କ୍ୟାପିଟାଲ ହସ୍ପିଟାଲ ଆଇସିୟୁରେ ପଶିବେନି ୩ ବିଭାଗ ରୋଗୀ

ବାହାର ହସ୍ପିଟାଲରୁ ରୋଗୀଙ୍କୁ ଆଇସିୟୁରେ ରଖିବା ପାଇଁ କମିଟି ନେବ ନିଷ୍ପତ୍ତି

ହସ୍ପିଟାଲରେ ରହିବ ୬ଟି ଷ୍ଟେପ୍‌ ଡାଉନ୍‌ ଶଯ୍ୟା

ଭୁବନେଶ୍ୱର : ବର୍ତମାନ ପାଇଁ କ୍ୟାପିଟାଲ ହସ୍ପିଟାଲର ଆଇସିୟୁରେ ନେଫ୍ରୋଲୋଜି, ନ୍ୟୁରୋଲୋଜି ଓ ନ୍ୟୁରୋସର୍ଜରି ସହିତ ଜଡ଼ିତ ରୋଗୀଙ୍କୁ ନ ରଖିବା ପାଇଁ ନିଷ୍ପତ୍ତି ହୋଇଛି। ଆସନ୍ତା ରୋଗୀ କଲ୍ୟାଣ ସମିତି ବୈଠକରେ ଏ ସଂପର୍କରେ ପରବର୍ତୀ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି।

ଆଜି ବୈଠକରେ ଆଇସିୟୁରେ ଅବାଞ୍ଛିତ ରୋଗୀ ପ୍ରବେଶକୁ ରୋକ ଲଗାଇବା ଉପରେ ଆଲୋଚନା ହୋଇଥିଲା। ବାହାର ହସ୍ପିଟାଲରୁ କ୍ୟାପିଟାଲ ହସ୍ପିଟାଲକୁ ଆସୁଥିବା କେଉଁ କେଉଁ ରୋଗୀଙ୍କୁ ଆଇସିୟୁରେ ରଖାଯିବ ତାହା ଉପରେ ବିଚାର ବିମର୍ଶ କରାଯାଇଥିଲା। କ୍ୟାପିଟାଲ ହସ୍ପିଟାଲକୁ ଅନେକ ସମୟରେ ରାଜଧାନୀର ବିଭିନ୍ନ ଘରୋଇ ହସ୍ପିଟାଲରୁ ଗୁରୁତର ଅବସ୍ଥାରେ ଥିବା ରୋଗୀଙ୍କୁ ସ୍ଥାନାନ୍ତର କରାଯାଉଛି। ପ୍ରଭାବଶାଳୀ ବ୍ୟକ୍ତିମାନେ ନିଜ ସଂପର୍କୀୟମାନଙ୍କୁ କ୍ୟାପିଟାଲ ହସ୍ପିଟାଲର ଆଇସିୟୁରେ ରଖିବା ପାଇଁ ଚାପ ପକାଉଛନ୍ତି। ଯାହାଫଳରେ କ୍ୟାପିଟାଲ ହସ୍ପିଟାଲକୁ ସିଧାସଳଖ ଗୁରୁତର ଅବସ୍ଥାରେ ଆସୁଥିବା ରୋଗୀଙ୍କ ପାଇଁ ଆଇସିୟୁରେ ସମସ୍ୟା ଉପୁଜୁଛି।

ଏପରିକି ହସ୍ପିଟାଲର କିଛି ବରିଷ୍ଠ ଅଧିକାରୀ ମଧ୍ୟ ଏଭଳି କାର୍ଯ୍ୟରେ ସଂପୃକ୍ତ ରହୁଥିବା ଅଭିଯୋଗ ହୋଇଛି। କିଛି ମାସ ପୂର୍ବରୁ ହସ୍ପିଟାଲର ଜଣେ କର୍ମଚାରୀ ନିଜର ସଂପର୍କୀୟଙ୍କୁ ହସ୍ପିଟାଲ ଆଇସିୟୁରେ ମାମ ମାସ ଧରି ରଖିଥିବା ନଜରକୁ ଆସିଥିଲା। ଏ ସଂପର୍କିତ ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ କର୍ମଚାରୀ ଜଣକ ଆଇସିୟୁରେ ଥିବା ନିଜ ସଂପର୍କୀୟଙ୍କୁ ଆଇସିୟୁରୁ ବାହାରକୁ ନେବାକୁ ବାଧ୍ୟ ହୋଇଥିଲେ। ଏହାକୁ ନେଇ ହସ୍ପିଟାଲ କର୍ତୃପକ୍ଷ ଆଇସିୟୁ ପାଇଁ ଏକ କମିଟି ଗଠନ କରିଥିଲେ। ତେବେ ଏହି କମିଟି ଦୀର୍ଘଦିନ ହେବ ସ୍ଥାଣୁ ପାଲଟି ଯାଇଛି। ପୂର୍ବଭଳି ହସ୍ପିଟାଲର ଆଇସିୟୁକୁ ଅବାଞ୍ଛିତ ରୋଗୀଙ୍କ ପ୍ରବେଶ ଜାରି ରହିଛି।

କ୍ୟାପିଟାଲ ହସ୍ପିଟାଲର ଆଇସିୟୁରେ ଏବେ ୧୬ଟି ଶଯ୍ୟା ରହିଛି। ତେବେ ନେଫ୍ରୋଲୋଜି, ନ୍ୟୁରୋଲୋଜି ଓ ନ୍ୟୁରୋସର୍ଜରିର କୌଣସି ଡାକ୍ତର ନାହାନ୍ତି। ମାତ୍ର ବାହାର ହସ୍ପିଟାଲରୁ ଏହି ରୋଗୀ କ୍ୟାପିଟାଲ ହସ୍ପିଟାଲର ଆଇସିୟୁରେ ଅଧିକ ସଂଖ୍ୟାରେ ଭର୍ତ୍ତି ହେଉଛନ୍ତି। ସେମାନଙ୍କ ପାଇଁ ହସ୍ପିଟାଲ ଆଇସିୟୁ ସଂରକ୍ଷିତ ରହୁଥିବା ବେଳେ ଅନ୍ୟ ସାଧାରଣ ରୋଗୀଙ୍କ ପାଇଁ ସମସ୍ୟା ରହୁଛି। ତେଣୁ ଏହି ୩ଟି ବିଭାଗ ସହିତ ଜଡ଼ିତ ରୋଗୀଙ୍କୁ ଆଇସିୟୁରେ ରଖାଯିବ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଏହାସହ ହସ୍ପିଟାଲରେ ୬ଟି ଷ୍ଟେପ୍‌ ଡାଉନ୍‌ ଶଯ୍ୟା ମଧ୍ୟ ରହିବ। ଆଇସିୟୁରୁ ବାହାରିବା ପରେ ରୋଗୀଙ୍କୁ ଏହି ଷ୍ଟେପ୍‌ ଡାଉନ୍‌ ଶଯ୍ୟାରେ ରଖାଯିବ ବୋଲି ହସ୍ପିଟାଲର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର