କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କୁ ଶୋଷଣ ଘଟଣା : ସ୍ବେଚ୍ଛାସେବୀ ସଂଗଠନର ଧାରଣା

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲ୍‌ରେ ଜଣେ ଗରିବ ରୋଗୀଙ୍କୁ ଶୋଷଣ ହୋଇଥିବା ନେଇ ଗତକାଲି ଅଭିଯୋଗ ହୋଇଥିଲା। ଅସ୍ତ୍ରୋପଚାର ପାଇଁ ଡାକ୍ତର ରୋଗୀଙ୍କଠାରୁ ଟଙ୍କା ନେଇଥିବା ରୋଗୀଙ୍କ ପୁଅ ଅଭିଯୋଗ କରିଥିଲେ। ଏହି ଖବର ପ୍ରକାଶ ପାଇବା ପରେ ଆଜି ସାମାଜିକ ସଂଗଠନର କର୍ମକର୍ତା ହସ୍ପିଟାଲରେ ପହଞ୍ଚି ରୋଗୀଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଦାବି କରିଛନ୍ତି। ତେବେ ସଂପୃକ୍ତ ରୋଗୀଙ୍କୁ ଅସ୍ତ୍ରୋପଚାର କରିଥିବା ଡାକ୍ତର ସହ ହସ୍ପିଟାଲ କର୍ତୃପକ୍ଷଙ୍କ ଯୋଗାଯୋଗ ହୋଇପାରି ନ ଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଆଜି କ୍ୟାପିଟାଲ ହସ୍ପିଟାଲ ପ୍ରଶାସନିକ ବିଲ୍ଡିଂ ତଳେ ସ୍ବେଚ୍ଛାସେବୀ ସଂଗଠନ ‘ଆମ ଅଧିକାର’ର କର୍ମକର୍ତା ଧାରଣାରେ ବସିଥିଲେ। ସକାଳ ୧୦ଟାରୁ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ଧାରଣା ଜାରି ରହିଥିଲା। ପରେ ହସ୍ପିଟାଲ କର୍ମକର୍ତା, ସ୍ଥାନୀୟ ପୁଲିସ ଓ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତାଙ୍କ ସହିତ ଆଲୋଚନା ହୋଇଥିଲା। ସଂଗଠନର ସାଧାରଣ ସଂପାଦକ ଗଣେଶ ଦାସ କହିଛନ୍ତି, ରୋଗୀଙ୍କୁ ରାଜ୍ୟ ଚିକିତ୍ସା ପାଣ୍ଠିରୁ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ହସ୍ପିଟାଲ କର୍ତୃପକ୍ଷ ପ୍ରତିଶ୍ରୁତି ଦେଇଛନ୍ତି। ଆସନ୍ତା କିଛିଦିନ ପର୍ଯ୍ୟନ୍ତ ହସ୍ପିଟାଲ ତାଙ୍କର ଚିକିତ୍ସା କରାଯିବ ବୋଲି ଶ୍ରୀ ଦାସ କହିଛନ୍ତି।

କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଡା.ଚନ୍ଦ୍ରିକା ପ୍ରସାଦ ଦାସ କହିଛନ୍ତି, ଏହା ଏକ ଜଟିଳ ଅସ୍ତ୍ରୋପଚାର ଥିଲା। ସଂପୃକ୍ତ ଡାକ୍ତର ଏହାକୁ ଅସ୍ତ୍ରୋପଚାର କରିପାରି ନ ଥିଲେ। ତେବେ ଅସ୍ତ୍ରୋପଚାର ପାଇଁ ଡାକ୍ତର ଟଙ୍କା ନେଇଥିବା ସଂପର୍କରେ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ। ଡାକ୍ତରଙ୍କ ମୋବାଇଲ ସୁଇଚ୍ ଅଫ୍ ରହିଥିବାରୁ ଯୋଗାଯୋଗ ହୋଇପାରି ନାହିଁ। ସଂପୃକ୍ତ ରୋଗୀ ଆହୁରି ୫/୬ଦିନ ପର୍ଯ୍ୟନ୍ତ ହସ୍ପିଟାଲରେ ରହିବେ ବୋଲି ଡା.ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର