କ୍ୟାପିଟାଲ ହସ୍ପିଟାଲ: ଓଡ଼ିଶା ରକ୍ତଭଣ୍ଡାରରେ ମିଳୁନି ‘ନିଦାନ’ ସୁବିଧା

ନୂଆ ଯୋଜନା ଆସିବ: ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ

ଭୁବନେଶ୍ୱର: ଚଳିତବର୍ଷ ଜାନୁଆରି ପହିଲାରୁ ରାଜ୍ୟ ସରକାର ସରକାରୀ ଡାକ୍ତରଖାନାରେ ‘ନିଦାନ’ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏଥିରେ ମାଗଣାରେ ରକ୍ତ ପରୀକ୍ଷା କରାଯାଉଛି। ହେଲେ ଓଡ଼ିଶା ରକ୍ତଭଣ୍ଡାର ପାଇଁ ‘ନିଦାନ’ ଯୋଜନା ଏବେ ବି ଅପହଞ୍ଚ ହୋଇ ରହିଛି। ଏଠାରେ ରୋଗୀମାନଙ୍କଠାରୁ ରକ୍ତ ପରୀକ୍ଷା ପାଇଁ ଟଙ୍କା ଆଦାୟ କରାଯାଉଛି। ଯଦିଓ ‘ନିଦାନ’ ଗାଇଡଲାଇନ୍‌ରେ ରକ୍ତଭଣ୍ଡାର ସଂପର୍କରେ କୌଣସି ଉଲ୍ଲେଖ ନାହିଁ, ତଥାପି ହସ୍ପିଟାଲର ଗୋଟିଏ ସ୍ଥାନରେ ରୋଗୀଙ୍କୁ ରକ୍ତ ପରୀକ୍ଷା ପାଇଁ ମାଗଣା ସୁବିଧା ଥିବା ବେଳେ ଅନ୍ୟଠାରେ ଟଙ୍କା ନିଆଯିବାକୁ ନେଇ ଅସନ୍ତୋଷ ଦେଖାଦେଇଛି। ତେବେ ଖୁବଶୀଘ୍ର ରାଜ୍ୟ ସରକାର ଏଥିପାଇଁ ଏକ ନୂତନ ଯୋଜନା ଆରମ୍ଭ କରିବାକୁ ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ କହୁଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ‘ନିଦାନ’ ଯୋଜନା ଆରମ୍ଭ ହେବା ପରେ ସମସ୍ତ ପ୍ରକାର ରକ୍ତ ପରୀକ୍ଷା ମାଗଣାରେ କରାଯାଉଛି। ହେଲେ ହସ୍ପିଟାଲ ପରିସରରେ ଥିବା ଓଡ଼ିଶା ରକ୍ତଭଣ୍ଡାରରେ ରକ୍ତ ଆଣିବା ପାଇଁ ରୋଗୀଙ୍କୁ ଟଙ୍କା ପଇଠ କରିବାକୁ ପଡ଼ୁଛି। ଏଚ୍‌ବିଏସ୍‌ଏଜି ପରୀକ୍ଷା ପାଇଁ ୫୦ଟଙ୍କା, ଏଚ୍‌ସିଭି ପାଇଁ ୬୦ ଟଙ୍କା, ଏଚ୍‌ଆଇଭି ସ୍କ୍ରିନିଂ ପାଇଁ ୬୦ ଟଙ୍କା ଓ ସେବା କର ବାବଦରେ ୧୨୦ ଟଙ୍କାକୁ ମିଶାଇଲେ ସମୁଦାୟ ୨୯୦ଟଙ୍କା ଦେବାକୁ ପଡ଼ୁଛି। ସେହିପରି ଯେଉଁ ରୋଗୀର ଯେଉଁ ଗ୍ରୁପ୍‌ର ରକ୍ତ ଆବଶ୍ୟକ, ସେହି ଗ୍ରୁପ୍‌ର ରକ୍ତ ପ୍ରଦାନ ପାଇଁ ଅଲଗା ଭାବେ ଗ୍ରୁପିଂ ଓ ଆରଏଚ୍‌. ଟାଇପିଂ ପାଇଁ ୪୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଯଦିଓ ରକ୍ତଭଣ୍ଡାରରେ ରକ୍ତ ମାଗଣାରେ ଦିଆଯାଉଛି, ହେଲେ ଏ ବାବଦରେ ହେଉଥିବା ପରୀକ୍ଷା ପାଇଁ ଜଣେ ବ୍ୟକ୍ତିଙ୍କୁ ୩୩୦ଟଙ୍କା ଖର୍ଚ କରିବାକୁ ପଡ଼ୁଛି।

ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, କ୍ୟାପିଟାଲ ହସ୍ପିଟାଲରେ ଥିବା ରକ୍ତଭଣ୍ଡାର ପୂର୍ବରୁ ରେଡକ୍ରସ୍‌ ଅଧୀନରେ କାର୍ଯ୍ୟ କରୁଥିଲା। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ରାଜ୍ୟ ରକ୍ତ ସଂଚାରଣ ପରିଷଦ ବା ଓଏସ୍‌ବିଟିସି କାର୍ଯ୍ୟକାରୀ ହେବା ପରେ ଏହା ଏବେ ରାଜ୍ୟ ସରକାରଙ୍କ ଅଧୀନକୁ ଚାଲି ଆସିଛି। ରକ୍ତଭଣ୍ଡାର ପୂର୍ବରୁ ଏକ ସୋସାଇଟି ଆଇନରେ ପଞ୍ଜୀକୃତ ହୋଇଛି। ଏଥିରେ ଯେତେ ସଂଖ୍ୟକ କର୍ମଚାରୀ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଠିକା କିମ୍ବା ଚୁକ୍ତିଭିତ୍ତିରେ ନିଯୁକ୍ତ ହୋଇଛନ୍ତି। ରକ୍ତଭଣ୍ଡାରରେ ବିଭିନ୍ନ ପରୀକ୍ଷାରୁ ସଂଗୃହୀତ ଅର୍ଥ ଓ ରେଡକ୍ରସ୍‌ ପାଣ୍ଠିରୁ ମିଳିଥିବା ଅର୍ଥରେ କର୍ମଚାରୀଙ୍କୁ ଦରମା ଦିଆଯାଇଥାଏ। ସେମାନଙ୍କ ସଂପର୍କରେ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ନିକଟରେ ଏଥିପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ତାମିଲନାଡ଼ୁ ମଡେଲରେ ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଯୋଜନା କରାଯାଉଛି। ରାଜ୍ୟ ସରକାର ଖୁବଶୀଘ୍ର ଏଥିପାଇଁ ଏକ ଯୋଜନା କରୁଛନ୍ତି। ତେବେ ଏହି ଯୋଜନାର ରୂପରେଖ ଏ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇ ନ ଥିବା ଅଧିକାରୀ କହିଛନ୍ତି।

କ୍ୟାପିଟାଲ ହସ୍ପିଟାଲର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, କ୍ୟାପିଟାଲ ହସ୍ପିଟାଲରେ ଥିବା ରକ୍ତଭଣ୍ଡାରରେ ମାସକୁ ୨ ହଜାରରୁ ଅଧିକ ରକ୍ତର ଆବଶ୍ୟକତା ରହିଛି। ପ୍ରତ୍ୟେକ ଦିନ ଥାଲାସିମିଆ, ହିମୋଫୋଲିଆ ଓ ସିକିଲସେଲ ରୋଗୀ, ସ୍ତ୍ରୀ ଓ ପ୍ରସୂତି ରୋଗ ଓ୍ଵାର୍ଡ ପାଇଁ ଅତି କମ୍‌ରେ ୫୦ ରକ୍ତ ଆବଶ୍ୟକ। ଏସବୁ ରକ୍ତ ବିନା କୌଣସି ପ୍ରତିବଦଳରେ ପ୍ରଦାନ କରାଯାଉଛି। ‘ନିଦାନ’ ଗାଇଡଲାଇନ୍‌ରେ ରକ୍ତଭଣ୍ଡାରରେ ପରୀକ୍ଷା ପାଇଁ କୌଣସି ଗାଇଡଲାଇନ୍‌ ଦିଆଯାଇନାହିଁ। ସବୁ ସମୟରେ ମଧ୍ୟ ରୋଗୀଙ୍କୁ ରକ୍ତ ବଦଳରେ ରକ୍ତ ଦେବାକୁ ବାଧ୍ୟ କରାଯାଉ ନାହିଁ। ଯେଉଁ ସମୟରେ ଅଧିକ ରକ୍ତ ସଂଗୃହୀତ ହେଉଛି ସେ ସମୟରେ ବିନା ପ୍ରତିବଦଳରେ ରୋଗୀଙ୍କୁ ରକ୍ତ ଦିଆଯାଉଛି। ତେବେ ରକ୍ତଭଣ୍ଡାରରେ ପରୀକ୍ଷା ପାଇଁ ଯେଉଁ ଅର୍ଥ ଆଦାୟ ହେଉଛି, ସେଥିପାଇଁ ରାଜ୍ୟ ସରକାର ଏକ ନୂତନ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର