ସପ୍ତାହେ ହେଲା କ୍ୟାପିଟାଲ ହସ୍ପିଟାଲରେ ସି.ଟି ସ୍କାନ୍‌ ବନ୍ଦ

ମେସିନ୍‌ର ଯନ୍ତ୍ରାଂଶ ମିଳୁନି କହି କର୍ତୃପକ୍ଷ ନିଧଡ଼କ

ଭୁବନେଶ୍ୱର : ଚଳିତବର୍ଷ ଜାନୁଆରିରୁ ରାଜ୍ୟ ସରକାର ‘ନିଦାନ’ ଯୋଜନାରେ ସି.ଟି ସ୍କାନ୍‌ ପରୀକ୍ଷାକୁ ରୋଗୀଙ୍କୁ ମାଗଣା କରିଛନ୍ତି। ମାତ୍ର ରାଜ୍ୟ ସରକାରଙ୍କ ଏହି ଯୋଜନା ତୃଣମୂଳସ୍ତରରେ କାର୍ଯ୍ୟକାରୀ ହୋଇପାରୁନାହିଁ। ରାଜଧାନୀର ପ୍ରମୁଖ ସରକାରୀ ଡାକ୍ତରଖାନା କ୍ୟାପିଟାଲ ହସ୍ପିଟାଲରେ ଗତ ସପ୍ତାହ ହେବ ସି.ଟି ସ୍କାନ୍‌ ମେସିନ୍‌ ଅଚଳ ହୋଇଯାଇଛି। ମେସିନ୍‌ର କିଛି ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ ପୋଡ଼ି ଯାଇଥିବା କାରଣରୁ ଏହା କାର୍ଯ୍ୟ କରୁନାହିଁ। ଫଳରେ ହସ୍ପିଟାଲକୁ ଚିକିତ୍ସା ପାଇଁ ରୋଗୀଙ୍କୁ ଘରୋଇ ହସ୍ପିଟାଲ କିମ୍ବା ଡାଏଗ୍ନୋଷ୍ଟିକ୍‌ ସେଣ୍ଟର ଉପରେ ନିର୍ଭର କରିବାକୁ ପଡ଼ୁଛି।

ସୂଚନା ଅନୁଯାୟୀ, ଇନଫୋସିସ୍‌ ପକ୍ଷରୁ ୨୦୦୧ ମସିହାରେ କ୍ୟାପିଟାଲ ହସ୍ପିଟାଲକୁ ସି.ଟି ସ୍କାନ୍‌ ମେସିନ୍‌ ପ୍ରଦାନ କରାଯାଇଥିଲା। ସେବେଠାରୁ ହସ୍ପିଟାଲରେ ଏହି ମେସିନ୍‌ କାର୍ଯ୍ୟ କରି ଆସୁଛି। ତେବେ ଏଥିରେ କେବଳ ମୁଣ୍ଡର ସ୍କାନ୍‌ କରାଯାଉଥିବା ବେଳେ ସି.ସିଟି କରାଯାଉ ନ ଥିଲା। ମାତ୍ର ତାହା ବି ଖରାପ ହୋଇଯାଇଛି। ହସ୍ପିଟାଲ କର୍ତୃପକ୍ଷ ମେସିନ୍‌କୁ ସଜାଡ଼ୁଥିଲେ ମଧ୍ୟ ତାହା ଖରାପ ହୋଇଯାଇଛି। ବହୁ ପୁରୁଣା ମେସିନ୍‌ ହୋଇଥିବାରୁ ବଜାରରେ ଏହାର ଯନ୍ତ୍ରାଂଶ ମିଳୁ ନ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଉଛି।

ତେବେ ହସ୍ପିଟାଲ କର୍ତୃପକ୍ଷ ଓ ଏହାକୁ ରକ୍ଷଣାବେକ୍ଷଣ କରୁଥିବା କମ୍ପାନି ଭିତରେ ଫସି ଯାଇଛନ୍ତି ରୋଗୀ। କ୍ୟାପିଟାଲ ହସ୍ପିଟାଲ ଏକ ରେଫରାଲ ହସ୍ପିଟାଲ ହୋଇଥିବାରୁ ରାଜଧାନୀର ଆଖପାଖ ଜିଲ୍ଲାଗୁଡ଼ିକରୁ ରୋଗୀ ଏଠାକୁ ଚିକିତ୍ସା ପାଇଁ ଆସୁଛନ୍ତି। ଏହାସହ ରାଜଧାନୀରେ ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କୁ ଅନେକ ସମୟରେ ସି.ଟି ସ୍କାନ୍‌ର ଆବଶ୍ୟକତା ରହିଥାଏ। ତେବେ ଗତ ୭ଦିନ ହେବ ସି.ଟି ସ୍କାନ୍‌ ମେସିନ୍‌ ଖରାପ ହୋଇଯାଇଥିବା କାରଣରୁ ରୋଗୀଙ୍କୁ ବାଧ୍ୟହୋଇ ଘରୋଇ ଡାଏଗ୍ନୋଷ୍ଟିକ୍‌ ସେଣ୍ଟରକୁ ଯିବାକୁ ପଡ଼ୁଛି। ରାଜ୍ୟ ସରକାରଙ୍କ ନିଦାନ ଯୋଜନାରେ ସି.ଟି ସ୍କାନ୍‌ ପରୀକ୍ଷାର ସୁଫଳ ରୋଗୀଙ୍କୁ ମିଳିପାରୁନାହିଁ।

କ୍ୟାପିଟାଲ ହସ୍ପିଟାଲର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ହସ୍ପିଟାଲରେ ଥିବା ସି.ଟି ସ୍କାନ୍‌ ମେସିନ୍‌ଟି ବହୁତ ପୁରୁଣା। ତାହା ଗୋଟିଏ ସ୍ଲାଇସ୍‌ର ହୋଇଥିବା ବେଳେ ଏବେ ୧୬ ସ୍ଲାଇସ୍‌ର ମେସିନ୍‌ ବ୍ୟବହାର କରାଯାଉଛି। ତେବେ ହସ୍ପିଟାଲରେ ଥିବା ମେସିନ୍‌ଟି କିଛି ଟ୍ୟୁବ୍‌ ପୋଡ଼ି ଯାଇଥିବାରୁ ତାହା ଅଚଳ ହୋଇଯାଇଛି। ନିକଟରେ ଏଥିପାଇଁ ଜାତୀୟ ସ୍ୱାସ୍ଥ୍ୟ ମିସନ୍‌ର ନିର୍ଦେଶିକାଙ୍କ ସହିତ ଆଲୋଚନା ହୋଇଛି। ଆସନ୍ତା ୧/୨ ସପ୍ତାହ ମଧ୍ୟରେ ୧୬ସ୍ଲାଇସ୍‌ର ମେସିନ୍‌ ହସ୍ପିଟାଲରେ ଏନ୍‌ଏଚ୍‌ଏମ୍‌ ପକ୍ଷରୁ ଦିଆଯିବ ବୋଲି କୁହାଯାଇଥିବା ଅଧିକାରୀ ଜଣକ କହିଛନ୍ତି।

ସମ୍ବନ୍ଧିତ ଖବର