ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ ‘ନିରାମୟ’ ଛଡ଼ା ବାହାରୁ ଔଷଧ ନ ଲେଖିବା ପାଇଁ କଡ଼ା ନିର୍ଦେଶ ରହିଛି। ଏହା ସତ୍ତ୍ୱେ ହସ୍ପିଟାଲର ଡାକ୍ତର ନିର୍ଦେଶକୁ ବେଖାତିର କରୁଛନ୍ତି। ରୋଗୀଙ୍କୁ ବାହାରୁ ଔଷଧ କିଣିବା ପାଇଁ ଲେଖୁଥିବା ଅଭିଯୋଗ ହେଉଛି। ପୂର୍ବରୁ ଏଥିପାଇଁ କେତେକ ଡାକ୍ତରଙ୍କୁ ମୌଖିକଭାବେ ତାଗିଦ୍ ହସ୍ପିଟାଲ କର୍ତୃପକ୍ଷ ତାଗିଦ କରୁଥିଲେ ହେଁ ଡାକ୍ତରଙ୍କ ଉପରେ ଏହାର କୌଣସି ପ୍ରଭାବ ଦେଖିବାକୁ ମିଳୁନାହିଁ। ଅପରପକ୍ଷରେ ‘ନିରାମୟ’ରେ ଦିନକୁ ଦିନ ଔଷଧର ସଂଖ୍ୟା କମିଯିବା ଡାକ୍ତରଙ୍କୁ ବହୁ ସମସ୍ୟାରେ ପକାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, ଗତକାଲି ଜଣେ ମହିଳା ଡାକ୍ତର ରୋଗୀଙ୍କୁ ବାହାରୁ ଔଷଧ କିଣିବା ପାଇଁ ଲେଖିଥିବା ଅଭିଯୋଗ ହୋଇଥିଲା। ଘଟଣା ହସ୍ପିଟାଲ ନିର୍ଦେଶକଙ୍କ ନିକଟରେ ପହଞ୍ଚିବା ପରେ ସେ ଘଟଣାର ସତ୍ୟାସତ୍ୟ ପଚାରି ବୁଝିଥିଲେ। ସଂପୃକ୍ତ ଡାକ୍ତର ରୋଗୀଙ୍କୁ ବାହାରୁ ଔଷଧ କିଣିବା ପାଇଁ ପ୍ରେସ୍କ୍ରିପସନରେ ଲେଖି ନ ଥିବା କହିଥିଲେ।
ତେବେ କ୍ୟାପିଟାଲ ହସ୍ପିଟାଲର ଡାକ୍ତର ରୋଗୀ ‘ନିରାମୟ’ ଛଡ଼ା ବାହାରୁ ଔଷଧ କିଣିବା ପାଇଁ ଲେଖିବା ନୂଆ କଥା ନୁହେଁ। କିଛି ମାସ ପୂର୍ବରୁ ଚର୍ମରୋଗ, ଅସ୍ଥିଶଲ୍ୟ, ଅସ୍ତ୍ରୋପଚାର ଓ ଶିଶୁରୋଗ ବିଭାଗର ଡାକ୍ତର ରୋଗୀଙ୍କୁ ବାହାରୁ ଔଷଧ କିଣିବା ପାଇଁ ଲେଖୁଥିବା ଜଣାପଡ଼ିବା ପରେ ତାଗିଦ୍ କରାଯାଇଥିଲା। ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରିଥିବା ସମୟରେ ମଧ୍ୟ ଡାକ୍ତରମାନେ କେବଳ ‘ନିରାମୟ’ ଔଷଧ ଲେଖିବା ଉପରେ ଗୁରୁତ୍ୱ ଦେଇଥିଲେ। ପରେ ହସ୍ପିଟାଲ କର୍ତୃପକ୍ଷ କାର୍ଯ୍ୟରତ ସମସ୍ତ ଡାକ୍ତରଙ୍କୁ କେବଳ ନିରାୟମରେ ଉପଲବ୍ଧ ଔଷଧ ଲେଖିବା ପାଇଁ ନୋଟିସ୍ ମଧ୍ୟ ଜାରି କରିଥିଲେ। ଏହା ସତ୍ତ୍ୱେ ଏହି ବ୍ୟବସ୍ଥାରେ ସୁଧାର ଆସୁନାହିଁ। କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଡା.ସି.ଆର ଦାସ କହିଛନ୍ତି, ଗତକାଲି ଜଣେ ରୋଗୀ ଏଭଳି ଅଭିଯୋଗ ଆଣିଥିଲେ। ଅଭିଯୋଗ ପରେ ସଂପୃକ୍ତ ଡାକ୍ତରଙ୍କୁ ତାଗିଦ୍ କରାଯାଇଛି। ଏହାସହ ଅନ୍ୟ ଡାକ୍ତରମାନଙ୍କୁ ମଧ୍ୟ ଏଥିପାଇଁ ତାଗିଦ୍ କରାଯାଇଥିବା ଡା.ଦାସ କହିଛନ୍ତି।