କ୍ୟାପିଟାଲ ହସ୍ପିଟାଲରେ ଖୋଲିବ ତରଳ ଅକ୍ସିଜେନ୍‌ ପ୍ଲାଣ୍ଟ

ସ୍ଥାନ ଓ ପ୍ଲାଣ୍ଟ ନିର୍ମାଣ ପାଇଁ ଗଠିତ ହେଲା କମିଟି

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଖୋଲିବ ତରଳ ଅକ୍ସିଜେନ୍‌ ପ୍ଲାଣ୍ଟ୍‌। ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ସହଜରେ ଅକ୍ସିଜେନ୍‌ ଯୋଗାଇବା ଉଦ୍ଦେଶ୍ୟରେ ଏଭଳି ଏକ ପ୍ଲାଣ୍ଟ ନିର୍ମାଣ ପାଇଁ ଯୋଜନା କରିଛି ସ୍ୱାସ୍ଥ୍ୟ ବିଭାଗ। ନିକଟରେ ଏ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। କ୍ୟାପିଟାଲ ହସ୍ପିଟାଲ ସମେତ ରାଜ୍ୟର ଅନ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି ତରଳ ଅକ୍ସିଜେନ୍‌ ପ୍ଲାଣ୍ଟ ନିର୍ମାଣ ପାଇଁ ଏକ କମିଟି ଗଠନ କରାଯାଇଛି। ଏହି କମିଟି କିଭଳି ଢଙ୍ଗରେ ଏହି ପ୍ଲାଣ୍ଟ ନିର୍ମାଣ କରାଯିବ ତାହାର ଏକ ରିପୋର୍ଟ ସ୍ୱାସ୍ଥ୍ୟ ବିଭାଗକୁ ପ୍ରଦାନ କରିବ। ରାଜଧାନୀର କିଛି ଘରୋଇ ହସ୍ପିଟାଲରେ ଏଭଳି ବ୍ୟବସ୍ଥା ରହିଛି। ତେଣୁ ଏଭଳି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ କ୍ୟାପିଟାଲ ହସ୍ପିଟାଲ ରାଜ୍ୟରେ ପ୍ରଥମ ହସ୍ପିଟାଲରେ ସ୍ଥାନ ପାଇବ। କ୍ୟାପିଟାଲ ହସ୍ପିଟାଲରେ ଏବେ ସାଧାରଣ ଭାବେ ଅକ୍ସିଜେନ୍‌ ସିଲିଣ୍ଡର ଜରିଆରେ ଅକ୍ସିଜେନ୍‌ ପ୍ରଦାନ କରାଯାଉଛି। ବାହାରୁ ଅକ୍ସିଜେନ୍‌ ଅଣାଯାଇ ହସ୍ପିଟାଲର ବିଭିନ୍ନ ଓ୍ଵାର୍ଡକୁ ଯୋଗା ଯାଉଛି। କେବଳ ଅସ୍ତ୍ରୋପଚାର ଗୃହ, ଆଇସିୟୁ ଓ ସିଏନ୍‌ସିୟୁକୁ ସେଣ୍ଟ୍ରାଲି ଅକ୍ସିଜେନ୍‌ ଦିଆଯାଉଛି। ତେବେ ଅନ୍ୟ ଓ୍ଵାର୍ଡ, କ୍ୟାବିନ୍‌ ଓ ନର୍ସିଂ ହୋମ୍‌କୁ ଏଭଳି ବ୍ୟବସ୍ଥା ନାହିଁ। ଫଳରେ ଜରୁରୀ ପରିସ୍ଥିତିରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନରୁ ଅକ୍ସିଜେନ୍‌ ନେବାରେ ସମସ୍ୟା ହେଉଛି। ତେଣୁ ହସ୍ପିଟାଲକୁ ସେଣ୍ଟ୍ରାଲି ଅକ୍ସିଜେନ୍‌ ଯୋଗାଇବା କ୍ଷେତ୍ରରେ ତରଳ ଅକ୍ସିଜେନ୍‌ ପ୍ଲାଣ୍ଟ ସହାୟକ ହୋଇପାରିବ ବୋଲି ଆଶା କରାଯାଉଛି। ତରଳ ଅକ୍ସିଜେନ୍‌ ପ୍ଲାଣ୍ଟ ନିର୍ମାଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ କମିଟି ଗଠନ କରାଯାଇଛି। ଏହି କମିଟି ହସ୍ପିଟାଲର କେଉଁ ସ୍ଥାନରେ ଏହି ପ୍ଲାଣ୍ଟ ନିର୍ମାଣ କରାଯିବ ଓ ଏଥିପାଇଁ କେତେ ଟଙ୍କା ଖର୍ଚ ହେବ ତାହାର ଏକ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବେ। ପରେ ଏହି ରିପୋର୍ଟ ଆଧାରରେ ତରଳ ଅକ୍ସିଜେନ୍‌ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ଆଗେଇବ ବୋଲି ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ପରବର୍ତୀ ସମୟରେ ରାଜ୍ୟର ଅନ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ। ଏଥିପାଇଁ ମଧ୍ୟ କମିଟି ସ୍ୱାସ୍ଥ୍ୟ ବିଭାଗକୁ ରିପୋର୍ଟ ଦେବ ବୋଲି ଅଧିକାରୀ ଜଣକ କହିଛନ୍ତି।

କ୍ୟାପିଟାଲ ହସ୍ପିଟାଲ ବାଦ୍‌ ଏମ୍‌ସରେ ତରଳ ଅକ୍ସିଜେନ୍‌ ପ୍ଲାଣ୍ଟ ନିର୍ମାଣ କରାଯାଉଛି। ଏଥିପାଇଁ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଏବେ ପାଇପ ବିଛାଇବା କାର୍ଯ୍ୟ ଜାରି ରହିଛି। ଆସନ୍ତାବର୍ଷ ମାର୍ଚ ଶେଷ ସୁଦ୍ଧା ଏହି କାର୍ଯ୍ୟ ଶେଷ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର