କ୍ୟାପିଟାଲ ହସ୍ପିଟାଲ ମୋହ ଛାଡ଼ୁନି : ୫ବର୍ଷରୁ ଅଧିକ ୧୯ଡାକ୍ତର, ୧୦ବର୍ଷରୁ ଅଧିକ ୮ ଡାକ୍ତର, ୩୦ ଡାକ୍ତର ପଦବି ଖାଲି

ଭୁବନେଶ୍ୱର (କ୍ଷିତୀଶ ରାୟ): ଡାକ୍ତରଙ୍କ ରାଜଧାନୀ ମୋହ ଛାଡ଼ୁନି। ଥରେ ରାଜଧାନୀକୁ ଆସିବା ପରେ ଅନ୍ୟ ଜିଲ୍ଲାକୁ ଯିବା ପାଇଁ ଆଉ ମନ ବଳାଉ ନାହାନ୍ତି। ଏପରିକି ଅନେକ ଡାକ୍ତରଙ୍କ ଡାକ୍ତରୀ ଜୀବନ ରାଜଧାନୀରେ ଆରମ୍ଭ ହୋଇ ଗୋଟିଏ ଡାକ୍ତରଖାନାରେ ଶେଷ ହୋଇଯାଉଛି। କ୍ୟାପିଟାଲ ହସ୍ପିଟାଲରେ ଥିବା ଏଭଳି ଅନେକ ଡାକ୍ତର ବର୍ଷ ବର୍ଷ ଧରି ରାଜଧାନୀ ଛାଡ଼ୁ ନାହାନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଡାକ୍ତରଙ୍କ ବଦଳି ନେଇ ସ୍ୱଚ୍ଛତା ଅବଲମ୍ବନ କରାଯାଉ ନାହିଁ। ଫଳରେ କିଛି ଡାକ୍ତର ବର୍ଷ ବର୍ଷ ଧରି କେବିକେରେ ପଡ଼ି ରହିଥିବା ବେଳେ କିଛି ଡାକ୍ତର ରାଜଧାନୀରୁ ଆରମ୍ଭ କରି ରାଜଧାନୀରେ ହିଁ ଚାକିରି ଜୀବନ ଶେଷ କରୁଛନ୍ତି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ କ୍ୟାପିଟାଲ ହସ୍ପିଟାଲରେ ୫ବର୍ଷରୁ ଅଧିକ ସମୟ ହେବ ୧୯ଜଣ ଡାକ୍ତର ରହିଥିବା ବେଳେ ୮ଜଣ ଡାକ୍ତର ୧୦ବର୍ଷରୁ ଅଧିକ ସମୟ ଧରି ରହିଛନ୍ତି। ରାଜଧାନୀର ପ୍ରମୁଖ ସରକାରୀ ଡାକ୍ତରଖାନା କ୍ୟାପିଟାଲ ହସ୍ପିଟାଲରେ ୩୦ଟି ଡାକ୍ତରୀ ପଦବି ଖାଲି ରହିଛି। ସରକାରଙ୍କ ପକ୍ଷରୁ ଗୋଟିଏ ପରେ ଗୋଟିଏ ମାଗଣା ଯୋଜନା ଆରମ୍ଭ ହୋଇଥିବା ବେଳେ ଡାକ୍ତରଙ୍କ ଅଭାବ ଯୋଗୁଁ ଏହାକୁ କାର୍ଯ୍ୟକାରୀ କରିବାରେ ସମସ୍ୟା ଦେଖାଦେଉଛି।

୫ବର୍ଷରୁ ଅଧିକ ସମୟ ରହିଲେଣି ୧୯ଡାକ୍ତର

କ୍ୟାପିଟାଲ ହସ୍ପିଟଲର ବିଭିନ୍ନ ବିଭାଗରେ ୫ବର୍ଷରୁ ଅଧିକ ସମୟ ଧରି ଡାକ୍ତର ରହିଛନ୍ତି। ହୃଦ୍‌ରୋଗ ବିଶେଷଜ୍ଞ ଡା.ନୀଳକଣ୍ଠ ମିଶ୍ର ହସ୍ପିଟାଲରେ ୨୦୧୧ ମସିହାରେ ଯୋଗ ଦେଇଥିଲେ। ଚଳିତମାସ ଆରମ୍ଭରୁ ସେ ନିର୍ଦେଶକ ପଦବି ସମ୍ଭାଳିଛନ୍ତି। ପାଥୋଲୋଜିରେ ଡା.ସମ୍ପଶ୍ରୀ ନାୟକ ୭ବର୍ଷ, ଇଏନ୍‌ଟିରେ ଡା. ଦୀପ୍ତିମୟୀ ବେହେରା ୯ବର୍ଷ, ଅଙ୍କଲୋଜିରେ ଡା.ନିହାର ରଂଜନ ସାମଲ, ଡା.ଦାଶମନ୍ତ ହେମ୍ବ୍ରମ୍‌ ୬ବର୍ଷ, ମନସ୍ତତ୍ୱବିତ୍‌ ଡା.ପ୍ରଶାନ୍ତ ମହାପାତ୍ର ୬ବର୍ଷ, ଚକ୍ଷୁରୋଗ ବିଶେଷଜ୍ଞ ଡା.ସବ୍ୟସାଚୀ ପଟ୍ଟନାୟକ ୫ବର୍ଷ, ଶିଶୁରୋଗ ବିଶେଷଜ୍ଞ ଡା.ପ୍ରବୋଧ କୁମାର ପଟ୍ଟନାୟକ ୮ବର୍ଷ, ଭେଷଜ ବିଶେଷଜ୍ଞ ଡା.କୈଳାସ ଚନ୍ଦ୍ର ସାହୁ ୯ବର୍ଷ, ଡା.କୁଞ୍ଜ ବିହାରୀ ସାମଲ ୬ବର୍ଷ, ଅସ୍ତ୍ରୋପଚାର ବିଶେଷଜ୍ଞ ଡା. ଭବାନୀ ଶଙ୍କର ବଳ, ଚକ୍ଷୁରୋଗ ବିଶେଷଜ୍ଞ ଡା.ଅଶ୍ୱିନୀ ମେହେର୍ଦା, ଛାତିରୋଗ ବିଶେଷଜ୍ଞ ଡା.ତପନ କାନୁନ୍‌ଗୋ ୮ବର୍ଷ, ବରିଷ୍ଠ ମେଡିକାଲ ଅଫିସର ଡା.ଅଶୋକ କୁମାର ପଣ୍ଡା ୬ବର୍ଷ, ଡା.ନିରଞ୍ଜନ ପାଢ଼ୀ ୭ବର୍ଷ, ଡା.ଦ୍ୱାରକାନାଥ ଶତପଥୀ ୭ବର୍ଷ, ଡା.କଲ୍ୟାଣୀ ମିଶ୍ର ୭ବର୍ଷ, ଡା.କବିତା ନାୟକ ୯ବର୍ଷ ଓ ଡା.ବିଶ୍ୱରଂଜନ ଦାସ ୭ବର୍ଷ ଧରି ରାଜଧାନୀରେ ରହିଛନ୍ତି।

୧୦ବର୍ଷରୁ ଅଧିକ ୮ ଡାକ୍ତର

କ୍ୟାପିଟାଲ ହସ୍ପିଟାଲରେ ୮ଜଣ ଡାକ୍ତର ୧୦ବର୍ଷରୁ ଅଧିକ ସମୟ ଧରି ରହିଥିବା ଆର୍‌ଟିଆଇରେ ଜଣାପଡ଼ିଛି। ଚକ୍ଷୁରୋଗ ବିଶେଷଜ୍ଞ ଡା. ମମତା ମହାପାତ୍ର ସର୍ବାଧିକ ୧୫ବର୍ଷ ଧରି ହସ୍ପିଟାଲରେ ରହିଛନ୍ତି। ସେ ୨୦୦୩ରୁ କ୍ୟାପିଟାଲ ହସ୍ପିଟାଲରେ ଯୋଗ ଦେଇଥିଲେ। ସେହିପରି ରେଡିଓଲୋଜିଷ୍ଟ ଡା.ଅମ୍ବିକା ପ୍ରସାଦ ମିଶ୍ର ମଧ୍ୟ ୧୫ବର୍ଷ ଧରି ରହିଛନ୍ତି। ଜିଡିଏମ୍‌ଓ ଡା.ସୁଶିଲ କୁମାର ଦ୍ୱିବେଦୀ ୧୪ବର୍ଷ, ବିବିଓ ଡା.ଦେବାଶିଷ ମିଶ୍ର ୧୭ବର୍ଷ, ଶିଶୁରୋଗ ବିଶେଷଜ୍ଞ ଡା.ଆଲୋକ କୁମାର ସ୍ୱାଇଁ ୧୩ବର୍ଷ ଓ ବରିଷ୍ଠ ମେଡିକାଲ ଅଫିସର ଡା.ବିଶ୍ୱଜିତ ମହାନ୍ତି ୧୨ବର୍ଷ ଧରି ରାଜଧାନୀରେ ରହିଛନ୍ତି। ତେବେ ନିକଟରେ ଡା.ଆଲୋକ ସ୍ୱାଇଁ ପଦୋନ୍ନତି ହୋଇଥିବା ବେଳେ ତାଙ୍କର ବାରିପଦାସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବଦଳି ହୋଇଥିବା ଜଣାପଡ଼ିଛି।

ଖାଲି ପଡ଼ିଛି ୩୦ ଡାକ୍ତର ପଦବି

ରାଜଧାନୀ ପ୍ରମୁଖ ସରକାରୀ ଡାକ୍ତରଖାନା କ୍ୟାପିଟାଲ ହସ୍ପିଟାଲରେ ୩୦ଡାକ୍ତର ପଦବି ଖାଲି ପଡ଼ିଛି। ହସ୍ପିଟାଲରେ ୧୩୧ଜଣ ଡାକ୍ତରଙ୍କ ପାଇଁ ପଦବି ରହିଛି, ମାତ୍ର ଅଛନ୍ତି ୧୦୧ ଡାକ୍ତର। ଇଏନ୍‌ଟି, ରେଡିଓଲୋଜି, ହୃଦ୍‌ରୋଗ, ଭେଷଜ, ସ୍ତ୍ରୀ ଓ ପ୍ରସୂତି, ଅସ୍ଥିଶଲ୍ୟ, ଛାତିରୋଗ, ରେଡିଓଲୋଜି ବିଶେଷଜ୍ଞ, ନିଶ୍ଚେତକ ବିଶେଷଜ୍ଞ, ଚକ୍ଷୁରୋଗ ବିଶେଷଜ୍ଞ, ବରିଷ୍ଠ ମେଡିକାଲ ଅଫିସର, ବରିଷ୍ଠ ମେଡିକାଲ ଅଫିସର ଡିଡିସି, ଏଆର୍‌ଟି ସେଣ୍ଟର୍‌, ଏମ୍‌ଓ ଓ ଏଆରଟି ସେଣ୍ଟର, ଏଲଡି ଓ ଟିଆରଏମ୍‌ଓରେ ଗୋଟିଏ ଲେଖାଏଁ ପଦବି ଖାଲି ପଡ଼ିଛି। ସେହିପରି ଜିଡିଏମ୍‌ଓ ଓ ଏଲଡି ଓ ଟିଆରରେ ଦୁଇଟି ଲେଖାଏଁ, ଏସଏନ୍‌ସିୟୁରେ ୩, ଆଇସିୟୁ କନସଲଟାଣ୍ଟରେ ୩, ବରିଷ୍ଠ ମେଡିକାଲ ଅଫିସର(ଏଲଡି ଏଣ୍ଡ ଟିଆର)ରେ ୩, ଜିଡିଏମ୍‌ଓ(ଏସଏନ୍‌ସିୟୁ)ରେ ୪, ପିକୁ ଶିଶୁରୋଗ ବିଶେଷଜ୍ଞ ୪, ଭେଷଜ ବିଶେଷଜ୍ଞ ୨ରେ ଡାକ୍ତର ନାହାନ୍ତି। କ୍ୟାପିଟାଲ ହସ୍ପିଟାଲ ଏକ ରେଫରାଲ ହସ୍ପିଟାଲ ହୋଇଥିବା ବେଳେ ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମାତ୍ର ଏବେ ସଂଖ୍ୟକ ଡାକ୍ତରୀ ପଦବି ଖାଲି ପଡ଼ିଥିଲେ ହେଁ ସ୍ୱାସ୍ଥ୍ୟ ବିଭାଗ ଏହାକୁ ଅଣଦେଖା କରି ଚାଲିଛି। ଫଳରେ ରୋଗୀସେବା ବାଧାପ୍ରାପ୍ତ ହେଉଛି।

୩ବର୍ଷରେ ବଦଳି ପାଇଁ ରହିଛି ନିୟମ

ସ୍ୱାସ୍ଥ୍ୟ ବିଭାଗର ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ କହିବାନୁଯାୟୀ, ଗୋଟିଏ ଡାକ୍ତରଖାନାରେ ଜଣେ ଡାକ୍ତର କେତେଦିନ ରହିବେ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦିଷ୍ଟ ନିୟମ ନାହିଁ। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହୋଇଥିବା ନିୟମ ପାଳନ କରାଯାଉଛି। ଗୋଟିଏ ଡାକ୍ତରଖାନାରେ ୩ବର୍ଷ ରହିବା ପରେ ଜଣେ ଡାକ୍ତରଙ୍କ ବଦଳି ହୋଇପାରିବ। ଏବେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡାକ୍ତରଙ୍କ ବଦଳି ପାଇଁ କେଉଁ ପ୍ରକାର ନୀତି ରହିବ ତାହାର ସମୀକ୍ଷା କରାଯାଉଛି। ଯେପରି ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶେଷଜ୍ଞ ଡାକ୍ତର ରହିବେ ସେଥିପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଫଳରେ ଜିଲ୍ଲାସ୍ତରରେ ବିଶେଷଜ୍ଞ ଡାକ୍ତରଙ୍କ ଯେଉଁ ଅଭାବ ରହିଛି ତାହା ପୂରଣ ହୋଇପାରିବ।

ଡାକ୍ତରଙ୍କ କେବିକେ ଅଭିଜ୍ଞତା ତଥ୍ୟ ମିଳିପାରିଲାନି

କ୍ୟାପିଟାଲ ହସ୍ପିଟାଲରେ କେତେ ଜଣ ଡାକ୍ତରଙ୍କ କେବିକେ ଓ କେବିକେ ପ୍ଲସ୍‌ ଅଭିଜ୍ଞତା ନାହିଁ ସେଥିପାଇଁ ତଥ୍ୟ ମଗାଯାଇଥିଲା। ମାତ୍ର ହସ୍ପିଟାଲ କର୍ତୃପକ୍ଷ ଏହି ତଥ୍ୟ ଦେଇପାରି ନାହାନ୍ତି। ଏ ସଂପର୍କିତ ତଥ୍ୟ ସ୍ୱାସ୍ଥ୍ୟ ବିଭାଗକୁ ମଗାଯିବ। ସେଠାରୁ ତଥ୍ୟ ମିଳିବା ପରେ ତଥ୍ୟ ଦିଆଯିବ ବୋଲି ହସ୍ପିଟାଲ ସୂତ୍ରରୁ କୁହାଯାଇଛି।

ସମ୍ବନ୍ଧିତ ଖବର