କ୍ୟାପିଟାଲ ହସ୍ପିଟାଲରେ ଯୁବତୀଙ୍କୁ ଦୁର୍ବ୍ୟବହାର, କ୍ୟାପିଟାଲ ଥାନାରେ ଏତଲା

ଭୁବନେଶ୍ବର : ଚିକିତ୍ସା ପାଇଁ ଆସିଥିବା ଜଣେ ଯୁବତୀଙ୍କୁ କ୍ୟାପିଟାଲ ହସ୍ପିଟାଲର ସୁରକ୍ଷା କର୍ମୀ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସୁରକ୍ଷା କର୍ମୀଜଣକ ଯୁବତୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଯାହାକୁ ନେଇ ଯୁବତୀ ହସ୍ପିଟାଲ ଫାଣ୍ଡିରେ ଅଭିଯୋଗ କରିଥିଲେ ହେଁ କୌଣସି ସୁଫଳ ନ ମିଳିବାରୁ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗକାରୀ ରଶ୍ମିତା ସେଠୀଙ୍କ କହିବା ମୁତାବକ, ଆଜି ସକାଳେ ସେ ତାଙ୍କ ମା’ଙ୍କୁ ନେଇ କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଇଥିଲେ। ସେଠାରେ ଡାକ୍ତରଙ୍କୁ ଅପେକ୍ଷା କରିଥିଲେ। ଏହି ସମୟରେ ସରୋଜ ମିଶ୍ର ନାମକ ଜଣେ ବ୍ୟକ୍ତି ସେଠାରେ ପହଞ୍ଚି କାର୍ଯ୍ୟରତ ସୁରକ୍ଷା କର୍ମୀଙ୍କୁ କିଛି ଟଙ୍କା ଦେଇ ସିଧାସଳଖ ଡାକ୍ତରଙ୍କ ରୁମ୍‌କୁ ପଶି ଯାଇଥିଲେ। ରଶ୍ମିତା ଏହାର ବିରୋଧ କରିବାରୁ ତାଙ୍କୁ ଉକ୍ତ ବ୍ୟକ୍ତି ଓ ସୁରକ୍ଷା କର୍ମୀ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଏ ସଂପର୍କରେ ରଶ୍ମିତା ହସ୍ପିଟାଲ ଫାଣ୍ଡିରେ ଥିବା ପୁଲିସ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ଓଲଟା ସେମାନେ ସୁରକ୍ଷା କର୍ମୀଙ୍କୁ ଭୁଲ ମାଗିବାକୁ କହିଥିଲେ। ଏ ନେଇ ସେ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ରଶ୍ମିତା ସୁରକ୍ଷା କର୍ମୀଙ୍କୁ ଚପଲରେ ମାଡ଼ ମାରିଥିବା ମଧ୍ୟ ଅଭିଯୋଗ ହୋଇଛି। ଏ ସଂପର୍କରେ ହସ୍ପିଟାଲର ନିର୍ଦେଶକ ଓ ଅଧୀକ୍ଷକଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ କୌଣସି ଉତ୍ତର ମିଳି ପାରିନାହିଁ।

ଉଲ୍ଲେଖଯୋଗ୍ୟ, କ୍ୟାପିଟାଲ ହସ୍ପିଟାଲରେ ସୁରକ୍ଷାକର୍ମୀ ରୋଗୀ ଓ ସେମାନଙ୍କ ସଂପର୍କୀୟଙ୍କୁ ଦୁର୍ବ୍ୟବହାର କରିବା ନୂଆ କଥା ନୁହେଁ। ପୂର୍ବରୁ ଏଭଳି ଅନେକ ଅଭିଯୋଗ ରହିଛି। ଏହା ସତ୍ତ୍ବେ ହସ୍ପିଟାଲ କର୍ତୃପକ୍ଷଙ୍କ କ୍ଷେତ୍ରରେ ଏସବୁ ଘଟଣାକୁ ନିୟନ୍ତ୍ରଣ କରିବା ସମ୍ଭବ ହେଉନାହିଁ। କିଛି ପୂର୍ବତନ ସୁରକ୍ଷା କର୍ମୀ ମଧ୍ୟ ନିୟମିତ ବ୍ୟବଧାନରେ ହସ୍ପିଟାଲରେ ଗୁଣ୍ଡାରାଜ ଚଳାଉଥିବା ଅଭିଯୋଗ ହୋଇ ଆସୁଛି। ଏହାସହ ହସ୍ପିଟାଲର ଚାରିଆଡ଼ ସିସିଟିଭି କ୍ୟାମେରା ଲାଗିଛି। ହସ୍ପିଟାଲର ସମସ୍ତ ବରିଷ୍ଠ ଅଧିକାରୀମାନେ ଅଧିକାଂଶ ସମୟ ସିସିଟିଭି କ୍ୟାମେରା ଜରିଆରେ ହସ୍ପିଟାଲ ଉପରେ ନଜର ରଖୁଛନ୍ତି। ହସ୍ପିଟାଲ ପରିସରରେ ଏଭଳି ଏକ ଘଟଣା ଘଟିଥିଲେ ହେଁ ତାହା କିଭଳି ହସ୍ପିଟାଲ କର୍ତୃପକ୍ଷଙ୍କ ନଜରକୁ ଆସିଲା ନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର