ଭୁବନେଶ୍ୱର : ଥରେ ବନ୍ୟା ଆସିଲେ ଏ ଖଣ୍ଡମଣ୍ଡଳରେ ଆଉ ମାସେ ଯାଏଁ ମାଛ କିଣିବାକୁ ପଡ଼େନି। ଏଇ ଦୟା ବ୍ରିଜ୍ ତଳେ ମାଛ ଧରା ହୁଏ, ବଣଭୋଜି ବି ହୁଏ। ଫିନ୍ଫିନ୍ ପାଣି ଆଉ ହାଉଯାଉ ଫସଲ ଦେଖିଲେ ପେଟ ପୂରିଯାଏ। ହେଲେ ଇତିହାସ ଯାହାକୁ ଏତେ ମାନ ଦେଇଥିଲା ଆଜି ସେ ନଦୀ ହିନିମାନ ହେଉଛି। ଜେଜେ ବାପ ଅମଳରୁ ଏଇଠି ଏଇ ଚିରସ୍ରୋତା ନଦୀର ରାଶିରାଶି ସୌନ୍ଦର୍ଯ୍ୟକୁ ଅଙ୍ଗେ ନିଭେଇଥିବା ସରଦେଇପୁରର ଅଜୟ ସାହୁ ଏମିତି ବଖାଣିଛନ୍ତି ଦୟା ସହ ତାଙ୍କ ଅନୁଭୂତିକୁ। ଆଜି ଦୟା ନଦୀ ଅଛି ସତ, ହେଲେ ତାକୁ ବିଷ ଦେଇ ପ୍ରତିଟି ମୁହୂର୍ତରେ ହତ୍ୟା କରୁଛି ଏ ସହରୀ ସଭ୍ୟତା।
Sambad is now on WhatsApp
Join and get latest news updates delivered to you via WhatsApp
ବିଷ ଜ୍ୱାଳାରେ ଆଉଟୁପାଉଟୁ ହେଉଛି ଦୟାନଦୀର ଜଳରାଶି। ନିକଟ ଅତୀତରେ ଦୟାନଦୀର ବିଭିନ୍ନ ଅଂଶରୁ ପାଣି ନମୁନା ପରୀକ୍ଷାରୁ ଯେଉଁ ରିପୋର୍ଟ ଆସିଛି ତାହା ସମସ୍ତଙ୍କୁ ଚକିତ କରିଦେଇଛି। ଦୟାନଦୀର ଜଳରେ କଲିଫର୍ଣ୍ଣ ଓ ଥର୍ମୋ ପଲିଫର୍ଣ୍ଣ ଭୂତାଣୁ ରହିଥିବା ଜଣାପଡ଼ିଛି। ସେହିପରି ନିକେଲ, ଲିଡ୍ ଓ ଅନ୍ୟ ଧାତବ ମଧ୍ୟ ଆବଶ୍ୟକତାଠାରୁ ଯଥେଷ୍ଟ ଅଧିକ ପରିମାଣରେ ମିଶି ରହିଥିବା ଜଣାପଡ଼ିଛି। ଫଳରେ ଏଇ ପାଣି ଆଉ ପିଇବା ଯୋଗ୍ୟ ହୋଇ ନାହିଁ। ଏହାକୁ ବ୍ୟବହାର କରୁଥିବା ଲୋକେ ଉଚ୍ଚ ରକ୍ତଚାପ, କିଡ୍ନି ରୋଗ ଓ ପାକସ୍ଥଳୀ ଜନିତ ରୋଗରେ ପୀଡ଼ିତ ହେବାର ଆଶଙ୍କା ରହିଛି। ମୋଟ୍ ଉପରେ ଦେଖିବାକୁ ଗଲେ, ଗଙ୍ଗୁଆ ନଦୀ ହିଁ ଦୟା ନଦୀ ପାଇଁ ବଇରୀ ସାଜିଛି। ଭୁବନେଶ୍ୱରଠାରୁ ୨୦ କିଲୋମିଟର ଦୂରରେ କାକୁଡ଼ିଆ ନିକଟରେ ଗଙ୍ଗୁଆ ନାଳ ଦୟାନଦୀ ସହ ମିଶିବା ପରଠୁ ଦୟାର ଜଳରାଶି ସିଂହଭାଗ ପ୍ରଦୂଷିତ ହୋଇଛି। ବାସ୍ତବ କଥା ହେଉଛି, ଭୁବନେଶ୍ୱରର ୯ଟି ମୁଖ୍ୟ ଡ୍ରେନ୍ରୁ ବର୍ଜ୍ୟଜଳ, ବର୍ଜ୍ୟବସ୍ତୁ ଯାଇ ଗଙ୍ଗୁଆ ନାଳରେ ପଡ଼ୁଛି। ଏତଦ୍ବ୍ୟତୀତ ନଦୀରେ ହୋମଯଜ୍ଞର ସାମଗ୍ରୀ ବିସର୍ଜନ, ମୂର୍ତି ବିସର୍ଜନ, ବିଭିନ୍ନ ଡାକ୍ତରଖାନାର ବର୍ଜ୍ୟବସ୍ତୁ ଓ ବର୍ଜ୍ୟଜଳ ନଦୀକୁ ବିଷ ଜ୍ୱାଳାରେ ଛଟପଟ କରୁଛି।
କଳିଙ୍ଗ ଯୁଦ୍ଧର ମୂକସାକ୍ଷୀ ଦୟାନଦୀର ଇତିହାସ କାହାକୁ ଅଛପା ନାହିଁ। ୭୦କିଲୋମିଟର ଦୀର୍ଘ ଦୟାନଦୀ ନିକଟସ୍ଥ ସରଦେଇପୁର ଦେଇ ପ୍ରବାହିତ ହୋଇ ଚିଲିକାରେ ମିଶିଛି। କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚର ମୁଖ୍ୟ ସଂଗ୍ରାମ କେଶରୀ ପାଇକରାୟ ଏକ ସର୍ବେକ୍ଷଣକୁ ଆଧାର କରି କୁହନ୍ତି, ଅନ୍ୟୁନ ୭୦ ହଜାର ପରିବାର ଏବେବି ଦୟାନଦୀର ଜଳକୁ ପାନୀୟ ଜଳ ଭାବେ ବ୍ୟବହାର କରିବା ସହ ଗାଧୁଆ ପାଧୁଆ କରନ୍ତି। ପାଖାପାଖି ୧୨୦୦ ହେକ୍ଟର ଜମି ଦୟାନଦୀ ମାଧ୍ୟମରେ ଜଳସେଚିତ ହୁଏ। ୧ହଜାରରୁ ଊର୍ଧ୍ୱ ମତ୍ସ୍ୟଜୀବୀ ପରିବାରଙ୍କ ନିମନ୍ତେ ଦୟାନଦୀ ଗୁୁଜୁରାଣ ମେଣ୍ଟାଇବାର ଉତ୍ସ। ସବୁଠୁ ବଡ଼ କଥା ହେଲା, ଖୋର୍ଧା, ଜଟଣୀ ଓ ଭୁବନେଶ୍ୱରର କିଛି ଅଂଶକୁ ଦୟାରୁ ପାନୀୟ ଜଳ ଯୋଗାଣ ହୋଇଥାଏ। ସୁତରାଂ ଅନ୍ୟୁନ ୩ଲକ୍ଷରୁ ଊର୍ଧ୍ୱ ଲୋକଙ୍କ ପାଇଁ ଏହି ନଦୀ ଜୀବନରେଖା ସଦୃଶ। ମାତ୍ର ଦୟାକୁ ନେଇ ଆଜି ପର୍ଯ୍ୟନ୍ତ ସ୍ୱର ତୀବ୍ର ହୋଇନାହିଁ। ଦିନେ ରକ୍ତରେ ଲାଲ ହୋଇଯାଇଥିବା ଦୟା ନଦୀର ଆଖିରୁ କଳା କିଟିକିଟି ଲୁହ ବୋହୁଛି। ହେଲେ ସଚେତନ ନାଗରିକ, ବୁଦ୍ଧିଜୀବୀ, ସାମାଜିକ ସଂଗଠନ, ପରିବେଶବିତ୍ ଓ ଚିନ୍ତାଶୀଳ ବ୍ୟକ୍ତିମାନେ ବୁକୁ ଫଟେଇ କାନ୍ଦୁଥିବା ଦୟାକୁ ଉଦ୍ଧାର କରିବାକୁ ଆଗେଇ ଆସିନାହାନ୍ତି। ଦୟା ପ୍ରତି ସମସ୍ତେ ଯେମିତି ନିର୍ଦୟ ହୋଇଯାଇଛନ୍ତି।
ସରଦେଇପୁର, କୁମାରଢିଅ, ନଖାଉରପାଟଣା, ନାଥପୁର, ନୂଆଗାଁ, ଲିଙ୍ଗିପୁର, ଜଇପୁର, ଇତିପୁର ଓ କୁକୁଡ଼ାଘାଇ ପାଟଣା ଭଳି ଗାଁ’ର ବାସିନ୍ଦାମାନେ ଆଜି ବି ଦୟାର ସେଇ ସୁନ୍ଦର ଅତୀତକୁ ଝୁରି ହୁଅନ୍ତି। ନଦୀ ପାଖରେ ତାଙ୍କ ଜମିରେ ଧାନ, ଆଖୁ, କୋଳଥ, ବାଦାମ, ମାଣ୍ଡିଆ ପ୍ରଚୁର ପରିମାଣରେ ଫଳୁଥିବା ବେଳେ ଏବେ କାଁ ଭାଁ ଚାଷ ହେଉଛି। କେବଳ ଯାହା ପୋଟଳ, ଟମାଟୋ, ବାଇଗଣ, ଜହ୍ନି, କାକୁଡ଼ି, ଭେଣ୍ଡି ଭଳି ପରିବାରେ ସୀମିତ ରହିଛି ଦୟା କୂଳ ଫସଲ। ଏବେ ପାଣି ସିନା ଅଛି, କିନ୍ତୁ ସେଦିନ ଭଳି ଆଉ ନଦୀର ସ୍ଥାନେସ୍ଥାନେ ସୃଷ୍ଟି ହେଉଥିବା ଖାଲରେ ବାଳିଆ ମାଛ ସାଲୁବାଲୁ ହେଉନାହାନ୍ତି। ପୁଣି ଶିଙ୍ଗି, ପୋହଳା, ଶେଉଳ, ଚିଙ୍ଗୁଡ଼ି ଆଦି ଦୟା ନଦୀରେ ସ୍ୱପ୍ନ ହେଲାଣି। ଏକଥା ନିଶ୍ଚିତ ଯେ ଯେପର୍ଯ୍ୟନ୍ତ ଗଙ୍ଗୁଆ ନାଳ ପାଇଁ ବିକଳ୍ପ ପଥ ସୃଷ୍ଟି ନହେଇଛି ସେଯାଏଁ ଦୟାକୁ ଉଦ୍ଧାର କରିବା କଷ୍ଟକର ବ୍ୟାପାର। ମାତ୍ର ଏ ଦିଗରେ ଅନେକ ବିଶେଷଜ୍ଞଙ୍କ ସହଯୋଗ ଲୋଡ଼ିବାର ଗୁରୁତ୍ୱପୂର୍ଣ୍ଣ ସମୟ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦୟାନଦୀ ଚିଲିକାରେ ମିଶିଥିବାରୁ ଦୟାର ପ୍ରଦୂଷଣ ଜଳ ଚିଲିକାକୁ ବି ଆକ୍ରାନ୍ତ କରିଛି। ତେଣୁ ଏ ଦିଗରେ ସରକାର ପଦକ୍ଷେପ ନନେଇ ନିଦା ବିଷ୍ଣୁ ଭଳି ବସିରହିଲେ ଆଗକୁ ଯେ ଅବସ୍ଥା ଅସମ୍ଭାଳ ହେବ ତାହା ଭୁଲିଯିବା ଉଚିତ ନୁହେଁ।