‘କାୟାକଳ୍ପ’ ସର୍ବେକ୍ଷଣ, ପ୍ରଥମ ସ୍ଥାନ ବଜାୟ ରଖିପାରିବ କ୍ୟାପିଟାଲ ହସ୍ପିଟାଲ ?

କ୍ୟାପିଟାଲ ହସ୍ପିଟାଲ ବୁଲିଲେ ୩ଜଣିଆ ଟିମ୍

ଭୁବନେଶ୍ବର: ‘କାୟାକଳ୍ପ’ ସର୍ବେକ୍ଷଣ ପାଇଁ ଆଜି କ୍ୟାପିଟାଲ ହସ୍ପିଟାଲରେ ଯାଞ୍ଚ ହୋଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୩ଜଣିଆ ଟିମ୍ ଆଜି ହସ୍ପିଟାଲରେ ତନ୍ନତନ୍ନ କରି ଯାଞ୍ଚ କରିଛନ୍ତି। ‘କାୟାକଳ୍ପ’ ପାଇଁ ଏହା ଶେଷ ଯାଞ୍ଚ ପ୍ରକ୍ରିୟା ହୋଇଥିବାରୁ ହସ୍ପିଟାଲ ପାଇଁ ଏହା ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି। ଗତବର୍ଷ କ୍ୟାପିଟାଲ ହସ୍ପିଟାଲ ‘କାୟାକଳ୍ପ’ରେ ପ୍ରଥମ ସ୍ଥାନ ହାସଲ କରିଥିଲା। ତେବେ ହସ୍ପିଟାଲର ଆଖପାଖର ପରିବେଶକୁ ନଜର କଲେ ଚଳିତବର୍ଷ ହସ୍ପିଟାଲ ପ୍ରଥମ ସ୍ଥାନ ବଜାୟ ରଖିବା କଷ୍ଟକର ବୋଲି ଆଲୋଚନା ହେଉଛି। ସୂଚନା ଅନୁଯାୟୀ, ଏହି ୩ ଜଣିଆ ଟିମ୍‌ରେ ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀଙ୍କ ସମେତ ଜାତୀୟ ସ୍ବାସ୍ଥ୍ୟ ମିସନ୍‌ ବା ଏନ୍‌ଏଚ୍‌ଏମ୍‌ ଓ ଏକ ଘରୋଇ ହସ୍ପିଟାଲର ଅଧିକାରୀ ରହିଛନ୍ତି। ହସ୍ପିଟାଲର ୱାର୍ଡ, ଆଇସିୟୁ, ପାଇଖାନା, କାନ୍ଥବାଡ଼ ଓ ହସ୍ପିଟାଲ ବାହାର ପରିବେଶକୁ ନେଇ ଏହାର ବିଚାର କରାଯାଇଥାଏ। ଦିନତମାମ ଅଧିକାରୀମାନେ ହସ୍ପିଟାଲରେ ରହି ଏହାର ସମୀକ୍ଷା କରିଥିଲେ। ଯେଉଁ ହସ୍ପିଟାଲଗୁଡ଼ିକ ପୁରସ୍କାର ପାଇଁ ଧାର୍ଯ୍ୟ ମାନଦଣ୍ଡରେ ସଫଳ ହୋଇଥାନ୍ତି ସେମାନଙ୍କୁ ଏଥିରେ ଆର୍ଥିକ ସହାୟତା ଦିଆଯାଇଥାଏ। ଚଳିତ ମାସଠାରୁ ରାଜ୍ୟରେ ଏଥିପାଇଁ ସର୍ବେକ୍ଷଣ ଆରମ୍ଭ ହୋଇଛି। ପୂର୍ବରୁ କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ଏଥିପାଇଁ ସର୍ବେକ୍ଷଣ ହୋଇସାରିଛି। ଯଦି ଧାର୍ଯ୍ୟ ମାନଦଣ୍ଡ ବଜାୟ ରଖିବାରେ ବିଫଳ ହେଲେ ସଂପୃକ୍ତ ହସ୍ପିଟାଲକୁ ଏଥିରେ ସୁଧାର ଆଣିବାକୁ କୁହାଯିବ।

