ଅସୁରକ୍ଷିତ ରାଜଧାନୀ: ଆଜବେଷ୍ଟସ୍‌ ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ମୋବାଇଲ୍‌

ଚନ୍ଦ୍ରଶେଖରପୁର: ଡମଣା ଛକ ନିକଟରେ ଥିବା ଏକ ଦୋକାନରୁ ଗତ ରାତିରେ ଏକ ବଡ଼ଧରଣର ଲୁଟ୍‌ ହୋଇଛି। ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଦୋକାନର ଆଜବେଷ୍ଟସ୍‌ ଭାଙ୍ଗି ଲକ୍ଷାଧିକ ଟଙ୍କାର ମୋବାଇଲ ଓ ଅନ୍ୟାନ୍ୟ ଜିନିଷପତ୍ର ଲୁଟି ନେଇଛନ୍ତି। ଲୁଟ୍‌ ସାମଗ୍ରୀର ମୂଲ୍ୟ ପାଖାପାଖି ୧୫ଲକ୍ଷ ଟଙ୍କା ହେବ ବୋଲି ଦୋକାନ ମାଲିକ ମନୋରଂଜନ ପରିଡ଼ା ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ମଧ୍ୟାହ୍ନ ପ୍ରାୟ ୨ଟା ବେଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ସୂଚନା ଅନୁଯାୟୀ ଡମଣା ଛକ ନିକଟରେ ମନୋରଂଜନଙ୍କ ଦ’ ମୋବାଇଲ୍ ନାମକ ଏକ ଦୋକାନ ରହିଛି। ସବୁ ଦିନ ଭଳି ଗତକାଲି ରାତିରେ ସେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ତାଙ୍କ ଦୋକାନ ଆଜବେଷ୍ଟସ୍‌ ଭାଙ୍ଗି ଦୋକାନରେ ଥିବା ପ୍ରାୟ ୧୫ ଲକ୍ଷ ଟଙ୍କା ମୂଲ୍ୟର ମୋବାଇଲ୍‌ ଓ ଅନ୍ୟାନ୍ୟ ଜିନିଷପତ୍ର ଲୁଟି ନେଇଥିଲେ। ଏହି ଅଞ୍ଚଳରେ ପୁଲିସ୍ ଠିକ୍‌ ଭାବେ ପାଟ୍ରୋଲିଂ କରୁନଥିବାରୁ ବାରମ୍ବାର ଏପରି ଲୁଟ୍ ହେଉଥିବା ସ୍ଥାନୀୟ ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି। ଗତ ୭ ଦିନ ତଳେ ଏଠାରୁ ଆଉ ଏକ ବଡ଼ ଧରଣର ଲୁଟ୍‌ ହୋଇଛି।

ବନ୍ଧୁକ ଦେଖାଇ ମ୍ୟାନେଜରଙ୍କୁ ଧମକ‌, ସିକ୍ୟୁରିଟି ଗାର୍ଡ ଅଟକ
ପୁରୁଣା ଭୁବନେଶ୍ୱର: ବିବେକାନନ୍ଦ ମାର୍ଗସ୍ଥିତ ଏକ ସିକ୍ୟୁରିଟି ସଂସ୍ଥାର ମ୍ୟାନେଜର୍‌ଙ୍କୁ ବନ୍ଧୁକ ଦେଖାଇ ଧମକ ଦେବା ଅଭିଯୋଗରେ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି। ପୁଲିସ ସୂଚନା ଅନୁଯାୟୀ, ଏଠାରେ ଥିବା ଏସ୍‌ଆଇଏସ୍‌ ସିକ୍ୟୁରିଟି ସଂସ୍ଥାରେ ଜଣେ ଯୁବକ କାର୍ଯ୍ୟ କରନ୍ତି। କିଛି ଦିନ ହେଲା ସେ କାମ କରିନଥିବାରୁ ମ୍ୟାନେଜର୍‌ ତାଙ୍କୁ ଦରମା ଦେଇନଥିଲେ। ଏନେଇ ସେ ମ୍ୟାନେଜର ଶିବ କୁମାର ମହାନ୍ତିଙ୍କୁ ଅଭିଯୋଗ କରିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଯୁବକଜଣକ ତାଙ୍କ ଡ୍ୟୁଟି ବନ୍ଧୁକ ଦେଖାଇ ଶିବଙ୍କୁ ଧମକ ଦେବା ସହ ଗାଳିମନ୍ଦ କରିଥିଲା। ଏନେଇ ଶିବ ପରେ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ।

୨ଲୁଟେରା ଗିରଫ, ମୋବାଇଲ୍‌ ଜବତ
ଭୁବନେଶ୍ବର: ସହିଦନଗର ଥାନା ପୁଲିସ ୨ଲୁଟେରାଙ୍କୁ ଗିରଫ କରିବା ସହ ୨ଟି ମୋବାଇଲ୍‌ ଜବତ କରିଛି। ସେମାନେ ହେଲେ ଖାରବେଳନଗର ଥାନା ଅଧୀନ ସୁଧାନିଧିଶ୍ବର ବସ୍ତିର ଲୋକନାଥ ନାୟକ(୨୪) ଓ ମା’ମଙ୍ଗଳା ବସ୍ତିର ବାଦଲ ନାୟକ(୨୧)। ସୋମବାର ବିଳମ୍ବିତ ରାତିରେ ସହିଦନଗର ଥାନା ପୁଲିସ ବାଣୀବିହାର ନିକଟରେ ପାଟ୍ରୋଲିଂ କରୁଥିବା ସମୟରେ ଲୋକନାଥ ଏବଂ ବାଦଲ ସନ୍ଦେହଜନକ ଭାବେ ବୁଲୁଥିଲେ। ପୁଲିସକୁ ଦେଖି ସେମାନେ ଫେରାର୍‌ ଉଦ୍ୟମ କରିଥିଲେ। ହେଲେ ପୁଲିସ ଗୋଡ଼ାଇ ଗୋଡ଼ାଇ ଉଭୟଙ୍କୁ କାବୁ କରିଥିଲା।

ସମ୍ବନ୍ଧିତ ଖବର