କ୍ୟାପିଟାଲ ହସ୍ପିଟାଲ : ଆଇସିୟୁ ହେବ ୨୦ଶଯ୍ୟା, କାଜୁଆଲ୍‌ଟି ଏଚ୍‌ଡିୟୁ ପ୍ରତିଷ୍ଠା ପାଇଁ ପ୍ରସ୍ତାବ

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲର ଆଇସିୟୁ ୨୦ଶଯ୍ୟା ବିଶିଷ୍ଟ ହେବ। ହସ୍ପିଟାଲକୁ ପ୍ରତିଦିନ ଆସୁଥିବା ରୋଗୀଙ୍କ ଭିଡ଼କୁ ନଜରରେ ରଖି ଏପରି ନିଷ୍ପତ୍ତି ହୋଇଛି। ଏହାସହ କାଜୁଆଲ୍‌ଟିରେ ଏକ ହାଇ ଡିପେଡାନ୍ସି ୟୁନିଟ୍‌ ବା ଏଚ୍‌ଡିୟୁ ପ୍ରତିଷ୍ଠା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ପ୍ରସ୍ତାବ ଦିଆଯାଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, କ୍ୟାପିଟାଲ ହସ୍ପିଟାଲର ଆଇସିୟୁରେ ଏବେ ୧୬ଟି ଶଯ୍ୟା ରହିଛି। ଏହା ଏକ ରେଫରାଲ ହସ୍ପିଟାଲ ହୋଇଥିବାରୁ ପ୍ରତ୍ୟେକ ଦିନ ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ହସ୍ପିଟାଲରେ ଯଦିଓ ୧୬ଟି ଶଯ୍ୟା ରହିଛି ମାତ୍ର ଏଥିରୁ ୧୨ଟି ଶଯ୍ୟା କାର୍ଯ୍ୟ କରୁଛି। ସେମାନଙ୍କ ମଧ୍ୟରୁ ୨ଟି ହୃଦ୍‌ରୋଗ ପାଇଁ ସଂରକ୍ଷିତ ରହିଥିବା ବେଳେ ଆଉ ଗୋଟିଏ ହସ୍ପିଟାଲରେ ହେଉଥିବା ବିଭିନ୍ନ ଅସ୍ତ୍ରୋପଚାରର ପାଇଁ ସଂରକ୍ଷିତ ରଖାଯାଇଛି। ତେବେ କର୍ମଚାରୀଙ୍କ ଅଭାବ ଯୋଗୁଁ ଆଇସିୟୁର ୪ଟି ଶଯ୍ୟା କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଭାରତୀୟ ଜନସ୍ୱାସ୍ଥ୍ୟ ମାନଦଣ୍ଡ ଅନୁଯାୟୀ ଆଇସିୟୁରେ ପ୍ରତ୍ୟେକ ରୋଗୀଙ୍କ ପାଇଁ ଜଣେ ଲେଖାଲଁ ଷ୍ଟଫ ନର୍ସ ରହିବା ପାଇଁ ନିୟମ ରହିଛି। ମାତ୍ର ହସ୍ପିଟାଲରେ ୨୪ଜଣ ଷ୍ଟାଫ ନର୍ସଙ୍କ ପାଇଁ ପଦବି ରହିଥିଲେ ହେଁ ଏବେ ୧୫ଜଣ ଷ୍ଟଫ ନର୍ସ ରହିଛନ୍ତି। ଫଳରେ ଆଇସିୟୁରେ ରହୁଥିବା ରୋଗୀମାନଙ୍କ ଠିକଣା ଯତ୍ନ ନେବା ସମ୍ଭବ ହେଉନାହିଁ। ସେହିପରି ହସ୍ପିଟାଲ ଆଇସିୟୁ ପାଇଁ ୧୨ଜଣ ଡାକ୍ତର ପଦବି ରହିଥିବା ବେଳେ ୯ଜଣ ଡାକ୍ତର ରହିଛନ୍ତି।

ଅନେକ ସମୟରେ ହସ୍ପିଟାଲ ଆଇସିୟୁରେ ଅନେକ ବ୍ରେନ୍‌ ଡେଡ୍‌ ରୋଗୀଙ୍କୁ ରଖାଯାଉଛି। କିଛି ପ୍ରଭାବଶାଳୀ ବ୍ୟକ୍ତି ସେମାନଙ୍କ ପରିଚିତ ଲୋକମାନଙ୍କୁ ହସ୍ପିଟାଲ ଆଇସିୟୁରେ ରଖିବା ପାଇଁ ବାଧ୍ୟ କରୁଛନ୍ତି। ଫଳରେ ସାଧାରଣ ରୋଗୀଙ୍କୁ ଆଇସିୟୁ ସେବା ମିଳିପାରୁନାହିଁ। ବାଧ୍ୟହୋଇ ସେମାନଙ୍କୁ କଟକ ରେଫର କରାଯାଉଛି। ବିଶେଷକରି ଦୁର୍ଘଟଣାଜନିତ ରୋଗୀଙ୍କୁ ଡାକ୍ତର ପରୀକ୍ଷା କରି ରେଫର କରିବା ପାଇଁ ମଧ୍ୟ ଅନେକ ସମୟ ଲାଗୁଛି। ଏଭଳି ସ୍ଥିତିରେ ରୋଗୀଟିଏ ହସ୍ପିଟାଲ ବାହାରେ ପଡ଼ି ରହୁଛି। ତେଣୁ ଏହି ସମୟରେ ରୋଗୀଙ୍କୁ ଚିକିତ୍ସା ସୁବିଧା ଦେବା ପାଇଁ କାଜୁଆଲ୍‌ଟିରେ ଏକ ଏଚ୍‌ଡିୟୁ ପ୍ରତିଷ୍ଠା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ହସ୍ପିଟାଲ କର୍ତୃପକ୍ଷ ପ୍ରସ୍ତାବ ଦେଇଛନ୍ତି। ଏଥିରେ ୧୦ଟି ଶଯ୍ୟା ରହିବ। ଦୁଇ ଜଣ ରୋଗୀଙ୍କ ପାଇଁ ଅତିକମ୍‌ରେ ଜଣେ ଷ୍ଟାଫ ନର୍ସଙ୍କୁ ମିଶାଇ ୧୮/୨୦ଜଣ ଷ୍ଟାଫ ନର୍ସ ପାଇଁ ପ୍ରସ୍ତାବ ଦିଆଯାଇଛି। ଏହାର ଅତିକମ୍‌ରେ ୪/୫ଜଣ ଡାକ୍ତରଙ୍କୁ ନିୟୋଜିତ କରିବାକୁ କର୍ତୃପକ୍ଷ ପ୍ରସ୍ତାବ ଦେଇଛନ୍ତି।

ଆଟେଣ୍ଡାଣ୍ଟଙ୍କ ପାଇଁ ଚିନ୍ତାରେ କର୍ତୃପକ୍ଷ : କ୍ୟାଥ ଲ୍ୟାବ୍‌ ପାଇଁ ୨୫୦ କେଭିଏ ଜେନେରେଟର

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ କାର୍ଯ୍ୟରତ ଆଟେଣ୍ଡାଣ୍ଟ ପାଇଁ ଚିନ୍ତାରେ ପଡ଼ିଛନ୍ତି ହସ୍ପିଟାଲ କର୍ତୃପକ୍ଷ। ପୂର୍ବରୁ ସେମାନଙ୍କୁ ରୋଗୀ କଲ୍ୟାଣ ସମିତିକୁ ଆସୁଥିବା ଅର୍ଥରୁ ଦରମା ଦିଆଯାଉଥିବା ବେଳେ ଏବେ ରାଜ୍ୟ ସରକାରଙ୍କ ମାଗଣା ଯୋଗୁଁ ଏହି ଅର୍ଥ ବନ୍ଦ ହୋଇଯାଇଛି। ତେଣୁ ସେମାନଙ୍କୁ କିଭଳି ଦରମା ଦିଆଯିବ ସେନେଇ ଆଜି ଜିଲ୍ଲାପାଳଙ୍କ ସହି ହସ୍ପିଟାଲ କର୍ତୃପକ୍ଷ ଆଲୋଚନା କରିଛନ୍ତି।

ଖୋର୍ଧା ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜି କ୍ୟାପିଟାଲ ହସ୍ପିଟାଲରେ ଆରକେଏସ୍‌ ବୈଠକ ଅନୁଷ୍ଠିତ ହୋଇଥିଲା। ହସ୍ପିଟାଲରେ ଏବେ ଆଟେଣ୍ଡାଣ୍ଟ, ପାଣି ମନ୍ତ୍ରୀ ଓ ଡାଟାଏଣ୍ଟ୍ରି ଅପରେଟରଙ୍କୁ ମିଶାଇ ୧୨୦ଜଣ କର୍ମଚାରୀ ଅଛନ୍ତି। ତେବେ ଚଳିତବର୍ଷ ଜାନୁଆରି ମାସରୁ ରାଜ୍ୟ ସରକାର ମାଗଣା ସ୍ୱାସ୍ଥ୍ୟ ଯୋଜନା ଆରମ୍ଭ କରିଥିବାରୁ ଆରକେଏସ୍‌ ପାଣ୍ଠିକୁ ଆଦାୟ ହେଉଥିବା ଟଙ୍କା ବନ୍ଦ ହୋଇଯାଇଛି। ସରକାରଙ୍କ ପକ୍ଷରୁ ଆଗାମୀ ଦିନରେ ‘ନିର୍ମଳ’ ଯୋଜନା ଆରମ୍ଭ ହେବାକୁ ଯାଉଥିବାରୁ ଏଥିରେ ସୁରକ୍ଷାକର୍ମୀ, ଲଣ୍ଡ୍ରି ଓ ସଫେଇ କର୍ମଚାରୀଙ୍କୁ ସାମିଲ କରାଯିବ। ମାତ୍ର ଆଟେଣ୍ଡାଣ୍ଟଙ୍କୁ କେଉଁଠାରୁ ଦରମା ଦିଆଯିବ ତାହା କର୍ତୃପକ୍ଷଙ୍କୁ ଚିନ୍ତାରେ ପକାଇଛି। ଏନେଇ ସମସ୍ତ କାଗଜପତ୍ର ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଥିବା ସୂଚନା ମିଳିଛି।

ସେହିପରି ହସ୍ପିଟାଲର ଶିଶୁ ଓ୍ଵାର୍ଡରେ ଥିବା ସିକ୍‌ ନବଜାତକ ୟୁନିଟ୍‌ ବା ଏସ୍‌ଏନ୍‌ସିୟୁକୁ ୪୮ଶଯ୍ୟା ବିଶିଷ୍ଟ କରାଯିବ। ଏବେ ହସ୍ପିଟାଲରେ ଏସ୍‌ଏନ୍‌ସିୟୁର ୨୪ଟି ଶଯ୍ୟା ରହିଛି। ହସ୍ପିଟାଲରେ କାର୍ଯ୍ୟକ୍ଷମ ଏସ୍‌ଏନ୍‌ସିୟୁର ବେଶ ଚାହିଦା ଥିବାରୁ ଏହାର ଶଯ୍ୟା ସଂଖ୍ୟା ବଢ଼ାଇବାକୁ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସରକାରଙ୍କ ପ୍ରଜନନ ଏବଂ ଶିଶୁ ସ୍ୱାସ୍ଥ୍ୟ ଯୋଜନାରେ ହସ୍ପିଟାଲରେ ଏହି ଏସ୍‌ଏନ୍‌ସିୟୁ ନିର୍ମାଣ କରାଯାଇଛି। ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ ନଜରରେ ରଖି କ୍ୟାପିଟାଲ ହସ୍ପିଟାଲରେ ଲେଭଲ-୩ର ଏସ୍‌ଏନ୍‌ସିୟୁ ନିର୍ମାଣ କରାଯିବାର ଆବଶ୍ୟକାତା ରହିଛି। ତେଣୁ ଏମ୍‌ସିଏଚ୍‌ ବିଲ୍ଡିଂକୁ ଲଗାଇ ଏହି ଜାତୀୟ ସ୍ୱାସ୍ଥ୍ୟ ମିସନ୍‌ ପକ୍ଷରୁ ଏସ୍‌ଏନ୍‌ସିୟୁ ନିର୍ମାଣ କରାଯିବ ବୋଲି ଜଣାପଡ଼ିଛି।

ସେହିପରି ହସ୍ପିଟାଲରେ ଥିବା କ୍ୟାଥ ଲ୍ୟାବ୍‌ରେ ଜେନେରେଟର ନ ଥିବାରୁ ଅସ୍ତ୍ରୋପଚାର ସମୟରେ ଅନେକ ସମୟରେ ବାଧା ଉପୁଜୁଛି। କ୍ୟାଥ ଲ୍ୟାବ୍‌ ପାଇଁ ସ୍ୱତନ୍ତ୍ର ୨ଟି ଜେନେରେଟର ଯୋଗାଇ ଦେବା ପାଇଁ ହସ୍ପିଟାଲ କର୍ତୃପକ୍ଷ ଦାବି କରି ଆସୁଛନ୍ତି। ତେଣୁ ପ୍ରାଥମିକ ପର୍ଯ୍ୟାୟରେ ୨୫୦ କେବିଏର ଗୋଟିଏ ଜେନେରେଟର ଯୋଗାଇ ଦେବା ପାଇଁ ନିଷ୍ପତ୍ତି ହୋଇଛି। ଏହାସହ ହସ୍ପିଟାଲ ପରିସରରେ ଥିବା ୟୁଟିଲିଟି କମ୍ପ୍ଲେକ୍ସରେ ଭଡ଼ାରେ ନେଇଥିବା ଦୋକାନୀ ଦୀର୍ଘଦିନ ହେବ ଭଡ଼ା ଦେଉନାହାନ୍ତି। ସେମାନଙ୍କ ଘର ଭଡ଼ା ବାବଦ ଟଙ୍କା ୧୦ଲକ୍ଷ ଟପିଲାଣି। ବାରମ୍ବାର ତାଗିଦ୍‌ କରାଯିବା ସତ୍ୱେ ସେମାନେ ଶୁଣୁନାହାନ୍ତି। ତେଣୁ ସେମାନଙ୍କ ବିରୋଧରେ ମାମଲା ରୁଜୁ ପାଇଁ ବୈଠକରେ ଆଲୋଚନା ହୋଇଥିଲା। ଆବଶ୍ୟକ ପଡ଼ିଲେ ଦୋକାନାରେ ତାଲା ପକାଇ ଦେବାକୁ ହସ୍ପିଟାଲ କର୍ତୃପକ୍ଷଙ୍କୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର