କ୍ୟାପିଟାଲ ହସ୍ପିଟାଲର ଡାକ୍ତର ଓ କର୍ମଚାରୀଙ୍କୁ ଜଗୁଛି କିଏ? ମନଇଚ୍ଛା ଡ୍ୟୁଟି କରୁଛନ୍ତି, ଡିସ୍‌ପେନସାରିରେ ଲାଗିଛି, କିନ୍ତୁ ହସ୍ପିଟାଲରେ ନାହିଁ ବାୟୋମେଟ୍ରିକ୍

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲର ଡାକ୍ତର ଓ କର୍ମଚାରୀ ମନଇଚ୍ଛା ଡ୍ୟୁଟି କରୁଛନ୍ତି। କେତେବେଳେ ଆସୁଛନ୍ତି ଓ କେତେବେଳେ ଯାଉଛନ୍ତି, ତାହାର ଖୋଜ ଖବର ରହୁନି। ହସ୍ପିଟାଲରେ ରାଉଣ୍ଡ ମାରି ଅନ୍ୟ ଜାଗାରେ ରୋଗୀ ଦେଖୁଥିବା ଅଭିଯୋଗ ହେଉଛି। ଏପରିକି ଉପସ୍ଥାନ ଖାତାରେ ପଛୁଆ ତାରିଖରେ ଦସ୍ତଖତ ହେଉଛି। ହସ୍ପିଟାଲରେ ବାୟୋମେଟ୍ରିକ୍ ବ୍ୟବସ୍ଥା ନ ଥିବାରୁ ଏଭଳି ଢଙ୍ଗରେ ସମସ୍ତେ ଠକି ଚାଲିଛନ୍ତି। ରାଜଧାନୀର ସହରାଞ୍ଚଳ ପ୍ରାଥମିକ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବାୟୋମେଟ୍ରିକ୍ ବ୍ୟବସ୍ଥା ଥିବା ବେଳେ କ୍ୟାପିଟାଲ ହସ୍ପିଟାଲରେ କିନ୍ତୁ ଏହି ବ୍ୟବସ୍ଥା ନାହିଁ। ରାଜ୍ୟ ସରକାର ସ୍ବାସ୍ଥ୍ୟ ବିଭାଗରେ ‘୫-ଟି’ ଓ ‘ମୋ ସରକାର’ ଭଳି ଯୋଜନା ଆରମ୍ଭ କରିଛନ୍ତି। ମାତ୍ର ରାଜଧାନୀର ପ୍ରମୁଖ ହସ୍ପିଟାଲରେ ସ୍ବଚ୍ଛତା ଦେଖିବାକୁ ମିଳୁନାହିଁ।

କ୍ୟାପିଟାଲ ହସ୍ପିଟାଲରେ ଏବେ ଡାକ୍ତର, ଷ୍ଟାଫ ନର୍ସ ଓ କର୍ମଚାରୀଙ୍କ ଉପସ୍ଥାନ ପାଇଁ ସ୍ବତନ୍ତ୍ର ଖାତା ରହିଛି। ହେଲେ ଏହାକୁ କେହି ଗୁରୁତ୍ବ ଦେଉନାହାନ୍ତି। ବହୁ ବର୍ଷ ପୂର୍ବରୁ ହସ୍ପିଟାଲରେ ବାୟୋମେଟ୍ରିକ୍ର ସୁବିଧା ରହିଥିଲା। ମାତ୍ର ଏହାକୁ ଯୋଜନାବଦ୍ଧ ଭାବେ ଭାଙ୍ଗି ଦିଆଗଲା। ସେବେଠାରୁ ଉପସ୍ଥାନ ଖାତାରେ ସମସ୍ତେ ଦସ୍ତଖତ କରୁଛନ୍ତି। ଛୁଟି ନେବା ବେଳକୁ ମଧ୍ୟ ନିଜ ବିଭାଗର ଅନ୍ୟ ଡାକ୍ତରଙ୍କ ସହିତ ସଲାସୁତରା କରି ଛୁଟିରେ ପଳାଉଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ କିଛିବର୍ଷ ପୂର୍ବରୁ ଜଣେ ଡାକ୍ତର ହସ୍ପିଟାଲ କର୍ତୃପକ୍ଷଙ୍କ ବିନା ଅନୁମତିରେ ବିଦେଶ ପଳାଇଥିଲେ। ଏ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଖୋଳତାଡ଼ ହୋଇଥିଲା। ଏବେ ମଧ୍ୟ ସମାନ ଘଟଣା ଘଟୁଛି। ହସ୍ପିଟାଲରେ ରୋଗୀଙ୍କୁ ଦେଖିବା ଲାଗି ରାଉଣ୍ଡ ମାରିବା ବାହାନାରେ ଅନ୍ୟ ସ୍ଥାନରେ ରୋଗୀ ଦେଖୁଥିବା ଅଭିଯୋଗ ହେଉଛି। ଏପରିକି ରୋଗୀ ଭିଡ଼ ହେଲେ ଅନ୍ୟ ବାଟ ଦେଇ ଖସି ପଳାଉଥିବା ମଧ୍ୟ ନଜରକୁ ଆସୁଛି। ଏହାଦ୍ବାରା ରୋଗୀ ସେବାରେ ବ୍ୟାଘାତ ଘଟୁଛି। କର୍ମଚାରୀମାନେ ମଧ୍ୟ ଠିକ୍ ସମୟରେ ହସ୍ପିଟାଲକୁ ଆସୁ ନ ଥିବା ରୋଗୀମାନେ ଅଭିଯୋଗ ଆଣୁଛନ୍ତି। ଫଳରେ ଚିକିତ୍ସା ବାବଦ ଅନ୍ୟ‌ କୌଣସି ସେବା ପାଇବାରେ ରୋଗୀମାନଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି।

