ରାଜଧାନୀ ପୁସ୍ତକ ମେଳା: ବହି କିଣାକୁ ସୁସ୍ବାଦୁ ଖାଦ୍ୟର ମଜା

ଭୁବନେଶ୍ବର: ଓଡ଼ିଶାର ସର୍ବବୃହତ୍‌ ବହି ମେଳା ‘ରାଜଧାନୀ ପୁସ୍ତକ ମେଳା’ ସରିବାକୁ ଆଉ ୩ ଦିନ ବାକିଥିବା ବେଳେ ଆଜି ମେଳା ପରିସରରେ ପ୍ରବଳ ଭିଡ଼ ହୋଇଥିବା ଦେଖା ଯାଇଥିଲା। ଭିନ୍ନ ଭିନ୍ନ ବର୍ଗର ପାଠକ ନିଜ ପସନ୍ଦ ମୁତାବକ ପୁସ୍ତକ ସଂଗ୍ରହ କରିଥିଲେ। କେହି କେହି ମେଳା ପରିସରରେ ଥିବା ସୁସ୍ବାଦୁ ଖାଦ୍ୟର ମଜା ବି ନେଇଥିଲେ। ମେଳା ପରିସରରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଖୋଲିଥିବା ଷ୍ଟଲରେ ମହାପ୍ରଭୁଙ୍କ ବଡ଼ସିଂହାର ବେଶ ଦେଖିବାକୁ ମଧ୍ୟ ଲୋକଙ୍କ ଗହଳି ଲାଗିଥିଲା। ଏଠାରେ ଶ୍ରୀଜଗନ୍ନାଥଙ୍କ ସଂପର୍କିତ ସମସ୍ତ ପୁସ୍ତକ, ସିଡି, କ୍ୟାସେଟ୍‌, କ୍ୟାଲେଣ୍ଡର ଓ ମୂର୍ତି ଉପଲବ୍ଧ ହେଉଛି।

ପୁସ୍ତକ ମେଳା ପରିସରରେ ପ୍ଲେ-ସ୍କୁଲର ଭ୍ରମ
ଭଳିକି ଭଳି ଖେଳ ପସରା, ପିଲାଙ୍କ ପାଇଁ ପଜଲ୍‌ସ ପୁଣି ବିଭିନ୍ନ ସୃଜନାତ୍ମକ ଖେଳ ସହ ଶିକ୍ଷାର ସମ୍ଭାର ସୃଷ୍ଟି କରୁଛି ପ୍ଲେ ସ୍କୁଲର ଭ୍ରମ। କାନ୍ଥରେ ସଜାଯାଇଥିବା ବିଭିନ୍ନ ପଶୁଙ୍କୁ ଚିହ୍ନିବା ପାଇଁ ଫଟୋ, ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ, ବିଭିନ୍ନ ଫଳ ଓ ପନିପରିବା ତଥା ଓଡ଼ିଆ, ଇଂରାଜୀ ଓ ହିନ୍ଦୀ ଅକ୍ଷର ଲେଖା ବୋର୍ଡ, କାର୍ଟୁନ ଛୋଟ ପିଲାଙ୍କୁ ଆକର୍ଷିତ କରୁଛି। ରାଜଧାନୀ ପୁସ୍ତକ ମେଳାରେ ଏପରି ତିନୋଟି ଷ୍ଟଲ ଖୋଲିଛି। ଏଠାରେ ମଧ୍ୟ ପିଲାଙ୍କ ପାଇଁ ଚେୟାର, ପଢ଼ା ଟେବୁଲ, ଡାଇନିଂ, ଖସଡ଼ା ଖେଳ, ମ୍ୟୁଜିକ ଚେୟାର ଓ ବିଭିନ୍ନ ଖେଳ ସାମଗ୍ରୀ ମିଳୁଛି। ଦିଲ୍ଲୀରୁ ଆସିଥିବା ‘ଟାଇନି ଏଜୁକେସ୍‌ନାଲ୍‌ ଏଡ୍‌ସ୍‌’ର ପ୍ରତିନିଧି ଶଶିଭୂଷଣ କୁମାର କୁହନ୍ତି, ୩ ବର୍ଷ ହେଲା ଆମେ ଏହି ପୁସ୍ତକ ମେଳାକୁ ଆସୁଛୁ। ତାଙ୍କ ପାଖରେ ଇଂରାଜୀ, ହିନ୍ଦୀ ଓ ଓଡ଼ିଆ ଭାଷାର ଛୋଟ ଛୁଆଙ୍କୁ ଶିଖାଇବାର ସମସ୍ତ ଉପକରଣ ଓ ପ୍ଲେ ସ୍କୁଲରୁ ୧୦ ବର୍ଷ ପର୍ଯ୍ୟନ୍ତ ଛୁଆଙ୍କ ପାଇଁ ଖେଳ ଓ ଶିକ୍ଷା ସାମଗ୍ରୀ ଉପଲବ୍ଧ। ଗତ ୬ ଦିନରେ ସେ ୮୫ ଲକ୍ଷ ଟଙ୍କାର ବ୍ୟବସାୟ କରିଥିବା ବେଳେ ଶେଷ ୩ ଦିନରେ କୋଟିଏରୁ ଊର୍ଧ୍ବ ଟଙ୍କାର ବ୍ୟବସାୟ କରିବେ ବୋଲି ଆଶା ରଖିଛନ୍ତି।

ଶେଷ ୩ ଦିନରେ ‘ଆମ ଓଡ଼ିଶା’ର ରିହାତି
ରାଜଧାନୀ ପୁସ୍ତକ ମେଳାର ଶେଷ ତିନି ଦିନ ପାଇଁ ‘ଆମ ଓଡ଼ିଶା’ ଷ୍ଟଲ୍‌ରେ ସ୍ବତନ୍ତ୍ର ରିହାତି ଯୋଜନା କରାଯାଇଛି। ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାରପ୍ରାପ୍ତ ୪ଟି ବହି ମାତ୍ର ୩୦୦ ଟଙ୍କାରେ ମିଳିବ। ‘ସମ୍ବାଦ- ଆମ ଓଡ଼ିଶା’ର ୨୩ ନମ୍ବର ଷ୍ଟଲରେ ଏହି ୪ଟି ପୁସ୍ତକ ଉପଲବ୍ଧ ହେବ। ଦାଶ ବେନହୁରଙ୍କ ‘କୁନା ପାଇଁ ଅନାବନା ଗୀତ’ (୩୦ ଟଙ୍କା), ଅସିତ ମହାନ୍ତିଙ୍କ ‘ବାପୁ ମୋ ମାଆ’ (୬୦ ଟଙ୍କା), ବିଜୟ କୁମାର ପ୍ରଧାନଙ୍କ ‘ଅଜାତ ସୁନ୍ଦରୀ ଓ ଅନ୍ୟାନ୍ୟ ଗଳ୍ପ’ (୧୦୦ଟଙ୍କା) ଓ ସୀତେଶ ତ୍ରିପାଠୀଙ୍କ ‘‌ତେଜସ୍ବିନୀ’ (୨୫୦ ଟଙ୍କା), ଏହି ଚାରିଟି ଯାକ ପୁସ୍ତକର ମୋଟ୍‌ ମୂଲ୍ୟ ୪୪୦ ଟଙ୍କା ରହିଥିବା ବେଳେ ପାଠକଙ୍କ ପାଇଁ ଏହା ମାତ୍ର ୩୦୦ ଟଙ୍କାରେ ଉପଲବ୍ଧ ହେବ। ପ୍ରକ‌ାଶ ଥାଉ କି, ଚଳିତ ବର୍ଷ ‘ଆମ ଓଡ଼ିଶା’ ଶ୍ରେଷ୍ଠ ପ୍ରକାଶକ ଭାବେ ରାଜଧାନୀ ପୁସ୍ତକ ମେଳାର ଉଦ୍‌ଯାପନୀ ସନ୍ଧ୍ୟା ୧୪ ତାରିଖ ଦିନ ପୁରସ୍କୃତ ହେବ।

