ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦେଶ କାର୍ଯ୍ୟକାରୀ ହେବ ତ? : ସବୁ ପରୀକ୍ଷା ହେଉନି, ଘରୋଇ ସଂସ୍ଥା ହିଁ ଭରସା

ଭୁବନେଶ୍ବର : ଗୁରୁବାର ଶେଷ ହୋଇଛି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବା ସିଡିଏମ୍‌ଓ ସମ୍ମିଳନୀ। ଶେଷ ଦିବସରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଘରୋଇ ସଂସ୍ଥାରେ ହୋଇଥିବା ପରୀକ୍ଷା ରିପୋର୍ଟକୁ ଗ୍ରହଣ ନ କରିବା ପାଇଁ ସରକାରୀ ଡାକ୍ତରଖାନାର ଡାକ୍ତରମାନଙ୍କୁ ନିର୍ଦେଶ ଦେଇଛନ୍ତି। ସରକାରୀ ଡାକ୍ତରଖାନାରେ ସମସ୍ତ ପରୀକ୍ଷା ହେଉଥିବା ବେଳେ ଆଉଟ୍‌ ଅଫ୍ ପକଟେ ଏକ୍ସପେଣ୍ଡିଚର୍‌ ବା ଲୋକମାନଙ୍କୁ ବାହାରେ ଅଯଥା ଖର୍ଚରୁ ରକ୍ଷା କରିବା ଲାଗି ସରକାର ଏଭଳି ନିଷ୍ପତ୍ତି‌ ନେଇଛନ୍ତି। ଏହାସହ ଅନେକ ସମୟରେ ସରକାରୀ ଡାକ୍ତରମାନେ ଘରୋଇ ଡାଏଗ୍ନୋଷ୍ଟିକ ସେଣ୍ଟରକୁ ରୋଗୀଙ୍କୁ ପରୀକ୍ଷା ପାଇଁ ପଠାଉଥିବା ଅଭିଯୋଗ ହେଉଛି। ତେଣୁ ଏସବୁକୁ ନିୟନ୍ତ୍ରଣ କରିବା ପାଇଁ ସରକାରୀ ଡାକ୍ତରଖାନାର ପରୀକ୍ଷା ରିପୋର୍ଟକୁ ଗୁରୁତ୍ବ ଦେବାକୁ କୁହାଯାଇଛି। ତେବେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଏହି ନିର୍ଦେଶ ପରେ ରାଜଧାନୀର ପ୍ରମୁଖ ସରକାରୀ ଡାକ୍ତରଖାନା କ୍ୟାପିଟାଲ ହସ୍ପିଟାଲରେ ଏହି ନିର୍ଦେଶ କିଭଳି କାର୍ଯ୍ୟକାରୀ ‌ହେବ ତାହାକୁ ଜାଣିବା ପାଇଁ ଉଦ୍ୟମ କରିଥିଲା ‘ସମ୍ବାଦ’। ହସ୍ପିଟାଲରେ ଏବେ ବି ଅନେକ ପରୀକ୍ଷା ହେଉ ନ ଥିବା ବେଳେ ଯେଉଁ ପରୀକ୍ଷା ରହିଛି ତାହା ସବୁ ସମୟରେ ଉପଲବ୍ଧ ହେଉନାହିଁ। ହସ୍ପିଟାଲ କର୍ତୃପକ୍ଷ ମଧ୍ୟ ଉପଲବ୍ଧ ସେବାକୁ ନିୟମିତ କରିବାରେ ବିଫଳ ହୋଇଛନ୍ତି। ତେଣୁ ଜରୁରୀ ପରିସ୍ଥିତିରେ ଡାକ୍ତରଖାନାକୁ ରୋଗୀଟିଏ ଆସିଲେ ବିଭିନ୍ନ ପରୀକ୍ଷା ପାଇଁ ଘରୋଇ ସଂସ୍ଥା ଉପରେ ନିର୍ଭର କରିବା ଛଡ଼ା ଅନ୍ୟ ଉପାୟ ନାହିଁ। ତେଣୁ ଏଭଳି ପରିସ୍ଥିତିରେ ରୋଗୀଟିଏ କ’ଣ କରିବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଇକୋ ଓ ଟ୍ରେଡ୍ ମିଲ୍ ପରୀକ୍ଷାକୁ ନେଇ ଛକାପଞ୍ଝା

ହୃଦ୍‌ରୋଗୀଙ୍କ ପାଇଁ କ୍ୟାପିଟାଲ ହସ୍ପିଟାଲରେ ଇକୋର ବ୍ୟବସ୍ଥା କରାଯାଇଛି। ମାତ୍ର ଅଧିକାଂଶ ସମୟରେ ଏହି ପରୀକ୍ଷା ହେଉ ନ ଥିବା ରୋଗୀମାନେ ଅଭିଯୋଗ କରୁଛନ୍ତି। ଏଥିପାଇଁ ରୋଗୀମାନଙ୍କୁ ‌ଘରୋଇ ସଂସ୍ଥା ଉପରେ ନିର୍ଭର କରିବାକୁ ପଡ଼ୁଛି। ‌ସେହିପରି ଟ୍ରେଡ୍ ମିଲ୍‌ ଟେଷ୍ଟ ବା ଟିଏମ୍‌ଟି ପାଇଁ ସମସ୍ତ ଯନ୍ତ୍ରପାତି ହସ୍ପିଟାଲରେ ରହିଛି। ମାତ୍ର କାହିଁକି ଏହା ନିୟମିତ ହେଉନାହିଁ ତାହା ବୁଝା ପଡ଼ୁନାହିଁ। ତେଣୁ ହୃଦ୍‌ରୋଗୀମାନେ ବାହାରେ ଖର୍ଚାନ୍ତ ହେଇ ଏହି ପରୀକ୍ଷା କରୁଛନ୍ତି।

ବାତ ରୋଗୀଙ୍କ ପାଇଁ ହେଉନି ଇଇଜି ପରୀକ୍ଷା

ବାତ ରୋଗୀଙ୍କ ପାଇଁ ଇଇଜି ବା ଇଲେକ୍ଟ୍ରୋଏନ୍‌ସୋଫାଲୋଗ୍ରାମ୍ ପରୀକ୍ଷା ଗୁରୁତ୍ବପୂର୍ଣ୍ଣ। ବିଶେଷକରି ଶିଶୁମାନଙ୍କୁ ବାତ ମାରିଲେ ଇଇଜି ପରୀକ୍ଷା ଜରୁରୀ ହୋଇଥାଏ। ମାତ୍ର କ୍ୟାପିଟାଲ ହସ୍ପିଟାଲରେ ଏଭଳି ପରୀକ୍ଷା ହେଉନାହିଁ। ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା ସେତେଟା ଜରୁରୀ ହୋଇ ନ ଥିବା ବେଳେ ଶିଶୁଙ୍କ ପାଇଁ ଏହି ପରୀକ୍ଷା ଅତ୍ୟନ୍ତ ଜରୁରୀ। କ୍ୟାପିଟାଲ ହସ୍ପିଟାଲରେ ପ୍ରତ୍ୟେକ ଦିନ ୮/୧୦ରୁ ଏଭଳି ଶିଶୁ ଆସୁଥିବା ବେଳେ ସେମାନଙ୍କୁ ଘରୋଇ ଡାଏଗ୍ନୋଷ୍ଟିକ୍ ସେଣ୍ଟରକୁ ଯିବାକୁ ପଡ଼ୁଛି। ଏଭଳି ପରିସ୍ଥିତିରେ ଡାକ୍ତର ଘରୋଇ ସଂସ୍ଥାରେ ପରୀକ୍ଷା ହୋଇଥିବା ରିପୋର୍ଟକୁ ଗ୍ରହଣ କରିବେ କି ନାହିଁ କିମ୍ବା ଏହା ବଦଳରେ ଅନ୍ୟ କେଉଁ ବ୍ୟବସ୍ଥା ଗ୍ରହଣ କରାଯିବ ତାହା ଏବେ ରହସ୍ୟ ଘେରରେ ରହିଛି।

ଅଲଟ୍ରାସାଉଣ୍ଡ ପାଇଁ ଘରୋଇ ସଂସ୍ଥା ମୁଖ୍ୟ ପସନ୍ଦ

କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ଅଲଟ୍ରାସାଉଣ୍ଡ ପାଇଁ ମଧ୍ୟ ଘରୋଇ ସଂସ୍ଥାକୁ ପସନ୍ଦ କରୁଛନ୍ତି। ବିଶେଷକରି ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଏକ ଅଲଟ୍ରାସାଉଣ୍ଡ ମେସିନ୍ ରହିଥିଲେ ହେଁ ନିୟମିତ ଅଲଟ୍ରାସାଉଣ୍ଡ କରାଯାଉନାହିଁ। ତେଣୁ ଜରୁରୀ ଅବସ୍ଥାରେ ଆସୁଥିବା ପ୍ରସୂତିମାନଙ୍କୁ ବାହାରେ ଅଲଟ୍ରାସାଉଣ୍ଡ କରିବାକୁ ପଡ଼ୁଛି। ସାଧାରଣ ରୋଗୀଙ୍କ ପାଇଁ ମଧ୍ୟ ହସ୍ପିଟାଲରେ ସକାଳ ୯ଟାରୁ ୧୨ଟା ପର୍ଯ୍ୟନ୍ତ ଅଲଟ୍ରାସାଉଣ୍ଡ ହେଉଛି। ଅନ୍ୟ ସମୟରେ ଏହା ଉପଲବ୍ଧ ହେଉନାହିଁ। ଆବଶ୍ୟକ ସଂଖ୍ୟକ ରେଡିଓଲୋଜିଷ୍ଟଙ୍କ ଏଥିପାଇଁ ଅଭାବ ରହିଥିବା କୁହାଯାଉଛି। ତେଣୁ ରୋଗୀଙ୍କୁ ଦିନ ଦିନ ଧରି ଅପେକ୍ଷା କରିବାକୁ ପଡ଼ୁଛି।

ଏକ୍ସ-ରେ’ରେ ରହିଛି ଦ୍ବନ୍ଦ୍ବ

କ୍ୟାପିଟାଲ ହସ୍ପିଟାଲକୁ ଜରୁରୀ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ପାଇଁ ଏକ୍ସ-ରେ ଅତ୍ୟାବଶ୍ୟକ। ଫ୍ରାକ୍ଚର, ମେରୁଦଣ୍ଡରେ ଆଘାତ ଓ ଅନ୍ୟାନ୍ୟ ହସ୍ପିଟାଲରେ ଏକ୍ସ-ରେ ସକାଳ ପ୍ରାୟ ସାଢ଼େ ୮ଟା ସମୟରେ ଆରମ୍ଭ ହେଉଥିବା ବେଳେ ୧ଟା ପର୍ଯ୍ୟନ୍ତ ଚାଲୁଛି। ପରେ କିଛି ସମୟ ମଧ୍ୟାହ୍ନ ଭୋଜନ ପାଇଁ ବନ୍ଦ ରହୁଥିବା ବେଳେ ପରେ ରାତି ସାଢ଼େ ୮ଟା ପର୍ଯ୍ୟନ୍ତ ଚାଲୁଛି। ତେବେ ସକାଳ ସମୟରେ ଡିଜିଟାଲ ଏକ୍ସ-ରେ ବ୍ୟବହାର ହେଉଥିବା ବେଳେ ଅପରାହ୍‌ଣରେ ପୁରୁଣା ଢଙ୍ଗରେ ଏକ୍ସ-ରେ ହେଉଥିବା ସୂଚନା ମିଳିଛି। ଦିନରେ ଯେଉଁ ଏକ୍ସ-ରେ ହେଉଛି ତାହାର ରିପୋର୍ଟ ରୋଗୀଙ୍କୁ ମିଳିପାରୁ ଥିବା ବେଳେ ଅପରାହ୍‌ଣରେ ଏକ୍ସ-ରେ କଲେ କେବଳ ଫଟୋ ଉଠିପାରୁଛି। ରିପୋର୍ଟ ମିଳିପାରୁ ନାହିଁ। ଅପରପକ୍ଷରେ ବିଳମ୍ବିତ ରାତିରେ ଜରୁରୀକାଳୀନ ପରିସ୍ଥିତିରେ ଆସୁଥିବା ରୋଗୀଙ୍କ ଏକ୍ସ-ରେ ସେବା ଉପଲବ୍ଧ ହେଉନାହିଁ। ଏଭଳି ପରିସ୍ଥିତିରେ ଡାକ୍ତର କେଉଁ ରିପୋର୍ଟ ଆଧାରରେ ରୋଗୀଙ୍କ ଚିକିତ୍ସା କରିବେ ତାହା ବୁଝା ପଡ଼ୁନାହିଁ।

ଟ୍ରପ୍-ଟି ପରୀକ୍ଷା ହେଉନାହିଁ

ହୃଦ୍‌ଘାତର ଶିକାର ହୋଇଥିବା ରୋଗୀଙ୍କ ପାଇଁ ଟ୍ରପୋନିନ୍ ବା ଟ୍ରପ୍-ଟି ଏକ ଗୁରୁତ୍ବପୂର୍ଣ୍ଣ ପରୀକ୍ଷା। ସରକାରୀ ଡାକ୍ତରଖାନାରେ ଏହି ପରୀକ୍ଷା ଉପଲବ୍ଧ ହେଲେ ବହୁତ କମ୍ ମୂଲ୍ୟରେ ଲୋକମାନେ ଏହାର ସୁଫଳ ପାଇପାରନ୍ତେ। ମାତ୍ର କ୍ୟାପିଟାଲ ହସ୍ପିଟାଲରେ ଏହି ପରୀକ୍ଷା ଉପଲବ୍ଧ ହେଉ ନ ଥିବାରୁ ହୃଦ୍‌ଘାତ ରୋଗୀମାନଙ୍କୁ ଘରୋଇ ଡାଏଗ୍ନୋଷ୍ଟିକ ସେଣ୍ଟର ଉପରେ ନିର୍ଭର କରିବାକୁ ପଡ଼ୁଛି। ବାହାରେ ଏଥିପାଇଁ ୬ଶହରୁ ୭ଶହ ଟଙ୍କା ପର୍ଯ୍ୟନ୍ତ ଖର୍ଚ କରିବାକୁ ପଡ଼ୁଛି। ସେହିପରି ରକ୍ତ ପରୀକ୍ଷାର ସମୟ ହସ୍ପିଟାଲରେ ସକାଳ ୮ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ରହିଥିବା ବେଳେ ପରେ ରୋଗୀ ଆସିଲେ କେଉଁଠାରେ ପରୀକ୍ଷା କରିବେ ବୋଲି ଅନେକ ପ୍ରଶ୍ନ କରିଛନ୍ତି।

ଏଣ୍ଡୋସ୍କୋପି, ଏମ୍‌ଆରଆଇ ଓ ମାମୋଗ୍ରାଫି ପରୀକ୍ଷା କେବେ?

କ୍ୟାପିଟାଲ ହସ୍ପିଟାଲରେ ନିୟମିତ ଏଣ୍ଡୋସ୍କୋପି ପରୀକ୍ଷା ହେଉନାହିଁ। ଏସ୍‌ସିବି ମେଡିକାଲ କଲେଜର ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ବିଭାଗର ଜଣେ ପ୍ରଫେସର ସପ୍ତାହକୁ ଥରେ କ୍ୟାପିଟାଲ ହସ୍ପିଟାଲକୁ ଆସୁଛନ୍ତି। ଏହାସହ ସରକାରୀ ଛୁଟିଦିନରେ ମଧ୍ୟ ଏହି ପରୀକ୍ଷା ବନ୍ଦ ରହିଛି। ଗୋଟିଏ ଦିନରେ ବହୁ କମ୍ ସଂଖ୍ୟକ ରୋଗୀଙ୍କ ପରୀକ୍ଷା ସମ୍ଭବ ହୋଇପାରୁଛି। ସେହିପରି ହସ୍ପିଟାଲରେ ଏ ପର୍ଯ୍ୟନ୍ତ ଏମ୍‌ଆରଆଇ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ। ପ୍ରତ୍ୟେକ ଦିନ ହସ୍ପିଟାଲକୁ ଦୁର୍ଘଟଣାଜନିତ ଲୋକ ଆସୁଥିବା ବେ‌ଳେ ଏଥିପାଇଁ ଏମ୍‌ଆରଆଇ ସୁବିଧା ନାହିଁ। ପୁରୀ ଜିଲ୍ଲା ଚିକିତ୍ସାଳୟରେ ଏମ୍‌ଆରଆଇ ସୁବିଧା ଉପଲବ୍ଧ ହେଉଥିବା ବେଳେ କ୍ୟାପିଟାଲ ହସ୍ପିଟାଲରେ ଏହି ପରୀକ୍ଷା ଉପଲବ୍ଧ ନ ହେବାକୁ ନେଇ ରୋଗୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ବାଧ୍ୟହୋଇ ରୋଗୀମାନଙ୍କୁ ଘରୋଇ ସଂସ୍ଥା ଉପରେ ନିର୍ଭର କରିବାକୁ ପଡ଼ୁଥିବା ବେଳେ ଏଥିପାଇଁ ହଜାର ହଜାର ଟଙ୍କା ଖର୍ଚ କରିବାକୁ ପଡ଼ୁଛି। ତେଣୁ ଏହାସହ କ୍ୟାପିଟାଲ ହସ୍ପିଟାଲରେ ଦୀର୍ଘ ୧୦ବର୍ଷରୁ ଅଧିକ ସମୟ ହେବ ମାମୋଗ୍ରାଫି ମେସିନ୍‌ ରହିଥିବା ବେଳେ ଟେକ୍‌ନିସିଆନଙ୍କ ଅଭାବରୁ ତାହା କାର୍ଯ୍ୟକାରୀ ହୋଇପାରିନାହିଁ। ତେଣୁ ସ୍ତନ କର୍କଟରେ ଆକ୍ରାନ୍ତ ମହିଳାମାନେ କ୍ୟାପିଟାଲ ହସ୍ପିଟାଲରେ ଶସ୍ତା ମୂଲ୍ୟରେ ଏହି ସେବା ପାଇବା ସମ୍ଭବ ହେଉନାହିଁ।

ସମ୍ବନ୍ଧିତ ଖବର