କ୍ୟାପିଟାଲ ହସ୍‌ପିଟାଲ : ଫ୍ରିଜର୍‌ ଅଚଳ, ପଚି ଯାଉଛି ଶବ

ଭୁବନେଶ୍ୱର : ସ୍ବାସ୍ଥ୍ୟ ସେବା ଓ ପରିଚାଳନଗତ ତ୍ରୁଟିକୁ ନେଇ ବିଭିନ୍ନ ସମୟ‌ରେ ଚର୍ଚ୍ଚାରେ ଥିବା କ୍ୟାପିଟାଲ ହସ୍‌ପିଟାଲ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ୪ ଦିନ ହେଲା ଶବ ସଂରକ୍ଷଣ ଗୃହରେ ଥଣ୍ଡା କରିବା ମେସିନ୍‌ (ଫ୍ରିଜର୍‌) ଖରାପ ହୋଇଯାଇଛି। ଫଳରେ ଶବ ସଂରକ୍ଷିତ ରଖା ଯାଇପାରୁନାହିଁ। ୪ ଦିନ ହେବ ଏହି ଅଚଳାବସ୍ଥା ଲାଗିଥିଲେ ମଧ୍ୟ କର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ଏଣୁ ଚିହ୍ନଟ ପାଇଁ ଅତି କମ୍‌ରେ ୭୨ଘଣ୍ଟା ଶବ ସଂରକ୍ଷିତ ରଖିବା ସମ୍ଭବ ହେଉନାହିଁ। ଅନେକ ଶବ ଗଳିତ ଅବସ୍ଥାରେ ଉଦ୍ଧାର କରାଯାଉଥିବା ବେଳେ ଏଠାରେ ବାହାରେ ୭୨ ଘଣ୍ଟା ରହି ଶବ ପଚି ଯାଉଛି। ଫଳରେ ସମଗ୍ର ଅଞ୍ଚଳ ଦୁର୍ଗନ୍ଧରେ ଫାଟି ପଡ଼ୁଛି। ପ୍ରତ୍ୟେକ ଦିନ ଏହି ହସ୍‌ପିଟାଲକୁ ହଜାର ହଜାର ରୋଗୀଙ୍କ ସହ ପରିଜନ ଆସୁଥିବା ବେଳେ ଏଠାରେ ଏକ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ଅନ୍ୟପଟେ ଶବ ପଚି ଯାଉଥିବାରୁ ଅଚିହ୍ନା ଶବକୁ ଚିହ୍ନିବା କାଠିକର ପାଠ ହେଉଛି। ତେବେ ସୁପରିନ୍‌ଟେଣ୍ଡେଣ୍ଟ କହିଛନ୍ତି, ଏଠାରେ ଲାଗିଥିବା ମେସିନ୍‌ଗୁଡ଼ିକର ୱାରେଣ୍ଟି ଥିବାରୁ ସମ୍ପୃକ୍ତ ସଂସ୍ଥାକୁ ୪ଦିନ ତଳେ ଖବର ଦିଆଯାଇଥିଲା‌। ସେମାନେ ଆଜି ଆସିଛନ୍ତି। କିନ୍ତୁ ମରାମତି ହୋଇପାରିନାହିଁ। ଆସନ୍ତାକାଲି ନିଶ୍ଚିତ ଭାବରେ ଏହା ମରାମତି ହୋଇଯିବ। ତେବେ ପ୍ରତ୍ୟେକ ଦିନ ଶବ ସଂଖ୍ୟା ବଢ଼ିବାରେ ଲାଗିଛି। ଆମ ପାଖରେ ଯେତିକି ବ୍ୟବସ୍ଥା ଅଛି, ବେଳେ ବେଳେ ତାହା ମଧ୍ୟ ଅଭାବ ପଡ଼ୁଛି। ଆମେ ଆହୁରି ୪ଟି ଶବ ରହିପାରିବା ଭଳି ଆଉ ଏକ ନୂଆ ମର୍ଚୁଆରି ସ୍ଥାପନ କରିବାକୁ ଯାଉଛୁ। ଏଣୁ ଶବ ସଂରକ୍ଷଣ ସମସ୍ୟା ରହିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ସୂଚନା ମୁତାବକ, ଏଠାରେ ୪ଟି ଶୀତାତପ ନିୟନ୍ତ୍ରିତ ୩ଟି ମର୍ଚୁଆରି ରହିଛି। ଏଥିରେ ଏକ ସମୟରେ ୮ଟି ଶବ ରହିପାରିବା ବ୍ୟବସ୍ଥା ରହିଛି। ପୂର୍ବରୁ ଗୋଟିଏ ଦିନରେ ହାରାହାରି ୫ରୁ ୬ ଶବ ସଂରକ୍ଷଣ ପାଇଁ ଆସୁଥିଲା। କିନ୍ତୁ ଏବେ ଏହି ଅନୁପାତ ବଢ଼ିଛି। ଗୋଟିଏ ଦିନରେ ଏହାର ସଂଖ୍ୟା ୧୦ରେ ପହଞ୍ଚି ଯାଉଛି। ଏଭଳି ସ୍ଥିତିରେ ମର୍ଚୁଆରି ଖରାପ ହୋଇଯିବାରୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା। ୪ ଦିନ ଧରି ସେଠାରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଏଜି ଛକରୁ ଏକ ଅଜଣା ଶବ ଉଦ୍ଧାର କରି କ୍ୟାପିଟାଲ ଥାନା ପୁଲିସ ସଂରକ୍ଷଣ ପାଇଁ ମର୍ଚୁଆରି ନେଇଥିବା ବେଳେ ନୟାପଲ୍ଲୀ ଥାନାରୁ ମଧ୍ୟ ଆଉ ଗୋଟିଏ ଶବ ଆସିଥିଲା। ଗୋଟିଏ ଦିନରେ ଦୁଇ ଅଜଣା ଶବ ଆସିଥିବା ବେଳେ ଏଗୁଡ଼ିକୁ ୩ ଦିନ ଧରି ସଂରକ୍ଷିତ ରଖିବା ଆବଶ୍ୟକତା ଥିଲା। କିନ୍ତୁ ଫ୍ରିଜର୍‌ ଖରାପ ଥିବାରୁ ଏହା ଭିତରେ ରଖିବା ପ୍ରୟୋଜନ ନଥିଲା। ଏଣୁ ଏହାକୁ ବାହାରେ ରଖାଯାଇଥିଲା।

କେବଳ ଅଜଣା ଶବ ନୁହେଁ, ପରିଚିତ ଶବ ମଧ୍ୟ ବାହାରେ ରହୁଛି। ଅପରାହ୍‌ଣ ୫ଟା ପରେ ଶବ ବ୍ୟବଚ୍ଛେଦ ବ୍ୟବସ୍ଥା ନାହିଁ। ଏଣୁ ଅନେକ ଶବ ୫ଟା ପରେ ଆସୁଥିବାରୁ ପରଦିନ ବ୍ୟବଚ୍ଛେଦ ହେବା ପାଇଁ ସଂରକ୍ଷିତ ହୋଇରହୁଛି। କିଛି ଦିନ ହେବ ତାପମାତ୍ରା ଉଚ୍ଚା ରହୁଛି। ମେସିନ୍‌ ଖରାପ ଥିବାରୁ ଭିତରେ ରଖିଲେ ଉଚ୍ଚ ତାପମାତ୍ରା ଯୋଗୁଁ ଶବ ଶୀଘ୍ର ପଚିଯିବା ସମ୍ଭାବନା ରହିଛି। ଏଣୁ ଏହି ପରିଚିତ ଶବଗୁଡ଼ିକୁ ମଧ୍ୟ ବାହାରେ ରଖାଯାଉଛି। ଏହି ଗୃହକୁ ଜାଲି ଲଗାଯାଇ କୁକୁର ବିଲେଇଙ୍କଠାରୁ ସୁରକ୍ଷିତ ରଖାଯାଇଥିଲେ ମଧ୍ୟ ଭିତରେ ମୂଷା, ପିମ୍ପୁଡ଼ି ଓ ଅନ୍ୟାନ୍ୟ ପୋକଙ୍କର ପ୍ରାଦୁର୍ଭାବ ଦେଖାଯାଇଛି। କ୍ୟାପିଟାଲ ହସ୍‌ପିଟାଲରେ ଏଭଳି ସ୍ଥିତି ୪ ଦିନ ହେବ ଜାରି ରହିଛି। ତେବେ ମରାମତି ଆରମ୍ଭ ହୋଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର