ଯୋଗ ମୁଦ୍ରାରେ ରାଜଧାନୀ

ସୁସ୍ଥ ଶରୀର, ମାନସିକ ଶାନ୍ତି ପାଇଁ ସକାଳୁ ସକାଳୁ ସାରା ବିଶ୍ୱ ହୋଇଉଠିଥିଲା ଯୋଗମୟ। ସବୁଠି ଯୋଗ ହିଁ ଯୋଗ। ଯାହାକୁ ଚାହିଁଲେ ଯୋଗ ମୁଦ୍ରାରେ ରହିଥିଲେ। ଆଉ ଏଭଳି ଏକ ମୁହୂର୍ତ୍ତରୁ ଦୂରେଇ ରହି ନ ଥିଲା ଭୁବନେଶ୍ୱର। ପିଲାଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଥିଲେ ଯୋଗ ମୁଦ୍ରାରେ। କିଏ ସୂର୍ଯ୍ୟ ନମସ୍କାର କରୁଥିଲେ ତ ଆଉ କିଏ କୁଣ୍ଡଳିନୀ, ବିନ୍ୟାସ ମୁଦ୍ରାରେ ରହିଥିଲେ। ଭୋର ସାଢ଼େ ୪ଟାରୁ ସକାଳ ୮ଟା ପର୍ଯ୍ୟନ୍ତ ସହର ସାରା ଏଭଳି ମନୋରମ ଦୃଶ୍ୟ ଦେଖିବାକୁ ମିଳିଥିଲା।

କିଟ୍‌ ଓ କିସ୍‌
କିଟ୍‌ ଓ କିସ୍‌ ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସକାଳ ୬ଟା ୪୫ ମିନିଟ୍‌ରେ କିଟ୍‌, କିସ୍‌ ଓ କିମ୍‌ସ ୪ ହଜାର ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀ କିଟ୍‌ ଷ୍ଟାଡିୟମ୍‌ରେ ଏକାଠି ହୋଇଥିଲେ। କାର୍ଯ୍ୟକ୍ରମରେ କିଟ୍‌ ଓ କିସ୍‌ ସଂପାଦକ ଆର ଏନ୍‌ ଦାଶ, କିଟ୍‌ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହୃଷିକେଶ ମହାନ୍ତିି, କିସ୍‌ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀଙ୍କ ସମେତ ସମସ୍ତ ସ୍କୁଲ୍‌ ଓ ବିଭାଗୀୟ ଡିନ୍‌ ଓ ନିର୍ଦ୍ଦେଶକମାନେ ଉପସ୍ଥିତ ରହି ଯୋଗାଭ୍ୟାସ କରିଥିଲେ। ଯୋଗ ପ୍ରଶିକ୍ଷିକା ଡ. ବିଶ୍ୱବନ୍ଦିତା କର ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ଡିଏଭି ଚନ୍ଦ୍ରଶେଖରପୁର
ଡିଏଭି ଚନ୍ଦ୍ରଶେଖରପୁରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି। ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ପରେଶ କୁମାର ମିଶ୍ର ଯୋଗ ଓ ପ୍ରାଣାୟମର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଅନୁଷ୍ଠାନର ପ୍ରିନ୍ସପାଲ୍‌ କେ ସି ଶତପଥୀଙ୍କ ସମେତ ଶିକ୍ଷକଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଯୋଗାଭ୍ୟାସ କରିଥିଲେ।

ପୂର୍ବତଟ ରେଳପଥ
ପୂର୍ବତଟ ରେଳପଥ ପକ୍ଷରୁ ଏହାର ମୁଖ୍ୟାଳୟ ସମେତ ସମସ୍ତ ରେଳମଣ୍ଡଳ ଓ ବିଭିନ୍ନ ପ୍ରାନ୍ତୀୟ କାର୍ଯ୍ୟାଳୟରେ ଯୋଗ ଦିବସ ଆୟୋଜିତ ହୋଇଯାଇଛି। ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ରାଜୀବ ଶର୍ମାଙ୍କ ନେତୃତ୍ୱରେ ରେଳବିହାର କମ୍ୟୁନିଟି ହଲ୍‌ରେ ଯୋଗ ଦିବସ ପାଳିତ ହୋଇଯାଇଛି। ଶ୍ରୀ ଶର୍ମା ରେଳ ବିଭାଗର ସମସ୍ତ କର୍ମଚାରୀଙ୍କୁ ନିୟମିତ ଯୋଗାଭ୍ୟାସ ଉପରେ ଗୁରୁତ୍ୱାରୋପ କରିଥିଲେ। ପୂର୍ବତଟ ରେଳର ବହୁ ବରିଷ୍ଠ ଅଧିକାରୀଙ୍କ ସମେତ କର୍ମଚାରୀ ଏହି ଶିବିରରେ ଯୋଗଦେଇଥିଲେ। ପ୍ରମୁଖ କାର୍ମିକ ଅଧିକାରୀ ମଂଜୁ ରାୟ ଏହି ଶିବିରକୁ ପରିଚାଳନା କରିଥିଲେ।

ୟୁନିଟ୍‌-୮ ଡିଏଭି
ସ୍ଥାନୀୟ ୟୁନିଟ୍‌-୮ସ୍ଥିତ ଡିଏଭି ପବ୍ଲିକ୍‌ ସ୍କୁଲରେ ଚତୁର୍ଥ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏଥିରେ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀ ଭାଗ ନେଇ ଯୋଗ, ପ୍ରାଣାୟାମ ଓ ଆସନ ଶିକ୍ଷା କରିଥିଲେ। ଅଧ୍ୟକ୍ଷା ଇପ୍‌ସିତା ଦାସ କହିଥିଲେ, କେବଳ ଯୋଗ ଦ୍ୱାରା ହିଁ ଶରୀର, ମନ ଓ ଆତ୍ମାର ମହାମିଳନ ସମ୍ଭବପର ହୋଇଥାଏ। ତେଣୁ ନିୟମିତ ଯୋଗାଭ୍ୟାାସ ପୂର୍ବକ ଶରୀରକୁ ସୁସ୍ଥ ରଖିବା ନିମନ୍ତେ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ଯୋଗ ପ୍ରଶିକ୍ଷିକା ରିତାଳି ପ୍ରଧାନ ଯୋଗ ସମ୍ପର୍କରେ ତାଲିମ ଦେଇଥିଲେ।

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଜୟଦେବ ବିହାର
ବିଦ୍ୟାମନ୍ଦିର ସମ୍ମୁଖ ପାର୍କରେ ବିଶ୍ୱ ଯୋଗ ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମ୍ପାଦକ ବାଣୀବ୍ରତ ତ୍ରିପାଠୀ ମୁଖ୍ୟଅତିଥି, ପ୍ରଧାନଆଚାର୍ଯ୍ୟ ସରୋଜକାନ୍ତ ସାମଲ ଯୋଗଦେଇ ଯୋଗର ଉପକାରିତା ବିଷୟରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମକୁ ଜ୍ୟୋତିର୍ମୟ ରଥ, କୃଷ୍ଣଚନ୍ଦ୍ର ସାହୁ, କେଶରଞ୍ଜନ ପରିଡ଼ା ପରିଚାଳନା କରିଥିଲେ।

ଆଦିବାସୀ ପଲ୍ଲୀରେ ଯୋଗ
ନୂଆଦିଲ୍ଲୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ଆଶ୍ରା’ ପକ୍ଷରୁ ଆଦିବାସୀ ପଲ୍ଲୀ କନ୍ଦଳେଇ ଗାଁରେ ଯୋଗ ଦିବସ ପାଳିତ ହୋଇଛି। ସମାଜିକ କର୍ମୀ ସୁଶାନ୍ତ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସୁସ୍ମିତାରାଣୀ ରାଉତ ଏବଂ ଗୋପୀମୋହନ ପଟ୍ଟନାୟକ ବିଦ୍ୟାର୍ଥୀମାନଙ୍କୁ ଯୋଗ ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ। ‘ଆଶ୍ରା’ ପକ୍ଷରୁ ସୁସ୍ମିତାଙ୍କୁ କନ୍ଦଳେଇ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପବିତ୍ର ମୋହନ ନାୟକ ସମ୍ବର୍ଧିତ କରିଥିଲେ।

ସମ୍ବନ୍ଧିତ ଖବର