ରେଡକ୍ରସ୍‌ କାର୍ଯ୍ୟାଳୟ ଓ ପୁଲିସ ଫାଣ୍ଡିକୁ ମିଶାଇ ହେବ କାଜୁଆଲିଟି-୨

କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କ ଭିଡ଼ ନିୟନ୍ତ୍ରଣ

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ହସ୍ପିଟାଲ କର୍ତୃପକ୍ଷ ଉଦ୍ୟମ ଆରମ୍ଭ କରିଛନ୍ତି। ବିଶେଷକରି ବହିର୍ବିଭାଗ ବନ୍ଦ ହେବା ପରେ ଆସୁଥିବା ରୋଗୀଙ୍କ ଚିକିତ୍ସା ପାଇଁ ଆଉ ଏକ କାଜୁଆଲିଟି ନିର୍ମାଣ କରାଯିବ। ଏହାସହ ରାଜଧାନୀ କିମ୍ବା ଏହାର ଆଖପାଖ ଜିଲ୍ଲାଗୁଡ଼ିକରେ କୌଣସି ବଡ଼ ଦୁର୍ଘଟଣା ଘଟିଲେ ଆହତମାନଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ରେଫର କରାଯାଉଛି। ତେଣୁ ବଡ଼ ଦୁର୍ଘଟଣା ସମୟରେ ଆହତମାନଙ୍କ ଚିକିତ୍ସା ପାଇଁ ଏକ କାଜୁଆଲିଟି ଟ୍ରାଏଜ୍‌ ନିର୍ମାଣ କରାଯିବ। ଯାହାଫଳରେ ହସ୍ପିଟାଲରେ ହଠାତ୍‌ ବଢ଼ି ଯାଉଥିବା ରୋଗୀଙ୍କ ଭିଡ଼କୁ ନିୟନ୍ତ୍ରଣ ହୋଇପାରିବ।

କ୍ୟାପିଟାଲ ହସ୍ପିଟାଲରେ ଏବେ ଜରୁରୀକାଳୀନ ସେବା ପାଇଁ ଗୋଟିଏ କାଜୁଆଲିଟି କାର୍ଯ୍ୟ କରୁଛି। ତେବେ ସକାଳ ୮ଟାରୁ ୧୨ଟା ଓ ଅପରାହ୍‌ଣ ୪ଟାରୁ ୬ଟାରେ ବହିର୍ବିଭାଗ ବନ୍ଦ ହୋଇଯିବା ପରେ ରୋଗୀମାନେ କାଜୁଆଲିଟି ସମ୍ମୁଖରେ ଭିଡ଼ ଜମାଉଛନ୍ତି। ଅଧିକାଂଶ ସମୟରେ କାଜୁଆଲିଟି ସମ୍ମୁଖରୁ ଏକ ଲମ୍ବା ଲାଇନ୍‌ ବହୁତ ଦୂର ପର୍ଯ୍ୟନ୍ତ ଲମ୍ବୁଛି। ଏହାର ନିୟନ୍ତ୍ରଣ କରିବା ପାଇଁ ହସ୍ପିଟାଲ କର୍ତୃପକ୍ଷ ଉଦ୍ୟମ ଆରମ୍ଭ କରିଛନ୍ତି। କାଜୁଆଲିଟି ସମ୍ମୁଖରେ ରୋଗୀଙ୍କ ପ୍ରତୀକ୍ଷାଗାର, ରେଡକ୍ରସ୍‌ କାର୍ଯ୍ୟାଳୟ ଓ ପୁଲିସ୍‌ ଫାଣ୍ଡିକୁ ମିଶାଇ ଏଠାରେ କାଜୁଆଲ୍‌ଟି-୨ର ନିର୍ମାଣ କରାଯିବ। ପୁଲିସ୍‌ ଫାଣ୍ଡି ପାଇଁ ଗେଟ୍‌ ନଂ ୨ ନିକଟରେ ଥିବା ପ୍ରବେଶ ଦ୍ୱାରରେ ଏକ ଜାଗା ଦେବାକୁ ହସ୍ପିଟାଲ କର୍ତୃପକ୍ଷ ସ୍ଥିର କରିଛନ୍ତି। ସେହିପରି ହସ୍ପିଟାଲର ଆଉ ଏକ ସ୍ଥାନରେ ରେଡକ୍ରସ୍‌ କାର୍ଯ୍ୟାଳୟକୁ ଜାଗା ଦିଆଯିବାକୁ ସ୍ଥିର ହୋଇଛି। ଜରୁରୀକାଳୀନ ପରିସ୍ଥିତିରେ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନ ହେବେ ଦ୍ୱିତୀୟ କାଜୁଆଲିଟି ସହାୟକ ହେବ।

ସେହିପରି ଏକ କାଜୁଆଲିଟି ଟ୍ରାଏଜ୍‌ ମଧ୍ୟ ନିର୍ମାଣ କରାଯିବ। ସବୁଦିନିଆ ରୋଗୀ ସେବା ପାଇଁ ଏହାକୁ ବ୍ୟବହାର କରାଯିବ ନାହିଁ। ରାଜଧାନୀ କିମ୍ବା ଆଖପାଖରେ ବଡ଼ ଧରଣର ଦୁର୍ଘଟଣା ସମୟରେ ଏହାକୁ ବ୍ୟବହାର କରାଯିବ। ଏଥିରେ ୧୬ଟି ବେଡ୍‌ ସାଙ୍ଗକୁ ଔଷଧ ଓ ଅନ୍ୟାନ୍ୟ ଆବଶ୍ୟକ ଚିକିତ୍ସା ସୁବିଧା ରହିବ। ହସ୍ପିଟାଲରେ ଥିବା ଇଞ୍ଜେକସନ୍‌ ରୁମ୍‌ ଓ ଆକଷ୍ଟିକ୍‌ ରୁମ୍‌କୁ ମିଶାଇ ଏହି କାଜୁଆଲିଟି ଟ୍ରାଏଜ୍‌ର ନିର୍ମାଣ କରାଯିବ। ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି।

କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଡା.ସି.ଆର ଦାସଙ୍କ ସୂଚନା ଅନୁଯାୟୀ, ହସ୍ପିଟାଲର ଗେଟ୍‌ ନଂ ୨ ନିକଟରେ ଥିବା ରେଡକ୍ରସ୍‌ କାର୍ଯ୍ୟାଳୟ ଓ ପୁଲିସ ଫାଣ୍ଡିକୁ ମିଶାଇ ଆଉ ଏକ କାଜୁଆଲିଟିର ନିର୍ମାଣ କରାଯିବ। ଗୋଟିଏ କାଜୁଆଲିଟି ରୋଗୀଙ୍କ ପାଇଁ ଯଥେଷ୍ଟ ହେଉ ନ ଥିବାରୁ ଆଉ ଏକ କାଜୁଆଲିଟି ନିର୍ମାଣ ପାଇଁ ଯୋଜନା କରାଯାଇଛି। ଏହାସହ କାଜୁଆଲିଟି ଟ୍ରାଏଜ୍‌ର ନିର୍ମାଣ ପାଇଁ ମଧ୍ୟ ଯୋଜନା ହୋଇଛି। ପୂର୍ବରୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ଓ କୌଣସି ବଡ଼ ଦୁର୍ଘଟଣା ସମୟରେ ଆସିଥିବା ରୋଗୀଙ୍କୁ ଚିକିତ୍ସା କରାଯିବା ସମୟରେ କର୍ମଚାରୀଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ତେଣୁ ୧୬ଟି ବେଡ୍‌ ଥିବା ଏକ କାଜୁଆଲିଟି ଟ୍ରାଏଜ୍‌ ପାଇଁ ଯୋଜନା ହୋଇଛି। ଏହା କାର୍ଯ୍ୟକାରୀ ହେଲେ ବଡ଼ ଦୁର୍ଘଟଣା ସମୟରେ ଆହତକୁ ଚିକିତ୍ସା ଯୋଗାଇବା ସହଜ ହେବ ବୋଲି ଡା. ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର