କ୍ୟାପିଟାଲ ହସ୍ପିଟାଲର ଆରକେଏସ୍‌ ବୈଠକ, ହୃଦ୍‌‌ରୋଗ ବିଭାଗର ହେବ ନବୀକରଣ

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲର ହୃଦ୍‌ରୋଗ ବିଭାଗର ନବୀକରଣ କରାଯିବ। ଏହାସହ ଜଣେ ହୃଦ୍‌‌ରୋଗ ବିଶେଷଜ୍ଞ ଓ କ୍ୟାଥଲାବ୍ ପାଇଁ ୩ଜଣ ଟେକ୍‌ନିସିଆନଙ୍କୁ ମଧ୍ୟ ନିଯୁକ୍ତ କରାଯିବ। ଆଜି କ୍ୟାପିଟାଲ ହସ୍ପିଟାଲର ରୋଗୀ କଲ୍ୟାଣ ସମିତି ବା ଆରକେଏସ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆଜି କ୍ୟାପିଟାଲ ହସ୍‌ପିଟାଲର ରୋଗୀ କଲ୍ୟାଣ ସମିତିର କାର୍ଯ୍ୟକାରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ହସ୍ପିଟାଲରେ ରୋଗୀମାନଙ୍କୁ ଖାଦ୍ୟ ଯୋଗାଣ ପାଇଁ ନୂଆ ଟେଣ୍ଡର କରାଯିବା ନେଇ ଆଲୋଚନା ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ପୂର୍ବରୁ ରୋଗୀଙ୍କୁ ଯେତିକି ଟଙ୍କାରେ ଖାଦ୍ୟ ଯୋଗାଇ ଦିଆଯାଉଥିଲା ତହିଁରେ ବୃଦ୍ଧି କରାଯାଇଛି। ମାତ୍ର ଏହାର ଗାଇଡଲାଇନ୍ ପ୍ରସ୍ତୁତ କରିବାରେ ସ୍ବାସ୍ଥ୍ୟ ବିଭାଗରେ ବିଳମ୍ବ ହେବା ଯୋଗୁଁ ହସ୍ପିଟାଲରେ ଖାଦ୍ୟ ଯୋଗାଣକାରୀ ସଂସ୍ଥାର ଟେଣ୍ଡରରେ ବିଳମ୍ବ ହୋଇଥିଲା। ତେବେ ହସ୍ପିଟାଲ କର୍ତୃପକ୍ଷ ଆଜିର ବୈଠକରେ ନୂତନଭାବେ ଏହାର ଟେଣ୍ଡର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହାସହ ପୂରା ହସ୍ପିଟାଲକୁ ରଂଗ କରିବା ପାଇଁ ମଧ୍ୟ ଆଲୋଚନା ହୋଇଛି।

ସେହିପରି ରୋଗୀଙ୍କ ସାଙ୍ଗରେ ଆସୁଥିବା ଅଟେଣ୍ଡାଣ୍ଟଙ୍କ ପାଇଁ ବିଭିନ୍ନ ୱାର୍ଡରେ ଜୋତା ଷ୍ଟାଣ୍ଡ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ୪୦ଟି ଷ୍ଟାଣ୍ଡ କିଣାଯିବ। ଏହାସହ ହସ୍ପିଟାଲରେ ଗଡ଼ୁଥିବା ବ୍ୟାଟେରି ଚାଳିତ ଗାଡ଼ି ପାଇଁ ଫନି ପାଣ୍ଠିରୁ ମିଳିଥିବା ଅର୍ଥରୁ ପ୍ରାୟ ୧୫ହଜାର ଟଙ୍କାର ଆଡପ୍ଟର କିଣିବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି। ତେବେ ହସ୍ପିଟାଲରେ ଥିବା ବ୍ୟାଟେରି ଗାଡ଼ି ଅନେକ ସମୟରେ ଦୁର୍ଘଟଣାର ଶିକାର ହେବା ସହିତ ଉଚିତ୍ ରକ୍ଷଣାବେକ୍ଷଣ ପାଇଁ ଅଧିକାଂଶ ସମୟ ବନ୍ଦ ରହୁଛି। ଯାହାଫଳରେ ରୋଗୀମାନେ ମଧ୍ୟ ଆବଶ୍ୟକ ସେବା ପାଇପାରୁ ନ ଥିବା ଅଭିଯୋଗ ହେଉଛି। ଆଜିର ବୈଠକରେ ଖୋର୍ଧା ଜିଲ୍ଲାପାଳ ସୀତାଂଶୁ ରାଉତଙ୍କ ସମେତ ହସ୍ପିଟାଲର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର