ଦୁଷ୍କର୍ମ ବିରୋଧରେ ଓୟୁଏଟି ଛାତ୍ରଛାତ୍ରୀଙ୍କ ମହମବତି ଶୋଭାଯାତ୍ରା

ଭୁବନେଶ୍ୱର : ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ୫ଟା ବେଳେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ପ୍ରତିବାଦ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀମାନେ ଶିରିପୁର ଛକରୁ ଶୋଭାଯାତ୍ରାରେ ଗୋପବନ୍ଧୁ ଛକ ଓ ସୌଭାଗ୍ୟନଗର ଦେଇ ବିଶ୍ୱବିଦ୍ୟାଳୟ ପରିସରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଏଥିରେ ବିଶ୍ୱବିଦ୍ୟାଳୟର ପ୍ରାୟ ୬ଶହରୁ ଊର୍ଧ୍ୱ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଦେଶ ତଥା ରାଜ୍ୟରେ ବଢ଼ୁଥିବା ନାରୀ ନିର୍ଯାତନା ତଥା ଦୁଷ୍କର୍ମ ବିରୋଧରେ ଛାତ୍ରଛାତ୍ରୀମାନେ ପ୍ଲାକାର୍ଡ ଓ ପୋଷ୍ଟର ମାଧ୍ୟମରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଥିଲେ। ଏହାସହ ଦୁଷ୍କର୍ମ ପୀଡ଼ିତାମାନଙ୍କ ଉଦ୍ଦେଶ୍ୟରେ ମହମବତି ଜାଳି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମକୁ ସିଦ୍ଧାର୍ଥ ଶଙ୍କର ଦାଶ, ବିଶ୍ୱବାରା ବିଶ୍ୱାଳ, ସୁଜ୍ଞାନୀ ପଣ୍ଡା, ସାରା ମଲ୍ଲିକ, ନାଜ୍‌ମିନ୍‌ ଅଖ୍‌ତାର୍‌, ସ୍ମରଣିକା ଦାସ, ରିତିଶା ଖାଡ଼ଙ୍ଗା ପ୍ରମୁଖ ପରିଚାଳନା କରିଥିଲେ। ଏଥିରେ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ, ଛାତ୍ରକଲ୍ୟାଣ ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ବାବୁ, କୃଷି ବିଶ୍ୱବିଦ୍ୟାଳୟ ଅଧ୍ୟକ୍ଷ ଲଳିତ ମୋହନ ଗଡ଼ନାୟକ ଓ ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର