ହଟିବ ବ୍ୟାଖ୍ୟାନ କେନ୍ଦ୍ର, ତଥାପି କାମ ଚାଲିଛି, ପାଣିରେ ପଡ଼ିବ ସାଢ଼େ ୪କୋଟି

ପୁରୁଣା ଭୁବନେଶ୍ବର : ଶ୍ରୀଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଥିବା ବ୍ୟାଖ୍ୟାନ କେନ୍ଦ୍ର ଉଚ୍ଛେଦ ହେବା ନେଇ ଘୋଷଣା ସରିଛି। ଏହାକୁ ସ୍ଥାନାନ୍ତର କରାଯିବା ନେଇ ନିଷ୍ପତ୍ତି ହୋଇସାରିଛି। କୌଣସି ମୁହୂର୍ତରେ ବି ଏହା ଉପରେ ବୁଲ୍‌ଡୋଜର୍‌ ଚଢ଼ିବାର ସମ୍ଭାବନା ରହିଛି। ଅଥଚ ଏଠାରେ ଚାଲିଥିବା କାମ ବନ୍ଦ ହେଉନାହିଁ। ବରଂ ସରକାରୀ ତହବିଲରୁ ଖର୍ଚ ହେଉଥିବା କୋଟି କୋଟି ଟଙ୍କା ଜାଣିଶୁଣି ବରବାଦ କରାଯାଉଛି। ଏସବୁ ସତ୍ତ୍ବେ କୌଣସି ଅଧିକାରୀଙ୍କୁ ଏହା ଦେଖା ଯାଉନାହିଁ। ଏଣେ ସରକାରୀ ଅଧିକାରୀ କହୁଛନ୍ତି, କାମ ବନ୍ଦ ପାଇଁ ନିର୍ଦେଶ ମିଳିନାହିଁ କି ଏହା ଉଚ୍ଛେଦ ହେବା ବିଷୟ ଆମକୁ ଜଣାନାହିଁ। ତେଣୁ ସରକାରୀ କଳ ମଧ୍ୟରେ ସମନ୍ବୟର ଅଭାବ, ନା ‌ଠିକାଦାରଙ୍କୁ ପୋଷିବା ପାଇଁ ଏଧରଣର ମସୁଧା ଚାଲିଛି, ସେନେଇ ଏବେ ପ୍ରଶ୍ନ ଉଠିଛି।

ଭୁବନେଶ୍ବରକୁ ଐତିହ୍ୟ ସହରର ମାନ୍ୟତା ଦେବା ପାଇଁ ଏକାମ୍ର କ୍ଷେତ୍ରର ଉନ୍ନତୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ୟୁନେସ୍କୋ ବିଶ୍ବ ଐତିହ୍ୟ ସହର ସାମୟିକ ତାଲିକାରେ ଭୁବନେଶ୍ବର ଥିବାରୁ ଏହାକୁ ଐତିହ୍ୟ ସହର ମାନ୍ୟତା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଶ୍ରୀଲିଙ୍ଗରାଜ ମନ୍ଦିର ସମ୍ମୁଖରୁ ସବୁ ହଟିବା ସହ ସେଠାରେ ନିର୍ମାଣାଧୀନ ବ୍ୟାଖ୍ୟାନ କେନ୍ଦ୍ର ମଧ୍ୟ ହଟିବ ବୋଲି ଅଧିକାରୀମାନେ କହୁଛନ୍ତି। ଇତିମଧ୍ୟରେ ମନ୍ଦିର ନିକଟରେ ସରକାରୀ ଜାଗା ଉପରେ ଥିବା ଜବରଦଖଲକୁ ପ୍ରଶାସନ ପକ୍ଷରୁ ପର୍ଯ୍ୟାୟକ୍ରମେ ଉଚ୍ଛେଦ କରାଯାଉଛି। ମନ୍ଦିର, ସ୍ଥାୟୀ ଘର କାହାରିକୁ ବାଦ୍‌ ଦିଆଯାଉନାହିଁ। କିନ୍ତୁ ଆଶ୍ଚର୍ଯ୍ୟର କଥା, ଉଚ୍ଛେଦ ତାଲିକାରେ ଥିବା ବ୍ୟାଖ୍ୟାନ କେନ୍ଦ୍ର କାମ ଯୁଦ୍ଧକାଳୀନ ଭିତ୍ତିରେ ସାରିବା ପାଇଁ କସରତ ଚାଲିଛି। ତେଣୁ ଏଠାରେ ପ୍ରଶ୍ନ ଉଠୁଛି, ୨ ବର୍ଷ ହେଲା ମନ୍ଥର ଗତିରେ ଚାଲିଥିବା ଏହି କେନ୍ଦ୍ରର ନିର୍ମାଣ ଏବେ କାହା ନିର୍ଦ୍ଦେଶରେ ଜୋରସୋର୍‌ରେ ଚାଲିଛି। ତେବେ ସେ ଯାହା ହେଉ ନା କାହିଁକି, ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ବ୍ୟାଖ୍ୟାନ କେନ୍ଦ୍ର ନିର୍ମାଣ ପାଇଁ ସରକାରୀ ତହବିଲ୍‌ରୁ ଖର୍ଚ ହୋଇଥିବା ସାଢ଼େ ୪ କୋଟି ଟଙ୍କା ଏବେ ପାଣିରେ ପଡ଼ିବାକୁ ଯାଉଛି।

ବଡ଼ କଥା ହେଲା, ଏ ସଂପର୍କରେ ଓଟିଡିସି ପାଖରେ ବି ଖବର ନାହିଁ। ଓଟିଡିସି ଯନ୍ତ୍ରୀ ସନ୍ତୋଷ ଜେନା କହିଛନ୍ତି, ଏହି କାମ ଜାନୁଆରି ଦ୍ବିତୀୟ ସପ୍ତାହ ସୁଦ୍ଧା ସାରିବା ପାଇଁ ନିର୍ଦେଶ ରହିଛି। ଭିତର ଭାଗରେ ୯୫ ଲକ୍ଷ ଟଙ୍କାର କାମ ସରିଛି। ଏହି କାମ ବନ୍ଦ ପାଇଁ ନିର୍ଦେଶ ମିଳି ନାହିଁ କିମ୍ବା ଏହା ଭଙ୍ଗା ହେବା ବିଷୟରେ ଆମେ ଜାଣିନାହୁଁ ବୋଲି କହିଛନ୍ତି। ଅପରପକ୍ଷେ ମନ୍ଦିର କାର୍ଯ୍ୟନିର୍ବାହୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ ବ୍ୟାଖ୍ୟାନ କେନ୍ଦ୍ର ଚତୁଃପାର୍ଶ୍ବ ଉଚ୍ଛେଦ ହେବ। କିନ୍ତୁ ବିଏମ୍‌ସିର ଅତିରିକ୍ତ କମିସନର୍‌ କହିଛନ୍ତି, ମନ୍ଦିର ସମ୍ମୁଖରେ ଥିବା ବ୍ୟାଖ୍ୟାନ କେନ୍ଦ୍ରକୁ ଉଚ୍ଛେଦ କରାଯାଇ ଏହା ଅନ୍ୟ ସ୍ଥାନରେ ନିର୍ମାଣ ହେବ। ତେଣୁ ବାସ୍ତବରେ କେବଳ ବ୍ୟାଖ୍ୟାନ କେନ୍ଦ୍ର ଚାରିପଟ ଉଚ୍ଛେଦ ହେବ ନା ସମ୍ପୂର୍ଣ୍ଣ ବ୍ୟାଖ୍ୟାନ କେନ୍ଦ୍ର ଉଚ୍ଛେଦ ହେବ, ସେନେଇ ଏବେ ଦ୍ବନ୍ଦ୍ବ ଉପୁଜିଛି।

ମିଳିଥିବା ସୂଚନା ମୁତାବକ, ୨୦୧୫ ଜୁନ୍‌ ୨୮ତାରିଖରେ ଶ୍ରୀଲିଙ୍ଗରାଜ ମନ୍ଦିର ସମ୍ମୁଖରେ ବ୍ୟାଖ୍ୟାନ କେନ୍ଦ୍ରର ଶୁଭ ଦିଆଯାଇଥିଲା। ଏହି ପ୍ରକଳ୍ପ ୮ମାସ ମଧ୍ୟରେ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ମାତ୍ର ଏଏସ୍ଆଇର ଅନୁମତି ଓ ବଜେଟ୍‌ ଅନୁମୋଦନ ପରେ କାମ ଆରମ୍ଭ ହୋଇ ପୁଣି ୨ବର୍ଷ କାମ ବନ୍ଦ ପଡ଼ିଥିଲା। ଏହି ବିଲ୍‌ଡିଂ ପାଇଁ ଦେଢ଼ କୋଟି ବଜେଟ୍ ରହିଥିବା ବେଳେ ଏହାର ଭିତର କାରୁକାର୍ଯ୍ୟ ପାଇଁ ୩ କୋଟି ଟଙ୍କା ବଜେଟ୍‌ ରହିଛି ବୋଲି ଓଟିଡିସିର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି। ଯଦିଓ ଏହି ପ୍ରକଳ୍ପ ଅନ୍ୟ ଜାଗାକୁ ସ୍ଥାନାନ୍ତର ହେବା ପାଇଁ ଘୋଷଣା ହୋଇଛି, ତଥାପି ତରବରିଆ ଭାବେ ବାକିଆ କାମ ସାରିବାକୁ ଉଦ୍ୟମ କରାଯାଉଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଠିକାଦାର ବିଲ୍‌ ପାଇ ନଥିବାରୁ ଏହି କାମ ଚାଲିଛି ଏବଂ ଟଙ୍କା ପାଇବା ପରେ ଏହି ପ୍ରକଳ୍ପ ଭଙ୍ଗାଯିବ।

ଏକାମ୍ର ଜନ ଜାଗରଣ ମଞ୍ଚର ସଭାପତି ଭୀଷ୍ମ ନାରାୟଣ ନାୟକ କହିଛନ୍ତି ଯେ ସରକାରଙ୍କ ଦୂରଦୃଷ୍ଟି ଓ ସମନ୍ବୟ ଅଭାବରୁ ଏପରି ହୋଇଛି। ବ୍ୟାଖ୍ୟାନ କେନ୍ଦ୍ର ଭଙ୍ଗା ହେବା କଥା ଜାଣି ମଧ୍ୟ ଚାଲିଥିବା କାମକୁ କର୍ତୃପକ୍ଷ ବନ୍ଦ କରୁନାହାନ୍ତି। ଜାଣିଶୁଣି କୋଟି କୋଟି ସରକାରୀ ଟଙ୍କା ବରବାଦ କରାଯାଉଛି। ତେଣୁ ଏହାର ତଦନ୍ତ ସହ କର୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ମଞ୍ଚ ପକ୍ଷରୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର