ଭୁବନେଶ୍ୱରରେ ହେବ ବିସିଏଏସ୍‌ କାର୍ଯ୍ୟାଳୟ

ବିମାନ ଉଡ଼ାଣବେଳେ ସୁରକ୍ଷା ଚିନ୍ତା

ଭୁବନେଶ୍ୱର : ଭୁବନେଶ୍ୱର ଏବଂ ଏହା ଆଖପାଖ ଅଞ୍ଚଳରେ ଆକାଶରେ ବେସାମରିକ ବିମାନ ଉଡ଼ାଣ ସମୟରେ ଏବଂ ଉଡ଼ାଣ ଜନିତ ସମସ୍ୟାର ମୁକାବିଲା ପାଇଁ ଭୁବନେଶ୍ୱରରେ ହେବ ବ୍ୟୁରୋ ଅଫ୍‌ ସିଭିଲ୍‌ ଆଭିଏସନ୍‌ ସିକ୍ୟୁରିଟି କାର୍ଯ୍ୟାଳୟ। ସାରା ଦେଶରେ ୧୧ଟି ଏହିପରି କାର୍ଯ୍ୟାଳୟ ହେବାକୁ ଥିବାବେଳେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ପରିସରରେ ଏହି କାର୍ଯ୍ୟାଳୟ କରିବାକୁ ରାଜ୍ୟ ସରକାର ସମ୍ମତି ଦେଇଛନ୍ତି।

ଭୁବନେଶ୍ୱର ବିମାନବନ୍ଦର କର୍ତୃପକ୍ଷଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏବେ କୋଲକତାରେ ବିସିଏଏସ୍‌ କାର୍ଯ୍ୟାଳୟ ଥିବାରୁ ବିମାନବନ୍ଦରର ସୁରକ୍ଷା ଏବଂ ସିକ୍ୟୁରିଟି ପାସ୍‌ ଭଳି ବିଭିନ୍ନ କାର୍ଯ୍ୟକ୍ରମ ପାଇଁ କୋଲକାତାକୁ ଆବେଦନ ପଠାଇବାକୁ ପଡ଼ୁଛି। ଏହାବାଦ୍‌ ଭୁବନେଶ୍ୱର ବିମାନବନ୍ଦରରେ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ସଂଖ୍ୟା ବଢ଼ୁଥିବାବେଳେ ଯାତ୍ରୀଙ୍କ ସଂଖ୍ୟା ରେକର୍ଡ ବୃଦ୍ଧି ପାଇଛି। ତେଣୁ ଯାତ୍ରୀ ଓ ବିମାନର ସୁରକ୍ଷା ଦୃଷ୍ଟିରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛି।

ଭୁବନେଶ୍ୱରରେ ବ୍ୟୁରୋ ଅଫ୍‌ ସିଭିଲ୍‌ ଆଭିଏସନ୍‌ ସିକ୍ୟୁରିଟି କାର୍ଯ୍ୟାଳୟ ନ ଥିବାରୁ ବିମାନରେ କୌଣସି ଛୋଟ ଦୁର୍ଘଟଣା ହେଉ କି କୌଣସି ପ୍ରକାରର ସୁରକ୍ଷା ଜନିତ ପଦକ୍ଷେପ ନିଆଯାଉ, ଏଥିପାଇଁ ପ୍ରଥମେ କୋଲକତା କାର୍ଯ୍ୟାଳୟକୁ ଜଣାଇବାକୁ ପଡ଼ୁଥିଲା। ଅଧିକାଂଶ ସମୟରେ ନିର୍ଦ୍ଦେଶ ମିଳିବାରେ ବିଳମ୍ବ ହେଉଥିବାରୁ ତ୍ୱରିତ ପଦକ୍ଷେପ ନିଆଯାଇ ପାରୁନଥିଲା। ଯାହା ଏବେ ସମସ୍ୟା ହେବନି।

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା କହିଛନ୍ତି ଯେ, ବିମାନବନ୍ଦରକୁ ଅନ୍ତର୍ଜାତୀୟ ମାନ୍ୟତା ମିଳିବା ପରେ ଏଠାରେ ବ୍ୟବସାୟିକ କ୍ଷେତ୍ରରେ ବହୁ ଉନ୍ନତି ହୋଇଛି। ବହୁ ଲୋକ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମରେ ବିମାନବନ୍ଦରକୁ ଆସୁଛନ୍ତି, ଏପରିକି କେତେକ ଭିଭିଆଇପି ସେମାନଙ୍କ ସ୍ୱତନ୍ତ୍ର ବିମାନରେ ଆସୁଛନ୍ତି। ଏହି ସମୟରେ ଆବଶ୍ୟକ ପଡ଼ୁଥିବା ସିକ୍ୟୁରିଟି ପାସ୍‌ ପାଇଁ ଆମକୁ କୋଲକାତାସ୍ଥିତ କାର୍ଯ୍ୟାଳୟ ଉପରେ ନିର୍ଭର କରିବାକୁ ପଡ଼ୁଛି। ଟର୍ମିନାଲ ପରିସରରେ ଥିବା ହୋଟେଲ, ଷ୍ଟଲ୍‌ଗୁଡ଼ିକରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ପାସ୍‌ ଦେବା ଓ ନବୀକରଣ କରିବାକୁ ବି ଆମକୁ କୋଲକାତା କାର୍ଯ୍ୟାଳୟ ଉପରେ ନିର୍ଭର କରିବାକୁ ପଡ଼ୁଛି। ଏଠାରେ ବିସିଏଏସ୍‌ କାର୍ଯ୍ୟାଳୟ ହେଲେ ସମସ୍ତ କାର୍ଯ୍ୟ ଏହିଠାରୁ ପରିଚାଳିତ ହେବ। ଏବେ ବିମାନବନ୍ଦରର ସୁରକ୍ଷା ବ୍ୟବସ୍ଥା ସିଆଇଏସ୍‌ଏଫ୍‌ ଉପରେ ନ୍ୟସ୍ତ ଥିବାବେଳେ ବ୍ୟୁରୋ ଅଫ୍‌ ସିଭିଲ୍‌ ଆଭିଏସନ୍‌ ସିକ୍ୟୁରିଟି ଏହାକୁ ପରିଚାଳନା କରୁଛି। ତେଣୁ ଯାତ୍ରୀଙ୍କୁ ଉପରେ ଏହାର କିଛି ପ୍ରଭାବ ପଡ଼ିବନି ବୋଲି ଶ୍ରୀ ହୋତା କହିଛନ୍ତି।

ହ୍ୟାଣ୍ଡ୍‌ ବ୍ୟାଗ୍‌ରେ ଟ୍ୟାଗ୍‌ ଲାଗିବନି
ବିମାନବନ୍ଦରରେ ଯାତ୍ରୀ ଭିଡ଼ କମାଇବା ଏବଂ ଚେକ୍‌ ଇନ୍‌ କରିଥିବା ଯାତ୍ରୀଙ୍କୁ ଲମ୍ବା ଧାଡ଼ିରେ ଛିଡ଼ା ନହୋଇ କେବଳ ସୁରକ୍ଷା ଯାଞ୍ଚ କରି ଯାତ୍ରା କରିବାର ସୁଯୋଗ ଦେବାକୁ ହ୍ୟାଣ୍ଡ ବ୍ୟାଗରୁ ଷ୍ଟାମ୍ପିଂ ବ୍ୟବସ୍ଥା ହଟାଯାଇଛି। ବିମାନବନ୍ଦର ନିର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ, ଆଜିଠାରୁ ଯାତ୍ରୀଙ୍କୁ ହ୍ୟାଣ୍ଡ୍‌ ବ୍ୟାଗ୍‌ରେ ଟ୍ୟାଗ୍‌ ଲଗାଇବାକୁ ପଡ଼ିବନି କି ସେମାନେ ଏଥିରେ ସିକ୍ୟୁରିଟି ଷ୍ଟାମ୍ପିଂ କରିବାକୁ ପଡ଼ିବନି। କେବଳ ଟି-୨ ଟର୍ମିନାଲ ଦେଇ ଯାଉଥିବା ଘରୋଇ ବିମାନ ଯାତ୍ରୀ ଏହି ସୁବିଧା ପାଇବେ। ତେବେ ଟି-୧ ଟର୍ମିନାଲ (ଅନ୍ତର୍ଜାତୀୟ ବିମାନ ଯାତ୍ରୀ)ରେ ପୂର୍ବଭଳି ହ୍ୟାଣ୍ଡ ବ୍ୟାଗରେ ଟ୍ୟାଗ୍‌ ଓ ଷ୍ଟାମ୍ପିଂ ବ୍ୟବସ୍ଥା ବଳବତ୍ତର ରହିବ। ଏହି ନୂତନ ବ୍ୟବସ୍ଥା ପ୍ରାୟ ସମସ୍ତ ବିମାନବନ୍ଦରରେ ଲାଗୁ ହେବ। ନୂଆଦଲ୍ଲୀ, ମୁମ୍ବାଇ, ବେଙ୍ଗାଲୁର ଭଳି ବିମାନବନ୍ଦରରେ ଘରୋଇ ଯାତ୍ରୀଙ୍କ ପାଇଁ ଥିବା ଟର୍ମିନାଲରେ ଏହା ଲାଗୁ ହୋଇଛି।

ରାଞ୍ଚିକୁ ଉଡ଼ିଲା ଏୟାର ଏସିଆ
ଆଜିଠାରୁ ଭୁବନେଶ୍ୱରରୁ ରାଞ୍ଚିକୁ ଏୟାର ଏସିଆର ବିମାନ ସେବା ଆରମ୍ଭ ହୋଇଛି। ପ୍ରତିଦିନ ଉଡ଼ାଣ ହେବାକୁ ଥିବା ଏହି ବିମାନଟି ରାଞ୍ଚିରୁ ପୂର୍ବାହ୍ନ ୧୦ଟା ୩୦ରେ ଉଡ଼ାଣ ଆରମ୍ଭ କରି ୧୧ଟା ୫୦ରେ ଭୁବନେଶ୍ୱରରେ ପହଞ୍ଚିବ। ଆଉ ଅପରାହ୍ନ ୧୨ଟା ୪୫ରେ ଉଡ଼ାଣ ଆରମ୍ଭ କରି ୨ଟାରେ ରାଞ୍ଚିରେ ପହଞ୍ଚିବ। ଉଡ଼ାଣର ପ୍ରଥମ ଦିନରେ ଆଜି ୧୨୪ଜଣ ଯାତ୍ରୀ ରାଞ୍ଚିରୁ ଆସିଥିବାବେଳେ ୪୫ଜଣ ଭୁବନେଶ୍ୱରରୁ ଯାଇଥିଲେ।

 

ସମ୍ବନ୍ଧିତ ଖବର