କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଦରଦହୀନ ସ୍ୱାସ୍ଥ୍ୟସେବାର ଦୟନୀୟ ଚିତ୍ର : ବଞ୍ଚାଅ ବଞ୍ଚାଅ… କେହି ଶୁଣିଲେନି

ଭୁବନେଶ୍ୱର: ରାତିଯାକ ଯନ୍ତ୍ରଣାରେ ଛଟପଟ ହେଲେ। ପେଟ ଓ ଦେହରେ ଅସହ୍ୟ ବିନ୍ଧା ଛିଟିକା ଯୋଗୁଁ ବଞ୍ଚାଅ ବଞ୍ଚାଅ ବୋଲି ରାତି ଅଧରେ ନେହୁରା ହେଲେ। ହେଲେ ତାଙ୍କର ଏ ବିକଳ ଚିତ୍କାର ଶୁଣିବାକୁ ସେଠି କେହି ବି ନଥିଲେ। ଚିକିତ୍ସା ଅଭାବରୁ ଶେଷରେ ତାଙ୍କ ପ୍ରାଣ ଛାଡ଼ିଗଲା। ହେଲେ ମୃତ୍ୟୁ ପରେ ବି ତାଙ୍କ ପ୍ରତି ଟିକେ ଦୟା କଲେନି। ୧୨ ଘଣ୍ଟା କାଳ ଶବ ପକେଇ ରଖିଲେ। ସ୍ୱାସ୍ଥ୍ୟ ସେବାର ଏଭଳି ଏକ ଦରଦହୀନ ଚିତ୍ର ଦେଖିବାକୁ ମିଳିଛି କ୍ୟାପିଟାଲ୍‌ ହସ୍ପିଟାଲ୍‌ର ହଇଜା ଓ ସଂକ୍ରମିତ (ନିରାଶ୍ରିତ) ଓ୍ଵାର୍ଡରେ। ମୃତ ବ୍ୟକ୍ତିଜଣଙ୍କ ହେଉଛନ୍ତି ରାମ ନାୟକ (୩୮)। ସିଆର୍‌ପି ଛକ ନିକଟ ଏକ ବସ୍ତିରେ ରହୁଥିବା ରାମଙ୍କ ମା’ ଆରପାରିକୁ ଚାଲିଗଲା ପରେ ସ୍ତ୍ରୀ ବି ରାମଙ୍କ ହାତ ଛାଡ଼ି କୁଆଡ଼େ ଚାଲିଗଲେ ଯେ ଆଉ ଫେରିଲେନି। ଚିନ୍ତାଗ୍ରସ୍ତ ଯୋଗୁଁ ରାମଙ୍କୁ ପୁଞ୍ଜାପୁଞ୍ଜା ବ୍ୟାଧି ଗ୍ରାସ କଲା। ପରେ ତାଙ୍କୁ ଏକ ସ୍ୱେଚ୍ଛାସେବୀ ସଂସ୍ଥା ପକ୍ଷରୁ ଉଦ୍ଧାର କରାଯାଇ ନିରାଶ୍ରିତଙ୍କ ପାଇଁ ଉଦ୍ଦିଷ୍ଟ (ଡେଷ୍ଟିଚ୍ୟୁଟ୍‌) ଓ୍ଵାର୍ଡରେ ରଖି ଚିକିତ୍ସା କରାଗଲା। ୫ ଦିନ କାଳ ଏଠି ପଡ଼ି ରହିବା ପରେ ସେ ଖାଇବା ଛାଡ଼ି ଦେଇଥିଲେ। କିନ୍ତୁ ରାତିରେ ଯନ୍ତ୍ରଣାରେ ଛଟପଟ ହେଉଥିଲେ ହେଁ କେହି ଡାକ୍ତରଙ୍କୁ ଡାକିବା ତ ଦୂର କଥା ଆହା ଟିକେ ବି କହିନଥିଲେ।

୧୨ଘଣ୍ଟା ପରେ ଓ୍ଵାର୍ଡରୁ ଶବ ଉଠିଲା
କର୍ମଚାରୀ ନାହାନ୍ତି, ସ୍ୱେଚ୍ଛାସେବୀଙ୍କ ହାତରେ ରୋଗୀଙ୍କ ଜୀବନ
ନିରାଶ୍ରିତ ଓ୍ଵାର୍ଡରେ ୪ଦିନରେ ତିନି ମଲେଣି

ଚିକିତ୍ସା ପାଇଁ ସରକାର ପୁଳାପୁଳା ଯୋଜନା କରୁଛନ୍ତି। କୋଟିକୋଟି ଟଙ୍କା ଖର୍ଚ କରୁଛନ୍ତି। କିନ୍ତୁ ନିରାଶ୍ରିତ (ଡେଷ୍ଟିଚ୍ୟୁଟ୍‌) ଓ୍ଵାର୍ଡରେ ଜଣେ ଆଟେଣ୍ଡାଣ୍ଟ୍‌ଙ୍କୁ ନିଯୁକ୍ତି ଦେଇନଥିବାରୁ ରାମଙ୍କ ଭଳି ଅଭାଗା ନିରାଶ୍ରିତଙ୍କ ଯନ୍ତ୍ରଣା ଶୂନଶାନ୍‌ ରାତିରେ ଗାଢ଼ ଅନ୍ଧାରରେ ହଜି ଯାଉଛି। ରାମଙ୍କ ଅବସ୍ଥା ବି ଗତକାଲି ରାତିରେ ସେୟା ହୋଇଥିଲା। ଅନାୟାସରେ ଜଣେ ଅଭାଗାଙ୍କର ଜୀବନ ଚାଲିଗଲା। ସରକାର ଏକ ସ୍ୱେଚ୍ଛାସେବୀ ସଂସ୍ଥା ହାତରେ ଏହି ଓ୍ଵାର୍ଡର ଭାର ଦେଇ ନିଶ୍ଚିତ ହୋଇ ବସି ଯାଇଥିବା ବେଳେ ଗତ ୪ ଦିନ ମଧ୍ୟରେ ଏଠାରେ ରାମଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହେଲାଣି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଓ୍ଵାର୍ଡରେ ନିରାଶ୍ରିତ ହଇଜା ଓ ସଂକ୍ରମିତ ରୋଗୀ, ବିଶେଷତଃ ବୃଦ୍ଧବୃଦ୍ଧାମାନେ ଚିକିତ୍ସିତ ହେଉଛନ୍ତି। କିନ୍ତୁ ଡାକ୍ତର ଗୋଟେ ବେଳା ଦେଖି ଯିବା ପରେ ଆଉ ଏମାନଙ୍କ କଥା ବୁଝିବାକୁ କେହି ରୁହନ୍ତି ନାହିଁ। ଜଣେ ଯୁବ ସ୍ୱେଚ୍ଛାସେବୀ ସ୍ୱେଚ୍ଛାକୃତ ଭାବେ ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଚଳପ୍ରଚଳ ହୋଇପାରୁନଥିବା ଏହି ସଂକ୍ରମିତ ରୋଗୀଙ୍କ ସେବା କରନ୍ତି। ରାତିରେ ସେମାନଙ୍କୁ ଖାଇବା ଦେବା ପାଇଁ ଏକ ସ୍ୱେଚ୍ଛାସେବୀ ଦଳ ଆସନ୍ତି, ଖାଇବା ଦେଇ ପୁଣି ଚାଲିଯାନ୍ତି। ଆଉ ତା’ ପରେ ପୁଣି ସେହି ଯନ୍ତ୍ରଣାର ଆର୍ତନାଦ ଶୁଭେ। ପେଟରେ ଯନ୍ତ୍ରଣା ଯୋଗୁଁ ଛଟପଟ ହେଉଥିବା ବେଳେ ଡାକ୍ତରୀ ପରାମର୍ଶ ମିଳି ପାରିନଥିବାରୁ ରାମଙ୍କ ମୃତ୍ୟୁ ହୋଇଥିବା ସେହି ଓ୍ଵାର୍ଡରେ ରହୁଥିବା ଜଗନ୍ନାଥ ଦାସ ସ୍ୱୀକାର କରନ୍ତି। ତେବେ ଏହାଠୁ ବଳିଯାଇଥିଲା ତାଙ୍କ ଶବକୁ ଏହି ଓ୍ଵାର୍ଡ ଭିତରେ ୧୨ ଘଣ୍ଟା କାଳ ପକେଇ ରଖିବା। ମଧ୍ୟାହ୍ନରେ ପତିତା ଉଦ୍ଧାର ସମିତିର ଯୁବ ସ୍ୱେଚ୍ଛାସେବୀମାନେ ଏଠାକୁ ବୁଲିବାକୁ ଆସିଥିବା ବେଳେ ଏ ସମ୍ପର୍କରେ ଜାଣିବାକୁ ପାଇ ପୁଲିସ୍‌କୁ ଜଣାଇଥିଲେ। ଚାପ ପ୍ରୟୋଗ ପରେ ପୁଲିସ୍‌ ଭୋର୍‌ ୪ଟାରୁ ପଡ଼ି ରହିଥିବା ଶବକୁ ଅପରାହ୍‌ଣ ୪ଟା ପରେ ଉଠାଇଥିଲା। ନିରାଶ୍ରିତ ବୋଲି ରାମ ସିନା ଅଲୋଡ଼ା ହୋଇଗଲେ। କିନ୍ତୁ ସେଠି ଅନ୍ୟ ୧୫ ଜଣ ନିରାଶ୍ରିତ ବୃଦ୍ଧବୃଦ୍ଧା ରୋଗୀ ୧୨ ଘଣ୍ଟା କାଳ ଏକ ଶବ ସହ କାଳ କାଟିବା ବେଳେ ନିଶ୍ଚେ କୋଉଠି ନା କୋଉଠି ମନରେ ଉଙ୍କି ମାରିଥିବ, ଆମେ ମରିଗଲେ ବୋଧେ ଆମ ଶବ ବି ଦିନେ ଏମିତି ବାସି ମଢ଼ା ହୋଇ ପଡ଼ିରହିବ।

ସମ୍ବନ୍ଧିତ ଖବର