ରୋଗୀଙ୍କ ଟଙ୍କାରେ ଭିଆଇପି ସେବା

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କଠାରୁ ଆଦାୟ ହେଉଥିବା ଅର୍ଥ ରୋଗୀଙ୍କ ବଦଳରେ ଭିଆଇପିଙ୍କ ସେବାରେ ଲାଗୁଛି। ଗତ ୪ବର୍ଷ ଭିତରେ ରାଜଧାନୀକୁ ଯେତେ ଭିଆଇପି ଆସିଛନ୍ତି, ସେମାନଙ୍କ ପାଇଁ ବ୍ୟବହାର ହେଉଥିବା ଆମ୍ବୁଲାନ୍‌ସର ଜାଳେଣୀ ଓ ଅନ୍ୟାନ୍ୟ ଖର୍ଚ ଆର୍‌କେଏସ୍ ବା ରୋଗୀ କଲ୍ୟାଣ ସମିତିରୁ ପ୍ରଦାନ କରାଯାଇଛି। ବର୍ଷବର୍ଷ ଧରି ଏ ବାବଦରେ ଲକ୍ଷାଧିକ ଟଙ୍କା ଖର୍ଚ ହୋଇଥିବା ସୂଚନା ଅଧିକାର ଆଇନ ବଳରେ ସାମ୍ନାକୁ ଆସିଛି। ତେବେ ଆରକେଏସ୍ ପାଣ୍ଠିରୁ ଖର୍ଚ ହୋଇଥିବା ଏହି ଟଙ୍କାକୁ ସରକାରଙ୍କ ପକ୍ଷରୁ ଭରଣା କରାଯାଇଛି କି ନାହିଁ, ତାହା ସ୍ପଷ୍ଟ ହୋଇପାରି ନାହିଁ।

ଭିଆଇପିଙ୍କ କାରକେଡ୍‌ରେ ଜରୁରୀ ପରିସ୍ଥିତି ପାଇଁ ଏକ ଆମ୍ବୁଲାନ୍‌ସ ରଖିବା ପାଇଁ ନିୟମ ରହିଛି। ଏ ଦୃଷ୍ଟିରୁ କ୍ୟାପିଟାଲ ହସ୍ପିଟାଲରୁ ଗୋଟିଏ ଆମ୍ବୁଲାନ୍‌ସ ଯୋଗାଇ ଦିଆଯାଇଥାଏ। ତେବେ ଏହି ଆମ୍ବୁଲାନ୍‌ସ ପାଇଁ ହେଉଥିବା ଖର୍ଚ ହସ୍ପିଟାଲର ଆର୍‌କେଏସ୍ ପାଣ୍ଠିରୁ ଭରଣା କରାଯାଇଛି। କେବଳ ୨୦୧୪/୧୫ବର୍ଷରେ ହସ୍ପିଟାଲର ୫ଟି ଆମ୍ବୁଲାନ୍‌ସ ଭିଆଇପିଙ୍କ ପିଛା ୨ଲକ୍ଷ ୨୧ହଜାର ୧୮୧ ଟଙ୍କା ଖର୍ଚ ହୋଇଛି। ୨୦୧୫ ମାର୍ଚରେ ୨୦ହଜାର, ଏପ୍ରିଲରେ ୯ହଜାର, ମେ’ରେ ୧୫ହଜାର ୮୫୫, ଜୁନ୍‌ରେ ୧୮ହଜାର ୮୨୮, ଜୁଲାଇରେ ୧୩ ହଜାର ୩୦୬, ଅଗଷ୍ଟରେ ୨୦ହଜାର ୮୧, ସେପ୍ଟେମ୍ବରରେ ୨୨ହଜାର ୩୬୧, ଅକ୍ଟୋବରରେ ୧୯ହଜାର ୯୮୩, ନଭେମ୍ବରରେ ୧୮ହଜାର ୬୬୧, ଡିସେମ୍ବରରେ ୧୬ହଜାର ୩୬୪ ଟଙ୍କା ଖର୍ଚ ହୋଇଛି। ସେହିପରି ୨୦୧୬ ଜାନୁଆରିରେ ୨୨ହଜାର ୨୧୭, ଫେବ୍ରୁଆରିରେ ୨୪ହଜାର ୫୩୦ ଟଙ୍କା ଆରକେଏସ୍ ପାଣ୍ଠିରୁ ଦିଆଯାଇଛି। ସେହିପରି ୨୦୧୬/୧୭ରେ ୧ଲକ୍ଷ ୫୯ହଜାର ୬୧୮, ୨୦୧୭/୧୮ରେ ୨ଲକ୍ଷ ୭ହଜାର ୬୯୮, ୨୦୧୮/୧୯ରେ ଗତବର୍ଷ ଡିସେମ୍ବର ମାସ ପର୍ଯ୍ୟନ୍ତ ୨ଲକ୍ଷ ୬୮ହଜାର ୬୩୮ ଟଙ୍କା ଆମ୍ବୁଲାନ୍‌ସ ବାବଦରେ ଖର୍ଚ ହୋଇଛି। ତେବେ ଏହି ଟଙ୍କା ରାଜ୍ୟ ସରକାରଙ୍କ ପକ୍ଷରୁ ମୋଟରଗାଡ଼ି ପାଣ୍ଠିରେ ପ୍ରଦାନ କରାଯାଇଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ତଥାପି ଏକାଧିକ ଆମ୍ବୁଲାନ୍‌ସଗୁଡ଼ିକର ଗୋଟିଏ ଗୋଟିଏ ମାସର ଖର୍ଚର ହିସାବ ହସ୍ପିଟାଲ ପକ୍ଷରୁ ଦିଆଯାଇନାହିଁ।

୨୦୧୬ ମସିହାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ସ୍ବତନ୍ତ୍ର ଭାବେ ପାଣ୍ଠି ଦିଆଯାଉଥିବା କୁହାଯାଉଥିଲେ ହେଁ ଏହା ପୂର୍ବରୁ ଭିଆଇପିଙ୍କ ବାବଦରେ ଯେଉଁ ଆମ୍ବୁଲାନ୍‌ସ ବ୍ୟବହୃତ ହୋଇଥାଏ ତାହାର ସମସ୍ତ ଖର୍ଚ ଆକେଏସ୍ ପାଣ୍ଠିରୁ ହିଁ ଭରଣା କରାଯାଉଥିଲା। ହସ୍ପିଟାଲର ଉନ୍ନତିମୂଳକ କାର୍ଯ୍ୟ ହେଉ ବା ରୋଗୀଙ୍କ ଜରୁରୀ ଆବଶ୍ୟକତା ସମୟରେ ହିଁ ଆରକେଏସ୍ ପାଣ୍ଠି ଖର୍ଚ ହୋଇଥାଏ। ମାତ୍ର ଲକ୍ଷାଧିକ ଟଙ୍କା ରୋଗୀଙ୍କ କାମରେ ନ ଲାଗିବା ଗରିବ ରୋଗୀଙ୍କ ପ୍ରତି ଏକପ୍ରକାର ଉପହାସ ପାଲଟିଛି। ଅପରପକ୍ଷରେ ଭିଆଇପିଙ୍କ ସେବାରେ ଗୋଟିଏ ଆମ୍ବୁଲାନ୍‌ସ ସବୁବେଳେ ନିୟୋଜିତ ହେବା ଯୋଗୁଁ ରୋଗୀଙ୍କ ସେବାରେ ସମସ୍ୟା ଦେଖା ଦେଉଛି। ହସ୍ପିଟାଲରେ ଏବେ ୪ଟି ଆମ୍ବୁଲାନ୍‌ସ ରହିଥିବା‌ ବେଳେ ତହିଁରୁ ଗୋଟିଏ ଖରାପ ହୋଇଯାଇଛି। ନୂଆବର୍ଷ ଦିନ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍‌ରେ ଆସୁଥିବା ବେଳେ ଧଉଳି ନିକଟରେ ଏହା ଖରାପ ହୋଇଯାଇଥିଲା। ଏବେ ବଳକା ୩ଟି ଆମ୍ବୁଲାନ୍‌ସରୁ ଗୋଟିଏ ଭିଆଇପି ଡ୍ୟୁଟିରେ ରହୁଛି। ତେଣୁ ରୋଗୀଙ୍କ ସେବାରେ ଆମ୍ବୁଲାନ୍‌ସ ଲାଗିପାରୁନାହିଁ।

ଖତ ଖାଉଛି ୫୦ଲକ୍ଷ ଟଙ୍କାର ୧୫ ମେସିନ୍

କ୍ୟାପିଟାଲ ହସ୍ପିଟାଲରେ ଲକ୍ଷାଧିକ ଟଙ୍କାର ମେସିନ୍ ଦୀର୍ଘଦିନ ହେବ କୌଣସି କାର୍ଯ୍ୟରେ ନ ଲାଗି ଖତ ଖାଉଛି। ସୂଚନା ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ, କ୍ୟାପିଟାଲ ହସ୍ପିଟାଲକୁ ବିଭିନ୍ନ ସୂତ୍ରରୁ ବହୁ ଅତ୍ୟାଧୁନିକ ମେସିନ୍ କିଣାଯାଇଛି ବା ଅଣାଯାଇଛି। ହସ୍ପିଟାଲରେ ଏବେ ସମୁଦାୟ ୨୩୦ ପ୍ରକାରର ମେସିନ୍ ରହିଥିବା ବେଳେ ଏମାନଙ୍କ ମଧ୍ୟରୁ ୧୫ଟି ମେସିନ୍ ଅଚଳ ଅବସ୍ଥାରେ ରହିଛି। ଯାହାର ଦାମ ପ୍ରାୟ ୫୦ଲକ୍ଷ ଟଙ୍କା ହେବ। କେଉଁ କାରଣରୁ ଏହି ମେସିନ୍ ଗୁଡ଼ିକ ବର୍ଷ ବର୍ଷ ଧରି ଅଚଳ ଅବସ୍ଥାରେ ପଡ଼ି ରହିଛି ହସ୍ପିଟାଲ ପକ୍ଷରୁ ତାହାର କୌଣସି କାରଣ ଦିଆଯାଇନାହିଁ। କିନ୍ତୁ ଯେଉଁ ଉଦ୍ଦେଶ୍ୟ ନେଇ ହସ୍ପିଟାଲକୁ ଏତେ ଦାମୀ ମେସିନ୍ ଆସିଥିଲା ତାହା ରୋଗୀଙ୍କ କାମରେ ଲାଗିପାରୁ ନାହିଁ। ସୂଚନା ଅନୁସାରେ, ୨ଲକ୍ଷ ୪୩ହଜାର ୯୮୪ଟଙ୍କାର ଡିପ୍‌ ଫ୍ରିଜର, ୮୮ହଜାର ଟଙ୍କାର ରୋଟାରି ମାଇକ୍ରୋଟୋନ୍ ୱିଥ୍ ସୁଇଟେବୁଲ ନାଇଫ୍, ୬୪ହଜାର ଟଙ୍କାର ହିଷ୍ଟୋ ନାଇଟ୍, ୧ଲକ୍ଷ ୨ହଜାର ଟଙ୍କାର କମ୍ପ୍ୟୁଟରୀକୃତ ସ୍ପାଇରୋ ମିଟର, ୧ଲକ୍ଷ ୨୫ଜହାର ୭୯୭ଟଙ୍କାର ନ୍ୟୁବର୍ଣ୍ଣ ଇନ୍‌କ୍ୟୁବେଟର, ୨୨ଲକ୍ଷ ୧୨ହଜାର ଟଙ୍କାର ଏକ୍ସ-ରେ ୟୁନିଟ୍, ୨ଲକ୍ଷ ୨୨ହଜାର ଟଙ୍କାର ଆଉ ଏକ ଏକ୍ସ-ରେ ୟୁନିଟ୍, ୫ଲକ୍ଷ ୨୮ଜହାର ୯୪୦ଟଙ୍କାର ଅର୍ଥୋ ପାମଟୋମୋଗ୍ରାଫି, ଇସିଜି ମେସିନ୍, ଫଟୋ କପିଅର(ଜେରକ୍ସ ମେସିନ୍), ଡିଜି ସେଟ୍ ଜେନେରେଟର, ଲାପାରେସ୍କୋପି ୟୁନିଟ୍, କ୍ରିଷ୍ଟୋସ୍କୋପ୍ ୱିଥ ଆକ୍ସେସୋରିଜ୍, ୧୧ଲକ୍ଷ ୪୧ହଜାର ୮୭୫ଟଙ୍କାର ମାମୋଗ୍ରାଫି ୟୁନିଟ୍ ଅଚଳ ହୋଇ ପଡ଼ି ରହିଛି। ଅଧିକାଂଶ ମେସିନ୍‌ର ବାର୍ଷିକ ରକ୍ଷଣାବେକ୍ଷଣ ବା ଏଏମ୍‌ସି ନ ଥିବାରୁ ମେସିନ୍‌ର ସ୍ଥିତି କ’ଣ ରହିଛି ତାହା ଜାଣିବା ମୁସ୍କିଲ୍। ଏହିସବୁ ମେସିନ୍ ୨୦୦୪ ମସିହାରୁ ଏ ପର୍ଯ୍ୟନ୍ତ ନର୍ଗିସ୍ ଦତ୍ତ ଫାଉଣ୍ଡେସନ୍, ଆରଡିସି, ଓଏଚ୍‌ଏସ୍‌ଡିପି ଓ ଅନ୍ୟାନ୍ୟ ସୂତ୍ରରୁ ଆସିଛି। ଦୀର୍ଘଦିନ ଧରି ପଡ଼ି ରହିବା ଯୋଗୁଁ ରକ୍ଷଣାବେକ୍ଷଣ ଖର୍ଚଠାରୁ ଆରମ୍ଭ କରି ଯନ୍ତ୍ରପାତି ବଜାରରେ ଉପଲବ୍ଧ ହେଉନାହିଁ। ଅଧିକାଂଶ ସରକାରୀ ଡାକ୍ତରଖାନାରେ ଏସବୁ ମେସିନ୍ ନ ଥିବା ବେଳେ କ୍ୟାପିଟାଲ ହସ୍ପିଟାଲରେ କିନ୍ତୁ ଖତ ଖାଇବା ପାଇଁ ଛାଡ଼ି ଦିଆଯାଇଛି।

ସମ୍ବନ୍ଧିତ ଖବର