ପୁରୁଣା ବନ୍ଦ ହେଉଛି ନୂଆ ଖୋଲି ଚାଲିଛନ୍ତି

ଡାକ୍ତର ଅଭାବରୁ ରୢୁମାଟୋଲୋଜି ଓପିଡି ବନ୍ଦ

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲରେ ଗୋଟିଏ ପରେ ଗୋଟିଏ ନୂତନ ଚିକିତ୍ସା ବ୍ୟବସ୍ଥା ଆରମ୍ଭ ହେଉଛି। ବେଶ୍ ଜାକଜକମରେ ଏହାର ଉଦ୍‌ଘାଟନ ହେଉଛି। ମାତ୍ର ପୂର୍ବରୁ ଯେଉଁ ଚିକିତ୍ସା ବ୍ୟବସ୍ଥା ରହିଛି, ଉଚିତ୍ ପରିଚାଳନା ଅଭାବ ଯୋଗୁଁ ତାହା ବନ୍ଦ ହେଇଯାଉଛି। ଏହା ଉପରେ ହସ୍ପିଟାଲ କର୍ତୃପକ୍ଷ କିମ୍ବା ସ୍ବାସ୍ଥ୍ୟ ବିଭାଗ ଗୁରୁତ୍ବ ଦେଉନାହିଁ। ଗତ ୬/୭ମାସ ହେବ ହସ୍ପିଟାଲରେ ଅଡିଓମେଟ୍ରି ପରୀକ୍ଷା ବନ୍ଦ ହୋଇଯାଇଥିବା ବେଳେ ଆଣ୍ଠୁଗଣ୍ଠି ରୋଗୀଙ୍କ ପାଇଁ ରୢୁମାଟୋଲୋଜି ବହିର୍ବିଭାଗ ବା ଓପିଡି ବନ୍ଦ ହୋଇଯାଇଛି। ରୋଗୀଙ୍କୁ ପୁଣିଥରେ କେବେ ଏହି ସୁବିଧା ମିଳିବ, ତାହା ଅଧିକାରୀ କହିପାରୁ ନାହାନ୍ତି।

ପ୍ରାୟ ଦେଢ଼ବର୍ଷ ତଳେ କ୍ୟାପିଟାଲ ହସ୍ପିଟାଲରେ ଆଣ୍ଠୁଗଣ୍ଠି ରୋଗୀଙ୍କ ପାଇଁ ସ୍ବତନ୍ତ୍ର ଭାବେ ଏକ ରୢୁମାଟୋଲୋଜି ଓପିଡି ଖୋଲା ଯାଇଥିଲା। ଡା. ନିରଞ୍ଜନ ପାଢ଼ୀ ଏଥିପାଇଁ ସ୍ବତନ୍ତ୍ର ଭାବେ ତାଲିମ୍‌ ନେବା ପରେ ତାଙ୍କୁ ଏହାର ଦାୟିତ୍ବ ଦିଆଯାଇଥିଲା। ସପ୍ତାହର କେବଳ ଶନିବାର ଦିନ ଏହି ଓପିଡି କାର୍ଯ୍ୟ କରୁଥିଲା। ବେଶ୍‌ କିଛି ଦିନ ଧରି ଏଠାରେ ରୋଗୀଙ୍କ ଭିଡ଼ ଲାଗିଥିଲା। ଆବଶ୍ୟକ ଔଷଧ ସାଙ୍ଗକୁ ରୋଗୀଙ୍କୁ ଇଞ୍ଜେକସନ୍ ମଧ୍ୟ ଦିଆଯାଇଥିଲା। ହେଲେ ସଂପୃକ୍ତ ଡାକ୍ତରଙ୍କ ଅନ୍ୟତ୍ର ବଦଳି ହୋଇଯିବା ପରେ ରୢୁମାଟୋଲୋଜି ଓପିଡି ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ପୂର୍ବରୁ ଯେଉଁ ରୋଗୀମାନେ ସଂପୃକ୍ତ ଡାକ୍ତରଙ୍କ ପାଖରେ ଚିକିତ୍ସିତ ହେଉଥିଲେ, ସେମାନଙ୍କୁ ପୁନର୍ବାର ଚିକିତ୍ସା ପାଇଁ ଘରୋଇ ଡାକ୍ତରଖାନା ଉପରେ ନିର୍ଭର କରିବାକୁ ପଡ଼ୁଛି। ଏଭଳି ପରିସ୍ଥିତିରେ ଗରିବ ରୋଗୀମାନେ ମାଗଣାରେ ରୢୁମାଟୋଲୋଜିର ଚିକିତ୍ସା ପାଇପାରୁ ନାହାନ୍ତି।

ସେହିପରି କ୍ୟାପିଟାଲ ହସ୍ପିଟାଲରେ ବଧିର ଲୋକମାନଙ୍କ ପାଇଁ ଅଡିଓମେଟ୍ରି ପରୀକ୍ଷା କରାଯାଇଥିଲା। ଏଥିପାଇଁ ଜଣେ ଅଡିଓଲୋଜିଷ୍ଟ ନିଯୁକ୍ତ ହୋଇଥିଲେ। ମାତ୍ର ସଂପୃକ୍ତ ଅଡିଓଲୋଜିଷ୍ଟ ଅବସର ଗ୍ରହଣ କରିବା ପରେ ହସ୍ପିଟାଲ କର୍ତୃପକ୍ଷ ପୁନର୍ବାର ତାଙ୍କୁ ସେଠାରେ ନିଯୁକ୍ତ କରିଥିଲେ। କୌଣସି କାରଣରୁ ଅଡିଓଲୋଜିଷ୍ଟ ହସ୍ପିଟାଲରେ କାମ କରିବାକୁ ଆଗ୍ରହ ପ୍ରକାଶ କରି ନଥିଲେ। ଫଳରେ ଦୀର୍ଘ ୬/୭ମାସ ହସ୍ପିଟାଲରେ ଅଡିଓମେଟ୍ରି ପରୀକ୍ଷା ବନ୍ଦ ରହିଥିଲା। ହସ୍ପିଟାଲକୁ ଯେଉଁ ରୋଗୀମାନେ ଚିକିତ୍ସା ପାଇଁ ଆସୁଥିଲେ, ସେମାନଙ୍କୁ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଅଧୀନରେ ରାଜ୍ୟ ଭିନ୍ନକ୍ଷମ ପ୍ରତିଷ୍ଠାନକୁ ପଠାଯାଉଥିଲା। ତେବେ ଗତ ସପ୍ତାହେ ହେବ ଅଡିଓଲୋଜିଷ୍ଟ ହସ୍ପିଟାଲକୁ ଆସୁଥିଲେ ହେଁ ସପ୍ତାହକୁ ମାତ୍ର ୩ ଦିନ କାନ ପରୀକ୍ଷା କରାଯିବ। ଫଳରେ ଅନ୍ୟ ଦିନଗୁଡ଼ିକରେ ପୂର୍ବଭଳି ଭିନ୍ନକ୍ଷମ ପ୍ରତିଷ୍ଠାନ ଉପରେ ରୋଗୀମାନଙ୍କୁ ନିର୍ଭର କରିବାକୁ ପଡ଼ିବ ବୋଲି ଜଣାପଡ଼ିଛି।

ରାଜ୍ୟ ସ୍ବାସ୍ଥ୍ୟସେବା ନିର୍ଦେଶକ ଡା. ଦିଲ୍ଲୀପ ଷଡ଼ଙ୍ଗୀ କହିଛନ୍ତି, ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ଯୋଗୁଁ ହୁଏତ ରୢୁମାଟୋଲୋଜି ଓପିଡି ବନ୍ଦ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିବ। ତେବେ ଏ ସଂପର୍କରେ ହସ୍ପିଟାଲର ନିର୍ଦେଶକଙ୍କ ସହିତ ଆଲୋଚନା ପରେ କ’ଣ ସମସ୍ୟା ରହିଛି ତାହା ସ୍ପଷ୍ଟ କରାଯାଇ ପାରିବ ବୋଲି ଡା. ଷଡ଼ଙ୍ଗୀ କହିଥିଲେ।

ସମ୍ବନ୍ଧିତ ଖବର