ଅଂଶୁଘାତ ପାଇଁ କ୍ୟାପିଟାଲ ହସ୍ପିଟାଲ ପ୍ରସ୍ତୁତ

ବିପର୍ଯ୍ୟୟ ୱାର୍ଡ ଓ କାଜୁଆଲ୍‌ଟିରେ ୧୦ ଲେଖାଏଁ ଶଯ୍ୟା

ଭୁବନେଶ୍ବର : ଅଂଶୁଘାତ ପାଇଁ କ୍ୟାପିଟାଲ ହସ୍ପିଟାଲ ପ୍ରସ୍ତୁତ ରହିଛି। ବିପର୍ଯ୍ୟୟ ୱାର୍ଡ ଓ କାଜୁଆଲ୍‌ଟିରେ ୧୦ଟି ଲେଖାଏଁ ଶଯ୍ୟା ପ୍ରସ୍ତୁତ ରହିଛି। କୌଣସି ବ୍ୟକ୍ତି ଅଂଶୁଘାତର ଚିକିତ୍ସା ପାଇଁ ହସ୍ପିଟାଲକୁ ଆସିଲେ ତାଙ୍କୁ ସମସ୍ତ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି।

ହସ୍ପିଟାଲରୁ ମିଳିଥିବା ସୂଚନା ଅନୁସାରେ, ଟ୍ରାଏଲ୍‌ରେ ମଧ୍ୟ ୪ଟି ଶଯ୍ୟା ରହିଛି। ଆବଶ୍ୟକ ପଡ଼ିଲେ ତାହାକୁ ମଧ୍ୟ ବ୍ୟବହାର କରାଯିବ। ବିପର୍ଯ୍ୟୟ ୱାର୍ଡରେ ଏ.ସି ସହିତ ପ୍ରଚୁର ପରିମାଣର ଓଆରଏସ୍‌ ଓ ସାଲାଇନ୍ ମହଜୁଦ୍ ରହିଛି। ନିକଟରେ ଖୋର୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ତହିଁରେ ଅଂଶୁଘାତର ମୁକାବିଲା ପାଇଁ ହସ୍ପିଟାଲର ପ୍ରସ୍ତୁତି ସଂପର୍କରେ ଆଲୋଚନା ହୋଇଥିଲା। ତେଣୁ ଅଂଶୁଘାତ ପାଇଁ ହସ୍ପିଟାଲରେ ସମସ୍ତ କର୍ମଚାରୀଙ୍କୁ ଆଲର୍ଟରେ ରଖାଯାଇଥିବା ହସ୍ପିଟାଲର ଜଣେ ଅଧିକାରୀ କହିଛନ୍ତି।

ଖୋଲିବ ଫିଜିଓଥେରାପି ୟୁନିଟ୍
କ୍ୟାପିଟାଲ ହସ୍ପିଟାଲରେ ଖୋଲିବ ଫିଜିଓଥେରାପି ୟୁନିଟ୍। ହସ୍ପିଟାଲ ପରିସରରେ ଥିବା ଅବ୍ୟବହୃତ ପୁରୁଣା ସ୍ତ୍ରୀ ଓ ପ୍ରସୂତି ରୋଗ ୱାର୍ଡ ନିକଟରେ ଏହାକୁ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଜାତୀୟ ସ୍ବାସ୍ଥ୍ୟ ମିସନ୍‌ ପକ୍ଷରୁ ଏଥିପାଇଁ ୨ଜଣ ଫିଜିଓଥେରାପିଷ୍ଟଙ୍କୁ ନିଯୁକ୍ତି ଦିଆଯାଇଛି, ଗତକାଲି ସେମାନେ ହସ୍ପିଟାଲରେ ପହଞ୍ଚିଛନ୍ତି। ହସ୍ପିଟାଲରେ ଏବେ ଶିଶୁ ୱାର୍ଡର ଶିଶୁମାନଙ୍କ ପାଇଁ ଫିଜିଓଥେରାପି ରହିଛି। ହସ୍ପିଟାଲ ପରିସରରେ ଥିବା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗରେ ମଧ୍ୟ ଏକ ଫିଜିଓଥେରାପି ୟୁନିଟ୍ କାର୍ଯ୍ୟ କରୁଛି। ମାତ୍ର କ୍ୟାପିଟାଲ ହସ୍ପିଟାଲରେ ପ୍ରଥମଥର ଲାଗି ଏଭଳି ଏକ ୟୁନିଟ୍‌ ଖୋଲିବାକୁ ଯାଉଥିବା ହସ୍ପିଟାଲର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଆଇସିୟୁ ସମେତ ଅସ୍ଥିଶଲ୍ୟ, ସ୍ନାୟୁରୋଗ ପର୍ଯ୍ୟନ୍ତ ରୋଗୀଙ୍କ ପାଇଁ ଫିଜିଓଥେରାପିର ଆବଶ୍ୟକତା ରହିଛି। ଯାହାକି ହସ୍ପିଟାଲରେ ଅଭାବ ରହିଥିଲା। ତେଣୁ ୟୁନିଟ୍ ଖୋଲିବା ପରେ ରୋଗୀମାନଙ୍କୁ ମାଗଣାରେ ଫିଜିଓଥେରାପି ଯୋଗାଇ ଦିଆଯିବ। ଏଥିପାଇଁ ଆବଶ୍ୟକ ଯନ୍ତ୍ରପାତି କିଣିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଆସନ୍ତା ୨ମାସ ମଧ୍ୟରେ ଏହା କାର୍ଯ୍ୟକାରୀ ହେବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି।

