ସମସ୍ୟାରେ କ୍ୟାପିଟାଲ ହସ୍ପିଟାଲ : ନିଷ୍ପତ୍ତିରେ ଲଟକିଛି ଓପିଡି ବ୍ଲକ୍‌

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲ ପରିସରରେ ଏକ ଓପିଡି ବ୍ଲକ୍‌ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଥିଲା ସ୍ୱାସ୍ଥ୍ୟ ବିଭାଗ। ୫ମହଲା ବିଶିଷ୍ଟ ଏହି ବ୍ଲକ୍‌ ପାଇଁ ଡିଜାଇନ୍‌ ମଧ୍ୟ ପ୍ରସ୍ତୁତ କରାଗଲା। ଇତିମଧ୍ୟରେ ଏହି ନିଷ୍ପତ୍ତିକୁ ୬ମାସ ହେଲାଣି, ଏ ପର୍ଯ୍ୟନ୍ତ ଇଟାଟିଏ ମଧ୍ୟ ଯୋଡ଼ି ହୋଇପାରିଲା ନାହିଁ।

କ୍ୟାପିଟାଲ ହସ୍ପିଟାଲରେ ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ସମସ୍ତ ବିଭାଗର ବହିର୍ବିଭାଗରେ ପ୍ରବଳ ଗହଳି ହେଉଛି। ଅନେକ ସମୟରେ ରୋଗୀଙ୍କ ସଂଖ୍ୟା ଏତେ ବଢ଼ି ଯାଉଛି ଯେ ଡାକ୍ତରଙ୍କୁ ଦେଖା ହେବା ପାଇଁ ଠେଲାପେଲା ହେଉଛି। ତେଣୁ ହସ୍ପିଟାଲରେ ଚାଲୁଥିବା ସବୁ ବହିର୍ବିଭାଗକୁ ମିଶାଇ ଗୋଟିଏ ସ୍ଥାନରେ ସବୁ ଓପିଡିକୁ ରଖିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏହାସହ ଏକ ଜରୁରୀକାଳୀନ ଅସ୍ତ୍ରୋପଚାର ଗୃହ ବା ଓଟି ମଧ୍ୟ ରହିଥାନ୍ତା। ଏଥିପାଇଁ ହସ୍ପିଟାଲ ପରିସରରେ ଏକ ୫ମହଲା ବିଶିଷ୍ଟ ବିଲ୍ଡିଂ ନିର୍ମାଣ କରାଯିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଚିନ୍ତା କରିଥିଲା। ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ, ପୂର୍ତ ବିଭାଗ ଓ କ୍ୟାପିଟାଲ ହସ୍ପିଟାଲ କର୍ତୃପକ୍ଷଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବିଲ୍ଡିଂ ଏକ ଡିଜାଇନ୍‌ ପ୍ରସ୍ତୁତ କରାଯିବା ସହିତ ୭୦ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଥିଲା। ମାତ୍ର ଏ ପର୍ଯ୍ୟନ୍ତ ବିଲ୍ଡିଂ ନିର୍ମାଣ କାମ କେବଳ ନିଷ୍ପତ୍ତିରେ ଅଟକି ରହିଛି।

ଅସ୍ଥିଶଲ୍ୟ ବିଭାଗରେ ନାହିଁ ଡ୍ରିଲିଂ ମେସିନ୍‌
କ୍ୟାପିଟାଲ ହସ୍ପିଟାଲର ଅସ୍ଥିଶଲ୍ୟ ବିଭାଗରେ ରୋଗୀଙ୍କ ଭଙ୍ଗା ହାତ/ଗୋଡ଼ରେ ପ୍ଲେଟ୍‌ ଲଗାଇବା ପାଇଁ ଡ୍ରିଲିଂ ମେସିନ୍‌ ନାହିଁ। ପୂର୍ବରୁ ଏହି ଡ୍ରିଲିଂ ମେସିନ୍‌ ସିଆର୍‌ଏମ୍‌ ମେସିନ୍‌ ସହିତ ଏକାଠି ରହିଥିଲା। ତେବେ ସିଆର୍‌ଏମ୍‌ ମେସିନ୍‌ ବନ୍ଦ ହୋଇଯିବାରୁ ଡ୍ରିଲିଂ ମେସିନ୍‌ ମଧ୍ୟ ବନ୍ଦ ହୋଇଯାଇଛି। ବାଧ୍ୟହୋଇ ରୋଗୀଙ୍କୁ କଟକ ଏସ୍‌ସିବିକୁ ରେଫର କରାଯାଉଛି। ଡ୍ରିଲିଂ ମେସିନ୍‌ ଲଗାଇବା ପାଇଁ ହସ୍ପିଟାଲ କର୍ତୃପକ୍ଷ ଦୀର୍ଘଦିନରୁ ଦାବି କରି ଆସୁଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅସ୍ଥିଶଲ୍ୟ ବିଭାଗରେ ଡ୍ରିଲିଂ ମେସିନ୍‌ ଉପଲବ୍ଧ ହେଉଥିବା ବେଳେ ରାଜଧାନୀର ପ୍ରମୁଖ ସରକାରୀ ଡାକ୍ତରଖାନାରେ ଏହି ମେସିନ୍‌ ନାହିଁ। ରାଜ୍ୟ ଔଷଧ ନିଗମକୁ ମଧ୍ୟ ହସ୍ପିଟାଲ କର୍ତୃପକ୍ଷ ଚିଠି ଲେଖିଛନ୍ତି। ମାତ୍ର କୌଣସି ପଦକ୍ଷେପ ନିଆଯାଉ ନାହିଁ। ହସ୍ପିଟାଲରେ ଅସ୍ଥିଶଲ୍ୟ ବିଭାଗରେ ଆବଶ୍ୟକ ସଂଖ୍ୟକ ଡାକ୍ତର ଓ ଅନ୍ୟ କର୍ମଚାରୀ ରହିଛନ୍ତି। ମାତ୍ର ଆବଶ୍ୟକ ଭିତ୍ତିଭୂମିର ଅଭାବ ଯୋଗୁଁ ଯେଉଁଭଳି ଢଙ୍ଗରେ ରୋଗୀମାନଙ୍କୁ ଚିକିତ୍ସା କରାଯିବା କଥା ତାହା ହୋଇପାରୁ ନାହିଁ।

ମୋବାଇଲ ନେଟଓ୍ଵର୍କ ସମସ୍ୟା
କ୍ୟାପିଟାଲ ହସ୍ପିଟାଲରେ ଦୀର୍ଘ ଦିନ ହେବ ମୋବାଇଲ ନେଟଓ୍ଵର୍କ ସମସ୍ୟା ଲାଗି ରହିଛି। ହସ୍ପିଟାଲ ପରିସରରେ ଠିକ୍‌ରେ ନେଟଓ୍ଵର୍କ ଆସୁନାହିଁ। ହସ୍ପିଟାଲର କର୍ମଚାରୀଙ୍କଠାରୁ ଆରମ୍ଭ କରି ରୋଗୀ ଓ ରୋଗୀ ଆଟେଣ୍ଡାଣ୍ଟ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅଧିକାଂଶ ସମୟରେ ହସ୍ପିଟାଲ କର୍ମଚାରୀଙ୍କ ମୋବାଇଲ ନେଟଓ୍ଵର୍କ ରେଞ୍ଜ ବାହାରେ ରହୁଛି। ତେଣୁ ଏହାର ସମାଧାନ ପାଇଁ ହସ୍ପିଟାଲ କର୍ତୃପକ୍ଷ ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗର ସହାୟତା ଲୋଡ଼ିଛନ୍ତି। ମାତ୍ର ମୋବାଇଲ ଟାଓ୍ଵାର ରେଡିଏସନ୍‌ ନେଇ ବିଭାଗ ଆଗ୍ରହ ପ୍ରକାଶ କରୁ ନ ଥିବା ଜଣାପଡ଼ିଛି। ନିକଟକରେ ବିଏସ୍‌ଏନ୍‌ଏଲ୍‌ ପକ୍ଷରୁ ହସ୍ପିଟାଲ ପରିସରରେ ଏକ ମୋବାଇଲ ଟାଓ୍ଵାର ନିର୍ମାଣ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ମାତ୍ର ଏହାର ନିର୍ମାଣ ହସ୍ପିଟାଲ କର୍ତୃପକ୍ଷଙ୍କ ଅଧୀନରେ ନ ଥିବା ସେ ଏହାକୁ ଫେରାଇ ଦେଇଥିଲେ। ତେବେ ବିଏସ୍‌ଏନ୍‌ଏଲ୍‌ କର୍ତୃପକ୍ଷ ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗର ସହାୟତା ଲୋଡ଼ିଛନ୍ତି। ଆବଶ୍ୟକ ପଡ଼ିଲେ ଅସ୍ଥାୟୀ ଭାବେ ଏକ ମୋବାଇଲ ନେଟଓ୍ଵର୍କ ଯୋଗାଇ ଦେବାକୁ ପ୍ରସ୍ତାବ ଦେବା ସହିତ ପରବର୍ତୀ ସମୟରେ ସର୍ଭେ କରି କେଉଁ ସ୍ଥାନରେ ଏହି ଟାଓ୍ଵାର ନିର୍ମାଣ ହେବ ତାହାର ଏକ ପ୍ରସ୍ତାବ ଦେଇଛନ୍ତି ବିଏସ୍‌ଏନ୍‌ଏଲ୍‌ କର୍ତୃପକ୍ଷ। ମାତ୍ର ଏହି ପ୍ରସ୍ତାବ ଉପରେ କିଛି ପଦକ୍ଷେପ ନିଆଯାଇ ନାହିଁ।

ଦୀର୍ଘଦିନରୁ ସିଟି ସ୍କାନ୍‌ ଅଚଳ
କ୍ୟାପିଟାଲ ହସ୍ପିଟାଲରେ ଦୀର୍ଘଦିନ ହେବ ସି.ଟି ସ୍କାନ୍‌ ଅଚଳ ହୋଇଯାଇଛି। ଏଥିରେ କେବଳ ମୁଣ୍ଡର ସି.ଟି ସ୍କାନ୍‌ କରାଯାଉଥିଲା। ଦୁର୍ଘଟଣାର ଶିକାର ବ୍ୟକ୍ତିମାନଙ୍କ ସମେତ ଅନ୍ୟାନ୍ୟ ସମୟରେ ରୋଗୀମାନେ ଏହାର ସେବା ପାଉଥିଲେ। ମାତ୍ର ହସ୍ପିଟାଲରେ ବ୍ୟବହୃତ ହେଉଥିବା ମେସିନ୍‌ଟି ବହୁତ ପୁରୁଣା ହୋଇଯାଇଥିବାରୁ ତାହାର ଯନ୍ତ୍ରାଂଶ ବଜାରରେ ଉପଲବ୍ଧ ହେଉନାହିଁ। ତେଣୁ ନୂଆ ସି.ଟି ସ୍କାନ୍‌ ମେସିନ୍‌ ଲଗାଇବା ପାଇଁ ହସ୍ପିଟାଲ କର୍ତୃପକ୍ଷ ଜାତୀୟ ସ୍ୱାସ୍ଥ୍ୟ ମିସନ୍‌ଙ୍କୁ ଜଣାଇଥିଲେ। ଏପରିକି ମିସନ୍‌ର ଅଧିକାରୀମାନେ ହସ୍ପିଟାଲ କେଉଁ ସ୍ଥାନରେ ନୂଆ ମେସିନ୍‌ ଲଗାଯିବ ସେଥିପାଇଁ ଏହାର ଭିତ୍ତିଭୂମିର ଯାଞ୍ଚ କରିଥିଲେ। ଏହାସତ୍ୱେ ମଧ୍ୟ ନୂଆ ମେସିନ୍‌ ହସ୍ପିଟାଲରେ ଲାଗି ପାରିନାହିଁ। ହସ୍ପିଟାଲରେ ପ୍ରତ୍ୟେକ ଦିନ ରୋଗୀମାନଙ୍କୁ ବାହାର ଡାଏଗ୍ନୋଷ୍ଟିକ୍‌ ସେଣ୍ଟରକୁ ଯିବାକୁ ପଡ଼ୁଛି। ନିକଟରେ ଏକ ସ୍ୱେଚ୍ଛାସେବୀ ସଂଗଠନ ସି.ଟି ସ୍କାନ୍‌ ମେସିନ୍‌ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ହସ୍ପିଟାଲ କର୍ତୃପକ୍ଷଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଆବଶ୍ୟକ ପଡ଼ିଲେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟି ଏ ସଂପର୍କରେ ସୂଚନା ଦେବାକୁ ଚେତାବନୀ ଦେଇଥିଲେ। ମାତ୍ର ଏବେସୁଦ୍ଧା ମଧ୍ୟ ସି.ଟି ସ୍କାନ୍‌ ମେସିନ୍‌ କାର୍ଯ୍ୟକ୍ଷମ ହୋଇପାରିନାହିଁ।

ଲାଗି ପାରିଲାନି ଡିଜିଟାଲ ଏକ୍ସ-ରେ
ହସ୍ପିଟାଲରେ ଏକ ଡିଜିଟାଲ ଏକ୍ସ-ରେ ଲଗାଇବା ପାଇଁ ଦୀର୍ଘଦିନରୁ ଦାବି ହୋଇଆସୁଛି। ରୋଗୀ କଲ୍ୟାଣ ସମିତି ବୈଠକରେ ମଧ୍ୟ ଡିଜିଟାଏ ଏକ୍ସ-ରେ ଲଗାଇବା ପାଇଁ ପ୍ରସ୍ତାବ ପାରିତ ହୋଇଥିଲା। ଏବେ କ୍ୟାପିଟାଲ ହସ୍ପିଟାଲରେ ଏକ ସାଧାରଣ ଏକ୍ସ-ରେ ମେସିନ୍‌ ରହିଛି। ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ‘ନିଦାନ’ ଯୋଜନା ଆରମ୍ଭ ହେବା ପରେ ପିପିପି ମୋଡରେ ଏକ୍ସ-ରେ ଫଟୋକୁ ବାହାରକୁ ପଠାଯାଉଛି। ଏକ କପିଏର ମେସିନ୍‌ ସହାୟତାରେ ସମସ୍ତ ନମୁନା ବାହାରକୁ ପଠାଯାଉଥିବା ବେଳେ ସେଠାରୁ ରିପୋର୍ଟ ଆସୁଛି। ତେବେ ଛାତିଠାରୁ ଆରମ୍ଭ କରି ଦୁର୍ଘଟଣା ସମୟରେ ଡିଜିଟାଲ ଏକ୍ସ-ରେର ଆବଶ୍ୟକତା ରହିଥିଲେ ହେଁ, ତାହା ଉପଲବ୍ଧ ହେଉନାହିଁ। ତେଣୁ ଯେଉଁ ରୋଗୀମାନଙ୍କର ଡିଜିଟାଏ ଏକ୍ସ-ରର ଆବଶ୍ୟକତା ପଡ଼ୁଛି ସେମାନେ ବାଧ୍ୟହୋଇ ବାହାର ଡାଏଗ୍ନୋଷ୍ଟିକ୍‌ ସେଣ୍ଟରରେ କରୁଛନ୍ତି।

ସ୍ୱାସ୍ଥ୍ୟ ବିଭାଗକୁ ଜଣାଇଛୁ-କର୍ତୃପକ୍ଷ
କ୍ୟାପିଟାଲ ହସ୍ପିଟାଲରେ ମେସିନ୍‌ର ଯେଉଁ ସମସ୍ୟା ଦେଖା ଦେଇଛି ତାହାର ସମାଧାନ ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇଛୁ। ଏଭଳି ଅତ୍ୟାଧୁନିକ ମେସିନ୍‌ କିଣିବାର କ୍ଷମତା ହସ୍ପିଟାଲ କର୍ତୃପକ୍ଷଙ୍କ ନିକଟରେ ନାହିଁ। ତେଣୁ ରାଜ୍ୟ ଔଷଧ ନିଗମକୁ ଏ ସଂପର୍କରେ ଜଣାଇ ଦିଆଯାଇଛି। ଏହାସହ ସ୍ୱାସ୍ଥ୍ୟ ବିଭାଗ ଚାହିଁଲେ ହସ୍ପିଟାଲ ପରିସରରେ ମୋବାଇଲ ଟାଓ୍ଵାର ଲାଗିପାରିବ ବୋଲି କହିଛନ୍ତି ହସ୍ପିଟାଲ ନିର୍ଦେଶକ(ଭାରପ୍ରାପ୍ତ) ଡା. ମନୋରଂଜନ ଦାସ।

ସମ୍ବନ୍ଧିତ ଖବର