ଦୁଇବର୍ଷ ଧରି କ୍ୟାପିଟାଲ ହସ୍ପିଟାଲ ‘କାୟାକଳ୍ପ’ରେ ପୁରସ୍କାର ହାସଲ କରୁଛି। ୨ ବର୍ଷ ତଳେ କ୍ୟାପିଟାଲ ହସ୍ପିଟାଲ ରନର୍ସ-ଅପ୍ ହୋଇଥିବା ବେଳେ ଗତବର୍ଷ ପ୍ରଥମ ସ୍ଥାନ ହାସଲ କରିଥିଲା। ପୁରସ୍କାର ବାବଦରେ କ୍ୟାପିଟାଲ ହସ୍ପିଟାଲକୁ ୫୦ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ତେବେ କର୍ମଚାରୀଙ୍କୁ ପୁରସ୍କାର ବାବାଦରେ ମିଳିଥିବା ଟଙ୍କା ବଣ୍ଟନକୁ ନେଇ ବିବାଦ ଦେଖା ଦେଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ଆଉଟସୋର୍ସିଂ ଝାଡ଼ୁଦାରମାନେ ଧାରଣାରେ ବସିଥିଲେ। ଡାକ୍ତରଙ୍କଠାରୁ ଆରମ୍ଭ କରି ଅନ୍ୟ କର୍ମଚାରୀଙ୍କୁ ଏଥିପାଇଁ ଟଙ୍କା ମିଳିଥିବା ବେଳେ ହସ୍ପିଟାଲର ପରିମଳ ଦାୟିତ୍ବରେ ଥିବା କର୍ମଚାରୀଙ୍କୁ ଟଙ୍କା କାହିଁକି ଦିଆଗଲା ନାହିଁ ବୋଲି ବିକ୍ଷୋଭକାରୀମାନେ ପ୍ରଶ୍ନ କରିଥିଲେ। ହସ୍ପିଟାଲରେ ପରିମଳ ବ୍ୟବସ୍ଥା ଠପ୍ ହୋଇଯାଇଥିଲା। ତେବେ ଚଳିତ ବର୍ଷ କ୍ୟାପିଟାଲ ହସ୍ପିଟାଲ ପ୍ରଥମ ସ୍ଥାନ ହାସଲ କରିବା ନେଇ ସନ୍ଦେହ ଦେଖା ଦେଇଛି। ହସ୍ପିଟାଲ ପରିସରରେ ବୁଲା କୁକୁର ପ୍ରବେଶକୁ ନିୟନ୍ତ୍ରଣ କରା ଯାଇପାରିନାହିଁ। ରୋଗୀ ଓ କର୍ମଚାରୀ କୁକୁରମାନଙ୍କୁ ଖାଇବାକୁ ଦେଉଥିବାରୁ ସେମାନେ ହସ୍ପିଟାଲ ଛାଡ଼ି ଯାଉନାହାନ୍ତି। ହସ୍ପିଟାଲ କର୍ତୃପକ୍ଷ କୁକୁରମାନଙ୍କୁ ହଟାଇବା ପାଇଁ ବାରମ୍ବାର ବିଏମ୍‌ସିକୁ ଚିଠି ଲେଖୁଛନ୍ତି। କିନ୍ତୁ କୁକୁର ଧରା ଯାଉନାହିଁ। ସେହିପରି ଶିଶୁ ୱାର୍ଡ ନିକଟରେ ଥିବା ଡଷ୍ଟବିନ୍‌ରେ କୁଢ଼ କୁଢ଼ ମଇଳା ପଡ଼ି ରହୁଛି। ପଚା ପାଣି ରାସ୍ତାଘାଟକୁ ଆସୁଥିବା ବେଳେ ସ୍ଥାନୀୟ ପରିବେଶ ଗନ୍ଧରେ ଫାଟି ପଡ଼ୁଛି। ହସ୍ପିଟାଲକୁ ସଫାସୁତରା ରଖିବା ପାଇଁ ସବୁଦିନ ଅଳିଆ ସଫା କରାଯାଉଛି ହେଲେ ଅଳିଆ ବାହାରକୁ ନ ଯାଇ ସେଠାରେ ପଡ଼ି ରହୁଛି। ହସ୍ପିଟାଲରେ ଥିବା ପରିସ୍ରାଗାର ମଧ୍ୟ ଅଧିକାଂଶ ସମୟରେ ଅପରିଷ୍କାର ରହୁଥିବା ରୋଗୀମାନେ ଅଭିଯୋଗ କରୁଛନ୍ତି।

ସମ୍ବନ୍ଧିତ ଖବର