ହସ୍ପିଟାଲରୁ ଘୁଞ୍ଚିବ ଅକ୍ସ‌ିଜେନ୍ ପ୍ଲାଣ୍ଟ
କ୍ୟାପିଟାଲ ହସ୍ପିଟାଲରେ ଦୀର୍ଘ ଦିନ ଧରି ରହିଥିବା ଅକ୍ସିଜେନ୍ ପ୍ଲାଣ୍ଟକୁ ଘୁଞ୍ଚାଇ ଦିଆଯିବ। ଏକାଧିକ ୱାର୍ଡ ମଧ୍ୟରେ ଏହି ପ୍ଲାଣ୍ଟ ରହିଥିବାରୁ ଏଥିପାଇଁ ଅନେକ ସମସ୍ୟା ସୃଷ୍ଟି ହେଉଛି। ଅପରପକ୍ଷରେ ଆଗାମୀ ଦିନରେ ସରକାରଙ୍କ ପକ୍ଷରୁ ଏକ ତରଳ ଅକ୍ସିଜେନ୍ ପ୍ଲାଣ୍ଟ ନିର୍ମାଣ ପାଇଁ ଯୋଜନା ରହିଛି। ଏଥିପାଇଁ ଜାଗା ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ତେବେ ପୁରୁଣା ଅକ୍ସିଜେନ୍ ପ୍ଲାଣ୍ଟରୁ ପାଇପ୍ ଲାଇନ୍ ଆଇସିୟୁକୁ ଯାଇଥିବାରୁ ଅନ୍ୟ ଏକ ପ୍ଲାଣ୍ଟ ଦୂରରେ ନିର୍ମାଣ କରାଯିବା ପରେ ହିଁ ପୁରୁଣା ପ୍ଲାଣ୍ଟକୁ ସେ ସ୍ଥାନରୁ ହଟାଇ ଦିଆଯିବ। ତରଳ ଅକ୍ସିଜେନ୍ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବା ପରେ ଏହା ଦ୍ବିତୀୟ ପ୍ଲାଣ୍ଟ ଭାବେ କାର୍ଯ୍ୟ କରିବ। ଚଳିତବର୍ଷ ଶେଷସୁଦ୍ଧା ଏହା ଘୁଞ୍ଚିବ ବୋଲି ହସ୍ପିଟାଲ ସୂତ୍ରରୁ ସୂଚନା ମିଳିଛି। ଏହାସହ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଷ୍ଟେରିଲାଇଜେସନ୍ ୟୁନିଟ୍ ଖୋଲିବା ପାଇଁ ପ୍ରସ୍ତାବ ରହିଛି। ଏଥିପାଇଁ ୩ହଜାର ବର୍ଗଫୁଟ୍ ଜାଗା ଆବଶ୍ୟକ। ତେଣୁ ଏହାର ଜାଗା ଚିହ୍ନଟ ପାଇଁ ଉଦ୍ୟମ କରାଯାଉଛି। ଏହି ୟୁନିଟ୍ କାର୍ଯ୍ୟକ୍ଷମ ହେବା ପରେ ‌ଷ୍ଟେରିଲାଇଜେସନ୍‌ରେ ଥିବା ସମସ୍ୟା ଦୂର ହୋଇପାରିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର