ରାଜଧାନୀ ପୁସ୍ତକମେଳା ପୁରସ୍କାର ଘୋଷଣା

ଭୁବନେଶ୍ବର: ରାଜଧାନୀ ପୁସ୍ତକମେଳା ପୁରସ୍କାର ଘୋଷିତ ହୋଇଛି। ଚଳିତ ବର୍ଷ ପ୍ରବନ୍ଧ ପୁସ୍ତକ ‘ଭାବ ବିନିମୟ ଓ ଯୋଗାଯୋଗର ଭାଷା ମାଧ୍ୟମ’ ପାଇଁ ଲେଖକ ନୃସିଂହ ଷଡ଼ଙ୍ଗୀ, ଉପନ୍ୟାସ ‘ମହାରାଜା’ ପାଇଁ ଲେଖକ ଅଜୟ ମହାପାତ୍ର, ପୁସ୍ତକ ‘ଶକୁନ୍ତଳାର ଝିଅ’ ପାଇଁ ଇତି ସାମନ୍ତଙ୍କୁ ଔପନ୍ୟାସିକ କାଳୀପ୍ରସାଦ ଦାସ ଉପନ୍ୟାସ ସମ୍ମାନ, କ୍ଷୁଦ୍ରଗଳ୍ପ ‘ରାସେଶ୍ବରୀ’ ପାଇଁ ଦେବାଶିଷ ପାଣିଗ୍ରାହୀ, କବିତା ପୁସ୍ତକ ‘ଶେଷ ଦୃଶ୍ୟ’ ପାଇଁ ସୁଶାନ୍ତ କୁମାର ନାୟକ ଏବଂ ‘ଦିନ ପରେ ଦିନ’ ପାଇଁ ଅକ୍ଷୟ ବେହେରା, ଅନୁବାଦ ପୁସ୍ତକ ‘ଶିଖି ଗୁରୁଙ୍କ ଜୀବନ କଥା-ସୁରଜ ପ୍ରକାଶ’ ପାଇଁ ସାଧନା ପତ୍ରୀ, ବିଜ୍ଞାନ ପୁସ୍ତକ ‘ସମୟ ଓ ବିଶ୍ବର ରହସ୍ୟ’ ପାଇଁ ରବି ମହାପାତ୍ର, ଭ୍ରମଣ କାହାଣୀ ପୁସ୍ତକ ‘ଉର୍ମି ଅଧିରା ରୂପସୀ ଚିଲିକା’ ପାଇଁ ଦୀପ୍ତି ରଂଜନ ମାର୍ଥା, ଶିଶୁ ସାହିତ୍ୟ ପୁସ୍ତକ ‘କୁନା ପାଇଁ କୁନି ପାଇଁ’ ନିମନ୍ତେ ନୀଳମଣି ଚାନ୍ଦ, ଧର୍ମ ପୁସ୍ତକ ‘ଶ୍ରେଷ୍ଠ କ୍ଷେତ୍ର ‌ଶ୍ରୀକ୍ଷେତ୍ର’ ପାଇଁ ବିଜୟଲକ୍ଷ୍ମୀ ସାହୁ, ଜୀବନୀ ସାହିତ୍ୟ ‘ଟର୍ଣ୍ଣିଂ ପଏଣ୍ଟ୍‌’ ପାଇଁ ଅରୁଣ କୁମାର ସାହୁ ଓ ଅରବିନ୍ଦ ରାୟ, ଗୀତିକବିତା ପୁସ୍ତକ ‘ତୁମେ କି ବୁଝିବ ପ୍ରିୟେ’ ପାଇଁ ନିରଂଜନ ସେଠୀଙ୍କୁ କବି ସୁଧାଂଶୁ ମୋହନ ରାଉତରାୟ ସ୍ମୃତି ପୁରସ୍କାର ଏବଂ ଓଡ଼ିଆ ପୁସ୍ତକ ପ୍ରକାଶନ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ‘ଆମ ଓଡ଼ିଶା’କୁ ଚଳିତବର୍ଷର ରାଜଧାନୀ ପୁସ୍ତକମେଳା ପୁରସ୍କାର ପ୍ରଦାନ କରାଯିବ। ପୁସ୍ତକମେଳା କମିଟି ସଭାପତି ଉପେନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ବିଧୁଭୂଷଣ ପଟ୍ଟନାୟକ, ଆବାହକ ରମେଶ ଚନ୍ଦ୍ର ସ୍ବାଇଁ, ସଭ୍ୟ ବୀରକିଶୋର ପ୍ରଧାନ, ଆକୁଳଚନ୍ଦ୍ର ନାଥ, କମଳିନୀ ମଲ୍ଲିକ ପ୍ରମୁଖ ଯୋଗଦେଇ ପୁରସ୍କାର ‌ ଘୋଷଣା କରିଛନ୍ତି। ଆସନ୍ତା ୧୪ ତାରିଖରେ ପୁସ୍ତକମେଳାର ଉଦ୍‌ଯାପନୀ ସନ୍ଧ୍ୟାରେ ଏହି ପୁରସ୍କାର ପ୍ରଦାନ କରାଯିବ।

‘ସାହିତ୍ୟକୋଷ’ କିଣିବାକୁ ଭିଡ଼
୧୨୦ରୁ ଊର୍ଧ୍ବ ସାହିତ୍ୟିକଙ୍କ ସାହିତ୍ୟକୁ ନେଇ ‘ଆମ ଓଡ଼ିଶା’ ପକ୍ଷରୁ ପ୍ରକାଶିତ ‘ସାହିତ୍ୟକୋଷ’ ପୁସ୍ତକରେ ସ୍ବତନ୍ତ୍ର ରିହାତି ଦିଆଯାଉଛି। ୨୩ ନମ୍ବର ଷ୍ଟଲ୍‌ରେ ଉପଲବ୍ଧ ଏହି ପୁସ୍ତକର ଦାମ ୧୮୦୦ ଟଙ୍କା ଥିବା ବେଳେ ସ୍ବତନ୍ତ୍ର ରିହାତି ସହ ୧୨୫୦ ଟଙ୍କାରେ ଉପଲବ୍ଧ ହେଉଛି। ପ୍ରଥମଥର ଏଭଳି ଏକ ନିଆରା ପୁସ୍ତକ କିଣିବା ପାଇଁ ପାଠକଙ୍କ ମଧ୍ୟରେ ବିପୁଳ ଉତ୍ସାହ ପରିଲକ୍ଷିତ ହେଉଛି। ଏଥିସହ ଭଗବାନ ପ୍ରକାଶଙ୍କ ସଦ୍ୟ ପ୍ରକାଶିତ ପୁସ୍ତକ ‘ଦ୍ବିତୀୟ ପୃଥିବୀ’ ଏବଂ ଡ.ନିତ୍ୟାନନ୍ଦ ସ୍ବାଇଁଙ୍କ ‘ଖାଦ୍ୟ ଓ ସ୍ବାସ୍ଥ୍ୟ’ ମଧ୍ୟ ଉପଲବ୍ଧ ହେଉଛି। ଉଭୟ ପୁସ୍ତକର ଦାମ ୨୬୦ ଟଙ୍କା ଥିବା ବେଳେ ପୁସ୍ତକମେଳାରେ ରିହାତି ସହ ୨୦୦ ଟଙ୍କାରେ ମିଳୁଛି।

ସମ୍ବନ୍ଧିତ ଖବର