ଅପରପକ୍ଷରେ ରାଜଧାନୀରେ ଥିବା ୟୁପିଏଚ୍‌ସିଗୁଡ଼ିକରେ ବାୟୋମେଟ୍ରିକ୍ ବ୍ୟବସ୍ଥା କେବେଠାରୁ ଆରମ୍ଭ ହୋଇସାରିଛି। ତେଣୁ ସେଠାରେ କାର୍ଯ୍ୟ କରୁଥିବା ଡାକ୍ତର ଓ କର୍ମଚାରୀମାନେ ଉପସ୍ଥାନରେ ଖିଲାପ କରିବାର କୌଣସି ସୁଯୋଗ ନାହିଁ। ଏ ପରିପ୍ରେକ୍ଷୀରେ କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ତୁରନ୍ତ ଏହି ବ୍ୟବସ୍ଥା ଲାଗୁ କରିବା ଲାଗି ରୋଗୀଙ୍କଠାରୁ ଆରମ୍ଭ ସାଧାରଣରେ ଦାବି ହେଉଛି। ଫଳରେ ଡାକ୍ତର ଓ କର୍ମଚାରୀମାନେ ଡ୍ୟୁଟିରେ ଖିଲାପ କରିପାରିବେ ନାହିଁ। ଠିକ୍ ସମୟରେ ଡ୍ୟୁଟିକୁ ଆସିବେ ଓ ମନଇଚ୍ଛା ଅନ୍ୟ ଆଡ଼େ ଯାଇପାରିବେ ନାହିଁ। ପୂର୍ବରୁ ହସ୍ପିଟାଲରେ ସିସିଟିଭିର ବ୍ୟବସ୍ଥା ନ ଥିବା ବେଳେ କେଉଁ ପରିସ୍ଥିତିରେ ବାୟୋମେଟ୍ରିକ୍କୁ ଭାଙ୍ଗି ଦିଆଗଲା ତାହା ଧରା ପଡ଼ି ନ ଥିଲା। ମାତ୍ର ଏବେ ହସ୍ପିଟାଲରେ ୭୦ରୁ ଅଧିକ ସିସିଟିଭି ଲାଗିଥିବାରୁ ବାଇଓମେଟ୍ରିକ୍ ଭାଙ୍ଗିବାର ଆଶଙ୍କା ମଧ୍ୟ କମ୍। ତେବେ ବାୟୋମେଟ୍ରିକ୍କୁ ଲାଗୁ କରିବା ପାଇଁ ହସ୍ପିଟାଲ କର୍ତୃପକ୍ଷଙ୍କ ଆନ୍ତରିକତାର ଘୋର ଅଭାବ ରହିଥିବା ଆଲୋଚନା ହେଉଛି। ହସ୍ପିଟାଲରେ ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦିନକୁ ସାଢ଼େ ୩ ହଜାର ରୋଗୀ ବହିର୍ବିଭାଗକୁ ଆସୁଥିବା ସ୍ବାସ୍ଥ୍ୟ ବିଭାଗ କହୁଛି। ମାତ୍ର ଡାକ୍ତର ଓ କର୍ମଚାରୀଙ୍କ ଡ୍ୟୁଟି ସମୟକୁ କଡ଼ାକଡ଼ି ଭାବେ ଲାଗୁ ହୋଇପାରୁ ନାହିଁ।

କ୍ୟାପିଟାଲ ହସ୍ପିଟାଲର ଅଧୀକ୍ଷକ ଡା. ନାରାୟଣ ସେଠୀଙ୍କୁ ଏକାଧିକବାର ଏଥିପାଇଁ ଯୋଗ‌ାଯୋଗ କରାଯାଇଥିଲା। ମାତ୍ର ସେ କୌଣସି ଉତ୍ତର ଦେଇ ନ ଥିଲେ।

ସମ୍ବନ୍ଧିତ ଖବର