଟେମ୍ବର ୧୦ ତାରିଖରେ ବମିଖାଲ ଓଭରବ୍ରିଜ୍‌ର ଛାତ ଭୁଶୁଡ଼ି ଜଣେ ବାଇକ୍‌ ଆରୋହୀଙ୍କ ଜୀବନ ଯାଇଥିବା ବେଳେ ସେହି ସମୟରେ କାର୍ଯ୍ୟରତ ୧୧ ଜଣ ଶ୍ରମିକ ଆହତ ହୋଇଥିଲେ। ପରବର୍ତୀ ସମୟ‌ରେ ଲୁହା ରେଲିଂ କାମ ଚାଲୁଥିବା ବେଳେ ଜଣେ ଶ୍ରମିକଙ୍କ ଜୀବନ ଯାଇଥିଲା। ପଣ୍ଡା ଇନ୍‌ଫ୍ରା କମ୍ପାନି ଏହାର କାମ ନେଇଥିଲା। ପ୍ରଥମେ ଏହି ଓଭରବ୍ରିଜ୍‌ର କାମ ପାଇଁ ୨୦ କୋଟି ଟଙ୍କାର ବଜେଟ୍‌ ଥିବା ବେଳେ ପରବର୍ତୀ ସମୟରେ ଏହା ୪୪ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ସେତେବେଳେ ଏହାକୁ ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

ଶ୍ରମିକଙ୍କ ମଧ୍ୟରେ କୋକୁଆ ଭୟ
ଛାତ ଭୁଶୁଡ଼ିବା ସମୟରେ ସେଠାରେ ପ୍ରାୟ ୨୪ଜଣ ବିଭିନ୍ନ ସ୍ଥାନରେ କାମ କରୁଥିଲେ। ସୌଭାଗ୍ୟବଶତଃ କିଛି ଶ୍ରମିକ ସେଠି ଛିଡ଼ା ହୋଇଥିଲେ ହେଁ ଛାତ ତଳେ ନଥିବାରୁ ବଞ୍ଚି ଯାଇଥିଲେ। ମାତ୍ର ଛାତ ଭୁଶୁଡ଼ିବା ଦେଖି ସେମାନଙ୍କ ମନରେ କୋକୁଆ ଭୟ ଖେଳି ଯାଇଥିଲା। ପାଟିରୁ କଥା ବାହାରୁ ନ ଥିଲା। ସେମାନେ ଘଟଣାର ସାକ୍ଷୀ ଥିଲେ ହେଁ ଭଗବାନଙ୍କ ଦୟାରୁ ବଞ୍ଚି ଯାଇଛନ୍ତି ବୋଲି କହୁଥିଲେ।

ସମ୍ବନ୍ଧିତ ଖବର