‘ସାହିତ୍ୟ ଓ ଜାତୀୟତାବାଦ’ ଶୀର୍ଷକ ଆଲୋଚନାଚକ୍ର
ପୁସ୍ତକ ମେଳା ମଞ୍ଚରେ ଆଜି ‘ଜାତୀୟ ସାହିତ୍ୟ ପ୍ରକାଶନୀ’ ପକ୍ଷରୁ ‘ସାହିତ୍ୟ ଓ ଜାତୀୟତାବାଦ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ପ୍ରକାଶନୀର ସଭାପତି ବାବାଜୀଚରଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଆଲୋଚନାଚକ୍ରରେ ପ୍ରଫେସର ଶକୁନ୍ତଳା ବଳିଆରସିଂହ, ସୁବକ୍ତା ଜଗବନ୍ଧୁ ମିଶ୍ର, ଅନୁବାଦକ ତଥା ସମାଲୋଚକ ବସନ୍ତ କୁମାର ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରକାଶନୀର ସମ୍ପାଦକ ଭାଗବତ ପ୍ରସାଦ ସ୍ବାଇଁ ପ୍ରାରମ୍ଭିକ ସୂଚନା ଦେଇଥିଲେ ଓ କୋଷାଧ୍ୟକ୍ଷ ଶୁଭାଶିଷ ମିଶ୍ର ସ୍ବାଗତ ଭାଷଣ ଦେଇଥିଲେ।

ଫେସନ୍‌, ଇଣ୍ଟେରିୟର୍‌ ଡିଜାଇନିଂ ପାଠ୍ୟକ୍ରମ

ଓଡ଼ିଶାର ଯୁବପିଢ଼ି ଫେସନ୍‌ ଡିଜାଇନିଂ ଓ ଇଣ୍ଟେରିୟର୍‌ ଡିଜାଇନିଂ ଆଦିର ନାମ ଶୁଣିଥିବେ ନିଶ୍ଚୟ। ହେଲେ ଏଥିରେ କ୍ୟାରିୟର କରିବା ଓ ଅର୍ଥ ରୋଜଗାର କରିବାର ବାଟ ହୁଏତ ଅନେକଙ୍କୁ ଜଣା ନଥିବ। ଏହି ସବୁ ‌ପାଠ୍ୟକ୍ରମ ବିଷୟରେ ସୂଚନା ଦେବା ତଥା ଯୁବପିଢ଼ିଙ୍କୁ ଉତ୍ସାହିତ କରିବା ପାଇଁ ମେଳା ପରିସରରେ ‘ଟ୍ରାଇଟୁନ ଏକାଡେମି’ ପକ୍ଷରୁ ଏକ ଷ୍ଟଲ ଖୋଲିଛି। ବିଭିନ୍ନ ଶସ୍ତା ଓ ବର୍ଜ୍ୟବସ୍ତୁକୁ ନେଇ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ଘରସଜ୍ଜା ସାମଗ୍ରୀ ଯଥା ଲ୍ୟାମ୍ପ ସେଟ୍‌, ପେନ୍‌ ଷ୍ଟାଣ୍ଡ, ମୋବାଇଲ୍‌ ଷ୍ଟାଣ୍ଡ ଓ ହାତ ତିଆରି ଫେବ୍ରିକ ପ୍ରିଣ୍ଟ୍‌ ଟି ସାର୍ଟ, କୁର୍ତ୍ତି, ସାର୍ଟ ଆଦି ପ୍ରଦର୍ଶିତ ହେଉଛି। ଏହି ପାଠ୍ୟକ୍ରମ ବିଷୟରେ ବୁଝାବୁଝି କରିବାର ସୁଯୋଗ ମଧ୍ୟ ସୃଷ୍ଟି ହୋଇଛି ବୋଲି ଫେସନ୍‌ ଡିଜାଇନିଂର ଛାତ୍ରୀ ମୌସୁମୀ ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର