କ୍ୟାପିଟାଲ ହସ୍ପିଟାଲ ଟିକେଟ୍ କାଉଣ୍ଟର ଅବ୍ୟବସ୍ଥା: ମେଳ ଖାଉନି ବିଲ୍

ଭୁବନେଶ୍ବର: ୫ଦିନ ତଳେ କ୍ୟାପିଟାଲ ହସ୍ପିଟାଲର ଟିକେଟ୍ କାଉଣ୍ଟରରେ ବ୍ୟାପକ ଅବ୍ୟବସ୍ଥା ଦେଖା ଦେଇଥିଲା। ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କୁ ଟିକେଟ୍ ନ ମିଳିବା ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ଟିକେଟ୍ କାଉଣ୍ଟରରେ ଥିବା ଠିକା କର୍ମଚାରୀଙ୍କୁ ଦୀର୍ଘ ୯ ମା‌ସ ଧରି ଦରମା ନ ମିଳିବା ଓ କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିବା ସଂସ୍ଥା ହସ୍ପିଟାଲ କର୍ତୃପକ୍ଷଙ୍କଠାରୁ ଟଙ୍କା ପାଇ ନ ଥିବା ଅସନ୍ତୋଷର ମୁଖ୍ୟ କାରଣ ବୋଲି କୁହାଯାଇଥିଲା। ଏହି ଘଟଣା ଏବେ ନୂଆ ମୋଡ଼ ନେଇଛି। ହସ୍ପିଟାଲର ନର୍ସିଂ ହୋମ୍ ଓ ଅନ୍ୟାନ୍ୟ କ୍ଷେତ୍ରରେ ସଂସ୍ଥା ଆଦାୟ କରିଥିବା ଟଙ୍କାର ରସିଦ୍ ହସ୍ପିଟାଲ କର୍ତୃପକ୍ଷଙ୍କ ରସିଦ୍ ସହ ମେଳ ‌ଖାଉ ନ ଥିବା ହସ୍ପିଟାଲ କର୍ତୃପକ୍ଷ କହିଛନ୍ତି। ଏଭଳି ପରିସ୍ଥିତିରେ କିଭଳି ଟଙ୍କାର ହିସାବ ହେବ ଓ ସଂସ୍ଥା ଟଙ୍କା ପାଇବା ନେଇ ଯେଉଁ ଦାବି ରଖିଛି, ତାହା କିଭଳି ସ୍ପଷ୍ଟ ହେବ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନା ଅନୁସାରେ, କ୍ୟାପିଟାଲ ହସ୍ପିଟାଲର ରେଜିଷ୍ଟ୍ରେସନ୍‌ କାଉଣ୍ଟର୍‌ ଦାୟିତ୍ବ ନେଇଛି ୟୁନିସଫ୍‌ଟ ସଂସ୍ଥା। ମାତ୍ର ସଂସ୍ଥା ପକ୍ଷରୁ ଲୋକଙ୍କୁ ଦିଆଯାଉଥିବା ସେବାକୁ ନେଇ ହସ୍ପିଟାଲ କର୍ତୃପକ୍ଷଙ୍କଠାରୁ ଆରମ୍ଭ କରି ରୋଗୀଙ୍କ ପର୍ଯ୍ୟନ୍ତ ସମସ୍ତେ ଅସନ୍ତୁଷ୍ଟ। ଗତ ୧୮ତାରିଖରେ ଏହା ସୀମା ଲଙ୍ଘିଥିଲା। ଟିକେଟ୍‌ ପାଇବା ପାଇଁ ରୋଗୀମାନେ କାଉଣ୍ଟରରେ ଅପେକ୍ଷା କରିଥିବା ବେଳେ ଟିକେଟ୍ ମିଳି ନ ଥିଲା। କାଉଣ୍ଟରରେ ଥିବା କମ୍ପ୍ୟୁଟର ଖରାପ ହୋଇଯିବା ସହ ସଂସ୍ଥାର ଠିକା କର୍ମଚାରୀ ଦୀର୍ଘ ୯ମାସ ଧରି ଦରମା ପାଇ ନ ଥିବାରୁ ଏହାର ପ୍ରତିବାଦରେ କାଉଣ୍ଟରକୁ ବନ୍ଦ କରି ଦେଇଥିଲେ। ଏହି ଘଟଣାରେ ସଂସ୍ଥା ହସ୍ପିଟାଲ କର୍ତୃପକ୍ଷଙ୍କଠାରୁ ବଳକା ଟଙ୍କା ପାଇ ନ ଥିବା କହିଥିଲା। ଅପରପକ୍ଷେ ସଂସ୍ଥା ଆଦାୟ କରିଥିବା ଟଙ୍କା ହସ୍ପିଟାଲକୁ ଫେରାଇ ନ ଥିବାରୁ କର୍ତୃପକ୍ଷ ଏହାର ହିସାବ ମାଗିଥିଲେ। ଆଜି ସଂସ୍ଥାର ଅଧିକାରୀ ହସ୍ପିଟାଲକୁ ଆସି ଯେଉଁ ହିସାବ ଦେଇଛନ୍ତି, ତାହା କର୍ତୃପକ୍ଷଙ୍କ ନିଦ ହଜାଇ ଦେଇଛି। ସଂସ୍ଥାର ଅଧିକାରୀ ଗତ ୬ ମାସର ୧୩ ହଜାର ରସିଦ୍‌ର ହିସାବ ଥିବା କହିଥିଲେ। ସଂସ୍ଥା କାଟିଥିବା ରସିଦ୍ ଓ ହସ୍ପିଟାଲରେ ଥିବା ରସିଦ୍‌କୁ ମିଶାଇବା ପରେ ତାହା ମେଳ ଖାଇ ନ ଥିଲା। ଏପରିକି ଯେଉଁ ତାରିଖରେ ସଂସ୍ଥା ନର୍ସିଂ ହୋମ୍, କ୍ୟାବିନ୍ ବାବଦରେ ଯେତିକି ଟଙ୍କା ଆଦାୟ କରିଥିବା ଦର୍ଶାଇଥିଲା, ହସ୍ପିଟାଲ କର୍ତୃପକ୍ଷଙ୍କ ପାଖରେ ଥିବା ରସିଦ୍‌ରେ ତାହା ମିଶି ନ ଥିଲା। କେତେକ ରସିଦ୍‌ରେ ଆବଶ୍ୟକତାଠାରୁ ଅଧିକ ଟଙ୍କା ମଧ୍ୟ ଦର୍ଶାଯାଇଥିବା ନଜରକୁ ଆସିଥିଲା। ମନଇଚ୍ଛା ଟଙ୍କାର ହିସାବ ପକାଯାଇଛି। ଏଭଳି ପରିସ୍ଥିତିରେ ସଂସ୍ଥା ଜାଲ୍ କାଗଜପତ୍ର ଦର୍ଶାଉଥିବା ଅଭିଯୋଗ ହୋଇଛି। ରୋଗୀ ପିଛା ଗୋଟିଏ ଟିକେଟ୍ ପାଇଁ ସଂସ୍ଥାକୁ ୧.୯୯ଟଙ୍କା ହସ୍ପିଟାଲ ପକ୍ଷରୁ ଦିଆଯାଉଛି। ମାସକୁ ପ୍ରାୟ ୩ ହଜାର ରୋଗୀଙ୍କ ବାବଦରେ ସଂସ୍ଥା ପ୍ରାୟ ୨ଲକ୍ଷ ୨୦ ହଜାର ଟଙ୍କା ପାଇଥାଏ। ତେବେ ନର୍ସିଂ ହୋମ୍ ଓ ଅନ୍ୟାନ୍ୟ ଭଡ଼ା ବାବଦରେ ସଂସ୍ଥା ୧୨ଲକ୍ଷରୁ ଅଧିକ ଟଙ୍କା ଆଦାୟ କରିଥିବା ବେଳେ ହସ୍ପିଟାଲଠାରୁ ଆହୁରି ୧.୫/୨ଲକ୍ଷ ଟଙ୍କା ପାଇବା ବାକି ଅଛି ବୋଲି ଦର୍ଶାଇଛି। ମାତ୍ର ପୂର୍ବରୁ ଆଦାୟ କରିଥିବା ଟଙ୍କାର ହିସାବ ଦେଇନାହିଁ। ଅଡିଟ୍‌ ସମୟରେ ଏହା ସମସ୍ୟା ସୃଷ୍ଟି କରିବ ବୋଲି ଆଶଙ୍କା କରି କର୍ତୃପକ୍ଷ ଏହାର ହିସାବ ମାଗି ଆସୁଛନ୍ତି। କିନ୍ତୁ ଆଜି ସଂସ୍ଥା ପକ୍ଷରୁ ଯେଉଁ ବିଲ୍ ଦିଆଯାଇଛି, ତାହା ଏହାକୁ ଅଧିକ ରହସ୍ୟ କରିଦେଇଛି। ନିର୍ଦେଶକ ଡା. ଅଶୋକ କୁମାର ପଟ୍ଟନାୟକ କହିଛନ୍ତି, ୟୁନିସଫ୍‌ଟ ସଂସ୍ଥା ଆଦାୟ କରିଥିବା ଟଙ୍କାର ହିସାବ ମଗା ଯାଇଥିଲା। ସଂସ୍ଥାର କର୍ମଚାରୀ ଆଜି ଯେଉଁ ରସିଦ୍ ଦେଖାଇଥିଲେ, ତାହା ହସ୍ପିଟାଲରେ ଥିବା ରସିଦ୍‌ ସହ ମେଳ ଖାଇ ନ ଥିଲା। ସଂସ୍ଥାକୁ ବଳକା ଟଙ୍କା ପ୍ରଦାନ କରିବାରେ କୌଣସି ସମସ୍ୟା ନାହିଁ। ତେବେ ରସିଦ୍ ମେଳ ଖାଉ ନ ଥିବାରୁ କିଭଳି ବଳକା ଟଙ୍କା ଦିଆଯିବ। ଏହାର ଯାଞ୍ଚ ହେବ ବୋଲି ଡା. ପଟ୍ଟନାୟକ କହିଛନ୍ତି।

ଦାରିଦ୍ର୍ୟର କରୁଣ କାହାଣୀ: ହସ୍ପିଟାଲରେ ଶିଶୁକନ୍ୟା ବିକ୍ରି ଅଭିଯୋଗ
କ୍ୟାପିଟାଲ ହସ୍ପିଟାଲରେ ଗତ ୨୧ ତାରିଖରେ ଏକ ୪ବର୍ଷର ଶିଶୁ କନ୍ୟାକୁ ବିକ୍ରି ଅଭିଯୋଗ ହୋଇଛି। ତେବେ ଶିଶୁ କନ୍ୟା ବିକ୍ରି ହେବା ପୂର୍ବରୁ ଘଟଣା ସାମ୍ନାକୁ ଆସିବା ଯୋଗୁଁ ଏହା ସମ୍ଭବ ହୋଇପାରି ନାହିଁ। ଚାଇଲ୍‌ଡ ଲାଇନ୍ ଶିଶୁ କନ୍ୟାକୁ ଉଦ୍ଧାର କରିଛି। ତେବେ ଉତ୍କଟ ଦାରିଦ୍ର୍ୟ ଯୋଗୁଁ ଝିଅର ମା’ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି। ନୟାଗଡ଼ ଜିଲ୍ଲାର ଫତେଗଡ଼ ଅଞ୍ଚଳର ଏକ ଦମ୍ପତି ଗତ ୧୦ ବର୍ଷ ହେବ ମଞ୍ଚେଶ୍ବରରେ ରହୁଥିଲେ। ଦୁହେଁ ଶ୍ରମିକ ଶ୍ରେଣୀର ହୋଇଥିବା ବେଳେ ୨ମାସ ହେବ ଘର ଭଡ଼ା ଦେଇପାରି ନ ଥିଲେ। ଘର ମାଲିକ ଦୁହିଁଙ୍କୁ ଘରୁ ବାହାର କରି ଦେଇଥିଲା। ସେମାନେ ଆସି କ୍ୟାପିଟାଲ ହସ୍ପିଟାଲରେ ଶୋଉଥିଲେ ଓ ‘ଆହାର’ କେନ୍ଦ୍ରରେ ଖାଉଥିଲେ। ମହିଳାଙ୍କ ସ୍ବାମୀଙ୍କ ମୁଣ୍ଡ ଫାଟି ଯାଇଥିବା ବେଳେ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ୨ଦିନ ତଳେ ମହିଳାଜଣଙ୍କ ଝିଅକୁ ବିକ୍ରି କରିବା ପାଇଁ କହୁଥିବା ବେଳେ ଏହା ହସ୍ପିଟାଲରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଫାଣ୍ଡି ପକ୍ଷରୁ ଚାଇଲ୍‌ଡ ଲାଇନ୍‌କୁ ଖବର ଦିଆଯାଇଥିଲା। ଅପରପକ୍ଷେ ସଂପୃକ୍ତ ମହିଳା ତାଙ୍କ ପାଟିରୁ ଭୁଲ୍‌ରେ ଏଭଳି ବାହାରି ଯାଇଥିବା କହିଛନ୍ତି।

ସମ୍ବନ୍ଧିତ ଖବର